Unknown

 

 

 

 

 

 

 

 

 

 

 

ଉଜୁଡ଼ା ବସନ୍ତ

ଶ୍ରୀ ଯୁଗଳକିଶୋର ସାହୁ

 

ଉତ୍ସର୍ଗ

 

ମାମୁଁ,

 

ଆପଣଙ୍କର ଅପାର କରୁଣା ବଳରେ ମୁଁ ଆଜି କଲମ ଧରିଛି । ମୋ’ ଅନ୍ତରର କୃତଜ୍ଞତା ବ୍ୟତୀତ ଆଉ ସବୁ ଆପଣଙ୍କର । ମୋ’ର ଏଇ ‘ଉଜୁଡ଼ା ବସନ୍ତ’କୁ ଆପଣଙ୍କର କର କମଳରେ ଆଜି ଟେକି ଦେଉଛି ।

 

ଯୁଗଳ

Image

 

ମନର କଥା

 

‘ସେନାପତି’ର ପ୍ରକାଶ ପରେ ପରେ ଆଉ ଖଣ୍ଡିଏ ବହି ପ୍ରକାଶ କରିବା ପାଇଁ ଅନେକ ବନ୍ଧୁ ଅନୁରୋଧ କଲେ । ମୋ’ର ଏକ ନିର୍ଦ୍ଦିଷ୍ଟ ପାଣ୍ଡୁଲିପି ପ୍ରକାଶ କରିବାପାଇଁ ପୁରୀରୁ କେତେଜଣ ବନ୍ଧୁ ଜିଗର ବାନ୍ଧିଲେ । ବଳରାମବାବୁ, ନିରଞ୍ଜନବାବୁ ଓ ଭାଗବତବାବୁଙ୍କର ଦାବି–ଯେମିତି ହେଲେ ଆଉ ଖଣ୍ଡିଏ ବହି ଏଇ ଟ୍ରେନିଂ କଲେଜ ରହଣି ଭିତରେ ଲେଖାଯିବ ଓ ଛପାଯିବ । ନନ୍ଦଜୀ ସବୁବେଳେ ତାଙ୍କ ସ୍ୱଭାବ ସୁଲଭ ସ୍ୱରରେ କହିବାକୁ ଲାଗିଲେ, ‘‘କ’ଣ ସାହୁଏ, ଆଉ ଖଣ୍ଡେ କିଛି ଲେଖା କର ।’’ ପ୍ରେରଣା ଖୁବ୍‌ ମିଳିଲା । ସମସ୍ତଙ୍କ ସ୍ନେହ ସହାନୁଭୂତି ନେଇ ‘ଉଜୁଡ଼ା ବସନ୍ତ’ ଲେଖାଗଲା । ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଉଛି ।

 

ଆମ ଗାଁର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋହର । ଏହାର ଚତୁଃପାର୍ଶ୍ୱରେ ଅନେକ ପୁରାତନ ମନ୍ଦିର ତଥା ପ୍ରାଚୀନ କୀର୍ତ୍ତିର ଧ୍ୱଂସାବଶେଷ ବିଦ୍ୟମାନ । ସେ ସବୁର ନିଚ୍ଛକ ବର୍ଣ୍ଣନା ସହିତ ଉପନ୍ୟାସଟି ସଞ୍ଜୀବିତ ହୋଇଛି । ମୋ’ର ଅନ୍ୟ ବହିଗୁଡ଼ିକ ଅପେକ୍ଷା ଏଥିରେ ଯଥେଷ୍ଟ ଅଧିକ ପରିଶ୍ରମ ହୋଇଛି । ପାଠକମାନେ ବହିଟି ପାଠକରି ପ୍ରକୃତ ଦୋଷ ଗୁଣ ବିଚାର କଲେ ଶ୍ରମ ସାର୍ଥକ ହେବ । ଇତି ।

 

ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ପୁରୀ

ବିନୀତ

ତା ୨୯ । ୯ । ୭୧

ଲେଖକ

ଦଶହରା

 

Image

 

ଫଗୁଣ ମାସ ଶେଷ ସରିକି । ଆକାଶ ସାମିଆନା ତଳେ କମ୍ର ସବୁଜ ଗାଲିଚା । ସବୁଜ ଗାଲିଚା ଉପରେ ସୁନେଲି ପୁଟର ଆସ୍ତରଣ । ଧରା ବକ୍ଷରେ ସୁନା ସୋରିଷିଆ ଖରାର ଖେଳ । ଉଷାରାଣୀ ଏଇ ଗାଲିଚା ଉପରେ ଟିକକ ପୂର୍ବରୁ ଅଳସ ଭାଙ୍ଗୁଥିଲା । ତରୁଣ ତପନର କରସ୍ପର୍ଶରେ ଏବେ ତାର ତନ୍ଦ୍ରା ସଂପୂର୍ଣ୍ଣ ଅନ୍ତର୍ହିତ । ତନ୍ଦ୍ରାମୁକ୍ତା ଉଷାର ରଙ୍ଗ ବଦଳୁଛି । ମଳୟର ସୁରେ ସୁରେ ସେ ଯେମିତି ନାଚି ନାଚି ଦୂରରୁ ଦୂରତର ହେଉଛି । ବନରାଜିର ଶାଖାରେ ଶାଖାରେ ପୁଷ୍ପ ମହୋତ୍ସବ । ମଳୟ–କହ୍ନେଇ ବାହୁରେ ଉଷା ରାଧିକା । ଦୁଇ ପ୍ରେମାସକ୍ତ ହୃଦୟର ସବେଗ ମିଳନ । ବୃନ୍ତସ୍ତ ପୁଷ୍ପଗୁଡ଼ିକ ହିଲ୍ଲୋଳାୟିତ ହୋଇ ଅନୁରୂପ ମିଳନରେ ଆନ୍ତରିକ ଶ୍ରଦ୍ଧା ପ୍ରକାଶ କରୁଛନ୍ତି । ଆମନ୍ତ୍ରଣ ଗ୍ରହଣ କରି ଅନେକ ଦୂରରୁ ଆସିଛି ଭଅଁର । ପୁଷ୍ପଟିର ଚତୁପାର୍ଶ୍ୱ ଭ୍ରମଣ କରୁ କରୁ ଆଙ୍କି ଦେଉଛି ଶତେକ ଚୁମ୍ୱନ । ବିଚାରୀ ପୁଷ୍ପ ଲାଜରା ହୋଇ ନତମଥା ହେଉଛି । ଭଅଁରର କିନ୍ତୁ ଅଲାଜୁକି ପଣିଆ ଯାଇ ନାହିଁ । କିଛିଦୂର ଉଡ଼ିଯାଇ ସେ ପୁଣି ଫେରି ଆସିଛି; ଆଉ ଗୁଣୁ ଗୁଣୁ ହୋଇ ପୁଣି ବୋକ ଦେଇ ଚାଲିଛି । ପୁଷ୍ପଗୁଚ୍ଛ–ବେହରଣରେ ମଧୁପ ଅତିଥି । ଅତିଥି ସତ୍କାର ପାଇଁ ଶାଖାରେ ଶାଖାରେ ବିପୁଳ ଆୟୋଜନ ।

 

ପ୍ରଭାତ ରଙ୍ଗ କ୍ରମେ ବେରଙ୍ଗ ହେଉଛି । ତପନର ତପ୍ତ-କର ମଥାନ ଛୁଇଁବା ପ୍ରୟାସରେ ଝୁଙ୍କି ପଡ଼ୁଛି । ମଳୟ ହିଲ୍ଲୋଳରେ ପୁଷ୍କରିଣୀରେ ଉଠୁଛି ତରଙ୍ଗ । ତରଙ୍ଗାୟିତ ଜଳରାଶିରେ ତପନର ତପ୍ତ-କର ଦୋଳି ଖେଳୁଛି । କୂଳ ଆମ୍ୱଗଛ ଶାଖାରେ ବସି ହଳଦୀବସନ୍ତଟି ତା’ର ସୁନ୍ଦର ମୁହଁଟିର ଅସୁନ୍ଦର ଅଂଶତକ ଅବଲୋକନ କରୁଛି ଦୁଃଖ ଭରା ହୃଦୟରେ । ପାଖ ଶାଖାରେ ଏକ ବଣି ଦମ୍ପତି ପରସ୍ପରକୁ ଚୁମା ଦେବାରେ ବ୍ୟସ୍ତ ରହି ହଳଦୀବସନ୍ତର ମାନସ-ବେଦନା ହୁଏତ ବୁଝିପାରୁ ନ ଥିଲେ ।

 

ହଳଦୀ ବସନ୍ତ..... । ସୁନ୍ଦର, କମନୀୟ ତନୁଶ୍ରୀରେ ସୌନ୍ଦର୍ଯ୍ୟମୟ ମୁଖଶ୍ରୀ । ହେଲେ ସେଇ ସୌନ୍ଦର୍ଯ୍ୟପୂର୍ଣ୍ଣ ମୁଖଶ୍ରୀରେ ସାମାନ୍ୟ କାଳିମା ବିଚରାର ମୁଖଶ୍ରୀକୁ ଚିରଦିନ ଲାଗି ସୌନ୍ଦର୍ଯ୍ୟ ବିହୀନ କରି ଦେଇଗଲା । ଏଇ କାଲି ପରି ସେ ଘଟଣା । ରେଖାପରି ମନ କାଗଜରେ ଅଙ୍କା ବଙ୍କା ହେଇ ଆଙ୍କି ହୋଇଯାଏ ।

 

ପିତୃ ସତ୍ୟ ପାଳି ରାମଚନ୍ଦ୍ରଙ୍କର ଚଉଦ ବର୍ଷ ବନବାସ । ଅନୁଜ ଲକ୍ଷ୍ମଣ ତଥା ପ୍ରାଣପ୍ରିୟା ଜାନକୀ ତାଙ୍କର ଅନୁଗାମୀ । ରାବଣ ସୀତାଙ୍କୁ ପର୍ଣ୍ଣକୁଟୀରରୁ ଅପହରଣ କରେ । ଅଶୋକ ବନରେ ବୈଦେହୀଙ୍କୁ ଜଗି ବସନ୍ତି ଶହ ଶହ ରାକ୍ଷସୀ । ପଶୁ, ପକ୍ଷୀ, ରାକ୍ଷସ, ରାକ୍ଷସୀଙ୍କର ସେଇ ଗୋଟିଏ ପ୍ରସ୍ତାବ-ରାବଣକୁ ବରଣ କର । ହଳଦୀବସନ୍ତ ବି ସେଥିରୁ ବାଦ ପଡ଼ି ନ ଥିଲା । ଶିଶୁ ଗଛ ଡାଳରୁ ସେ ରାବି ଉଠିଥିଲା–‘‘ସୀତା କୁକୁଲୁ, ରାବଣକୁ ମଙ୍ଗ ।’’ ବାରମ୍ୱାର ଅନୁରୂପ ଧ୍ୱନି ଶ୍ରବଣରେ ସୀତା ଅତିଷ୍ଠା ହୋଇ ପଡ଼ିଲେ । ହଳଦୀବସନ୍ତର ସୁନ୍ଦର ମୁଖଶ୍ରୀ କାଳିମାଗ୍ରସ୍ତ ହେଉ ବୋଲି ଅଭିଶାପ ଢାଳିଲେ, ତାହାହିଁ ଫଳିଲା । ସେଇଦିନୁ ବିଚରାର ହଳଦୀଆ ଲପନରେ କାଳିମାର ଦାଗ ଲେପି ହୋଇଗଲା । ନିଜର ଭୁଲ୍‌ ବୁଝିପାରି ଅନୁତପ୍ତ ହଳଦୀବସନ୍ତ ସେଦିନଠୁଁ ତା’ର ରାବରେ ପରିବର୍ତ୍ତନ ଆଣିଲା । ଏବେ ସେ ଗଛ ଉହାଡ଼ରୁ କେବଳ ରାବି ଉଠେ–‘ସୀତା କୁକୁଲୁ ।’ ବଣି ଦମ୍ପତିଙ୍କୁ ଆଉ ଥରେ ଅନାଇ ସେ ପୁଣି ରାବି ଉଠିଲା–‘ସୀତା କୁକୁଲୁ ।’ ଏଥର ବଣି ଦମ୍ପତି ଅନ୍ୟ ଜଣକର ଉପସ୍ଥିତି ଜାଣିପାରି ଫଡ଼କିନି ଉଡ଼ିଗଲେ ଆଉ ଗୋଟାଏ ଗଛ ଡାଳକୁ ।

 

ସୂର୍ଯ୍ୟଦେବ ଏଥର ଅନେକ ଉପରକୁ ଉଠିଗଲେଣି । ତୀର-ରୂପୀ କିରଣଗୁଡ଼ାକ ଦେହରେ ଫୋଡ଼ି ହୋଇ ଯାଉଛି । ଆକାଶକୁ ଆଉ ଚାହିଁ ହେଉନାହିଁ । ବାଟୋଇମାନେ ନେତ୍ର କୁଞ୍ଚିତ କରି ଚାଲିଛନ୍ତି ଜଗନ୍ନାଥ ସଡ଼କର କଡ଼େ କଡ଼େ । ଜଗନ୍ନାଥ ସଡ଼କ, ଲମ୍ୱିଯାଇଛି ପୁରୀଠାରୁ କାକଟପୁର ପର୍ଯ୍ୟନ୍ତ । ଅନେକ ବାଟୋଇଙ୍କ ମଧ୍ୟରେ ଚାଲିଛି ଜେମିବୁଢ଼ୀ । ମୁଣ୍ଡର କେଶଗୁଡ଼ାକ ପାଚିଲା ଝୋଟ ହୋଇଗଲାଣି । କାଖରେ ତା’ର ପତର ଟୋକେଇ । ବାଡ଼ି ଠକ ଠକ କରି ସେ ଚାଲିଛି ଆଗକୁ ଆଗକୁ । ଯାଇଥିଲା ସେ ପତର ସାଉଁଟିବାକୁ ଆଗ ତୋଟାକୁ । ବରପତର, ଆମ୍ୱ ପତର ଟୋକେଇରେ ଟୋକେଇଏ ଭରି ରଖିଛି । ନାଲି ସଡ଼କ ଉପରେ ବାଡ଼ି ଠକ ଠକ କରି ସେ ଦୂରକୁ ଦୂରକୁ ପାଦ ପକେଇଚାଲିଛି । ଏଇ ଆଗ ମୋଡ଼ରେ ସେ ତଳକୁ ଗଡ଼ିବ । ସଡ଼କର ନାଲି ଗୋଡ଼ିଗୁଡ଼ାକ ବୁଢ଼ୀର ତଳିପାରେ ଟପ୍‌ଟାପ୍‌ ହୋଇ ଗଳିଯାଉଛି । ମନେ ମନେ ଏ ସଡ଼କଟାକୁ ସେ ଗାଳିଦେଇ ଦେଇ ଚାଲିଛି ଆଗ ଗୋହିରୀ ଆଡ଼େ । ତା’ର ଏ ନାଲି ରାସ୍ତାଟା ଉପରେ ଖୁବ୍‌ ରାଗ । ଆଗରୁ ତ ରାସ୍ତାଟା ବେଶ୍‌ଥିଲା । ଖରାଦିନେ କୋଳଥ ଚୂନାପରି ଧୂଳିଗୁଡ଼ାକ ରାସ୍ତାରେ ଜମା ହୋଇ ଯାଉଥିଲା; ଆଉ ବର୍ଷାଦିନେ ରାସ୍ତାଟା ଖୁବ୍‌ ଖସଡ଼ା ହୋଇ ହୁଏତ ଗୋଡ଼ ଖସୁଥିଲା; କିନ୍ତୁ ଜେମିବୁଢ଼ୀର ଗୋଡ଼କୁ ଏ ସଡ଼କ ଏମିତି କେବେ ଛୁଞ୍ଚି ଫୋଡ଼ିବାପରି ଫୋଡ଼ି ନଥିଲା । ଜେମିବୁଢ଼ୀ ମନକୁ ମନ କହିହୁଏ–କାହିଁକି ଏ ସରକାରୀ ମଣିଷଗୁଡ଼ାଙ୍କର ଏ ବୁଢ଼ୀଟା ଉପରେ ଏ ଅଦଉତି କେଜାଣି ? ସଡ଼କର ଗୋଡ଼ିଗୁଡ଼ାକ ଖୁରାଣ୍ଟି ମାଛର କଣ୍ଟାପରି ଠିଆ ହୋଇଛନ୍ତି । ବୁଢ଼ୀର ଶ୍ଳଥ ତଳିପାରେ ସେଗୁଡ଼ାକ ଆକ୍ରମଣ କରି ତାକୁ ଯନ୍ତ୍ରଣାରେ ଛଟପଟ କରୁଛନ୍ତି । ଏଇ ଆଉ କେତେ ବାଟ ଗଲେ ଦୋବାଟି । ସେଇଠି ସେ ଏ ରାସ୍ତାରୁ ତଳକୁ ଗଡ଼ିବ । ବୁଢ଼ୀ ଏଥର ସଅଳ ସଅଳ ଆଗକୁ ପାଦ ବଢ଼େଇଲା । ଅଳ୍ପ ସମୟ ପରେ ଆସିଲା ସେଇ ଦୋବାଟି । ଗୋହିରୀକୁ ଗଡ଼ିପଡ଼ି ଯେମିତି ସେ ଖୁବ୍‌ ଆଶ୍ୱସ୍ତ ହେଲା ।

 

ବାଲିଆପଟା ଗୋହିରୀ । ଦି’ପଟେ ପୁରୁଷେ ଉଚ୍ଚର କିଆବାଡ଼ । ପବନ ବାଜି କିଆପତ୍ରଗୁଡ଼ାକ ଫଡ଼ ଫଡ଼ ହେଉଥିଲେ । କେତେଟା ଘରଚଟିଆ ଚେଁ ଚେଁ ଶବ୍ଦ କରି ଉଡ଼ି ଯାଉଥିଲେ । ଆର ଦିଗରୁ ସଅଳ ଗତିରେ ପାଦ ପକାଇ ଡଗ ଡଗ ହେଇ ଚାଲି ଯାଉଥିଲା ଅମୁରିଆ । ବୁଢ଼ୀକୁ ଦେଖି କହିପକାଇଲା–କିଲୋ ଜେମି ଆଈ, ତତେ କ’ଣ ଆମ ଗାଁ ତୋଟା ଆଡ଼େ ପତର ମିଳିଲାନି ଯେ, ତୁ ପୁଣି ପତର ସାଉଁଟିବାକୁ ଆର ତୋଟାକୁ ଯାଇଥିଲୁ ?

 

ବୁଢ଼ୀ ଝଟାପଟ ଉତ୍ତର ଦେଲା,–ଆରେ ପୁଅ, ଏ ଗାଁରେ ପତର ତ ପତର; ପତର ଡେମ୍ଫ କ’ଣ ରହୁଛି ? ରାତି ନପାହୁ ପରା ଯୋଗଣୀପଲ୍ଲ ସବୁ ଖୁଣ୍ଟି ନଉଚନ୍ତି ।

 

କାହିଁକି ? ତୁ ଆମ ତୋଟାକୁ ଗଲୁନି । ପତର ପରା ଆମ ତୋଟାରେ ଏତେ ଉଚ୍ଚର ଶେଜ ପାରିଲାପରି ଗଦା ହେଇଛି–ଅମୁରିଆ କହିଲା ।

 

‘‘ହଇରେ ଧନମାଳିଆଟା, ମତେ ତୁ ଏ ଯାଏ କହୁନୁ । ଯାଏଁ ଯାଏଁ । ଗଲାବେଳେ ତମରି ତୋଟା ଦେଇଯିବି ।’’

 

‘‘ହଉ ଆଈ, ଯା ଯା । ମୋ’ର ଏଣେ ଡେରି ହୋଇଯିବ ।’’

 

‘‘କିରେ ଏଡ଼େ ତରବରରେ ତୁ କୁଆଡ଼େ ବାହାରିଛୁକି ? କ’ର ଘୋଡ଼ାରେ ଯୁଣ ଦେଇ ଆସିଛୁ ନା କ’ଣ ବା ହଁ, ହଁ, ତା ନୁହଁ ଆଉ କ’ଣ । ପର ଘରେ ଯେତେବେଳେ ମୁଣ୍ଡ ବିକିଛି; ଯା ଯା, ଆଉ ଡେରି କରନା ।’’ ବୁଢ଼ୀର କଥା ଶୁଣି ଅମୁରିଆ କହିଲା,–‘‘ନାଇଁବା ଆଈ ଆଜି ପରା ଆମ ରମୁବାବୁ ଆସିବେ । ମା ମତେ ସେଇଥିପାଇଁ ଆମ ନଡ଼ିଆ ବଗିଚାକୁ ପଠେଇଛନ୍ତି । ଏଇ ସାଙ୍ଗେ ସାଙ୍ଗେ ଦିଅଣ୍ଡା ନଡ଼ିଆ ତୋଳି ଆଣିବାକୁ ପଡ଼ିବ ।’’ ପାକୁଆ ପାଟିରେ ବୁଢ଼ୀ ଏଥର ହସିଦେଇ କହିଲା, ‘‘ରମୁ ଆସିବ ? ହଉ ଯା ଯା ।’’

 

ଅମୁରିଆ ତା’ ବାଟରେ ଚାଲିଗଲା । ବୁଢ଼ୀ ହସି ହସି ତା’ ବାଟରେ ଆଗେଇବାକୁ ଲାଗିଲା । କେତେଦିନ ପରେ ରମୁ ଆସିବ–ଏ କଥା ଶୁଣି ତା’ର ମନ କୁଣ୍ଢେମୋଟ ହୋଇଗଲା । ରମୁ ତା’ ପାଇଁ ନିଶ୍ଚେ କିଛି ତୁଣ୍ଡ ସୁଆଦି ଜିନିଷ ଆଣିଥିବ । ଏଇକଥା ଭାବି ସେ ଦିଗୁଣ ବେଗରେ ଆଗକୁ ପାଦ ବଢ଼େଇଲା । ଏତିକିବେଳେ ତା’ ତଳିପାରେ କଣ୍ଟାଟାଏ ଟପ୍‌ କରି ଗଳିଗଲା । ବିଚାରୀ ଯନ୍ତ୍ରଣାରେ କଣ୍ଟାଟାକୁ ତଳିପାରୁ ଅଲଗା କରୁ କରୁ କହିଲା,–ଆଣ୍ଡର କଣ୍ଟାଟା ପୁଣି ଏତିକିବେଳକୁ ମୋ’ ସାଙ୍ଗରେ ଦାଉ ସାଧୁଛି । ଆଉ ହବାରେ କଥା ନାଇଁ । ଏଇନେ ଚାହୁଁ ଚାହୁଁ ମୋ’ ଗୋଡ଼ଟା ଅପଙ୍ଗ ହୋଇ ଯାଇଥାନ୍ତା–କହି କହି ବୁଢ଼ୀ ଛୋଟେଇ ଛୋଟେଇ ଆଗକୁ ମାଡ଼ି ଚାଲିଲା ।

 

ବସ୍‌ଟିର ଉପରେ ଲେଖାଅଛି ‘ପୁରୀଠାରୁ କାକଟପୁର’ । ଜଗନ୍ନାଥ ସଡ଼କରେ ସେ ପଡ଼ିଉଠି ଆଗକୁ ଧାଇଁଛି । ସର୍ପିଳ ରାସ୍ତାଟିର ଧୂଳି ଉଡ଼ାଇ ଯାଉ ଯାଉ ବାଟରେ କେତେ ନୂଆ ପାସେଞ୍ଜରଙ୍କୁ ଭିତରକୁ ଆଣୁଛି ତ ଆଉ କେତେ ପୁରୁଣା ପାସେଞ୍ଜରଙ୍କୁ ଉତ୍ତାରି ଦେଉଛି । ସଡ଼କ ଯାକ କେତେ ଖାଲ ଖମଣ । ରାସ୍ତାଟିର କେତେ ଯାଗରେ ଗୋଡ଼ି ବିଛାଯାଇଛି । ହେଲେ ସବୁ ସ୍ଥାନରେ ନୁହେଁ । ବର୍ଷାଦିନେ ଏ ରାସ୍ତାରେ ବସ୍‌ ଚଳାଚଳ ବନ୍ଦ । ସେତେବେଳେ ରାସ୍ତାର କଳେବରଟା ସଂପୂର୍ଣ୍ଣ କର୍ଦମାକ୍ତ । ଠାଏ ଗୋଡ଼ ଖସିଲେ ସାତ କଚଡ଼ା ପଡ଼ିବ । ଶୀତଦିନେ ଓ ଖରାଦିନେ ବସ୍‌ଗୁଡ଼ାକ ପେଁ ପେଁ ଶବ୍ଦ କରି ଯାହା ଏଇ ରାସ୍ତାଟାର କଳା ବକ୍ଷ ଉପରେ ଗଡ଼ି ଚାଲନ୍ତି ।

 

ଅନେକ ଦିନର ପୁରୁଣା ସଡ଼କଟା । ହେଲେ ସରକାରଙ୍କ ଶୁଭ ଦୃଷ୍ଟିକୁ ତାହା ଏ ପର୍ଯ୍ୟନ୍ତ ହୁଏତ ଛୁଇଁ ପାରିନାହିଁ । ଫଳରେ ତା’ର ମାଟି କଳେବରଟା ସେମିତି ରହିଛି । କିଛିଦିନ ପୂର୍ବେ ଶୁଣାଯାଉଥିଲା ରାସ୍ତାଟା କୁଆଡ଼େ ପକ୍‌କା ହେଇଯିବ । ସଡ଼କ ଦାଢ଼ିଆ ଗାଁଗୁଡ଼ାକର ଲୋକେ ଭାରି ଖୁସି ହେଲେ । ଗାଁ ପିଲାଏ ତାଳି ମାଇଲେ । ହେଲେ ଆଜିଯାଏ କଚା ରାସ୍ତାଟା ସେଇ କଚା ହେଇ ରହିଛି । ପରିବର୍ତ୍ତନ ଭିତରେ ଏତିକି ହେଇଛି ଯେ ମଝିରେ ମଝିରେ ମାଇଲିଏ ଲେଖାଁଏ ଗୋଡ଼ି ପକାଇ ଦିଆଯାଇଛି ଯାହା । ନାଲି ନାଲି କଳା କଳା ଗୋଡ଼ିଗୁଡ଼ାକ ହନୁମାଙ୍କଡ଼ ଦାନ୍ତ ଖିଙ୍କାରିଲା ପରି ପ୍ରତୀୟମାନ ହେଉଛି ।

 

ବସ୍‌ର କଳେବରଟା ସଂପୂର୍ଣ୍ଣ ଧୂଳି ହୋଇ ଗଲାଣି । ପଛ ପଟରୁ ଭସ୍‌ ଭସ୍‌ ହେଇ ଧୂଆଁ ବାହାରୁଛି । ସାନବଡ଼ ହେଇ ବସ୍‌ରେ ଅନେକ ଯାତ୍ରୀ । ଯାତ୍ରୀମାନେ ପରସ୍ପର ଭିତରେ ନାନା ଗପରେ ମାତି ଯାଇଛନ୍ତି । ମୁଣ୍ଡ ଉପରେ ଆସନ୍ତା ସାଧାରଣ ନିର୍ବାଚନ । କେଉଁ ଦଳ ହାରିବ, କେଉଁ ଦଳ ଜିତିବ, ଅବା କେଉଁ ଦଳ ମୂଳ ପୋଛ ହୋଇଯିବ । ଅନେକ ମତାମତ, ଅନେକ ଟିପ୍‌ପଣୀ ।

 

ବସ୍‌ର ଗୋଟିଏ କୋଣକୁ ବସିଛନ୍ତି ଦୁଇଜର ପୌଗଣ୍ଡ । ମୁଖ ମଣ୍ଡଳରୁ ଜଣାଯାଏ ଉଭୟଙ୍କର ବୟସ ଷୋଳ ସତର ବର୍ଷରୁ ଉର୍ଦ୍ଧ୍ୱ ହେବ ନାହିଁ । କର୍ଣ୍ଣ ମୂଳରୁ ଆରମ୍ଭ କରି ଗଣ୍ଡଦେଶ ପର୍ଯ୍ୟନ୍ତ କ୍ଷୁଦ୍ର କ୍ଷୁଦ୍ର ଦାଢୀ ଗଜୁରି ଆସିଛି । ହେଲେ ତା’ ଦେହରେ ସେଲୁନର କଲକତି ଖୁର କିମ୍ୱା ନିରାପଦ ଖୁରର ଅତ୍ୟାଚାର ଏ ପର୍ଯ୍ୟନ୍ତ ହୋଇନାହିଁ । ଜଣକର ଦେହରେ ଦାମି ଟେରିକଟ୍‌ର ଫୁଲପେଣ୍ଟ ଉପରେ ଟେରିନ୍‌ ଶାର୍ଟ । ପାଦରେ ଅଜନ୍ତା ଚପଲ, ଆକ୍ଷିରେ ସୁନ୍ଦର ଡିଜାଇନର ଗଗଲ୍‌ସ୍‌ । ସେ ହେଲା ରମେଶ । ବସ୍‌ର ଖିଡ଼ିକି ପାଖରେ ସେ ବସିଛି । ତା ପାଖରେ ବସିଛି ଗୌର ମୋହନ । ସାଧାରଣ ଧୋତି ଉପରେ ଖଦଡ଼ ହାଓ୍ୟାଇନ୍‌ । ହାତରେ ଖଣ୍ଡେ ସଦ୍ୟ ଖବର କାଗଜ । ହଠାତ୍‌ ଉଭୟଙ୍କର ମୁଣ୍ଡ ସଶବ୍ଦରେ ପରସ୍ପରକୁ ସ୍ପର୍ଶ କଲେ । ବସ୍‌ରେ ଦୁଇ ସେକେଣ୍ଡ ପାଇଁ ଏକ ମଧ୍ୟମ ଧରଣର ଭୂମିକମ୍ପ ସୃଷ୍ଟିହେଲା । ବୋଧହୁଏ ଚକଗୁଡ଼ାକ ଗୋଟାଏ ଖାଲ ଭିତରେ ପଡ଼ି ପୁଣି ଉଠି ପଡ଼ିଲେ । ଗୌରମୋହନ ପୂର୍ବମତେ ସଜାଡ଼ି ହୋଇ ବସୁ ବସୁ ଉଚ୍ଚାରଣ କଲା, ‘‘ଏ ରାସ୍ତାର ଦୁର୍ଦ୍ଦଶା କେବେ ଦୂର ହେବ କେଜାଣି । ତାକୁ ଠାକାଟାଏ ବଜାଇ ଦେଇ ରମେଶ କହିଲା, ‘ବୁଝିଲ ମାରାଲିଷ୍ଟ, ତମେ ଯେବେ ମନ୍ତ୍ରୀ ହେବ’......‘ମାରାଲିଷ୍ଟ’–ଏଇଟା ଗୌରମୋହନ ପ୍ରତି ରମେଶର ଏକ ନିତିଦିନିଆ ସମ୍ୱୋଧନ । ଜଣେ କେଉଁ ବିଶିଷ୍ଟ ଔପନ୍ୟାସିକଙ୍କ ଲେଖାରୁ ସେଇଟା ତା’ର ଏକ ଶ୍ରମ ସାର୍ଥକ ଆବିଷ୍କାର ।

 

X X X X

 

ରମେଶ ଓ ଗୌରମୋହନ ଉଭୟେ ପୁରୀର କୌଣସି ଏକ ହାଇସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର । ମାଟ୍ରିକ୍ୟୁଲେସନ ପରୀକ୍ଷା ଦେଇସାରି ଗାଁକୁ ଫେରୁଛନ୍ତି । ଉଭୟେ ଏକା ଗାଁର ନହେଲେ ବି ଏକା ଅଞ୍ଚଳର ପିଲା । ଜଣକର ଗାଁ ନୂଆଗାଁ । ସେ ହେଉଛି ରମେଶ । ଆଉ ଜଣକର ଗାଁ ଠାକୁରପଦା । ସେ ହେଉଛି ଗୌରମୋହନ । ଗୋଟିଏ ବସ୍‌ରେ ଆସିଲେ ଉଭୟ ଗାଁରେ ପହଞ୍ଚି ହେବ ।

 

ନୂଆଗାଁରେ ରମେଶ ଏକ ମଧ୍ୟବିତ୍ତ ପରିବାରର ସନ୍ତାନ । ତା’ର ପିତା ନୀଳେଇ ପ୍ରଧାନ ଥିଲେ ଜଣେ ମାମଲତକାର ବ୍ୟକ୍ତି ଆଖପାଖ ପଚାଶ ଖଣ୍ଡ ଗାଁରେ ସେ ଖୁବ୍‌ ଜଣାଶୁଣା ଥିଲେ । କୌଣସି ସୁବିଧା ଅସୁବିଧା, ନ୍ୟାୟ ନିଶପ ନେଇ ଲୋକେ ଖୁବ୍‌ ତାଙ୍କ ପାଖକୁ ଆସୁଥିଲେ-। ସେ ଅଞ୍ଚଳରେ ଏପରି କୌଣସି ନ୍ୟାୟ ନିଶାପ ହେଉନଥିଲା, ଯେଉଁଥିରେ ନୀଳେଇ ପ୍ରଧାନଙ୍କୁ ଡକା ଯାଉନଥିଲା । ପଧାନଙ୍କର ଜମିଜମା ଅତି ବେଶି ନ ହେଲେ ବି ଯେତିକି ଥିଲା ସେଥିରେ ଦୁଇବର୍ଷ ଚଳିଲା ଭଳି ଫସଲ ଆମଦାନି ହେଉଥିଲା । ତଦ୍‌ବ୍ୟତୀତ ନଡ଼ିଆବଗିଚା ଓ ଆମ୍ୱତୋଟା ମଧ୍ୟ କମ୍‌ ନଥିଲା । ବାଡ଼ିପଟ ପୋଖରୀରୁ ଯଥେଷ୍ଟ ମାଛ ସଂଗୃହୀତ ହେଉଥିଲା । ଏ ସବୁ ବାଡ଼ି ବଗିଚା ନୀଳେଇ ପଧାନଙ୍କ ପିତାଙ୍କ ଅମଳର । ନୀଳେଇ ପଧାନେ ତାଙ୍କର ଜମି ପରିମାଣକୁ ସାମାନ୍ୟ ବଢ଼େଇଛନ୍ତି ଯାହା । ପଧାନେ ବଞ୍ଚିଥିବାବେଳେ ପୁଅ ରମୁ ଓରଫ ରମେଶକୁ ପୁରୀ ସହରର ଏଇ ହଇସ୍କୁଲରେ ପଢ଼େଇବାର ବନ୍ଦୋବସ୍ତ କରି ଯାଇଥିଲେ । ରମେଶ ହଷ୍ଟେଲରେ ରହି ପଢ଼େ । ଏବେ ଦୁଇବର୍ଷ ହେଲା ନୀଳେଇଙ୍କର କାଳ ହୋଇଗଲା ପରେ ରମେଶର ବୋଉ ହାରାମଣୀ ସମସ୍ତ ସଂପତ୍ତିର ବୁଝାସୁଝା କରୁଛନ୍ତି । ଘରର କୋଠିଆ ଅମୁରିଆ ଓ ଆଉ କେତେକ ଚାକରଙ୍କ ସାହାଯ୍ୟରେ ଜମି ଚାଷ ହୁଏ, ନଡ଼ିଆ ତୋଳାଯାଏ ଓ ମାଛ ମରାଯାଏ । ହାରାମଣୀ ଏସବୁ ବୁଝାଶୁଝା କରିବାରେ ଖୁବ୍‌ ନିପୁଣା । ସ୍ୱାମୀ ବଞ୍ଚିଥିବା ବେଳେ ମଧ୍ୟ ସେ ଏସବୁର ବୁଝାଶୁଝା କରୁଥିଲେ । ନୀଳେଇ ମାମଲତ୍‌କାର ଲୋକ ହିସାବରେ ଅନେକ ସମୟ ବାହାରେ କଟାଉଥିଲେ । ସେଇ ହେତୁ ଘରକାମ ବୁଝିବାରେ ହାରାମଣୀଙ୍କର ସେ ବେଳୁଁ ଅନେକ ଅଭିଜ୍ଞତା ଆସିଯାଇଛି ।

 

ଏବେ ରମେଶ ହାରାମଣୀଙ୍କ ଏକମାତ୍ର ଆଖି । ତାଙ୍କର ଆଉ ଦ୍ୱିତୀୟ ସନ୍ତାନ ନାହିଁ । ତାଙ୍କର ଇଚ୍ଛା ପୁଅ, ବି. ଏ. ଖଣ୍ଡିକ ପାଶ୍ କରିଗଲେ ତାକୁ ବାହାଦେଇ ଘରର ସମସ୍ତ ଦାୟିତ୍ୱ ପୁଅ ବୋହୂଙ୍କ ଉପରେ ଛାଡ଼ିଦେବେ ତାପରେ ତାଙ୍କର ଛୁଟି । ରମେଶ ବି. ଏ. ପଢ଼ିବ, ଏଇଟା ଥିଲା ନୀଳେଇଙ୍କର ଅନ୍ତିମ ଇଚ୍ଛା । ମୃତ୍ୟୁଶଯ୍ୟାରେ ସେ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ଯାଇଛନ୍ତି, ‘‘ହାରା, ରମୁର ଯେମିତି କୋଉଁଥିରେ ଅଭାବ ନହୁଏ । ତାକୁ ବି. ଏ. ପାଶ କରାଇ ଦୁନିଆରେ ମଣିଷ ପରି ମଣିଷ କରି ଗଢ଼ିବ । ବାପ ନଥିଲା ପୁଅ ବୋଲି ଦିନେ ହେଲେ ସେ ଯେମିତି ଅନୁଭବ ନକରେ । ଏଣିକି ତମେ ତା’ର ବୋଉ, ତମେ ତା’ର ବାପ ।

 

ଏଇକଥା କେତେପଦ ଏବେ ବି ହାରାମଣୀଙ୍କର କର୍ଣ୍ଣପଟରେ ଆଘାତ କରୁଛି । ରମେଶର ସେ କେଉଁଥିରେ ଅଭାବ ରଖି ନାହାନ୍ତି । ହଷ୍ଟେଲର ଦେୟ ବାଦ୍‌ ରମେଶ ବୋଉଙ୍କଠାରୁ ହାତ ଖରଚ ପାଇଁ ଅନେକ ଟଙ୍କା ପାଏ । ପୁରୀ ସହରରେ ସଙ୍ଗ ମେଳରେ ଦିନ ଗୁଡ଼ାକ ତା’ର ଆନନ୍ଦରେ କଟିଯାଏ । ପ୍ରତି ଛୁଟିରେ ରମେଶ ଯେପରି ଘରକୁ ଆସେ–ଏଥିପାଇଁ ହାରାମଣୀଙ୍କର କଡ଼ା ତାଗିଦା ରମେଶ ମଧ୍ୟ ସେଥିରେ କେବେ ହେଳା କରିନାହିଁ । ମାଟ୍ରିକ୍ୟୁଲେସନ ପରୀକ୍ଷା ପରେ ହର୍ଷୋତ୍‌ଫୁଲ ମୁଖରେ ସେ ଆଜି ଗାଁକୁ ଫେରୁଛି ।

 

X X X X

 

ବସ୍‌ର ଗତି କ୍ରମେ କମି ଆସିଲା । ତୁଳସୀପୁର ଛକରେ ଡାଇଭର ବ୍ରେକ୍‌ କସିଲା । ଏଇଠୁ ଗୌରମୋହନ ଗାଡ଼ିରୁ ଓହ୍ଲାଇ ନିଜ ଗାଁକୁ ଯିବ । ଯିବାବେଳେ ଦୁଇବନ୍ଧୁ ପରସ୍ପରକୁ ନମସ୍କାର କଲେ । ରମେଶ ବଡ଼ ପାଟିରେ କହି ଉଠିଲା,–ଦେଖ୍‌ ମାରାଲିଷ୍ଟ, ଛୁଟି ଭିତରେ ଆମ ଘରକୁ ଯିବାକୁ ଯେମିତି ନଭୁଲୁ ।

 

‘‘ତା ପୂର୍ବରୁ ତତେ ନିଶ୍ଚୟ ଠାକୁର ପଦାକୁ ଯିବାକୁ ପଡ଼ିବ’’–ଓହ୍ଲାଉ ଓହ୍ଲାଉ ଉତ୍ତର ଦେଲା ଗୌରମୋହନ । ଏଥର ବସ୍‌ର କ୍ଳିନର ରସି ଟାଣି ଦୁଇଟି ଘଣ୍ଟି ବଜାଇ ଦେଲା ଓ ବସ୍‌ଟି ଭୀମ ଗର୍ଜନରେ ପୁଣି ଆଗକୁ ମାଡ଼ି ଚାଲିଲା । ଆଉ ହୁଏତ ଦଶମିନିଟ ପରେ ପଡ଼ିବ ବାଲିଆପଟା ଗୋହିରୀ । ସେଇଠି ଓହ୍ଲେଇ ରମେଶ ନିଜ ଗାଁରେ ପଶିବ ।

 

ଗୌରମୋହନ ବସ୍‌ରୁ ଓହ୍ଲେଇ ନିଜର ଟ୍ରଙ୍କଟି ଧରି ଆଗକୁ ମାଡ଼ି ଚାଲିଲା । ତୁଳସୀପୁର ଛକରୁ ଠାକୁର ପଦା ଖାଲି ପାଦରେ ଦଶମିନିଟର ବାଟ । ଗାଁଟିରେ ପ୍ରାୟ ଶହେଟି ପରିବାର ବାସିନ୍ଦା, ଗାଁରେ ଖୁବ୍‌ ଧନୀକ ପରିବାର ଯେମିତି ଅଛନ୍ତି ଖୁବ୍‌ ଦରିଦ୍ର ପରିବାର ମଧ୍ୟ ସେମିତି ଅଛନ୍ତି । ହରେକୃଷ୍ଣ ନାୟକ ସେଇ ଦରିଦ୍ରମାନଙ୍କ ମଧ୍ୟରୁ ଜଣେ । ଜମିଜମା ପ୍ରାୟ ନାହିଁ, ବାଲି ସାରଦ ଜମି ମିଶି ଅତି ବେଶିରେ ଦେଢମାଣ ହେବ । ସଂପତ୍ତି ଭିତରେ ଖଣ୍ଡିଏ ପାନ ବରଜ, ଏଇଟି ବରଷକର ଭାତ ହାଣ୍ଡି, ଏଇଥିରୁ ଯାହା ଆୟ ହୁଏ, ସେଥିରେ ପରିବାରଟି ଚଳେ ।

 

ହରେକୃଷ୍ଣ ଯେମିତି ସରଳ ସେମିତି ନିଷ୍କପଟ । ଅନେକ ଦିନରୁ ତାଙ୍କର ପତ୍ନୀ ବିୟୋଗ ଘଟିଥିଲେ ବି ସେ ଆଉ ଦ୍ୱିତୀୟ ବିବାହ କରିନାହାନ୍ତି । ବଡ଼ ଝିଅ ସୁବାସୀ କେଉଁଦିନୁ ବାହା ହେଇ ତା’ର ଘର ସଂସାର କରୁଛି । ମଝିରେ ମଝିରେ ଆସି ବାପାଙ୍କର ଖବର ଅନ୍ତର ନିଏ । ତା’ ତଳେ ପୁଅ ଗୌରମୋହନ । ପୁରୀର ଏକ ମଠରେ ରହି ମାଟ୍ରିକ୍ୟୁଲେସନ ପଢ଼େ । ହରେକୃଷ୍ଣ ପୁଅକୁ ନିଜର ଅବସ୍ଥା ଦୃଷ୍ଟିରୁ କୌଣସି ସାହାଯ୍ୟ କରିପାରନ୍ତି ନାହିଁ । ପିତାଙ୍କଠାରୁ କୌଣସି ସାହାଯ୍ୟ ନପାଇ ବି ଗୌରମୋହନ ତା’ ପଢ଼ାପଢ଼ିରେ ଠିକ୍‌ ଆଗେଇ ଚାଲିଛି । ଶ୍ରେଣୀରେ କୃତୀଛାତ୍ରମାନଙ୍କ ମଧ୍ୟରୁ ସେ ଜଣେ । ସହକାରୀ ଶିକ୍ଷକମାନଙ୍କଠାରୁ ଆରମ୍ଭକରି ପ୍ରଧାନ ଶିକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ତା’ ଉପରେ ଅନେକ ଭରସା ।

 

ଗୌରମୋହନ ଶାନ୍ତ, ଭଦ୍ର ଓ ସରଳ । ଅନ୍ୟାନ୍ୟ ପିଲାଙ୍କ ପରି ସେ ବାଚାଳ ନୁହେଁ । ସେ ଖୁବ୍‌ କମ କଥା କୁହେ, ହେଲେ ଖୁବ୍‌ ପଢ଼େ । ପଢ଼ିବାରେ ତା’ର ସବୁଠାରୁ ବେଶି ଆଗ୍ରହ । ଘଣ୍ଟାଘଣ୍ଟା ଧରି ବହିପତ୍ର ପଢ଼ିବାରେ, ଅଙ୍କ କଷିବାରେ କିମ୍ୱା ଜ୍ୟାମିତିକ ଅନୁଶୀଳନୀର ସମାଧାନ କରିବାରେ ସେ ପାଏ ଅସୀମ ଆନନ୍ଦ । ଶ୍ରେଣୀରେ ସବୁ ଶିକ୍ଷକଙ୍କର ତା’ ଉପରେ ଆଖି । ପିଲାମାନେ ସମସ୍ତେ ମଧ୍ୟ ତାକୁ ସମାଦର କରନ୍ତି । ତା’ର ସରଳତା, ଆମାୟିକ ବ୍ୟବହାର ଓ ପାଠପଢ଼ା ଛାତ୍ରଛାତ୍ରୀ ମହଲରେ ତାକୁ ଖୁବ୍‌ ଲୋକପ୍ରିୟ କରିଛି । କି ଛାତ୍ର କି ଶିକ୍ଷକ, ସେ ସମସ୍ତଙ୍କର ପ୍ରିୟ । ଶିକ୍ଷକମାନଙ୍କୁ ସେ ଯେମିତି ଭକ୍ତି କରେ, ସହପାଠୀମାନଙ୍କୁ ସେମିତି ସ୍ନେହ କରେ ତା’ର ବ୍ୟବହାରରେ ସମସ୍ତେ ତୁଷ୍ଟ, ସମସ୍ତେ ପ୍ରୀତ ।

 

ଛୁଟିରେ ସେ ଖୁବ୍‌ କମ୍‌ ଗାଁ’କୁ ଆସେ । ମଠ ମହନ୍ତଙ୍କର କଡ଼ା ନିର୍ଦ୍ଦେଶ ଅନ୍ତେବାସୀଗଣ କଠୋର ଶ୍ରମ କରିବେ । ମଠରେ ଆଶ୍ରିତ ଛାତ୍ରମାନେ ବଗିଚା କାମ ସହିତ ଅଧ୍ୟୟନ ତପସ୍ୟାରେ କଠୋର ଶ୍ରମ ନକଲେ ମଠର ଦ୍ୱାର ସେମାନଙ୍କ ପାଇଁ ବନ୍ଦ ହୋଇଯାଏ । ମହନ୍ତ ମହାରାଜାଙ୍କର ଇଚ୍ଛା ମଠାଶ୍ରିତ ପିଲାମାନେ ଯେପରି ଶ୍ରେଣୀରେ ଉପଯୁକ୍ତ ଛାତ୍ରରୂପେ ବିବେଚିତ ହୁଅନ୍ତି ।

 

ଗୌରମୋହନ ପ୍ରତ୍ୟହ ବ୍ରାହ୍ମମୁହୂର୍ତ୍ତରୁ ଶଯ୍ୟା ତ୍ୟାଗକରି ନିତ୍ୟକର୍ମ ପରେ ସାଧାରଣ ପ୍ରାର୍ଥନାରେ ଯୋଗ ଦିଏ । ତା ପରେ କିଛିଟା ଦଣ୍ଡ ବୈଠକି ପକେଇ ସାଧାରଣ ବ୍ୟାୟାମ କରିଥାଏ-। ଦଣ୍ଡ ବୈଠକି ପକାଇବା ଏଠିକାର ବ୍ୟବସ୍ଥା ମଧ୍ୟରୁ ଏକ ସାଧାରଣ ନିୟମ । ସବୁ ସମୟରେ ଶରୀରକୁ ସୁସ୍ଥ ସବଳ ରଖିବାପାଇଁ ଏ ପ୍ରକାର ବ୍ୟାୟାମର ବ୍ୟବସ୍ଥା କରାଯାଇଛି । ସାଧାରଣ ବ୍ୟାୟାମ ପରେ ସାମାନ୍ୟ ଜଳଖିଆ ଖାଇ ସେ ପଢ଼ା ଆରମ୍ଭ କରେ । ଦଶଟା ବେଳକୁ ନଟରାଜଙ୍କ ପ୍ରସାଦ ସେବନ କରି ସେ ବିଦ୍ୟାଳୟକୁ ଯାଏ । ଏଇ ନଟରାଜ ମଠର ଅଧିଷ୍ଠାତା ଦେବତା । ମହନ୍ତ ମହାରାଜ ତାଙ୍କରି ପୂଜା ଅର୍ଚ୍ଚନାରେ ସମୟ ବିତାନ୍ତି । ନଟରାଜ ତ୍ରିଭଙ୍ଗୀ ଠାଣିରେ ସିଂହାସନ ଉପରେ ଦଣ୍ଡାୟମାନ । ରତ୍ନ ଖଚିତ ସିଂହାସନ ଉପରେ ମଣିମାଣିକ୍ୟ ଯୁକ୍ତ ଏଇ ପ୍ରତିମା । ପୂଜା ଶଙ୍ଖ ଓ ଧୂପଦାନୀ ଯଥା ସ୍ଥାନରେ ମଣ୍ଡିତ । ସକାଳ ସନ୍ଧ୍ୟାରେ ଏଇ ଠାକୁର ଘରୁ ମହକ ଛୁଟେ । ଘଣ୍ଟା କାହାଳିର ଧ୍ୱନିରେ ଆରତି ବଢ଼େ । ନଟରାଜଙ୍କର ଅସୀମ ସମ୍ପତ୍ତି । ଅନେକ ଲୋକହିତକର କାର୍ଯ୍ୟ ବ୍ୟତୀତ ଦରିଦ୍ର ଛାତ୍ରମାନଙ୍କର ଅଧ୍ୟୟନ ପାଇଁ ଅନ୍ନ ସଂସ୍ଥାନ ବ୍ୟବସ୍ଥା ସେଇ ସମ୍ପତ୍ତିରୁ କରାଯାଇଥାଏ । ମହନ୍ତ ମହାରାଜ ଖୁବ୍‍ ଦୟାଳୁ । ତାଙ୍କ ପାଖରୁ କେହି କେବେ ରିକ୍ତ ହସ୍ତରେ ଫେରିନି । ବେଳ ଅବେଳରେ ହାତ ପାତିଲେ ସେ ହସ୍ତଭରି ଦାନ ଦିଅନ୍ତି । ଅନନ୍ତ ଏ ସୃଷ୍ଟି । ସବୁ ସେଇ ସ୍ରଷ୍ଟାଙ୍କର । ଏଥିରେ ମଣିଷର କିଛି ହକ୍‌ ନାହିଁ । ସମ୍ପତ୍ତି ତାଙ୍କର ସୃଷ୍ଟି; ମଣିଷ ବି ତାଙ୍କରି ସୃଷ୍ଟି । ତେଣୁ ସେ ବିଶ୍ୱକର୍ତ୍ତାଙ୍କ ସୃଷ୍ଟି ସମ୍ପତ୍ତି ତାଙ୍କରି ସୃଷ୍ଟି ମଣିଷର ହିତରେ ଲାଗୁ । ତାକୁ ଗଚ୍ଛିତ କରି ରଖି କି ଲାଭ ? ସେ ସମ୍ପଦରେ ବା ତାଙ୍କର କି ହକ୍‌ ଅଛି ? ଏଇ ହେଲା ମହନ୍ତ ମହାରାଜଙ୍କ ଦର୍ଶନ । ମଠର ଧନ ସମ୍ପତ୍ତି ପ୍ରତି ତାଙ୍କର ଆକର୍ଷଣ ନାହିଁ । ପୋଥି ପଠନ, ଶାସ୍ତ୍ରମନନ, ଧ୍ୟାନ, ପ୍ରାର୍ଥନା ଓ ଶାସ୍ତ୍ରଚର୍ଚ୍ଚାରେ ତାଙ୍କର ସମସ୍ତ ସମୟ ବିତିଯାଏ । ଅନେକ ସମୟରେ ସାଧାରଣରୁ ଶାସ୍ତ୍ରଚର୍ଚ୍ଚା ପାଇଁ ଅନେକ ଅନୁରୋଧ ଆସେ । କେତେକ ଅନୁରୋଧ ରକ୍ଷାକରି ଜନସାଧାରଣଙ୍କୁ ଆମ ସଂସ୍କୃତିର ମହତ୍ୱ ବୁଝାଇବାରେ ସେ କେବେ କାର୍ପଣ୍ୟ କରି ନାହାନ୍ତି ।

 

ଗୌରମୋହନକୁ ମହନ୍ତ ମହାରାଜ ପୁତ୍ରତୁଲ୍ୟ ସ୍ନେହ କରନ୍ତି । ବିଦ୍ୟାଧ୍ୟୟନରେ କେବେ ହେଳା ନକରିବାକୁ ପରାମର୍ଶ ଦିଅନ୍ତି । ଅନେକ ସମୟରେ ନିଜ ପାଖରେ ବସାଇ ବେଦ ବେଦାନ୍ତ ସମ୍ୱନ୍ଧରେ ବ୍ୟାଖ୍ୟା କରନ୍ତି । ସେ ସବୁ ଶୁଣି ତା’ ମନରେ ଅନେକ ଭାବନା ଜାଗେ । ସେ ଆମ ସଂସ୍କୃତି ସମ୍ୱନ୍ଧରେ ଗଭୀର ଭାବେ ଚିନ୍ତା କରେ । ଏ ସଂସ୍କୃତିରେ ତା’ର ଜନ୍ମ ହୋଇଥିବାରୁ ଗର୍ବ ଅନୁଭବ କରେ । ପର ମୁହୂର୍ତ୍ତରେ ଏ ଜାତିର ଅଧୋପତନରେ ଚିନ୍ତିତ ହୁଏ । ତାହା ଚିନ୍ତା କଲାବେଳକୁ ହୃଦୟରେ ବେଦନା ଲାଗେ । କ୍ରମେ ଏ ଜାତି ତା’ର ମୂଳ ସଂସ୍କୃତିରୁ ଦୂରେଇ ଯାଉଛି-। ଏହା ଯେ, ନିଶ୍ଚିତରେ ଶୁଭ ଲକ୍ଷଣ ନୁହେଁ ସେ ତାହା ଅନୁଭବ କରେ । କୌଣସି ମତେ ଏ ଦେଶର ପୁରାତନ ସଂସ୍କୃତିକୁ ବଞ୍ଚେଇ ରଖିବାକୁ ହେବ, ଏ ଜାତିକୁ ଧ୍ୱଂସ ମୁଖରୁ ରକ୍ଷା କରିବାକୁ ହେବ–ଏହା ସେ ଚିନ୍ତା କରେ । ଏ ଦେଶର ସବୁ ଛାତ୍ର ଛାତ୍ରୀଙ୍କୁ କିଶୋର ଅବସ୍ଥାରୁ ତାଙ୍କ ଜାତିର ପୁରାତନ ସଂସ୍କୃତି ସମ୍ୱନ୍ଧରେ ଶିକ୍ଷାଦାନ କରାଗଲେ ଆଜିର ଅଧୋଗତି ଊର୍ଦ୍ଧ୍ୱଗତିରେ ପରିଣତ ହୁଅନ୍ତା ବୋଲି କଳ୍ପନା କରେ ।
 

ସାଢ଼େ ଚାରିଟାରେ ସ୍କୁଲରୁ ଫେରି ସେ ସାମାନ୍ୟ ଜଳଖିଆ ଖାଏ ଓ କିଛି କାୟିକ ପରିଶ୍ରମ କରେ । ସନ୍ଧ୍ୟା ପୂର୍ବରୁ ବଗିଚାରେ ପାଣି ଦିଏ ଫୁଲଗଛ ଲଗାଏ; କିମ୍ୱା ସମୁଦ୍ରକୂଳକୁ କିଛି ସମୟ ପାଇଁ ବୁଲିଯାଏ । ସନ୍ଧ୍ୟା ପ୍ରାର୍ଥନା ପରେ ପୁଣି ମଜ୍ଜିଯାଏ ତା’ର ଅଧ୍ୟୟନରେ । ରାତ୍ରିରେ ଛାତ୍ରମାନଙ୍କ ପାଇଁ ରୁଟିର ବ୍ୟବସ୍ଥା । ରୁଟି ଡାଲମା ଛାତ୍ରମାନଙ୍କ ସ୍ୱାସ୍ଥ୍ୟକୁ ସତେଜ ରଖିବା ସଙ୍ଗେ ସଙ୍ଗେ ସେମାନଙ୍କୁ ନିରଳସ ତଥା ଅଧ୍ୟୟନମୁଖୀ କରେ । ରାତ୍ରିରେ ଶୋଇବା ବେଳେ ତା’ର ଗାଁ ମନେ ପଡ଼େ । ଗାଁର ସମବୟସର ପିଲାମାନେ ତା’ର ଚିନ୍ତା ରାଇଜରେ ପ୍ରବେଶ କରନ୍ତି । କେତେ ପିଲା ଯେ ଅର୍ଥାଭାବରୁ ପଢ଼ି ପାରୁନାହାନ୍ତି, ଏକଥା ଭାବି ଦୁଃଖିତ ହୁଏ । ଭବିଷ୍ୟତରେ ସୁବିଧା ମିଳିଲେ ଗାଁ ପିଲାମାନଙ୍କର ପଢ଼ାପଢ଼ିରେ ଯଥେଷ୍ଟ ସାହାଯ୍ୟ କରିବ ବୋଲି ମନେ ମନେ ଠିକ୍‌ କରେ ।

 

ତା’ପରେ ମନେ ପଡ଼େ ତାଙ୍କ ପରିବାର । ପିଲାଟି ଦିନରୁ ସେ ମାତୃହୀନ ହୋଇଛି । ବାପା କହନ୍ତି ଯେ ଏକୋଇଶି ଦିନର ହୋଇଥିବା ବେଳେ ମା’ ତାର ଆଖି ବୁଜିଲା । ବଡ଼ ଝିଅ ସୁବାସୀ ପରେ ଅନେକ ଦିନ ପର୍ଯ୍ୟନ୍ତ ସ୍ତ୍ରୀଙ୍କର ଆଉ କିଛି ସନ୍ତାନ ହୋଇ ନଥିଲା । ପୁତ୍ର ସନ୍ତାନଟିଏ ପାଇବା ପାଇଁ ସେ ବଡ଼ ବ୍ୟାକୁଳ ହୋଇ ପଡ଼ିଥିଲେ । ସ୍ଥାନୀୟ ମହାଦେବ ଅମରେଶ୍ୱରଙ୍କୁ ଧ୍ୟାନ କଲେ । ତାଙ୍କରି ଆଶୀର୍ବାଦରୁ ଜନ୍ମ ହେଲା ଏଇ ଗୌରମୋହନ । ହେଲେ ଏକୋଇଶି ଦିନର ପୁତ୍ରକୁ ଛାଡ଼ି ସେ ସେପାରିକୁ ଚାଲିଗଲେ । ପିଲାଟି ଦିନରୁ ମା’କୁ ହରାଇ ଗୌରମୋହନ କାହାକୁ ମା’ ବୋଲି ଡାକିବାର ସୁଯୋଗ ପାଇନାହିଁ । କେତେସାଙ୍ଗ ସାଥୀଙ୍କ ଘରକୁ ଯାଇଛି । ସମସ୍ତଙ୍କ ବୋଉଙ୍କୁ ଦେଖି ନିଜର ବୋଉ ପରି ମନେ କରିଛି । କଳ୍ପନା ଚକ୍ଷୁରେ ନିଜର ବୋଉକୁ ଅନେକଥର ଭେଟିଛି । ସତରେ କେଡ଼େ ସ୍ନେହଶୀଳା ସେ । ସ୍କୁଲରୁ ଆସିବାକ୍ଷଣି ସେ ଡାକନ୍ତି, ‘ହେଇତ ମୋ’ ଗଉ ଆସିଲାଣି । ସଅଳ ସଅଳ ଭାତ ବାଢ଼ିଦେଇ ଖୁଆଇ ଦିଅନ୍ତି । ହଇରେ ଗଉ ତୋ’ ଜାମାଟା କେଡ଼େ ମସିଆ ହେଲାଣି ।’ ଜାମାଟା କାଢ଼ି ନେଇ ସଫା କରି ବସନ୍ତି-। ଜର ବେଳେ ତା’ ମୁଣ୍ଡ ପାଖରେ ବସି ହାତ ବୁଲାଉଥାନ୍ତି । ସାରା ରାତ୍ରି ଅନିଦ୍ରା ହୋଇ ବସି ତା’ର ସେବା କରନ୍ତି । ବାହାରେ କାହାର ଡାକରେ ସେ ପ୍ରକୃସ୍ଥତି ହୁଏ । କଳ୍ପନା ରାଇଜରୁ ବୋଉ ବିଦାୟ ନିଅନ୍ତି । ତା’ ଆଖିରୁ ଗଡ଼ିଆସେ ଧାର ଧାର ଲୁହ । ଅନେକ ସମୟରେ କଇଁ କଇଁ ହୋଇ କାନ୍ଦୁଥିବାର କେତେ ସହପାଠୀ ଦେଖିଛନ୍ତି । ବୋଉର କିଞ୍ଚିତ ସେବା କରିବାର ସୁଯୋଗ ସେ ପାଇଲାନି । ସତରେ କେଡ଼େ ଅରକ୍ଷିତ, କେଡ଼େ ଅଭିଶପ୍ତ, କେଡ଼େ ହୀନିମାନ ସେ । ସପନରେ ବୋଉ ଆସେ, କଳ୍ପନାରେ ବୋଉ ଆସେ । ହେଲେ ସେଥିରେ କ’ଣ ମନ ବୁଝେ?

 

ହରେକୃଷ୍ଣ ଖୁବ୍‌ ବୁଢ଼ା ହୋଇ ଗଲେଣି, ଆଉ କାମଦାମକୁ ପାରୁନାହାନ୍ତି । ଦିବେଳା ନିଜେ ଗୁଣ୍ଡେ ଫୁଟେଇ ଖାଇବା ତାଙ୍କ ପକ୍ଷରେ ବଡ଼ ଦୂରୁହ ହୋଇ ପଡ଼ିଲାଣି । ଗଉ ପାଇଁ ତାଙ୍କର ସବୁବେଳେ ଚିନ୍ତା । ଦେହଟା ସିନା ତାଙ୍କର ଏଇ ଠାକୁର ପଦାରେ, ହେଲେ ମନଟା ସବୁବେଳେ ଗଉ ପାଖରେ । ମା ଛେଉଣ୍ଡ ପିଲାଟା ତା’ ମା’ଥିଲେ କେଡ଼େ ଅଲିଅଳରେ ତାକୁ ବଢ଼େଇ ଥାଆନ୍ତା, ଏବେ ଭାବନ୍ତି–ଏଇଥର ଆସୁ ପିଲାଟାକୁ ହାତକୁ ଦିହାତ କରିଦେଇ ମୁଁ ସୁଖରେ ଆଖି ବୁଜି ପାରିବି-। କନ୍ୟାପାତ୍ର ତ ଆଉ ଖୋଜିବାକୁ ହବନାହିଁ । ବୋହୂ ଯେତେବେଳେ ଠିକ୍‌ ହୋଇଛି, ଆଉ ବେଶିଦିନ ଗଡ଼େଇବା ଠିକ୍‌ ହେବନାହିଁ ।

 

ଗୌରମୋହନ ସୁଟକେଶ୍‌ଟି ଧରି ଘରେ ପହଞ୍ଚିଲା । ବାପା ସେତେବେଳକୁ ରାନ୍ଧିବାରେ ବ୍ୟସ୍ତଥିଲେ । ତାଙ୍କୁ ଯଥାରୀତି ପ୍ରଣାମ କରି ଯେ ଲୁଗା ବଦଳେଇଲା । ହରେକୃଷ୍ଣ ପୁଅକୁ କୁଶଳ ପ୍ରଶ୍ନ ପଚାରି ବସିଲେ । ଲୁଗା ବଦଳେଇସାରି ସେ ପିତାଙ୍କୁ ରନ୍ଧନ କାର୍ଯ୍ୟରେ ସାହାଯ୍ୟ କରିବାକୁ ଲାଗିଲା ।

 

X X X X

 

ତୁଳସୀପୁରେ ଛକରେ ଗୌରମୋହନକୁ ଓହ୍ଲେଇ ଦେଇ ବସ୍‌ଟି ସବେଗରେ ଆଗେଇ ଚାଲିଲା । ରାସ୍ତାର ଉଭୟ ପଟେ ନୟନଜୋରି, ଚୁବୁ-ଚୁବୁ ପାଣି ଭିତରେ କେତେ ମାଛ ଖେଳୁଛନ୍ତି-। କେତେ ଛୋଟପିଲା ପାଣିକୁ ବନ୍ଧେଇ ମାଛ ଧରୁଥିଲେ । ବଗମାନେ ଏକ ଧ୍ୟାନରେ ବସି ମାଛ ଗୁଡ଼ାକୁ ଟାକି ରହିଥିଲେ । ମଝିରେ ମଝିରେ ଉଡ଼ିଯାଇ ଦୁଇ ତିନିଟା ମୀନକୁ ଉଦରସ୍ଥ କରୁଥିଲେ । ଗୋଟାଏ ଛୋଟପିଲା ପାଚିଆରେ ମାଛଧରି ଘରଆଡ଼େ ଦଉଡ଼ୁଛି । ଚିଲଟାଏ ଉଡ଼ିଆସି ତା’ହାତରୁ ମାଛ ଗୁଡ଼ାକୁ ଝାମ୍ପିନେଲା । ପାଚିଆଟା ତଳେ ପଡ଼ିଗଲା ଓ ପିଲାଟା ରଡ଼ି କରିଉଠିଲା । ଚିଲ ଗୁଡ଼ାକ ଏମିତି ଝାମ୍ପି ନେବାରେ ଖୁବ୍‌ ଧୁରନ୍ଧର ଯେତେ ଉଚ୍ଚରେ ଉଡ଼ୁଥିଲେ ବି ମାଛ ବା ମାଂସ ତାଙ୍କ ନଜରରେ ନିଶ୍ଚୟ ପଡ଼ିବ । ଏଇ ସବୁ ଦୃଶ୍ୟ ଦେଖି ଦେଖି ରମେଶ ଦୂରକୁ ଦୂରକୁ ଦୃଷ୍ଟି ପକାଉଛି । ଗାଁ ଯେତିକି ନିକଟ ହେଉଛି, ତାର ଅସ୍ଥିରତା ସେତିକି ବଢ଼ିଛି । କେତେଦିନ ପରେ ବୋଉକୁ ଦେଖିବ । ତାଙ୍କ ବିଲକୁ ଯିବ । ନଡିଆ ବଗିଚାରୁ ନଡ଼ିଆ ତୋଳିବ । ବାଡ଼ି ପୋଖରୀରୁ ବନିସୀରେ ମାଛ ଧରିବ । ତା’ପରେ ଏ ଛୁଟିତ ଅନ୍ୟ ଛୁଟି ପରି ନୁହେଁ । ଏଥର ତ ଫଳ ବାହାରିବା ପର୍ଯ୍ୟନ୍ତ ଆଉ ପଢ଼ା ଚିନ୍ତା ନାହିଁ । ସୁତରାଂ ଛୁଟିଟାକୁ ଖୁବ୍‌ ଉପଭୋଗ କରିହେବ ।

 

ଏମିତି ଭାବୁ ଭାବୁ ସେ ଆସି ଠିଆହେଲା ବାଲିଆପଟା ଗୋହିରୀ ପାଖରେ । ରମେଶ ତରବରରେ ତଳକୁ ଓହ୍ଲାଇପଡ଼ି ଦେଖିଲା ତାକୁ ଅପେକ୍ଷା କରି ବସିଛି ଅମୁରିଆ । ତା’ ପିଠିରେ ହାତ ଥାପୁଡ଼େଇ ପଚାରିଲା, ‘କିରେ, ବୋଉ କିପରି ଅଛି ?’

 

ସମସ୍ତେ ଭଲଅଛନ୍ତି ଆଜ୍ଞା । ମା’ ପରା ଆପଣଙ୍କୁ ଅନେଇ ବସିଛନ୍ତି–ଜିନିଷ ପତ୍ର ଧରୁ ଧରୁ ଅମୁରିଆ ଉତ୍ତର ଦେଲା । ଏଥର ସେ ଜିନିଷପତ୍ର ଧରି ପଛରେ ଚାଲିଲା । ରମେଶ ଚଞ୍ଚଳ ପଦରେ ଗାଁ ଆଡ଼କୁ ଆଗେଇଲା । ଘରେ ପହଞ୍ଚି ଦେଖିଲା ବୋଉ ତାକୁ ଦୁଆର ବନ୍ଧ ପାଖରେ ଅପେକ୍ଷା କରିଛି ।

 

ହାରାମଣୀ ପୁଅକୁ ଦେଖିବା ମାତ୍ରେ କୁଣ୍ଢେଇ ପକାଇଲେ । ମୁଣ୍ଡକୁ ଆଉଁସୁ ଆଉଁସୁ କହିଲେ, ‘‘ହଇରେ ରମୁ, ତୁ ଏଡ଼ିକି ଧଡ଼ିଆ ହୋଇ ଗଲୁଣି । ତତେ ତ ଆଉ ଅନେଇ ହଉନିରେ ।’

 

‘‘ନାଇଁମ ବୋଉ, ମୁଁ ତତେ ସେମିତି ଦେଖା ଯାଉଛି ନା । ଏଥର ମୁଁ ଖୁବ୍‌ ମୋଟା ହେଇଯାଇଛି ପରା ।’’

 

‘‘ହଉ ଥାଉ ଥାଉ, ଝଟ୍‌ ଲୁଗା ପାଲଟି ପକା । ଆଗ ଦିଟା ଖାଇସାରେ ତାପରେ ଯୁଆଡ଼େ ଯିବୁ ।’’

 

ରମେଶ ଆସିବା ମାତ୍ରେ ଗାଁ’ର ଛୋଟବଡ଼ ଅନେକ ପିଲା ଆସି ଜମା ହୋଇଗଲେ । ସେ ପୁରୀରୁ ଜଗନ୍ନାଥଙ୍କର ଖଜା ଭୋଗ ଆଣିଥିଲା । ଭୋଗେଇ ଫିଟେଇ ପ୍ରତ୍ୟେକଙ୍କୁ ଖଜା ଖଣ୍ଡେଲେଖେଁ ଦେଇ ବିଦାୟ କଲା । ଲୁଗା ବଦଳୁ ବଦଳୁ ପଚାରିଲା–ବୋଉ ରତିର କାଇଁ’ତ ଦେଖାନାଇଁ । ସେ କ’ଣ ଗାଁ’ରେ ନାହିଁକି ?

 

‘‘ନାଇଁ ବା ରମୁ, ତୁ ଆଜି ଆସିବୁ ବୋଲି ସେ ପରା ସକାଳୁ ଏଇଠି । ତୋ’ ପେଇଁ ସେ ଘରେ ଭଜା ବସେଇଛି ।’’ ହାରାମଣିଙ୍କ ପାଟିରୁ କଥା ନସରୁଣୁ ରତି ଆସି ଏରୁଣ୍ଡି ବନ୍ଧ ପାଖରେ ଠିଆହେଲା । ଚାଳଟାକୁ ଧରି ଓଳିମିଞ୍ଚି ଖେଳୁ ଖେଳୁ ଟାଉ ଟାଉ ହେଇ କହିଲା–କାହିଁକି ରମୁଭାଇ, ମୋ’ ପାଇଁ ଏମିତି କ’ଣ ଆଣିଛ କି ?

 

ତୋ’ ପେଇଁ ଯାହା ଆଣିଛି ତୁ ନିଜେ ଖୋଲି ଦେଖୁନୁ–ରମେଶ ଉତ୍ତର ଦେଲା ।

 

‘‘ହଉ ତମେ ଆଗ ଖାଇସାର, ତାପରେ ମୁଁ ଦେଖିବି ।’’ କହୁ କହୁ ରତି, ଭାତ, ଡାଲି, ତରକାରୀ, ଭଜା ବାଢ଼ିଦେଲା । ରମେଶ ଖାଇ ବସିଲା ଓ ହାରାମଣୀ ବିଞ୍ଚଣାରେ ବିଞ୍ଚିବାକୁ ଲାଗିଲେ । ରତି ଏରୁଣ୍ଡି ପାଖରେ ଠିଆ ହୋଇ ପଚାରିଲା–ଭଜା କେମିତି ହେଇଛି, ରମୁ ଭାଇ ? ମୁଁ ନିଜେ କରିଛି । ରମେଶ କୃତ୍ରିମ ରାଗ ପ୍ରକାଶ କରି କହିଲା ‘‘ଭଜା, ଛି ଛି.... । ଏଗୁଡ଼ାକ ମଣିଷ ଖାଆନ୍ତିନା ? ଗୋବରପରି ଲାଗୁଛି । ଆଦୌ ପାଟିରେ ଦେଇ ହେଉନି । ରତି ଏଥର କାନ୍ଦି କାନ୍ଦି କହିଲା, ‘‘ଉଁ...ଉଁ...ନାଇଁ ଦେଠେଇ, ରମୁଭାଇ ମିଛରେ କହୁଛନ୍ତି ।’’ ହାରାମଣୀ ହସି ହସି ଉତ୍ତର ଦେଲେ–‘‘ଆଲୋ ନାଇଁବା । ତୁ କରିଛୁ ବୋଲି ତତେ ସେ ସେମିତି ଚିଡ଼ୋଉଛି ନା, ଭଜା କାଇଁକି ଖରାପ ହବ ।’’

 

‘‘ନାଇଁମ ବୋଉ, ଭଜା ସତରେ ଭାରି ଲୁଣିଆ ହେଇ ଯାଇଛି ।’’ ଭାତଗୁଣ୍ଡା ପାଟିରୁ ସାରି ରମେଶ ଉତ୍ତର ଦେଲା ।

 

‘‘ମିଛ । ଏଇଥର ଜଣାପଡ଼ିଲା ଖାଣ୍ଟି ମିଛି । ମୁଁ ତ କେତେ ଲୁଣ ପକେଇବି ଦେଠେଇଙ୍କୁ ଦେଖେଇ କରି ପକେଇଥିଲି । ଭଜା ତାହେଲେ ଭାରି ଭଲ ଲାଗୁଛି, ନୁହଁ ରମୁ ଭାଇ?’’ ରତିର ପ୍ରଶ୍ନର ରମେଶ ଟିକିଏ ଯେମିତି ଦବିଗଲା । ପୁଣି କୃତ୍ରିମ ରାଗରେ କହିବାକୁ ଲାଗିଲା, ‘‘ଉହୁଁ ଜମା ନୁହେଁ । ତୁ କ’ଣ ଖାଇବାକୁ ଦବାପୂର୍ବରୁ ନିଜେ ନିଜେ ଭଜାକୁ ଚାଖିଥିଲୁ ? ବାଃ ବାଃ ତାହେଲେ ତ ତୁ ତୋ’ ଶାଶୁକୁ ଖାଇବାକୁ ଦବା ପୂର୍ବରୁ ନିଜେ ସବୁ ଚାଖି ଦେଇଥିବୁ ।’’ ଏଥର ରତି ଉଁ...ଉଁ...ହୋଇ ପୁଣି କାନ୍ଦିଲା ଓ ପରେ ପରେ ଜିଭ ଦେଖେଇ ଖତେଇ ହୋଇ ଦଉଡ଼ି ପଳେଇଲା-। ରମେଶ ଡାକିଲା ଆରେ ଶୁଣ୍‌ ଶୁଣ୍‌ । ତୋ’ ପାଇଁ କ’ଣ ଆଣିଛି ଦେଖିଯା । ତା’ ଡାକରେ କାନ ନ ଦେଇ ସେ ଏକମୁହାଁ ହୋଇ ଦଉଡ଼ି ପଳେଇଲା ।

 

ରତି... ।

 

ଝରଣା ପରି କଳ କଳ ଏଇ ଝିଅଟି । ବୟସ ବାର ବର୍ଷରୁ ଉର୍ଦ୍ଧ୍ୱ ହେବ ନାହିଁ । ସବୁବେଳେ ସେ ଚଞ୍ଚଳ । ହରିଣୀ ପରି ସବୁବେଳେ ସେ ଏଣେ ତେଣେ ଘୂରି ବୁଲୁଥାଏ । ଝରଣା ପରି କଳକଳ...ହରିଣୀ ପରି ଚଳ ଚଞ୍ଚଳ । ଗାଧୁଆ ତୁଠଠାରୁ ଆରମ୍ଭକରି ସମସ୍ତଙ୍କର ହାଣ୍ଡିଶାଳ ପର୍ଯ୍ୟନ୍ତ ତା’ର ପ୍ରବେଶ । ସମସ୍ତଙ୍କର ପ୍ରିୟ ଏଇ ଝିଅଟି । ନୂଆଗାଁର ଷାଠିଏ ଘର ବସ୍ତି ଭିତରେ ଆଉ ଏମିତି ଏକ ଝିଅ ଦୁର୍ଲ୍ଲଭ । ସବୁଠାରୁ ବେଶି ପ୍ରିୟ ସେ ହାରାମଣୀଙ୍କର । ଦେଠେଇ ତ ନୁହନ୍ତି, ସତେ ଯେମିତି ନିଜ ବୋଉ । ରମେଶ ତାଙ୍କର ଯେମିତି ପୁଅ, ରତି ସେମିତି ତାଙ୍କର ଜନ୍ମକଲା ଝିଅ ପରି । ରତି ତାଙ୍କ ନିଜଘରେ ପ୍ରାୟ କେତେବେଳେ ରହେନା । ଯେତେବେଳେ ଦେଖିବ ଏଇ ଦେଠେଇଙ୍କ ଘରେ । ହାରାମଣୀଙ୍କର ଏତେ ବଡ଼ ଘରଟାରେ ସେ ଏକୁଟିଆ । ରତିର ଉପସ୍ଥିତି ତାଙ୍କୁ ଖୁବ୍‌ ଆନନ୍ଦ ଦିଏ । ରତି ଆସିଗଲେ ତାଙ୍କୁ କେମିତି ଗୋଟାଏ ହାଲକା ଲାଗେ । ତା’ର ଅନୁପସ୍ଥିତିରେ ସବୁ ଯେମିତି ଭାରି ଭାରି ଲାଗେ । ରତି ଆଉ ରମେଶ ହାରାମଣୀଙ୍କର ଦୁଇଟି ଆଖି ପରି ।

 

ହାରାମଣୀଙ୍କ ଘରଠାରୁ ଅନ୍ୟ ପନ୍ଦରଟି ପରିବାର ପରେ ଦୁଃଖିଆ ପଧାନଙ୍କ ଘର । ଏଇ ନୂଆଗାଁର ସେ ବି ଜଣେ ଚାଷୀ । ଜମିବାଡି ଯେତିକି ଅଛି ସେଥିରେ ବର୍ଷକ ସୁଖରେ ଚଳିଯାଏ । ଧାର କରଜ କରିବା ଦରକାର ପଡ଼େ ନାହିଁ । ଘରେ ମାତ୍ର ତିନି ପ୍ରାଣୀ କୁଟୁମ୍ୱ । ସେ ନିଜେ, ସ୍ତ୍ରୀ ସୁନା ଓ ଅଲିଆଳୀ ଝିଅ ରତନୀ । ଅତି ଗେଲବସରରେ ବଢ଼ିଛି ଏଇ ରତନୀ । ଏକମାତ୍ର ଝିଅ ହିସାବରେ ରତନୀ ହୋଇ ଉଠିଛି ରତି ।

 

ସୁନା ବୋହୂ ହେଇ ଆସିବାର ବାରବର୍ଷ ପର୍ଯ୍ୟନ୍ତ ଗଛ ଫଳି ନଥିଲା । ସେଥିପାଇଁ କେତେ ଦିଅଁ ଦେବତା, କେତେ ପଣା ପାଣି, କେତେ ମାନସିକ, କେତେ ପୂଜାଆଜା କରାଯାଇଛି; ହେଲେ ବାରବର୍ଷ ପର୍ଯ୍ୟନ୍ତ କୌଣସି ଠାକୁରଙ୍କର ଆଶୀର୍ବାଦ ଦେବା ପାଇଁ କର ଖୋଲି ନଥିଲା । ସବୁ ଉଦ୍ୟମରେ ବିଫଳ ହୋଇ ସୁନା ଶେଷକୁ ଅମରେଶ୍ୱରଙ୍କର ଆଶ୍ରୟ ନେଲେ । ଆଖପାଖ ପଚାଶ ଖଣ୍ଡି ଗାଁରେ ଅମରେଶ୍ୱର ପ୍ରତ୍ୟକ୍ଷ ମହାଦେବ । ସେ ଅମର ବର ଦିଅନ୍ତି ବୋଲି କଥା ରହିଛି ।

 

ସୁନା ଏଇ ଅମରେଶ୍ୱରଙ୍କ ଗମରା ବାହାରେ ରହି ଏକୋଇଶ ଦିନ କାଳ ଗୁହାରିଆ ପଡ଼ିଥିଲେ । ଅଖିଆ ଅପିଆ ରହି ମହାଦେବଙ୍କୁ ଧ୍ୟାନ କରୁଥିଲେ । ତାଙ୍କର ବ୍ରତ ଥିଲା, ବର ନ ପାଇ ସେ କେବେ ଏ ଜାଗା ଛାଡ଼ି ଯିବେନି । ମରିବେ ତ ଏଇଠି ମରିବେ । ପ୍ରକୃତରେ ନାରୀ ଜନମ ମାତୃତ୍ୱରେହିଁ ସାର୍ଥକ ହୁଏ । ପ୍ରତ୍ୟେକ ନାରୀର ଅନ୍ତରରେ ମା’ ହେବାର କାମନା ସର୍ବଦା ଲୁଚି ରହିଛି । ଯେଉଁ ନରୀ ମା’ ହେବାରୁ ବଞ୍ଚିତ, ସେ ସମାଜଦ୍ୱାରା ଯେତିକି ଲାଞ୍ଛିତ, ତା ଠାରୁ ବେଶି ଘୃଣିତ ନିଜର ବିବେକ ଦ୍ୱାରା–ନିଜର ବିବେକର ଶତ ଦଂଶନରେ ସେ ମସ୍ତକ ଉତ୍ତୋଳନ କରିପାରେନା । ମାତୃତ୍ୱ ଲାଭ ନ କରିବା ନାରୀପାଇଁ ସବୁଠାରୁ ଶ୍ରେଷ୍ଠ ଅସହନୀୟ ଦଣ୍ଡ । ମାଆ ନ ହେବା ନାରୀତ୍ୱ ପ୍ରତି ସ୍ପଷ୍ଟ ଅବମାନନା । ବିବାହିତ ନାରୀ ମନର ଏହା ପ୍ରକୃଷ୍ଟ ମନସ୍ତତ୍ତ୍ୱ ।

 

ବିବାହର ବାର ବର୍ଷ ମଧ୍ୟରେ ସୁନା କେତେ ଦିଅଁ ଦେବତା ପୂଜା କରିଛନ୍ତି । ଶନିବାରର ନବଗ୍ରହ ପୂଜା, ରବିବାର ରବି ପୂଜା, ଚଇତ–ମଙ୍ଗଳବାରର ମଙ୍ଗଳା ପୂଜା, ଶିବରାତ୍ରି, ଦୁତିଆ ଓଷା, ବୁଧେଇ ଓଷା, ବଡ଼ଓଷା ଠାରୁ ଆରମ୍ଭ କରି ଅକ୍ଷୟ ତୃତୀୟା ଉପାସ ପର୍ଯ୍ୟନ୍ତ କେତେ ଓଷା ବ୍ରତ କରିଛନ୍ତି । କେତେ ଦାନଧର୍ମ କରି କେତେ ଡେଉଁରିଆ ନେଇଛନ୍ତି । ହେଲେ ସବୁ ବେକାର । କେହି ଦେବୀ ତାଙ୍କର ଆକୁଳ ପ୍ରାର୍ଥନା ଶୁଣିବାକୁ ଆଗେଇ ଆସି ନାହାନ୍ତି । ସବୁଠାରୁ ନିରାଶ ହୋଇ ଶେଷରେ ସେ ଅମରେଶ୍ୱରଙ୍କ ବେଢ଼ାରେ ଗୁହାରିଆ ପଡ଼ିଛନ୍ତି । ଗୁହାରିଆର ଚତୁର୍ଦ୍ଦଶ ଦିବସ ବିତିଗଲେ ମଧ୍ୟ ଅମରେଶ୍ୱରଙ୍କର ଦୃଷ୍ଟି ପଡ଼ିନାହିଁ । ତା’ପରେ ଆରମ୍ଭ ହୋଇଛି ପରୀକ୍ଷା, ବାଘ ରୂପରେ, ଭାଲୁ ରୂପରେ, ଭୟଙ୍କର ନାଗସାପ ରୂପରେ ଦେଖା ଦେଇ ଠାକୁର ତାଙ୍କୁ ଅତିଷ୍ଠ କରିବାକୁ ଚେଷ୍ଟା କରିଛନ୍ତି । ହେଲେ ମହାଦେବଙ୍କର ସମସ୍ତ ପରୀକ୍ଷା ବ୍ୟର୍ଥ ହୋଇଛି । ନାରୀର ସନ୍ତାନ କାମନା ନିକଟରେ ମହାଦେବ ହାର ମାନିଛନ୍ତି । ଏଥର ଆଗେଇ ଆସିଛନ୍ତି ପାର୍ବତୀ । ନାରୀ ଦେଖିଛି ନାରୀର କଷଣ । ସମବେଦନାରେ ତାଙ୍କର ହୃଦୟ ଭରପୁର ହୋଇଯାଇଛି । ଭୋଳାନାଥଙ୍କୁ ମିନତି କରିଛନ୍ତି ସୁନାର ଦୁଃଖ ଶୁଣିବାପାଇଁ । ଭୋଳାନାଥ ପ୍ରେୟସୀଙ୍କର ଅନୁରୋଧକୁ ଏଡ଼େଇ ପାରିନାହାନ୍ତି । ବିଂଶତି ଦିବସର ରାତିରେ ଜଟାବକ୍ଳଧାରୀ ସର୍ପ ପରିବେଷ୍ଟିତ ହୋଇ ଉଭା ହୋଇଛନ୍ତି ସୁନାର ଅତି ନିକଟରେ ଓ ତା’ର ଯୋଡ଼ ହସ୍ତରେ ଦେଇଛନ୍ତି ଏକ ସର୍ପ ସନ୍ତାନ । ସୁନା ତାକୁ ଭକ୍ଷଣ କରିଛନ୍ତି ଅତି ଆନନ୍ଦରେ । ଆଉ ଭକ୍ଷଣ କରୁ କରୁ ତାହା କଦଳୀରେ ପରିଣତ ହୋଇଛି । ପରଦିନ ସକାଳେ ଦୁଃଖିଆ ଅମରେଶ୍ୱରଙ୍କ ମଣ୍ଡପରେ ମଉଚ୍ଛବର ଆୟୋଜନ କରିଛନ୍ତି ।

 

ଏହାର ଏକବର୍ଷ ପରେ ସୁନା ଗର୍ଭରୁ ଜାତ ହୋଇଛି ଏଇ ରତନୀ । ତା’ର ଏକୋଇଶିଆରେ କେବଳ ନୂଆଗାଁ ନୁହେଁ, ଆଖପାଖ ତିନିଖଣ୍ଡ ଗାଁର ଲୋକେ ଭୁରିଭୋଜନ ପାଇଛନ୍ତି । ଭୋଜନ ଶେଷରେ ଜେମି ବୁଢ଼ୀ ଗାଁ ଦାଣ୍ଡରେ କହି ଚାଲିଛି–‘‘ସେ ଅମୁରିଆ ବୁଢ଼ା ଭକତର ଗୁହାରି ଫେରେ ଶୁଣିବନି ? ସୁନାର ଗୁହାରି ନ ଶୁଣିଥେଲେ ମୁଁ ଆଗ ଯାଇ ତା’ ଗମରାରେ ମୁଣ୍ଡପିଟି ତାକୁ ଫଜିତ କରିଥାଆନ୍ତି ।’’ ଅମରେଶ୍ୱର ଜେମି ବୁଢ଼ୀ ମୁଖରେ ଅମୁରିଆ ବୁଢ଼ା ନାମରେ ପରିଚିତ । ତା’ରି ପ୍ରସ୍ତାବ ଅନୁସାରେ ନବଜାତ କନ୍ୟାଟିର ନାମ ରତନୀ ରଖା ଯାଇଥିଲା । ଅତି ସ୍ନେହରେ ରତନୀ ହୋଇ ଉଠିଛି ରତି । ଘରେ ବାହାରେ ଏବେ ସେ ରତି ନାମରେ ପରିଚିତ । ‘ରତନୀ’ ନାମଟା ବିସ୍ମୃତି ଗର୍ଭରେ ବିଲୀନ ହେବାକୁ ବସିଲାଣି ।

 

ଏବେ ଏଇ ରତି ହେଉଛି ଦୁଃଖିଆ ଓ ସୁନାଙ୍କର ଏକମାତ୍ର ଆଖି । ଏ ବାରବର୍ଷ ଭିତରେ ସେମାନଙ୍କର ଆଉ ଦ୍ୱିତୀୟ ସନ୍ତାନ ହୋଇନାହିଁ । ରତି ତାଙ୍କର ସମସ୍ତ ଦୁଃଖ ହରଣ କରିଛି । ରତି ଲାଗି ସେମାନଙ୍କ ମନରେ କେତେ ଆଶା । ରତି ଯେତିକି ଯେତିକି ବୟସର ପାହାଚରେ ଉପରକୁ ଉଠୁଛି, ସେମାନଙ୍କ ମନରେ ଆଶାର ଅଙ୍କୁର ସେତିକି ସେତିକି ଜାଗିଉଠୁଛି । ସୁନା ଝିଅର ଭବିଷ୍ୟତ ନେଇ ଏକ ପ୍ରକାର ସ୍ଥିର ନିଶ୍ଚିତ ଥିଲା ପରି ମନେହୁଏ । ହେଲେ ଦୁଃଖିଆଙ୍କ କଥା ଠିକ୍‌ ଓଲଟା । ସେ ଆଜିକାଲି ସବୁ ଜିନିଷରେ ବଡ଼ ଉଦାସୀନ ତାଙ୍କ ହାବଭାବରୁ ଯାହା ଜଣାପଡ଼େ ସେ ଯେପରି ଜଣେ ଅର୍ଦ୍ଧପାଗଳ, କୌଣସି କଥା ତାଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ନୁହେଁ । କୌଣସି କଥାକୁ ସେ ତଉଲି ପାରନ୍ତି ନାହିଁ । ଗଣ୍ଡିଏ ଖାଇ ଖଣ୍ଡିଏ ପିନ୍ଧି ନିତି ବିଲବାଡ଼ି କାମ କରିବା କେବଳ ତାଙ୍କର ଦୈନନ୍ଦିନ କାର୍ଯ୍ୟ । ଦୁନିଆର ହାଲାଚାଲ ପ୍ରତି ସେ କୌଣସି ପ୍ରକାରେ ସଂପୃକ୍ତ ନୁହନ୍ତି । ଏପରିକି ନିଜର ଅଲିଅଳ ଝିଅ ରତିପାଇଁ ତାଙ୍କର କୌଣସି ଚିନ୍ତା ନାହିଁ-। ଘରେ କେତେ ଗଲା କେତେ ରହିଲା, ଏ ବିଷୟରେ ସେ କିଛି ଧାର ଧାରନ୍ତି ନାହିଁ । ପହିଲେ ସେ ଏହା ନଥିଲେ । ଏବେ କେତେବର୍ଷ ହେଲା ସେ ଏମିତି ପାଲଟି ଯାଇଛନ୍ତି । ସୁନା ସ୍ୱାମୀଙ୍କର ଏ ଅବସ୍ଥା ପାଇଁ ବେଳେ ବେଳେ ଢେର କାନ୍ଦନ୍ତି; ହେଲେ ସେ ମାଇପି ଲୋକ । କର୍ମକୁ ଠୁକିବା ଛଡ଼ା ତାଙ୍କର ଅନ୍ୟ ଉପାୟ ନାହିଁ ।

 

ଦୁଃଖିଆ ନୀଳେଇଙ୍କର ଅତି ପ୍ରିୟଥିଲେ । ସେ ବଞ୍ଚିଥିବାବେଳେ ଦୁଃଖିଆଙ୍କୁ ଖୁବ୍‌ ଭଲ ପାଉଥିଲେ । ବେଳ ଅବେଳରେ ଦୁଃଖିଆ ଆସି ନୀଳେଇଙ୍କ ସହ ପରାମର୍ଶ କରୁଥିଲେ । ଅନେକ ସମୟରେ ନ୍ୟାୟ ନିଶାପରେ ନୀଳେଇ ଦୂର ବାଟକୁ ଗଲେ ତାଙ୍କୁ ସାଙ୍ଗରେ ନେଇ ଯାଉଥିଲେ । ବର୍ଷର ଅଧିକାଂଶ ସମୟରେ ଦୁଃଖିଆ ନୀଳେଇଙ୍କର ଚାଷବାସ ଦେଖାଶୁଣା କରୁଥିଲେ । ନୀଳେଇଙ୍କ ଆଗରେ ସେ କେବେ ମଥାଟେକି କଥା କହି ପାରୁନଥିଲେ । ବୟସରେ ବଡ଼ ଥିବାରୁ ସେ ଥିଲେ ତାଙ୍କର ନୀଳାଇ । ହୀରାମଣୀ ସେ ଦୃଷ୍ଟିରୁ ତାଙ୍କର ନୂଆ’ଉ । ନୂଆଉ’ଙ୍କୁ ସେ ମା’ ସମାନ ଭକ୍ତି କରୁଥିଲେ । କେତେବେଳେ ତାଙ୍କ କଥାକୁ ସେ ତଳେ ପକାଇ ଦେଉ ନଥିଲେ ।

 

ହାରାମଣି ଆଉ ସୁନା-ଦୁହିଙ୍କ ଭିତରେ ଅଭେଦ୍ୟ ପ୍ରୀତି । ସତେ ଯେପରି ଦୁହେଁ ଦୁଇ ଭଉଣୀ । ଅବସର ସୟମରେ ଦୁହେଁ ବସି ଗପର ଡୋରି ଯୋଡ଼ନ୍ତି । ଯୋଗୀଠାରୁ ଗୀତ ଶୁଣନ୍ତି । କେତେ ଯେ ଅସୁମାରୀ ଗୀତ । ଗୋବିନ୍ଦଚନ୍ଦ୍ର ଯୋଗୀ ହୋଇଯାଏ, ଭ୍ରମରବର କେନ୍ଦରା ବଜାଇ ରଙ୍ଗବତୀର ଅନ୍ୱେଷଣ କରେ । ନୟନା ଖୁଲଣାକୁ ଅସହଣୀ କଷଣ ଦିଏ । ହେଲେ ଶ୍ରୀଧର ଶେଷରେ ସବୁ ସମସ୍ୟାର ସୁସମାଧାନ କରେ । ଉଭୟେ ଆଖିରୁ ଲୁହ ଗଡ଼ାନ୍ତି । ଲୁଗା କାନିରେ ଆଖି ପୋଛି ସୁନା ତାଙ୍କ ଘରକୁ ଯାଆନ୍ତି । ହାରାମଣୀ ପଛରୁ ଡାକ ଛାଡ଼ନ୍ତି, ‘ଆଲୋ ରତିକୁ ଟିକିଏ ଡାକି ଦେବୁ’ । ରତି ଆସେ । ପ୍ରଜାପତି ପରି ଦେଠେଇଙ୍କର ସାଙ୍ଗେ ଏ ଘରୁ ସେ ଘରକୁ ଉଡ଼ି ବୁଲେ । ଦାଣ୍ଡ ଦୁଆର ଓଳେଇ ସଞ୍ଜବେଳେ, ସତେ ଯେମିତି ଏଇଟା ତାଙ୍କ ନିଜ ଘର । ହାରାମଣୀ ଯେତେ ମନାକଲେ ବି ସେ କିଛିନା କିଛି ଘରକାମ ନିଶ୍ଚୟ କରିବ ।

 

ଦେଠେଇଙ୍କର ରତି ଉପରେ ସ୍ନେହ ସୋହାଗ ଅଜାଡ଼ି ହୋଇପଡ଼ିଛି । ପ୍ରତିଦିନର ଭୋଜନ ବେଳାରେ ରତିକୁ ସାଙ୍ଗରେ ନ ବସାଇଲେ ତାଙ୍କର ମନ ଉଣା । ଘରେ ଗାଈ ଦୁହାଁଳ । ଦୁଧ ଘିଅ ଅମାପ । ପ୍ରତ୍ୟହ ସେ ରତିକି ଦହି ଦୁଧ ନଖୁଆଇ ଛାଡ଼ନ୍ତି ନାହିଁ । ନ ଜାଣିଥିବା ଲୋକ ରତିକୁ କେବେହେଲେ ହାରାମଣୀଙ୍କର ଝିଅ ନୁହେଁ ବୋଲି ଜାଣି ପାରିବନି । ଗାଁଯାକର ଲୋକେ କହନ୍ତି–ରତି ସିନା ଜନମ ହେଲାବେଳେ ଥିଲା ଦୁଃଖିଆ, ସୁନାଙ୍କର; ହେଲେ ଏଇଲେ ସେ ହାରାମଣୀଙ୍କର କନ୍ୟା । ନୀଳେଇ ବଞ୍ଚିଥିବାବେଳେ ରତିକୁ ଦିନେ ନ ଦେଖିଲେ ବାଉଳା ହୋଇ ଯାଉଥିଲେ । ରମେଶକୁ ଯେମିତି ଭଲ ପାଉଥିଲେ, ରତିକୁ ଠିକ୍‌ ସେମିତି ଶ୍ରଦ୍ଧା କରୁଥିଲେ । ଦୂର ଦୂରାନ୍ତକୁ ଯାଇଥିଲେ ଯାହା ଆଣନ୍ତି ତାହା ସମାନ ଭାବରେ ଦୁଇଭାଗ ହୁଏ । ଗୋଟିଏ ଭାଗ ରମେଶର ଓ ଆଉ ଗୋଟିଏ ଭାଗ ରତିର । ନୀଳେଇ କହନ୍ତି, ‘ରମେଶ ମୋ’ର ପୁଅ, ଆଉ ରତି ମୋ’ର ଝିଅ । ବିଚାରୀ ପରଘରକୁ ଗଲାବେଳେ ଆମେ କେମିତି ଜୀବନ ଧରିବୁ କେଜାଣି?

 

ହାରାମଣୀ କହନ୍ତି–ସେ କାହିଁକି ପରଘରକୁ ଯିବ ଯେ ? ଏଇଘରେ ସବୁଦିନେ ରହିଲେ କ୍ଷତି କ’ଣ ? ନୀଳେଇ କିଛି ନବୁଝିପାରି କହନ୍ତି, ‘‘ମାନେ.......ତମେ କ’ଣ ଯେ କୁହ ? ଝିଅ ଜନମ ପରା, ଯେତେହେଲେ ପରଘରକୁ ।’’ ହାରାମଣୀ ହସି ହସି କହନ୍ତି, ‘‘ରତି ଆଜି ଏ ଘରେ ଝିଅ ହୋଇ ଚଳୁଛି, କାଲି ବୋହୂ ହେଇ ଚଳିବ । କ୍ଷତି କ’ଣ ?’’ ଏଥର ସ୍ୱାମୀଙ୍କ ମୁହଁରେ ହସ ଉକୁଟି ଉଠେ । ସେ ହର୍ଷୋତ୍‌ଫୁଲ କଣ୍ଠରେ କହି ଉଠନ୍ତି, ‘‘ବାଃ......ଚମତ୍କାର ଯୋଜନା ତୁମର । ସତରେ ରତି ଏ ଘରକୁ ବୋହୂ ହୋଇ ଆସିଲେ ଏ ଘର ଯେମିତି ପୂରି ଉଠିବ, ଆମ ହୃଦୟ ବି ସେମିତି ନାଚି ଉଠିବ ।’’ ହାରାମଣୀଙ୍କୁ ସେ ଆହୁରି ପାଖକୁ ଟାଣିନେଇ କହନ୍ତି, ‘‘ସତରେ ହାରାମଣୀ ! ତମର ସମୟୋପଯୋଗୀ ପରାମର୍ଶ ମୋତେ ସବୁବେଳେ ଆହୁରି ଆଗକୁ ଯିବାରେ ସାହାଯ୍ୟ କରିଛି । ଏ ଘରକୁ ତମ ସ୍ଥାନରେ ଯଦି ଆଉ କିଏ ଆସିଥାଆନ୍ତା, ତେବେ ମୋ’ର ସବୁଟା ଯେମିତି ବତାଳିଆ ହେଇ ଯାଇଥାନ୍ତା ।

 

ନୂଆଗାଁ...। ଗାଁଟା ଏବେ ନୂଆହୋଇ ତିଆରି ହୋଇନାହିଁ, କୋଉ କାଳର ଆଦିମ ଗାଁ ଏଇଟା । ପୂର୍ବପଟେ ଅମରେଶ୍ୱର ମହାଦେବଙ୍କ ମନ୍ଦିର ପଶ୍ଚିମ ଓ ଦକ୍ଷିଣ ପଟେ ବିସ୍ତୀର୍ଣ୍ଣ ଗହୀର । ବର୍ଷକ ଆଠମାସ ସବୁଜ କ୍ଷେତରେ ଭରା ହୋଇ ନୂଆଗାଁକୁ ସବୁ ଶଢ଼ୀରେ ଢାଙ୍କି ଦେଇଥାଏ । ଉତ୍ତର ପଟେ କଳକଳ ନାଦରେ ପ୍ରାଚୀ ନଦୀ ବହିଯାଉଛି । ସେ ଯେମିତି ଏ ଗାଁର ସୁଖ ଦୁଃଖରେ ସମଭାଗୀ । ଖରାଦିନେ ତା’ର ଧାରରେ ସାମାନ୍ୟ ମାତ୍ର ଜଳ, ହେଲେ ବର୍ଷାଦିନେ ଜଳ ସଂପଦର ପ୍ରାଚୁର୍ଯ୍ୟରେ ସେ ଦୁଇକୂଳ ଉଛୁଳା ହୋଇଉଠେ । ଚତୁର୍ମାସ୍ୟାରେ ସବୁଜକ୍ଷେତକୁ ଦେଖି ଚାଷୀକୁଳ ମନଖୋଲି ହସେ । ଠିକ୍‌ ସେହିପରି ଜଳ ସଂପଦରେ ଭରି ରହି ପ୍ରାଚୀ ନଦୀର ସେଇଟା ଯେପରି ମନଖୋଲା ହସ ।

 

ଗାଁ ମୁଣ୍ଡ କଡ଼େ କଡ଼େ ଘଞ୍ଚ ବେତବଣ । ସେଇ ବେତବଣକୁ ଲାଗି ଗ୍ରାମ-ଦେବତୀ ଆସୀନ । ଏକ ମଧ୍ୟମକାୟ କଳା ପ୍ରସ୍ତର ଖଣ୍ଡରେ ଗ୍ରାମଦେବତୀ ଖୋଦିତ । ଚୂଆ ସିନ୍ଦୁର ଘସା ହୋଇ ହୋଇ ଠାକୁରାଣୀଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଆଉ ବାରି ହେଉନାହିଁ । ତାଙ୍କର ଦୁଇ କଡ଼ରେ ଅସଂଖ୍ୟ ଶାଳଗ୍ରାମ ଘୋଡ଼ା ହାତୀ ରୂପରେ ତାଙ୍କର ଆଦେଶକୁ ଯେପରି ସେମାନେ ଜଗି ରହିଛନ୍ତି-। ପାଦତଳେ ଦୁଇଟି ସିନ୍ଦୂରଲଗା ବେତ ଥୁଆ ହୋଇଛି । ଏଇ ବେତ ଧରି ଦିନ ରାତି କୁଆଡ଼େ ଠାକୁରାଣୀ ନୂଆଗାଁକୁ ଜଗି ରହିଛନ୍ତି । ହଇଜା ମଡ଼କ ମହାମାରୀକୁ ଗାଁ ଭିତରେ ପୂରାଇ ଦେବେନାହିଁ । ନିତି ନିଶାର୍ଦ୍ଧରେ ମସାଲ ଲଗାଇ ବେତ ଧରି ତାଙ୍କ ଅନୁଚରମାନଙ୍କ ସଙ୍ଗେ ବିମାନରୂଢ଼ା ହୋଇ କୁଆଡ଼େ ସେ ବୁଲି ବାହାରନ୍ତି । ଜେମିବୁଢ଼ୀ କହେ ନିଶା ଗରଜୁଥିବା ବେଳେ ସେ ଗାଁ ଭିତରେ ଏ ମୁଣ୍ଡରୁ ସେ ମୁଣ୍ଡକୁ ଚାଲନ୍ତି । ସେତେବେଳେ ଗାଁ ସାରା ଆଲୋକମୟ ହୋଇଯାଏ; ଏଇ ସମୟରେ ଯେ ତାଙ୍କୁ ଏ ବେଶରେ ଦେଖିଛି, ମା’କୁଆଡ଼େ ତାକୁ ଠିଆ ଠିଆ ଭଷ୍ମ କରିଦେବେ; ହେଲେ ସେମିତି ଛାତିଦମ୍ଭ ଭକ୍ତ କେହି ଦେଖିକରି ଯଦି ବଞ୍ଚିଯାଇପାରେ ତେବେ ସେ ବୈକୁଣ୍ଠରେ ସ୍ଥାନ ପାଇବ । ଜେମିବୁଢ଼ୀ ଦି’ଥର କୁଆଡ଼େ ଗ୍ରାମଦେବତୀଙ୍କୁ ଏଇ ବେଶରେ ଦେଖିଲାଣି । ତା’ପାଇଁ ବୈକୁଣ୍ଠର ଦ୍ୱାରଟା ଯେ ଏବେଠାରୁ ଖୋଲା ହୋଇ ରହିବଣି ଏ ବିଷୟରେ ସେ ସ୍ଥିର ନିଶ୍ଚିତ ।

 

କିମ୍ୱଦନ୍ତୀ କହେ ସେ କାଳର ରାଜା କୁଆଡ଼େ ଏ ଗାଁଟାକୁ ବସାଇଥିଲେ । ସେତେବେଳେ ଏ ସ୍ଥାନ ଘଞ୍ଚ ଜଙ୍ଗଲ ଥିଲା । ରାଜା ଅନେକ ସମୟରେ ଶିକାର କରିବା ପାଇଁ ଏଇଠିକୁ ଆସୁଥିଲେ ଓ ତାଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଲୋକଙ୍କୁ ସାଙ୍ଗରେ ଆଣୁଥିଲେ । କିଛିଦିନ ପରେ ସେ ଏଇ ଜଙ୍ଗଲ ମଧ୍ୟରେ ଏକ ଗାଁ ବସେଇଲେ ଓ ଦରକାର ହେଲେ ଶିକାରରେ ସାହାଯ୍ୟ କରିବା ପାଇଁ ଏଇ ଗାଁରୁ ଲୋକ ନେଉଥିଲେ । ସେଇଦିନୁ ଏଇ ଗାଁର ନାମ ନୂଆଗାଁ । ଶିକାରରେ ସାହାଯ୍ୟ କରିବା ପାଇଁ ଜଙ୍ଗଲ ମଝିରେ ଏହିପରି ଅନେକ ଗାଁ ରଜା ନୂଆକରି ବସାଉଥିଲେ । ଆଜିର ନୂଆଗାଁ ନାମ୍ନି ଗାଁ ଗୁଡ଼ାକ ହୁଏତ ଏହିପରି ଭାବରେ ସୃଷ୍ଟି ହୋଇଥିବା ଖୁବ୍‌ ସମ୍ଭବ ।

 

ସେତେବେଳେ ଏ ନୂଆଗାଁରେ ହୁଏତ ଦୁଇ ତିନୋଟି ପରିବାର ଥିଲେ । ଆଜି ସେଗୁଡ଼ିକ ଷାଠିଏ ସତୁରିଟି ପରିବାରରେ ପରିଣତ ହେଲେଣି । ଦିନ ଥିଲା ଯେତେବେଳେ ଦିନ ଦି’ପହରେ ବାଘ ଆସି ବାଛୁରି ବା ଛେଳିକୁ ଟେକି ନେଇ ଯାଉଥିଲା । ସଞ୍ଜ ଦିଆ ପରେ ଗାଁର ତାଟି କବାଟ ସବୁ ପଡ଼ି ଯାଉଥିଲା । ହେଲେ ଏବେ ଆଉ ସେ ଅବସ୍ଥା ନାହିଁ । ଏବେ ଗାଁ କଡ଼େ କଡ଼େ ବିଜୁଳି ଲାଇନ୍‌ ଓ ଟେଲିଫୋନ୍‌ ଲାଇନ ଗଲାଣି । ଅବଶ୍ୟ ଗାଁ ଭିତରକୁ ବିଜୁଳି ଆଲୁଅ ପ୍ରବେଶ କରିନାହିଁ । ଗାଁର ଦକ୍ଷିଣ ପଟେ ଗହୀର କଡ଼େ କଡ଼େ କେନାଲ ଯାଇଛି । କେନାଲ ପାଣିରେ ବର୍ଷକୁ ଲୋକେ ଦି ଦି’ଇଟା ଫସଲ ଉତ୍ତାରିବାକୁ ସମର୍ଥ ହେଲେଣି । ଆଗେ ଅନେକ ସମୟରେ ମରୁଡ଼ିରେ ଫସଲ ନଷ୍ଟ ହୋଇ ଯାଉଥିଲା । ଦୁର୍ଭିକ୍ଷ ପଡ଼ି ଶହ ଶହ ପ୍ରାଣୀ ପ୍ରାଣ ହରାଉଥିଲେ । ଏ କେନାଲ ହେବାଦିନୁ ମରୁଡ଼ିର ଆଶଙ୍କା ଆଉ ନାହିଁ । ବଢିପାଣିର ପ୍ରକୋପ ମଧ୍ୟ ପ୍ରାୟ ଦଶବର୍ଷ ହେଲା ଦେଖାଯାଏ ନାହିଁ । ଏ ସବୁ ଆମ ଜାତୀୟ ସରକାରଙ୍କର ପଞ୍ଚବାର୍ଷିକ ଯୋଜନାର ସୁଫଳ । ଏ ଦେଶର ଖାଦ୍ୟ ସମସ୍ୟା ସମାଧାନ ଦିଗରେ ଏଗୁଡ଼ିକ ବଳିଷ୍ଠ ପଦକ୍ଷେପ ।

 

କେନାଲର ବନ୍ଧେ ବନ୍ଧେ ଚାଲିଛି ରମେଶ । ଦେହରେ ଖଣ୍ଡେ ସିଲ୍‌କିନ୍‌ ଲୁଙ୍ଗୀ ଓ କଟନ ହାଓ୍ୟାଇନ, ହାତରେ ଦି’ଟା ବନ୍‌ଶୀ ଆଉ ଥୋପ । ଉଦ୍ଦେଶ୍ୟ-କେନାଲ ଶଙ୍ଖ ପାଖରେ ବନ୍‌ଶୀ ପକାଇବ । ବନ୍‌ଶୀ ପକେଇବା ତା’ର ଭାରି ପ୍ରିୟ କାର୍ଯ୍ୟ । ପିଲାଦିନେ ଏଇ ବନ୍‌ଶୀ ପକାଇ ସେ ଦିନ ଦିନ ଧରି ସ୍କୁଲକୁ ଯାଇନି । ବାପାଙ୍କ ହାତରେ ଏଥିପାଇଁ ସେ କମ୍‌ ମାଡ଼ ବି ଖାଇନି । ଏବେ ପ୍ରତି ଛୁଟିରେ ଘରକୁ ଆସିଲେ ବନ୍‌ଶୀ ପକେଇବା କାମଟା ତା’ର ଆଗ ହୁଏ । ସେତକ ନ ହେଲେ ଛୁଟିଟା ଛୁଟି ପରି ଲାଗେନା । ଆଜି ଘରକୁ ଆସିବା ମାତ୍ରେ ତା’ର ସେଇ ପର୍ବ ଆରମ୍ଭ ହୋଇଯାଇଛି । ଖାଇସାରି ସାମାନ୍ୟ ଶୋଇଥିଲା । ନିଦ ଭାଙ୍ଗିବା ମାତ୍ରକେ ବନ୍‌ଶୀ ଧରି ଶଙ୍ଖଆଡ଼େ ଆଗେଇଛି । ଶଙ୍ଖ ପାଖରେ ପହଞ୍ଚି ଦେଖିଲା ବଳିଆକୁ । ବିଚରା ଛୋଟାଟାଏ । ବନ୍‌ଶୀ ପକେଇ କୁଟୁମ୍ୱ ଚଳାଏ । ଆଶାବାଡ଼ି ଧରି ବନ୍‌ଶୀ ନେଇ ଠିକଣା ଜାଗାକୁ ଯାଏ । ବନ୍‌ଶୀ ପକେଇ ଶେଉଳ, ବାଳିଆ ପର୍ଯ୍ୟନ୍ତ ଧରି ଗାଁରେ ବିକ୍ରୀ କରେ । ଲବ୍‌ଧ ଅର୍ଥରେ ତା’ର ଛୋଟ ପରିବାରଟି ସୁରୁଖୁରୁରେ ଚଳିଯାଏ । ବନ୍‌ଶୀ ପକେଇବାରେ ବଳିଆ ଗୋଟାଏ ଓସ୍ତାଦ । ଗାଁର ପିଲାମାନଙ୍କୁ ବନ୍‌ଶୀ ପକେଇବା ସମ୍ୱନ୍ଧରେ ସେ ତାଲିମ ଦିଏ । ଛଡ଼ କେତେ ଲମ୍ୱା ହେବ, କିମିତିକା ସୂତା ଲାଗିବ, କେଉଁ ଜାଗାରେ କି’ ତେରେଣ୍ଡା ଲାଗିବ ଓ କି’ ପ୍ରକାରର କଣ୍ଟା ବ୍ୟବହାର କରାଯିବ ସେ କଥା ପିଲାମାନେ ତା’ଠାରୁ ବୁଝି ନିଅନ୍ତି । ଯେଡ଼େ ମାନେ ସେଡ଼େ ମାଛ ହେଉ, ସେ ବଳିଆ ବନ୍‌ଶୀରେ ଲାଗିଲେ ଆଉ ଖସି ପାରିବନି । ଥରେ ତା’ ବନ୍‌ଶୀରେ ଖାଇଲାମାନେ ସେ ତା’ର ଖାଳେଇ ଭିତରକୁ ଆସିଲା । ରମେଶ ବି ଦିନେ ତା’ରିଠାରୁ ବନ୍‌ଶୀ ପକା ଶିଖିଥିଲା ।

 

ରମେଶକୁ ଦେଖି ବଳିଆ ତା’ ପାଇଁ ଏକ ଜାଗା କରିଦେଲା । ‘‘ଏଇଠି ବସ ରମୁବାବୁ । ଏଇ ଯାଗାରେ ଭଲ ମାଛ ଖାଉଛନ୍ତି ।’’ ବନ୍‌ଶୀ ତକ ଫିଟେଇ ଏଥର ସେ ଥୋପ ଗୁନ୍ଥିଲା । ବଳିଆ ପଚାରିଲା, ‘‘କେତେବେଳେ ଆସିଲ କି ରମୁବାବୁ ?’’

 

ଏଇ ଦଶଟା ବେଳେ ମ-ବନ୍‌ଶୀଟାକୁ ଛାଟୁ ଛାଟୁ ରମେଶ ଉତ୍ତର ଦେଲା । ବଳିଆ କହିଲା–ଧନ୍ୟ ବାବୁ ତମର ବନ୍‌ଶୀ ନିଶା । ସେଇ ପିଲା ବୁଦ୍ଧି ତମର ଆଜିଯାଏ ଗଲାନି । ବଡ଼ବାବୁଙ୍କ ହାତରୁ ଏଇଥିପାଇଁ କେତେ ବିଧା ଚାପଡ଼ା ଖାଇଥିବ । ହେଲେ ସେଇଟାକୁ ଆଉ ଛାଡ଼ି ପାରିଲ ନାହିଁ ।

 

‘‘ଆରେ ସେଇଟା ପରା ଗୋଟାଏ ନିଶା ।’’

 

‘‘ସତରେ ରମୁବାବୁ ତେମେ ଠିକ୍‌ କହିଛ । ଏ ନିଶା ଥରେ ଲାଗିଲେ ଆଉ ଛାଡ଼ି ହୁଏନା-।’’ ବନ୍‌ଶୀ ଛଡ଼ଟାକୁ ଖାଞ୍ଚମାରି ବାଳିଆ କନ୍ଦାଟାକୁ ବଳିଆ ପାଣି ଭିତରୁ ଉଠାଇ ଆଣିଲା । କଣ୍ଟାରୁ କାଢ଼ି ଖାଳେଇରେ ରଖିଲା ଓ ଥୋପ ଗୁନ୍ଥି ବନ୍‌ଶୀଟାକୁ ପୁଣି ଛାଟିଦେଲା ପାଣି ଭିତରକୁ । ‘‘ବାବୁ ପୁରୀରେ କ’ଣ ଏମିତି ଯାଗା ଅଛି ବନ୍‌ଶୀ ପକେଇବାକୁ ?’’

 

‘‘ଯାଗା ଅଛି ଯେ, ହେଲେ ସୁଯୋଗ ନାହିଁ’’ । କହୁ କହୁ ତୋଡ଼ିଟାଏ ଉପରକୁ ଟେକି ଆଣିଲା ରମେଶ । ଅନେକ ସମୟ ପର୍ଯ୍ୟନ୍ତ ଏ ମାଛଧରା ପର୍ବ ଚାଲିଲା । ହାରାମଣୀ ଏଣେ ଅତିଷ୍ଠା ହୋଇପଡ଼ିଲେ । ଏଡ଼େଟାଏ ହେଲାଣି, ଅଥଚ ସେଇ ବନ୍‌ଶୀପକା ତା’ର ଗଲାନି । ଘରେ ଗୋଡ଼ ଦେଇଛି କି ନାହିଁ, ଚାଲିଗଲା ବନ୍‌ଶୀ ନେଇକରି । ଆଉ ସେ ଅପେକ୍ଷା କରି ପାରିଲେ ନାହିଁ-। ଅମରିଆ ବାଡ଼ିରେ ପଟାଳି କରୁଥିଲା । ତାକୁ ଡାକି ରମୁକୁ ଡାକି ଆଣିବାକୁ ପଠେଇଲେ । ଅମୁରିଆ ଯିବା ପରେ ପରେ ପହଞ୍ଚିଲା ଜେମିଆଈ । ପାକୁଆ ପାଟିରେ ଖନଖନ କରି କହିଲା, ‘‘ହଇଲୋ ହାରା, ରମୁ ପରା ଆଇଚି । କୁଆଡ଼େ ଗଲାକି ?’’

 

‘‘କୁଆଡ଼େ ଆଉ ଯିବ ? ସେଇ ବନ୍‌ଶୀ ନେଇ ଶଙ୍ଖକୁ ଯାଇଛି । ଏବେବି କ’ଣ ତା’ର ପିଲା ବୁଦ୍ଧି ଗଲାଣି ।’’ ଢାଳଟା ବଢ଼େଇ ଦେଇ ସେ ବୁଢ଼ୀକୁ କହିଲେ ‘‘ନବଟି ମା’ ହାତଟା ଧୋଇ ପକାଅ । ରମୁ ଜଗନ୍ନାଥଙ୍କ ଭୋଗ ଆଣିଥିଲା ଯେ ଟିକେ ପାଇଦବ ।’’

 

‘‘କିଲୋ, ସେ ଆଉ ଏମିତି କେଡ଼େବଡ଼ ହେଇଗଲାକି ? କାଲି ପରା ନଙ୍ଗଳା ହେଇ ଡେଉଁଥିଲା । ଏଇ ପୁରୀରେ ମାଟିନି ପଢ଼ିଲା ଦିନୁ ପେଣ୍ଟ ପିନ୍ଧିବଣି ।’’ ଏହା ଭିତରେ ସେ ହାତ ଧୋଇ ସାରିଥିଲା । ହାରାମଣୀ ରମେଶ ଆଣିଥିବା ଭୋଗରୁ ପ୍ରାୟ ଅର୍ଦ୍ଧେକ ନେଇ ସୁନାକୁ ଦେଇ ଆସିଥିଲା । ଏବେ ସେଥିରୁ କିଛି ଜେମିକୁ ଦେଇ ପାନ ଭାଙ୍ଗି ବସିଲେ । ବୁଢ଼ୀ ତାକୁ ଖାଇସାରିବା ପରେ ସେ ଘରେ ହୋଇଥିବା ଚୂଡ଼ାପୁଆ, ଉଖୁଡ଼ା ଓ ମଗଜନଡ଼ୁରୁ କିଛି ଦେଲେ । ବୁଢ଼ୀ ସେତକ ଖାଇ ଦି’ ଗିଲାସେ ପାଣି ପିଇଲା, କଲ୍ୟାଣ କରି କହିଲା, ‘‘ଆଜି ମୋ’ ଆତମା ପୁରୁଷ ବୋଧ ହେଇଗଲା ।’’ ପାନ ଖଣ୍ଡକ ମକଚି ମକଚି ବୁଢ଼ୀ ପାଟିରେ ପକେଇଲା ବେଳକୁ ରମୁ ଆସି ପହଞ୍ଚିଲା । ମାଛ ମାଳ ଓ ବନ୍‌ଶୀ ହାତରେ ଧରି କହି କହି ଆସିଲା, ‘‘ଜେମିଆଈ, ନମସ୍କାର’’ । ପାନ ପାକୁଳିକରି ଆଈ କଇଲାଣ କଲା, ‘‘ବୁଢ଼ାଟିଏ ହେଇଥା । ତୋ’ ମାଇପ ପାଚିଲା ବାଳରେ ସୂନ୍ଦର ନାହୁ ।’’ କହୁ କହୁ ବୋହି ପଡ଼ୁଥିବା ପାନପିକକୁ ଲୁଗା କାନିରେ ପୋଛି ଦେଇ ପୁଣି ପାଟି ପାକୁଳେଇବାକୁ ଲାଗିଲା ।

 

ମାଛମାଳଟା ନେଉ ନେଉ ହାରାମଣୀ କହିଲେ–ତୁ ଘରେ ଗୋଡ଼ ଦେଇଛୁ କି ନାହିଁ, ବନ୍‌ଶୀ ନେଇ ବାହାରି ଗଲୁ । ହାତ ଧୋଉ ଧୋଉ ରମେଶ କହିଲା–ନାଇଁମ ବୋଉ, ଅନେକ ଦିନ ହେଲା ବନ୍‌ଶୀ ପକେଇ ନଥିଲି ନା, ମନଟା କେମିତି ରବେଇ ଖବେଇ ହଉଥିଲା ।

 

‘ରମୁଭାଇ ଧର’–ରତି ପ୍ରବେଶ କରି ରମେଶକୁ ଡାକିଲା । ପଛକୁ ଅନେଇ ସେ ଦେଖିଲା ହାତରେ ଗ୍ଳାସେ କ୍ଷୀର ଧରି ଠିଆ ହୋଇଛି ରତି ।

 

ଚାହିଁଛ କ’ଣମ । ବୋଉ କହିଛି, ଯୋଉଁଠି ଥାଆନା କାହିଁକି, ସାଙ୍ଗେ ସାଙ୍ଗେ ୟାକୁ ପିଇ ଦେଇ ସିଧା ଆମ ଘରକୁ ଯିବ । ସେଥିରେ ଡେରି କଲେ ତମର ମୋ’ର କଟି ।’’ ରତିର କଥା ଅନୁସାରେ ରମେଶ ଡେରି ନ କରି ସେତକ ଉଦରସ୍ଥ କଲା । ନିରୁତା ସିଝା କ୍ଷୀରରେ ଚିନି ପକେଇ ତା’ ପେଇଁ ରତି ହାତରେ ପଠେଇଥିଲେ ସୁନା । ସେତେକ ପିଇସାରି ସେ ଦୁଃଖୀଦାଦିଙ୍କ ଘରଆଡ଼େ ଆଗେଇଲା । ରତି ଦେଠେଇଙ୍କ ହାତରୁ ମାଛ ନେଇ ବାଛି ବସିଲା । ଜେମି ଆଉ ପାକୁଆ ପାଟିରେ ପାନକୁ ଏ କଳ ସେ କଳ କରି ଏ ଦୃଶ୍ୟ ଉପଭୋଗ କରୁଥିଲା । ଶେଷରେ କହି ପକେଇଲା । ‘‘ହଇଲୋ ହାରା ଏ ଉଦଣ୍ଡୀ ତେତେ ଶାଶୁ ବୋଲି ମାନିବଟି?’’ ରତି ତାକୁ ଖତେଇ ହେଇ ମାଛ ନେଇ ଦୂର ବାଡ଼ିପଟକୁ ଚାଲିଗଲା । ପାକୁଆ ପାଟିରେ ହସି ହସି ବୁଢ଼ୀ କହିଲା, ‘‘ଆଲୋ ତୋ’ ବରକୁ ମୁଁ ନେଇ ଯାଉନି ବା’’ ।

 

ରମେଶ ଯାଇ ପହଞ୍ଚିଲା ଦୁଃଖୀଦାଦିଙ୍କ ଘରେ । ସୁନା ସେତେବେଳକୁ ଚୂଲି ଲଗେଇବାକୁ ଯାଉଥିଲେ । ଖୁଡ଼ୀଙ୍କୁ ଯଥାବିଧି ପ୍ରଣାମ କରି ସେ କହିଲା,–‘‘ମୁଁ ଖରାବେଳେ ବନ୍‌ଶୀ ନେଇ ଗଲାବେଳେ ଏଇଆଡ଼େ ଆସି ଥାଆନ୍ତି; ହେଲେ ତମ ଦାଣ୍ଡ କବାଟ ବନ୍ଦ ଥିଲା ।’’ ଖସି ଯାଉଥିବା ଲୁଗାଟାକୁ ଆହୁରି ମୁଣ୍ଡ ଉପରକୁ ଟାଣି ଆଣି ସୁନା କହିଲା, ‘‘ତମର ପିଲାବୁଦ୍ଧି ଗଲାନି ରମୁ । ବନ୍‌ଶୀ କଥା ତେମେ ଏବେ ବି ମନେ ରଖିଛ ।’’ ରମେଶ କିଛି ନ କହି ସାମାନ୍ୟ ହସିଲା ଓ ମୁଣ୍ଡ ଉପରେ ଭାଡ଼ିରେ ଓହଳିଥିବା ଗୋଟିଏ କାକୁଡି ଛିଣ୍ଡେଇ ଆଣି ଚୋବେଇବାକୁ ଲାଗିଲା । ଖାଉଖାଉ ପଚାରିଲା, ‘‘ଆଚ୍ଛା ଖୁଡ଼ୀ, ଏ କାକୁଡ଼ି ଗଛ ଆଜି ପର୍ଯ୍ୟନ୍ତ ମରିନି ?’’

 

‘‘ନାଇଁମ ରମୁଭାଇ, ତମକୁ ପରା ଆମ କାକୁଡ଼ି ଗଛ ଅନେଇ ରହିଥିଲା । ତମେ ଯେତେବେଳେ ତା’ ଫଳ ଖାଇ ନ ଥିଲ, ସେ ଆଉ ମରିଥାଆନ୍ତା କେମିତି ?’’ ଦଉଡ଼ି ଦଉଡ଼ି ଆସିଥିଲା ରତି । ଫାଇଁ ଫାଇଁ ନିଶ୍ୱାସ ମାରି ଏକାଥରକେ କହିଗଲା ଏତକ । ଥଟ୍ଟାକରି ରମେଶ କିହଲା, ‘‘ବୁଝିଲ ଖୁଡ଼ୀ, ରତିଟା ଏବେ ଭାରି ଦୁଷ୍ଟ ହୋଇଗଲାଣି । ପାଠଶାଠ ତ କିଛି ପଢ଼ୁନି । ଖାଲି ଡିଆଁ ମାରିବାଟା ସାର ହେଇଛି ଯାହା ।’’

 

‘‘ମୁଁ କ’ଣ ତମଭଳି ଗଧ ହେଇଛି କି ? ଆମ ଶ୍ରେଣୀରେ ମୁଁ ଫାଷ୍ଟ ହଉଛି ମ, ତମେ ସିନା ଶ୍ରେଣୀରେ ଲାଷ୍ଟ ହଉଥିବ । ହଉ ଥାଉ । ବେଳ ଗଡ଼ିଗଲାଣି । ତମେ ହାତ ଧୋଇ ଆସିଲ । ମୁଁ ମାଛ ଭାଜି ନେଇ ଆସିଛି । ଏଇଠି ତମେ ପଖାଳ ଖାଇଦବ ।’’ ରମେଶ କିଛି କହିବାକୁ ଯାଉଥିଲା । ରତି ତା’ର ହାତକୁ ଭିଡ଼ିନେଇ କହିଲା, ‘‘ଆରେ ଯାଅ, ଅନେଇଛ କ’ଣ ?’’ ରମେଶ ଆଉ କିଛି ନ କହି ହାତ ଧୋଇ ଆସିଲା । ରତି କଂସାରେ ପଖାଳ ସହ ଲୁଣ, ଲଙ୍କା, ଆଳୁ ଚକଟା ରଖିଦେଲା । ଦେଠେଇ ଘରୁ ଭାଜି ଆଣିଥିବା ମାଛତକ ସେଇଠି ଥୋଇଲା । ପିଢ଼ାରେ ବସି ରମେଶ ଡାକିଲା ରତିକୁ । ରତି ପାଖକୁ ଆସି ପଚାରିଲା, ‘‘କ’ଣ କହୁଛ ? ଲୁଣ ପରା ପକେଇ ଦେଇଛି ।’’

‘‘ଆରେ ଲୁଣ ସିନା ପକେଇ ଦେଇଛୁ । ଗୋଳେଇବ କିଏ ?’’ ରମେଶ କଥାରେ ରତି ଏଥର ଭାତ ଗୋଳେଇ ଦେଲା । ଉଠିବା ବେଳକୁ ସେ ତା’ ହାତ ଧରି ଜୋର କରି ବସେଇ ଦେଲା-। ‘‘ଆଉ ଉଠୁଛୁ କୁଆଡ଼େ ? ତୋ’ର ଭାତ, ମୋ’ର ମାଛ; ମୁଁ ଏକୁଟିଆ ଖାଇଲେ ମୋ’ ପେଟ ଟାଣିବନି ?’’ ଏତିକି କହି ତା’ ପାଟିରେ ଗୁଣ୍ଡାଏ ଭାତ ଓ ଦୁଇଟା ମାଛ ଜୋର କରି ଭର୍ତ୍ତି କରିଦେଲା । ଗାଉଁ ଗାଉଁ ହେଇ ରତି କହିଲା–ଯା, ତମେ ବି ଭାରି ଦୁଷ୍ଟ ହେଇ ଗଲଣି, ତମର ମୋ’ର କଟି । ଦୁହେଁ ବସି ଖାଇବା ପର୍ବ ଶେଷ କରିବାକୁ ଲାଗିଲେ ।

ସୁନା ହାଣ୍ଡିଶାଳ ଘରେ ରହି ପ୍ରାଣଭରି ଏ ଦୃଶ୍ୟକୁ ଉପଭୋଗ କରୁଥିଲେ । ଆଖି ଆଗରେ ଭାସି ଉଠୁଥିଲା ତାଙ୍କର ଅନନ୍ତ ଭବିଷ୍ୟତ । ଭବିଷ୍ୟତର ସୁଖମୟ ଦୃଶ୍ୟରାଜି ତାଙ୍କ ଆଖିରେ ନାଚି ଉଠୁଥିଲା । ସେ ଦେଖୁଥିଲେ ହାନ୍ଦୋଳାରେ ବସି ରତି ଆଉ ରମୁ ଘରକୁ ଆସୁଛନ୍ତି-। ଝିଅବୋହୂମାନେ ବନ୍ଦାପନା କରି ତାଙ୍କ ଉପରେ ଲୁଗା ଟାଣୁଛନ୍ତି । ସତେ ଯେପରି ସେ ସରଗର ଚାନ୍ଦ ପାଇଗଲେ । ରତି ତାଙ୍କର । ରମୁ ବି ତାଙ୍କର । ତାଙ୍କରି ଆନନ୍ଦ ଦେଖି ଦେଖି ତାଙ୍କର ଜୀବ ଚାଲିଯାଉ । ଆଜି ସେମାନେ ଭାଇ ଭଉଣୀ । କାଲି ବି ସେମାନେ ଭାଇ ଭଉଣୀ ପରି କାଳ କାଟିବେ । ଭଗବାନ କରନ୍ତୁ ଏଇ ହସଖୁସି ତାଙ୍କର ଚିରଦିନ ବଜାୟ ରହୁ । କି ସୁନ୍ଦର ଯୋଡ଼ି ! ଭଗବାନଙ୍କର କି ସୁନ୍ଦର ପରିକଳ୍ପନା ! ସୁନା ଆଉ ଭାବି ପାରିଲେନି । ଆଖିରୁ ଆନନ୍ଦ୍ରାଶୁ ଝରିଲା । ଆବେଗରେ ହୃଦୟ ଭରପୂର ହୋଇଉଠିଲା । ସେ ଜଣେ ମା’ । ମନ ତାଙ୍କର ସନ୍ତାନର ସୁଖ ପାଇଁ ପାଗଳ । ସନ୍ତାନ ସୁଖରେ ରହିଲେ ମା ସୁଖୀ ହୁଏ । ତା’ର ଶତ ବେଦନା ସନ୍ତାନର ସୁଖରେ ଅନ୍ତର୍ହିତ ହୁଏ । ସନ୍ତାନର ସୁଖରେ ତା’ର ସ୍ୱର୍ଗ । ସନ୍ତାନର ସୁଖପାଇଁ ତା’ର ସମସ୍ତ ସୁଖ ସେ ଜଳାଞ୍ଜଳି ଦିଏ । ନିଜର ଜୀବନ ବିନିମୟରେ ମଧ୍ୟ ସେ ଚାହେଁ ସନ୍ତାନର ସୁଖ । ଏ ହେଉଛି ନାରୀର ସୂକ୍ଷ୍ମ ମନସ୍ତତ୍ତ୍ୱ । ବାତ୍ସଲ୍ୟ ମମତାରେ ସେ ଅନ୍ଧ । ନିଜ ସନ୍ତାନ ସୁଖୀ ହେଉ–ଏହା ପ୍ରତି ମା’ର ତ୍ରିସନ୍ଧ୍ୟା ପ୍ରଣାମ । ରତିପାଇଁ ରମେଶ ଯେ ସର୍ବଶ୍ରେଷ୍ଠ ଜୀବନସାଥୀ, ଏ ବିଷୟରେ ସୁନା ଦୃଢ଼ ନିଶ୍ଚିତ । ଆଗାମୀ କେଇ ବର୍ଷ ପରେ, ରତି ହେବ ରମେଶର; ଆଉ ରମେଶ ହେବ ରତିର । ଯେତେ ଶୀଘ୍ର ଏ ଶୁଭକାର୍ଯ୍ୟ ବଢ଼ିଯିବ, ସେତେ ଶୀଘ୍ର ତାଙ୍କର ଛୁଟି । ସେଇ ପର୍ଯ୍ୟନ୍ତ ଭଗବାନ ତାଙ୍କୁ ବଞ୍ଚେଇ ରଖନ୍ତୁ ବୋଲି ସୁନାଙ୍କର ପ୍ରାର୍ଥନା । ଏତେବଡ଼ କଳ୍ପନା ତାଙ୍କର ଯୋଉଁଦିନ ରୂପ ପାଇବ, ସେ ଦିନ ସେ ଯେମିତି ଜୀଇ ରହିଥାନ୍ତି ।

ରମେଶ ଏଥର ଖାଇସାରି ଗାଁ ଦାଣ୍ଡଆଡ଼େ ଚାଲିଲା । ଗାଁ ଚଉରା ଉପରେ ବସି ସାନ ପିଲାମାନଙ୍କ ସହ ଖେଳିବାକୁ ଲାଗିଲା । କ୍ରମେ ସମବୟସ୍କ ପିଲାମାନେ ଜମା ହେବାକୁ ଲାଗିଲେ । ଅନେକ କଥାବାର୍ତ୍ତା, ଅନେକ କୋଳାକୋଳି ଚାଲିଲା । ଡ୍ରାମା ହେବା ପାଇଁ ପ୍ରସ୍ତାବ ହେଲା । ପ୍ରତିବର୍ଷ ନୂଆଗାଁରେ ରଜ ବେଳକୁ ଦୁଇଟା ବହି କରାଯାଇଥାଏ । ପ୍ରତି ବହିରେ ରମେଶର ଭୂମିକା ନିଶ୍ଚୟ ରହିବ । ଡ୍ରାମା ସହିତ ତା’ର ସମ୍ପର୍କ ପିଲାଦିନରୁ । ଏଥର ସେ ଶୀଘ୍ର ଗାଁକୁ ଆସିଯାଇଛି । ତେଣୁ ରିହାରସେଲଟା ବି ଶୀଘ୍ର ଆରମ୍ଭ ହେଇଯିବା ଦରକାର । ତାପରେ ବହି କଥା ପଡ଼ିଲା । ଗୋଟାଏ ସାମାଜିକ ତ ନିଶ୍ଚୟ ହେବ । ଆଉ ଗୋଟାଏ ପୌରାଣିକ ହୋଇପାରେ କିମ୍ୱା ଐତିହାସିକ ହୋଇପାରେ । ଅନେକ ବହି ନାଁ ପଡ଼ିଲା । ତେବେ ଆସନ୍ତା କାଲି ସ୍ଥିର କରିବା ବୋଲି ଠିକ୍‌କରି ସେ ଚଉରା ଛାଡ଼ିଲା । ପରେ ପହଞ୍ଚି ଦେଖିଲା, ଅମୁରିଆ ହଳ ଫିଟାଉଛି । ତାକୁ ପଚାରିଲା–ଅମୁରିଆ, ଆମ ତୋଟାରେ ଆମ୍ୱ କେଡ଼େ କେଡ଼େ ହେଲାଣି ?

‘‘ହାମ୍ୱେଡ଼ାଠାରୁ ଆହୁରି ବଡ଼ ବଡ଼ ହୋଇଗଲାଣି ।’’

‘‘ଠିକ୍‌ ଅଛି । କାଲି ଯାଇ ଚଟଣି କରିବାକୁ କିଛି ନେଇ ଆସିବା ।’’ ଏତକ କହି କହି ସେ ଗୋଡ଼ହାତ ଧୋଇବାକୁ ଚାଲିଗଲା ।

ପୁରୀ ସହରର ହେରାଗୌରୀ ସାହୀ, ବିରାଟକାୟ ଏଇ ସାହିଟା, ଲମ୍ୱିଛି ଅନେକ ଦୂର-। ହେରା ପଞ୍ଚମୀ ଦିନ ଲକ୍ଷ୍ମୀ ଠାକୁରାଣୀ ଏଇ ସାହୀବାଟେ ଲୁଚି ଲୁଚି ଯାଇ ରଥକାଠ ଭାଙ୍ଗିଦେଇ ଚାଲି ଆସନ୍ତି । ଜଗନ୍ନାଥ, ବଳଭଦ୍ର ଦୁଇଭାଇ ଭଉଣୀ ସୁଭଦ୍ରାକୁ ଧରି ଗୁଣ୍ଡିଚା ଯାତ୍ରା କରନ୍ତି । ଶ୍ରୀମନ୍ଦିର ତ୍ୟାଗ କରି ଯଜ୍ଞବେଦୀପରେ ତାଙ୍କର ନବଦିନ ରହଣି । ଲକ୍ଷ୍ମୀ ଠାକୁରାଣୀ ଏ ସମୟ ମଧ୍ୟରେ ଏକାକିନୀ ପଡ଼ି ରହନ୍ତି ଶ୍ରୀମନ୍ଦିର ଭିତରେ । ତାଙ୍କ ମନରେ ଜାତ ହୁଏ ଯୁଗପତ୍‌ ବିରକ୍ତି ଆଉ ଅହଙ୍କାର । ପତିଙ୍କ ପ୍ରତି କ୍ରୋଧ ଓ ଅଭିମାନରେ ମନ ତାଙ୍କର କୁହୁଳି ଉଠେ । ସେଥିପାଇଁ ରଥଯାତ୍ରାର ପଞ୍ଚମଦିନରେ ପଡ଼େ ହେରା ପଞ୍ଚମୀ । ସେଦିନ ଲକ୍ଷ୍ମୀ ମା’ ଲୁଚି ଲୁଚି ଯାଇ ଜଗନ୍ନାଥଙ୍କ ରଥର କିଛି ଅଂଶ ଭାଙ୍ଗିଦେଇ ଆସନ୍ତି, ନାରୀ ମନର ପ୍ରତିହିଂସା ବହ୍ନି ଶାନ୍ତ ହୁଏ-। ପ୍ରଧାନ ରାସ୍ତାରେ ନଯାଇ ସେ ଯାତ୍ରା କରନ୍ତି ଏଇ ସାହୀବାଟେ । ସେଇଥିପାଇଁ ଏ ସାହୀର ନାମ ହେରାଗୌରୀ ସାହୀ ।

 

ହେରାଗୌରୀ ସାହୀର ଗୋଟାଏ କଡ଼ରେ ଏକ ଦୋ’ ମହଲା କୋଠା– ‘‘ହୀରା ମହଲ’’ । ଆଧୁନିକ ଢାଞ୍ଚାରେ ନିର୍ମିତ ଏଇଁ କୋଠା ଦୂରରୁ ଖୁବ୍‌ ମନୋରମ ଦିଶେ । କୋଠା ସାମନାରେ ଆଧୁନିକ ଧରଣର ଫାଟକ ଏଇ ଫାଟକର ଦୁଇଧାରରେ ଖୋଦିତ ହୋଇଛି ‘‘ହୀରା ମହଲ’’ । ଘରର ମାଲିକାଣୀ ହୀରାଦେବୀଙ୍କ ନାମାନୁସାରେ କୋଠାଟିର ଏତାଦୃଶ ନାମକରଣ କରାଯାଇଛି । ହୀରାଦେବୀଙ୍କ ସ୍ୱାମୀ ଜୟନ୍ତ ପଟ୍ଟନାୟକ ଥିଲେ ଯୋଗାଣ ବିଭାଗର ଉଚ୍ଚ ଅଫିସର-। ବହୁଶ୍ରମ ତଥା ବହୁ ପଇସା ଖର୍ଚ୍ଚ କରି ସେ ଏପରି ଏକ ଆଧୁନିକ ରୁଚି ସମ୍ପନ୍ନ ଗୃହ ତିଆରି କରି ଯାଇଛନ୍ତି । ଗତ ପ୍ରାୟ ଚାରିବର୍ଷତଳେ ତାଙ୍କର ହୃଦରୋଗର ମୃତ୍ୟୁ ଘଟିଛି । ବିଧବା ପତ୍ନୀଙ୍କ ନିକଟରେ ସେ ଛାଡ଼ି ଯାଇଛନ୍ତି ଦୁଇଟି ସନ୍ତାନ । ଗୋଟିଏ ପୁତ୍ର, ଗୋଟିଏ କନ୍ୟା । ପୁତ୍ର ରମାକାନ୍ତ ସହରର ଏକ ହାଇସ୍କୁଲରେ ପଢ଼େ । ଏବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଛି । କନ୍ୟାଟିର ନାମ ରୀନା । ସ୍ଥାନୀୟ ବାଳିକା ବିଦ୍ୟାଳୟରେ ସେ ନବମ ଶ୍ରେଣୀର ଛାତ୍ରୀ । ଦୁହିଙ୍କୁ ପାଠଶାଠ ପଢ଼େଇ ଦୁନିଆଁରେ ମଣିଷ କରି ଠିଆ କରେଇବାର ବିରାଟ ଦାୟିତ୍ୱ ତାଙ୍କ ଉପରେ । ସେ ନିଜେ ରକ୍ତଚାପ ରୋଗୀ । କ୍ରମାଗତ ଭାବରେ ତାଙ୍କର ଚିକିତ୍ସା ଚାଲିଛି । ପଇସାପତ୍ରର କୌଣସି ଅଭାବ ନାହିଁ । ଜୟନ୍ତବାବୁ ଚାକିରୀ ଜୀବନ ଭିତରେ ଢେର ଅର୍ଥ ସଂଚୟ କରି ଯାଇଛନ୍ତି । ତା’ ବ୍ୟତୀତ ଗାଁରେ ମଧ୍ୟ ଜମିବାଡ଼ି କମ୍‌ ନାହିଁ । ଧାନ ଓ ରବିଫସଲ ଯାହା ଅମଳ ହୁଏ ସେଥିରେ ବର୍ଷକ ଖର୍ଚ୍ଚ ଯାଇ ଅନେକ ବଳକା ଶସ୍ୟ ବିକ୍ରୟ ହୁଏ । ବିକ୍ରିୟଲବ୍‌ଧ ଅର୍ଥ ପ୍ରତିବର୍ଷ ବ୍ୟାଙ୍କ ଗଚ୍ଛିତ ଅର୍ଥର ପରିମାଣ ବୃଦ୍ଧି କରିବାରେ ସାହାଯ୍ୟ କରୁଛି ।

 

ହୀରା ମହଲର ଉପର ମହଲାରେ ଚାରିଟି କୋଠାରୀ, ଗୋଟିଏ ହୀରାଦେବୀଙ୍କ ଶୋଇବା ଘର, ଗୋଟିଏ ରୀନାର ଓ ଗୋଟିଏ ରମାକାନ୍ତର ପଢ଼ାଘର । ଆଉ ଗୋଟିଏ କୋଠରୀରେ ଅନେକ ଜିନିଷପତ୍ର ରଖାଯାଇଛି । ତଳ ମହଲାରେ ରୋଷେଇ ଘର ବ୍ୟତୀତ ଚାକର ପୂଜାରୀଙ୍କ ରହିବା ଲାଗି ଦୁଇଟି କୋଠରୀ ନିର୍ଦ୍ଦିଷ୍ଟ । ଦାଣ୍ଡ ଘରଟି ଥିଲା ଜୟନ୍ତ ବାବୁଙ୍କର ଡ୍ରଇଙ୍ଗ୍‌ ରୁମ୍‌ । କେତେକ ବେତ ଚେୟାର ଓ ଦୁଇଟା ସୋଫା ସେଟ୍‌ ସଜ୍ଜିତ । ଗୋଟାଏ ଯାଗାରେ ମନିପ୍ଳାଣ୍ଟ ମାଡ଼ୁଛି । ଖୋଲା କାନ୍ଥ ଆଲମାରୀର ଥାକରେ କେତେକ କାଚ ଜାର୍‌ ରଖା ଯାଇଛି । ସେଥିରେ ରଙ୍ଗ ବେରଙ୍ଗ ମାଛମାନେ କ୍ରୀଡ଼ାରତ । କାନ୍ଥରେ ମରାଯାଇଛି ଦୁଇଧାଡ଼ି ଫଟୋ ଓ କେତେକ ତୈଳଚିତ୍ର । ଜୟନ୍ତବାବୁ ଓ ତାଙ୍କ ପିତାଙ୍କ ତୈଳଚିତ୍ର ସହ ରମାକାନ୍ତ ଓ ରୀନାର ପିଲାଦିନର ଛବି ମଧ୍ୟ ଝୁଲୁଛି । ଗାନ୍ଧି, ଗୋପବନ୍ଧୁ, ମଧୁବାବୁ, ଦୀନବନ୍ଧୁ ସାହେବ ତଥା ନେହେରୁଙ୍କର ବିଶାଳ ଛବି ଗୁଡ଼ିକ ଆଧୁନିକ ଫ୍ରେମରେ ବନ୍ଧାଯାଇ ସଜାଯାଇଛି । ତା ତଳକୁ ରଖାଯାଇଛି କେତେକ ଚିତ୍ର ତାରକାଙ୍କ ଛବି । ରାଜ, ଦିଲ୍ଲୀପ, ମେହମୁଦଙ୍କ ସହ ସାଧନା, ମମତାଜ ଓ ରାକ୍ଷୀଙ୍କର ଫଟୋଗ୍ରାଫ କେତେକ ସ୍ଥାନରେ ସଜ୍ଜିତ । ଏତକ ରମାକାନ୍ତର କାମ । ପିତାଙ୍କ ମୃତ୍ୟୁପରେ ଡ୍ରଇଙ୍ଗ ରୁମ୍‌ ଉପରେ ତା’ର ପୂର୍ଣ୍ଣ କର୍ତ୍ତୃତ୍ୱ ଆସି ଯାଇଛି ।

 

ରମେଶ ରମାକାନ୍ତର ସହପାଠୀ । ଏବେ କେତେ ଦିନ ହେଲା ଦୁହିଙ୍କ ମଧ୍ୟରେ ବେଶ୍‌ ଘନିଷ୍ଠତା ଆସିଯାଇଛି । ସେଇ ହିସାବରେ ତା’ର ହୀରାମହଲ ସହିତ ଗତ ଦୁଇବର୍ଷର ପରିଚୟ । ରମାକାନ୍ତ ସାଙ୍ଗରେ ସେ ଅନେକ ସମୟରେ ଏ ଘରକୁ ଆସେ । ହୀରାଦେବୀ ତାକୁ ଖୁବ୍‌ ସ୍ନେହ କରନ୍ତି । ନିଜର ପୁଅକୁ ସେ ଶ୍ରଦ୍ଧାରେ ଡାକନ୍ତି ରମୁ । ରମେଶର ଡାକନାମ ମଧ୍ୟ ରମୁ । ତା ପରେ ରମେଶ ଓ ରମାକାନ୍ତ ଦୁହେଁ ସମବୟସ୍କ ଓ ସହପାଠୀ । ସେ ଦୃଷ୍ଟିରୁ ହୀରାଦେବୀ ରମେଶକୁ ମଧ୍ୟ ନିଜର ପୁଅବୋଲି ଜ୍ଞାନ କରନ୍ତି । କୌଣସି ପୂଜା ପାର୍ବଣରେ ରମେଶ ବାଦ ପଡ଼େ ନାହିଁ । ଗତ ଦୁଇବର୍ଷ ଭିତରେ ସେ ଏଘରେ ଅନେକ ନିମନ୍ତ୍ରଣ ରକ୍ଷା କରିଛି । ରମାକାନ୍ତ ଓ ରୀନାର ଜନ୍ମଦିନରେ, ସମ୍ୱର ଦଶମୀ ଓ ଜନ୍ମାଷ୍ଟମୀରେ, କାର୍ତ୍ତିକ ପୂନେଇ ତଥା ଦୋଳପର୍ବରେ ସେ ଏ ଘରକୁ ନିଶ୍ଚୟ ଆସିବ । ନହେଲେ ହୀରାଦେବୀ ଖୁବ୍‌ ରାଗନ୍ତି । ରମାକାନ୍ତକୁ ପଠାଇ ତାକୁ ଡକାଇ ଆଣନ୍ତି । ସେ ନିଜ ହାତରେ ବାଢ଼ି ଦିଅନ୍ତି ଖାଦ୍ୟ ସାମଗ୍ରୀ । ଭାଇ, ଭଉଣୀ ...ନିହେଁ ବସି ମହାଖୁସିରେ ଭୋଜନ କରନ୍ତି । କେବେ କେବେ ସିନେମା ଗଲେ ସେ ତିନିଜଣଙ୍କୁ ସାଙ୍ଗରେ ଧରି ଯାଆନ୍ତି । ରମୁ ଏଘରେ ରମାକାନ୍ତର ଅନ୍ତରଙ୍ଗ ସହପାଠୀ ରୂପରେ ନୁହେଁ, ହୀରାଦେବୀଙ୍କର ଏକ ସନ୍ତାନ ରୂପରେ ସମ୍ମାନିତ ହୁଏ ।

 

ରମାକାନ୍ତ ରମେଶକୁ ଖୁବ୍‌ ଭଲପାଏ । ଦୁହେଁ ଯାଆଁଳା ଭାଇ ଭଳିଆ ଦେଖା ଯାଆନ୍ତି । ସାଙ୍ଗହୋଇ ସମୁଦ୍ର କୂଳରେ ବୁଲନ୍ତି, ନରେନ୍ଦ୍ର ପୋଖରୀରେ ଗାଧୁଅନ୍ତି ଓ ଛୁଟି ଦିନରେ ସାଙ୍ଗ ହୋଇ ସିନେମା ଦେଖନ୍ତି ମଧ୍ୟ । ରମାକାନ୍ତର ଷ୍ଟଡ଼ି ରୁମରେ ବସି ଉଭୟେ ଅନେକ ସମୟରେ ପଢ଼ାପଢ଼ି କରନ୍ତି । ଛୁଟି ଦିନରେ ରମେଶ ରମାକାନ୍ତ ସହ ଅନେକ ଦର୍ଶନୀୟ ସ୍ଥାନକୁ ବୁଲିଯାଏ । ସୁନାଥାଳି, କେତକୀଝରା, ସିଦ୍ଧ ମହାବୀର, ଚକ୍ରତୀର୍ଥ ବଳିଆପଣ୍ଡା, ଏପରିକି ବେଲେଶ୍ୱର ପର୍ଯ୍ୟନ୍ତ ସେମାନେ ଚାଲିଯାଆନ୍ତି । ଦି’ଟା ସାଇକଲ ଧରିଲେ ସାରା ସହରଟା ବୁଲିବାକୁ ସେମାନଙ୍କୁ ଘଣ୍ଟାଟାଏ ବି ଲାଗେନା । ପ୍ରତି ରବିବାରେ ମା’ଙ୍କ ଆଦେଶମାନି ଉଭୟେ ମନ୍ଦିରକୁ ଯାଆନ୍ତି । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଅର୍ଦ୍ଧନିର୍ମିତ ଅଚଳ ମହାମେରୁଙ୍କୁ ଦର୍ଶନ କରନ୍ତି । ଠାକୁର ଦର୍ଶନରେ ହୁଏତ ସେମାନଙ୍କର ଚପଳ ମନରେ ସେପରି କିଛି ଭକ୍ତି ଭାବ ଜାଗେନା । ତେବେ ଦେଉଳକୁ ଗଲେ ଅଭଡ଼ା, ନାଡ଼ି ବା ଚଢେଇନଦା ଖାଇବାକୁ ଯେ ନିଶ୍ଚୟ ମିଳିବ, ଏଥିପାଇଁ ସେମାନେ ମନ୍ଦିରକୁ ଯିବାକୁ ବିଶେଷ ଆଗ୍ରହ ପ୍ରକାଶ କରନ୍ତି । ଦିଅଁ ଦର୍ଶନ ପରେ ବୁଲି ଯାଆନ୍ତି ଆନନ୍ଦ ବଜାରକୁ । ଆନନ୍ଦ ବଜାର–ସମସ୍ତ ଆନନ୍ଦର ଖଣି ଏଇଠି । ଭକ୍ତଗଣ ତନ୍ମୟ ହୋଇ ପରସ୍ପର ହାତରୁ ମହାପ୍ରସାଦ ଛଡ଼େଇ ଖାଆନ୍ତି । ଖାଇସାରି ମୁଣ୍ଡରେ ହାତ ବୋଲି ବିହ୍ୱଳ ହୁଅନ୍ତି । ଦୁଇ ପୌଗଣ୍ଡ ଏଇଠି କିଣନ୍ତି ସରପୁଳି, ଖଜା କିମ୍ୱା ଚଢେଇନଦା । ଚଢେଇନଦା, ସରପୁଳି ଓ ଅମାଲୁ ଆନନ୍ଦବଜାରର ଆକର୍ଷଣୀୟ ପ୍ରସାଦ । ଥରେ ଖାଇଲେ ବାରମ୍ୱାର ଖାଇବାକୁ ଇଚ୍ଛାହୁଏ ।

 

ଅନେକ ଛୁଟି ଦିନରେ ବଣଭୋଜିର ଆୟୋଜନ ହୁଏ । ସିଦ୍ଧ ମହାବୀର କିମ୍ୱା କେତକୀ ଝରର ପ୍ରାକୃତିକ ପରିବେଶ ସେଥିପାଇଁ ଉନ୍ମୁକ୍ତ । ଅନେକ ସହପାଠୀଙ୍କ ସହ ହୁଏ ଭୋଜିର ଆୟୋଜନ । ଚୂଡ଼ାଘସା, ଡାଲମା କି । ଘିଅ ଅନ୍ନ ସାଙ୍ଗକୁ କ୍ଷୀରା, ରସାବଳୀ କିମ୍ୱା ବୁନ୍ଦିଆ ପାୟସ-। ପୁରୀ ଚୂଡ଼ାଘସାର ବିଶେଷତ୍ୱ ରହିଛି । ଚୂଡ଼ା ଗୁଣ୍ଡ ହୋଇ ତାଟରେ ରଖାଯିବ । ଯେତିକି ଚୂଡ଼ା ଠିକ୍‌ ସେତିକି ନଡ଼ିଆ ସହ ଅନେକ ସମୟ ଧରି ଘସାଯିବ । ପାଣି ନପଡ଼ି ମଧ୍ୟ ତାହା ଖୁବ୍‌ ସ୍ୱାଦିଷ୍ଟ-। ପୁରୀ ଚୂଡ଼ାଘସା, ଖଳିରୁଟି, ଡାଲମା ଓ କ୍ଷିରା ଯେ ଥରେ ଖାଇଛି ସାରାଜୀବନରେ ସେ ତା’ର ସ୍ୱଦାକୁ ଭୁଲି ପାରିବ ନାହିଁ । ଅନ୍ୟ କୌଣସି ଯାଗାରେ ଭୋଜିଭାତରେ ଆମିଷ ଉପରେ ଅଧିକ ନଜର ଦିଆଯାଏ । କ୍ଷିର ବା ଛେନା ଉପରେ ସେତେଟା ଜୋର ପ୍ରାୟ ଦିଆଯାଇ ନଥାଏ; କିନ୍ତୁ ପୁରୀ ଭୋଜିର ବିଶେଷତ୍ୱ ରହିଛି ସେଇଠି । ଏପରି କୌଣସି ଭୋଜି ହୁଏ ନାହିଁ, ଯେଉଁଠି କ୍ଷୀରା, ବୁନ୍ଦିଆ ପାୟସ, ରସାବଳୀ ବା ଅନ୍ୟାନ୍ୟ ଛେନା ପ୍ରସ୍ତୁତ ସାମଗ୍ରୀ ପରିବେଷିତ ନ ହୁଏ । କ୍ଷିରା ପୁରୀର ଏକ ଅଦ୍ୱିତୀୟ ଖାଦ୍ୟ ସାମଗ୍ରୀ । ଏହା ପୁରୀର ନିଜସ୍ୱ । କ୍ଷିରକୁ ସିଝାଇ ଖୁବ୍‌ ମାରି ଦିଆଯାଏ । ମହଣେ ଖାଣ୍ଟି କ୍ଷୀର ମରି ମରି ପ୍ରାୟ ପଚିଶି ବା ତିରିଶି ସେର ରହେ । ପ୍ରଚୁର ଚିନି, ଆବଶ୍ୟକ ପରିମାଣ ମସଲା ଓ ଦୁଧ ଛେନା ପଡି ଏହା ଏକ ସୁମିଷ୍ଟ ଓ ଅତି ସ୍ୱାଦିଷ୍ଟ ଖାଦ୍ୟ ସାମଗ୍ରୀରେ ପରିଣତ ହୁଏ । ଏଥିରୁ ଦୁଇ ତିନିଓଳି ପଇବା ପରେ ଆଉ ପିଇବାକୁ ମନ ବଳେ ନାହିଁ-। ଅତି ବେଶିରେ ଚାରି ପାଞ୍ଚ ଓଳି ପିଇବା ପରେ ମୁହଁ ବାନ୍ଧିଦିଏ । ହୀରା ଦେବୀ ଅନେକ ସମୟରେ ଏଇ କ୍ଷୀରା ପ୍ରସ୍ତୁକରି ରମେଶକୁ ଖୁଆନ୍ତି । ସେ ଜାଣନ୍ତି ରମେଶର ଏହା ଖୁବ୍‌ ପ୍ରିୟଖାଦ୍ୟ ।

 

ରମାକାନ୍ତ ଓ ରୀନା ଆଜନ୍ମରୁ, ସହରରେ ଲାଳିତ ପାଳିତ । ମଫସଲ ସମ୍ୱନ୍ଧରେ ସେମାନଙ୍କର କିଛି ଧାରଣା ନାହିଁ । ଗାଁ ଗଣ୍ଡା ବିଷୟରେ ସେମାନେ ସଂପୂର୍ଣ୍ଣ ଅଜ୍ଞ । ସବୁଜ ଧାନକ୍ଷେତ, ପାହାଡ଼ ଘେରା ଜଙ୍ଗଲ, ଗାଁର ମନ୍ଦିର ମସଜିଦ, ଗାଡ଼ିଆ ପୋଖରୀ, ଗାଁ ଲୋକମାନଙ୍କର ଚାଲିଚଳନ, ରୀତିନୀତି, ହାବଭାବ ସଂପର୍କରେ ସେମାନେ ବହିରୁ ପଢ଼ିଛନ୍ତି ଯାହା-। ଅନେକ ସମୟରେ ଭାଇଭଉଣୀ ଦିହେଁ ବସି ରମେଶଠାରୁ ତାଙ୍କ ଗାଁ ବିଷୟରେ ଅନେକ କଥା ଶୁଣନ୍ତି । ରମେଶ ଗପିଚାଲେ ତାଙ୍କ ଗାଁର ଧାନକ୍ଷେତ, ତୋଟାମାଳ, ଗ୍ରାମଦେବତୀ, ବରାହୀ ଠାକୁର, ତଥା ଲଳିତା ମାଧବଙ୍କ ବିଷୟରେ ଅନେକ କଥା । ବିହ୍ୱଳିତ ସ୍ରୋତା ଦୁଇଟି ତା’ ପାଟିରୁ ଏ ଅସରନ୍ତି ଗପ ଶୁଣି ତନ୍ମୟ ହୁଅନ୍ତି । ରୀନାର ଇଚ୍ଛା ହୁଏ ଥରେ ଯାଇ ନୂଆଗାଁ ଦେଖି ଆସନ୍ତା । ତା’ ବୋଉଙ୍କୁ ଥରେ ପ୍ରଣାମ କରନ୍ତା । ଅମରେଶ୍ୱରଙ୍କ ମନ୍ଦିରରେ ପୂଜା କରନ୍ତା । ଧାନ କ୍ଷେତରେ ଗଡ଼ିଗଡ଼ି ତନ୍ମୟ ହୁଅନ୍ତା । ନୂଆଗାଁ ଯିବା ପାଇଁ ସେ ମା’ଙ୍କ ନିକଟରେ ପ୍ରସ୍ତାବ ବାଢ଼େ । ମା’କିଛି ସମୟ ଚିନ୍ତାକରି ଉତ୍ତର ଦିଅନ୍ତି ତୁ ଏକା ନୁହେଁ ଦୁହେଁ ଯାଇ ଥରେ ରମୁର ଗାଁ ଦେଖି ଆସିବା । ତା’ ବୋଉସହ କଥାବାର୍ତ୍ତା ହୋଇ ଆସିବା ।

 

ରମାକାନ୍ତର ଜିଦ୍‌ ସେ ନିଶ୍ଚୟ ନୂଆଗାଁ ଆସିବ, ଏଥର ମାଟ୍ରିକ ପରୀକ୍ଷା ପରେ ସେ ରମେଶ ସହ ତାଙ୍କ ଗାଁକୁ ଯିବ ବୋଲି ସବୁ ଠିକ୍‌ ହୋଇଥିଲା, ଶେଷ ମୁହୂର୍ତ୍ତରେ ମା’ଙ୍କର ରକ୍ତଚାପ ବଢ଼ିଯିବାରୁ ତା’ର ଯିବା ସ୍ଥଗିତ ରହିଲା । ଏବେ ମାଟ୍ରିକ ପରୀକ୍ଷା ସରିବାର ପ୍ରାୟ ଦୁଇମାସ ହୋଇଗଲାଣି, ଏଇ ନିକଟରେ ହୁଏତ ଫଳ ବାହାରିବ । ମା’ଙ୍କ ଦେହ ଏବେ ଭଲ ଅଛି । ରମାକାନ୍ତ ପରୀକ୍ଷା ଫଳକୁ ସୁବଦିନେ ଅପେକ୍ଷା କରୁଛି । ରମେଶ ପାଖକୁ ଚିଠି ଲେଖିଛି, ପରୀକ୍ଷା ଫଳ ବାହାରିଲା ବେଳକୁ ସେ ଯେମିତି ପୁରୀରେ ଥାଏ । ତା’ର ଚିଠି ପାଇ ରମେଶ ପୁରୀ ଆସିଛି । ଉଭୟେ ଆଗ୍ରହର ସହ ପରୀକ୍ଷା ଫଳକୁ ଅପେକ୍ଷା କରିଛନ୍ତି ।

 

କିଛିଦିନ ପରେ ମାଟ୍ରିକ୍ୟୁଲେସନ ପରୀକ୍ଷାଫଳ ବାହାରିଛି । ତାଙ୍କ ସ୍କୁଲର ପନ୍ଦର ଜଣ ପାଶ୍‌ କରିଛନ୍ତି ପ୍ରଥମ ଶ୍ରେଣୀରେ । ସେମାନଙ୍କ ମଧ୍ୟରେ ଗୌରମୋହନ ପାଳ, ରମେଶଚନ୍ଦ୍ର ପ୍ରଧାନ ଓ ରମାକାନ୍ତ ପଟ୍ଟନାୟକ ଅନ୍ତର୍ଭୁକ୍ତ । ସେଦିନ ହୀରାଦେବୀ ଭୋଜିର ଆୟୋଜନ କରିଛନ୍ତି ଓ ପୁଅର ଅନେକ ସହପାଠୀଙ୍କୁ ଖୁଆଇ ସନ୍ତୁଷ୍ଟ ହୋଇଛନ୍ତି । ରମାକାନ୍ତ ଓ ରମେଶର କଲେଜର ପଢ଼ିବାର ସମସ୍ତ ଆୟୋଜନ ହୋଇଛି । ରମେଶ ପ୍ରାକ୍‌ ବିଶ୍ୱବିଦ୍ୟାଳୟ ଉପାଧିକଳା ଓ ରମାକାନ୍ତ ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଛନ୍ତି । ଗୌରମୋହନ ନେଇଛି କଳା । ମଠ ମହନ୍ତଙ୍କର ସାହାଯ୍ୟରେ ସେ ମଧ୍ୟ କଲେଜରେ ପଢ଼ି ପାରିବ । ରମେଶ ଆଉ ହଷ୍ଟେଲରେ ରହିନାହିଁ । କଲେଜ ନିକଟରେ ଏକ ଭଡ଼ାଘରେ ରହି ପଢ଼ାପଢ଼ି କରୁଛି ।

 

ଆଜି ନୂଆ ଗାଁର ହାଟପାଳି । ଗ୍ରାମଦେବତୀଙ୍କ ଅନତି ଦୂରରେ ଏଇ ହାଟ । ନୂଆ ଗାଁ ହାଟ ଆଖପାଖ ପଚାଶଖଣ୍ଡି ଗାଁର ଜିନିଷପତ୍ର ବିନିମୟର ସ୍ଥଳି, ଏକ ବ୍ୟବସାୟିକ ପେଣ୍ଠସ୍ଥଳ । ଲୋକମାନେ ସେମାନଙ୍କର ଅମଳ ପଦାର୍ଥମାନ ଏଇଠି ବିକ୍ରୟ କରନ୍ତି ଓ ଦରକାରୀ ପଦାର୍ଥମାନ କିଣି ନିଅନ୍ତି । ଧାନ ଓ ପାନ ଏ ଅଞ୍ଚଳର ପ୍ରଧାନ ଉତ୍ପନ୍ନ ଦ୍ରବ୍ୟ । ପାନ ହେଉଛି ପ୍ରଧାନ ଅର୍ଥକାରି ଫସଲ । ପାନଚାଷ କରି ଲୋକେ ବେଶ୍‌ ଦି’ ପଇସା ଉପାର୍ଜନ କରନ୍ତି । ଯେଉଁଆଡ଼େ ଚାହିଁବ ସେଆଡ଼େ ଖାଲି ପାନ ବରଜ । ପାନ ବରଜ ଏ ଅଞ୍ଚଳର ଲୋକମାନଙ୍କର ଟଙ୍କା ସିନ୍ଧୁକ ଓ ଧାନ କିଆରୀ ସେମାନଙ୍କର ଭାତହାଣ୍ଡି । ଧାନ କିଆରୀ ଓ ପାନବରଜ ଥିବା ଯାଏ ସେମାନଙ୍କର କିଛି ପରବାୟ ନାହିଁ ।

 

ନୂଆ ଗାଁ ହାଟ ସପ୍ତାହରେ ଦୁଇଥର ବସେ । ରବିବାର ଓ ବୁଧବାର ଦିନ ହାଟ ପାଳି । ହାଟଟିରେ ବିଭିନ୍ନ ଗଳି ରହିଛି । ବିଭିନ୍ନ ଗଳିରେ ବିଭିନ୍ନ ଦୋକାନମାନ ସଜ୍ଜାଯାଇଛି । ପରିବା ପଟି, ଲୁଗାପଟି, ମାଛ ପଟି, ପିଡ଼ିଆ ପଟି, ପାଖୁଡ଼ି ପଟି ଓ ପାନ ପଟି ଇତ୍ୟାଦି । ପ୍ରତି ପଟିରେ ଗ୍ରାହକଙ୍କ ଭିଡ଼ । ଦୋକାନୀ ଓ ଗ୍ରାହକଙ୍କ ଭିତରେ କିଣାବିକା, ମୂଲାମୂଲି । ତିନିଟଙ୍କାର ଜିନିଷକୁ ଗ୍ରାହକ ଅଢେଇଟଙ୍କା ଦିଏ । ଶେଷରେ ଦୁଇଟଙ୍କା ବାରଅଣାରେ ଦରଛିଡ଼େ । ଜଳଖିଆ ପଟିରେ ବେଶୀ ପିଲାଙ୍କର ଭିଡ଼ । ରସଗୋଲାରୁ ଗୁଲୁଗୁଲା ପର୍ଯ୍ୟନ୍ତ ଓ ମନୋହରଠାରୁ ମୁଢ଼ି ଉଖୁଡ଼ା ପର୍ଯ୍ୟନ୍ତ ସବୁ ଏଠାରେ ମିଳେ । ପଦନ ସାହୁ ଗୁଡ଼ିଆ ତା’ର ପସରା ମେଲେଇ ବସିଛି । ପିଲାଏ ଦଶ ପଇସାର, ପାଞ୍ଚ ପଇସାର ମୁଢ଼ି ଉଖୁଡ଼ା କିଣି ଅଣ୍ଟିରେ ବା ପକେଟରେ ପୂରେଇ ଖାଇ ଖାଇ ଚାଲି ଯାଉଛନ୍ତି । କିଣିଲାବେଳେ ତା’ ପସରାରୁ ହାତପୂରା ମୁଠାଏ ସେମାନେ ନିଶ୍ଚୟ ନେବେ । ପଦନ ସାହୁ ମହା ଛଉକା । ସେଥିପାଇଁ ସେ ଆଗରୁ ତିଆରି ଥାଏ । ମୁଢ଼ି ଦେଲାବେଳେ ସେ ଠିକ୍‌ ମୁଠାଏ କମ୍‌କରି ଦେଇଥିବ । ତାହେଲେ ସେ ମୁଠାକ ପିଲାଙ୍କ ହାତପୂରାରେ ସରି ପଡ଼ିଯିବ ।

 

ସବୁଠାରୁ ବେଶୀ ଭିଡ଼ ହେଇଛି ପାନ ପଟିରେ । ବରଜିଆମାନେ ବୋଝ ବୋଝ କରି ପାନ ଥୋଇଛନ୍ତି । ବେପାରୀମାନେ ବୋଝ ମଝିରୁ କଡ଼ାଏ ଲେଖାଏଁ ପାନ କାଢ଼ି ଦେଖି ନେଉଛନ୍ତି-। ମୂଲକରି ବୋଝକୁ ଟେକି ନେଉଛନ୍ତି । ପଡ଼ତା ନ ହେଲେ ଚାଷୀ ଟୋକେଇକୁ ଭିଡ଼ି ଧରୁଛି । ତା’ପରେ ବେପାରୀ ସାମାନ୍ୟ ଦର ଆଗଉଛି । ତାପରେ ଭିଡ଼ାଭିଡ଼ି ପଡ଼ାପଡ଼ି । ବେପାରୀର ବ୍ୟବସାୟିକ ଚାଲ୍‌ ଓ କଥାବାର୍ତ୍ତାରେ ଚାଷୀ ଭୁଲି ଯାଉଛି । ବମ୍ୱେଇ ମାର୍କେଟ ଭାରି ଡଲ୍‌ । ଟାଟା ବଜାର ଆଉ ପାନ ଖାଉନାହିଁ । ରାଉରକେଲାରେ ପାନ ଛେଳି ଖାଉଛନ୍ତି । ଗୋଦାବରୀ ପୋଲ ଭାଙ୍ଗିଛି ଯେ ପୁନାକୁ ପାନ ଯାଇ ପାରୁନାହିଁ । ଆରପାଳିକୁ ବରିଜିଆମାନେ ବୋଝକୁ ହାଟରେ ଅଜାଡ଼ି ଦେଇଯିବେ । ଜଣେ କିଏ ବୈଜ୍ଞାନିକ କହିଲେଣି ଯେ ପାନ ଖାଇଲେ କର୍କଟ ରୋଗ ହେଉଛି । ତେଣୁ ପାନ ଖାଇବା ଲୋକେ ଛାଡ଼ିବାକୁ ବସିଲେଣି, ଇତ୍ୟାଦି, ଇତ୍ୟାଦି...। ଚାଷୀ ଏଥିରେ ଭୁଲି ଯାଉଛି । ପାନ ନେଇ ଅଡ଼ତରେ ଦେଇ ଆସୁଛି । ଅଧା ନଗଦ ଅଧା ବାକି ବା ତିନିପା’ ନଗଦ ପାଏ ବାକି । ବାକି ଟଙ୍କା ଫେରେ ଆରପାଳିକି ଫଇସଲ ହବ । ଚାଷୀ ବି ଧରିଛି ସେଇ ନୀତି । ପାନ ବିକି ସେ ଆସୁଛି ପିଡ଼ିଆ ପଟିକି । ପିଡ଼ିଆ କିଣିନେଇ ସେ ବରଜରେ ପକେଇବ । ଶୋରିଷ ପିଡ଼ିଆ, ରାଶି ପିଡ଼ିଆ ବସ୍ତା ବସ୍ତା ଗଦା ହେଇଛି । ଚାଷୀ ପିଡ଼ିଆ କିଣୁଛି ବାକିରେ । ଅଧା ନଗଦ ଅଧା ବାକି ବା ତିନିପା’ ନଗଦ ପାଏ ବାକି । ଚାଷୀ ଦେଖେ ଯେତିକି ଭାଗ ତା’ର ବେପାରି ବାକି ରଖିଛି ସେ ପିଡ଼ିଆ ବାଲାର ସେତିକି ବାକି ରଖିବ । ବାକି ଅନୁପାତଟା ସମାନ ରହିଲେ ହେଲା ।

 

ସବୁ ବ୍ୟବସାୟରେ ସେଇଆ । ଗ୍ରାହକ ଖୁଚୁରା ଦେକାନୀଠୁଁ ବାକି କରେ । ଖୁଚୁରା ଦୋକାନୀ ପାଇକାରୀ ବାଲାଠୁଁ, ପାଇକାରୀ ବାଲା ମହାଜନଠୁଁ, ମହାଜନ କାରଖାନାରୁ ବାକି ଗଡ଼ାଏ । ବ୍ୟବସାୟ ବିନିମୟର ବେଉସା, ଦେଣନେଣର କାରବାର । ସତ ଥିଲେ ହେଲା । ଆଜି ବାକି କାଲି ନଗଦ ବା ଆଜି ନଗଦ କାଲି ବାକି । ବାକି ନ ଦେଲେ ଦୋକାନ ବନ୍ଦ । ପାନ ବେପାରରେ ବାକି ପରିମାଣ ସାମାନ୍ୟ ଜ୍ୟାଦା ।

 

ଶହ ଶହ ବର୍ଷ ଧରି ଏ ଅଞ୍ଚଳରେ ପାନଚାଷ ହେଇ ଆସୁଛି । ଯେଉଁଆଡ଼େ ଚାହିଁବ ଶହ ଶହ ବରଜ । ଭାରି ସୁକୁମାରିଆ ଚାଷ ଏଇଟା । ନ’ ଲଗେଇବା, ପାଖୁଡି ପୋତିବା, ପାଣି ଦେବା, ମାଟି ଦେବା, ନ’ ବାନ୍ଧିବା ପ୍ରଭୃତି ବରଜରେ ପ୍ରାୟ ଦୈନନ୍ଦିନ କାର୍ଯ୍ୟ । ଓଲା, ଗୋଡ଼ାପୋଡ଼ା, ଛୁଞ୍ଚିବନ୍ଧା ବର୍ଷକେ ଥରେ ହେଲେ ହେଲା । ‘ଭୋଗମାଟି’, ‘ଖାଡ଼ମାଟି’ ପ୍ରଭୃତି ମାଟି ପକେଇବାର ଏକ ଏକ ବିଶେଷ ନାମ । ପ୍ରଥମେ ପ୍ରଥମେ ବରଜରେ ଅନେକ ଟଙ୍କା ଖରଚ କରିବାକୁ ପଡ଼େ । ପାନ ଫଳିଲେ ଅବଶ୍ୟ ସେ ସବୁ ଜଣା ପଡ଼େନା । ହାଟ ବାରି ଦିନ ସକାଳୁ ପାନ ନୋଡ଼ି ତାହା ନଛାଯାଏ ବା ସଜାଯାଏ । ତାପରେ ଗୋଟିଏ ବୋଝରେ ତାହା ବିଟାଯାଏ । ଏଇ ଟୋକେଇ ବା ବୋଝଗୁଡ଼ିକ ବାଉଁଶ ପାତିଆରେ ତିଆରି । ଏଇ ବୋଝରେ ପାନସବୁ କଡ଼ା କଡାକରି ସଜେଇ ରଖାଯାଏ । ପ୍ରତି କଡ଼ାରେ ପଚାଶଟି ଲେଖାଏଁ ପାନଥାଏ । ପାନ ନାଛିବା ଓ ବିଟିବା ପାଇଁ ସ୍ୱତନ୍ତ୍ର ଲୋକ ଅଛନ୍ତି । ସେମାନେ ମଜୁରି ନେଇ ସେ କାମ କରି ଦିଅନ୍ତି । ତାପରେ ହାଟରେ ଆସି ଏହିପରି ବୋଝ ବୋଝ ହୋଇ ଥୁଆହୁଏ ଓ ବିକ୍ରି ହୁଏ । ଗୋଟାଏ ଗୋଟାଏ ବୋଝରେ ଚାରି ପାଞ୍ଚିପଣ ବା ତଦୁର୍ଦ୍ଧ୍ୱ ପାନ ରଖାଯାଇ ପାରେ । ପାନ ପଣକ ଚାରି ହଜାର ଓ ହଜାରକ କୋଡ଼ିଏ କଡ଼ା ।

 

ହାଟର ଗୋଟିଏ କୋଣରେ ଠିଆ ହୋଇ ରମେଶ ପାନଚାଷ ସମ୍ୱନ୍ଧରେ ଏ ବକ୍ତୃତା ଦେଇ ଚାଲିଥିଲା ଓ ରମାକାନ୍ତ ଅତି ଶାନ୍ତ ସରଳ ଶ୍ରୋତା ପରି ତାହା ଶୁଣି ଚାଲିଥିଲା । ଉଭୟେ ଏବେ ପ୍ରିୟୁନିଭରସିଟି ପରୀକ୍ଷା ଦେଇ ସାରିଛନ୍ତି । ଗ୍ରୀଷ୍ମାବକାଶରେ ରମେଶ ରମାକାନ୍ତକୁ ତା’ ସାଥୀରେ ନୂଆଗାଁକୁ ନେଇ ଆସିଛି । ଗାଁ ବୁଲିବାରେ, ହାଟ ଦେଖିବାରେ, ଗାଡ଼ିଆ, ପୋଖରୀ ବା ଯୋଡ଼ରେ ପହଁରିବାରେ ଓ ଗଛରେ ଚଢ଼ି ଆମ୍ୱ ପାରିବାରେ ତା’ର ଅସରନ୍ତି ଆଗ୍ରହ । ରମେଶ ସହ ବନିଶୀ ପକାଇବାରେ ମଧ୍ୟ ସେ ବେଶ୍‌ ମଜା ଉଠାଉଛି ।

 

ହାଟରୁ ଫେରି ଦୁଇବନ୍ଧ ଗୋଡ଼ହାତ ଧୋଇଲେ । ହାରାମଣୀ ଏହା ମଧ୍ୟରେ ଜଳଖିଆ ପ୍ରସ୍ତୁତ କରି ସାରିଥିଲେ । ଦୁଇବନ୍ଧୁ ଆସନ ପକାଇ ଜଳଖିଆ ଖାଇ ବସିଲେ । ଏତିକିବେଳେ ପହଞ୍ଚିଲା ରତି । ହାତରେ ତା’ର ଗୋଟାଏ କଂସା ଥାଳିଆ । କେତେଗୁଡ଼ିଏ ସୁମିଷ୍ଟ ଆମ୍ୱ କାଟି ରମୁ ଓ ରମାକାନ୍ତ ପାଇଁ ପଠେଇଥିଲେ ସୁନାଖୁଡୀ । ଆମ୍ୱ ଥାଳିଆଟି ରମୁଭାଇଙ୍କ ପାଖରେ ରଖିଦେଇ ରତି ଚାଲି ଯାଉଥିଲା । ରମେଶ ଡାକିଲା, ‘‘ହେ ରତି ! ଶୁଣୁ ଶୁଣୁ’’ । ନ ଶୁଣି ସେ ଚାଲି ଯାଉଥିଲା-। ରମେଶ ପୁଣି ପଛରୁ କହିଲା, ‘‘ହଉ ଯାଉଥା; ନ ଶୁଣିଲେ ତୋ’ ଆମ୍ୱ ସେମିତି ଥୁଆ ହୋଇଥିବ-।’’ ଏଥର ରତି ଏରୁଣ୍ଡିବନ୍ଧ ପାଖରେ ଠିଆ ହେଲା । ରମୁ ଭାଇ ମୁହଁକୁ କିନ୍ତୁ ସଳଖେ ଅନାଇ ପାରୁନାହିଁ । ପିନ୍ଧିଥିବା ଫ୍ରକ୍‌ଟାକୁ ଦି’ହାତରେ ତଳକୁ ଟାଣୁଛି । ମୁହଁଟାକୁ ତଳକୁ କରି ତଳେ ପଡ଼ିଥିବା ଗୋଟାଏ ପାନ ନାଡ଼କୁ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ଘସିବାକୁ ଲାଗିଛି ।

 

କିଲୋ ଖାଇବୁ ଆ-ରମେଶ ଡାକିଲା । ହେଲେ ସେ ସେମିତି ଠିଆ ହୋଇଥାଏ । କ୍ରମେ ତା’ ମୁହଁଟା ଲାଲ ପଡ଼ି ଆସୁଥିଲା । ଏହା ଭିତରେ ପୂର୍ବର ରତି କେତେ ବଦଳି ଯାଇଛି । ଦେହରେ ତା’ର ମାଉଁସ ଲାଗିଛି । ଆଉ ଯେପରି ଫ୍ରକ୍‌ ପିନ୍ଧିବାକୁ ସେ ରାଜି ନୁହେଁ । ଫ୍ରକ୍‌ ପିନ୍ଧି ସେ ପୂର୍ବପରି ସେତେଟା ଫ୍ରି ହୋଇ ପାରୁନାହିଁ । କିଛି ସମୟ ଠିଆ ହୋଇ ସେ ଦେଠେଇଙ୍କ ପାଖକୁ ରୋଷେଇ ଘରକୁ ଚାଲିଗଲା ।

 

ରମାକାନ୍ତ ଦେଖିଲା ତା’ର ଭଉଣୀ ପରି ଝିଅଟିଏ । ଠିକ୍‌ ରୀନା ବୟସର । ରୀନା ସାମାନ୍ୟ ପତଳୀ । ହେଲେ ରତି ଦେହରେ କ୍ରମେ ମାଉଁସ ଲାଗି ଆସୁଛି । ରମେଶକୁ ସେ ପଚାରିଲା, ‘‘ରତି ପଢ଼ୁଛି ନିଶ୍ଚୟ ?’’

 

‘ହଁ’–ରମେଶର ସ୍ୱର ସାମାନ୍ୟ ଭାରୀ ।

 

‘କୋଉଁ ଶ୍ରେଣୀରେ’-ରମାକାନ୍ତର ପ୍ରଶ୍ନ ।

 

‘ଆମ ଗାଁ ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ।’ ଅନ୍ୟମନସ୍କ ଭାବେ ଉତ୍ତର ଦେଲା ରମେଶ । ରମାକାନ୍ତ ମନେ ମନେ ଭାବିଲା, ମଫସଲ ଅଞ୍ଚଳ ବୋଲି ରତି ହୁଏତ ଡେରିରେ ପଢ଼ା ଆରମ୍ଭ କରିଛି । ନୋହିଲେ ସେ ମଧ୍ୟ ରୀନା କ୍ଳାସରେ ପଢ଼ନ୍ତାଣି । ଜଳଖିଆ ଖାଇସାରି ଦୁଇବନ୍ଧୁ ଖଟ ଉପରକୁ ଗଲେ । ସକାଳେ ମଟରରେ ଧକଡ଼ ଚକଡ଼ ହେଇ ଆସିଛନ୍ତି । ରମାକାନ୍ତକୁ ଖୁବ୍‌ ଶୀଘ୍ର ନିଦ ହୋଇଗଲା ।

 

ରମେଶ ଚିତ୍‌ ହୋଇ ଖଟ ଉପରେ ଶୋଇଛି । ତା’ ଆଖିକୁ ଆଜି ନିଦ ଆସୁନି । ସେ ରାଜି ଭାବୁଛି ରତି କଥା । ଏଇ ଗତ ବର୍ଷର ରତି ଆଉ ଏ ବର୍ଷର ରତି ଭିତରେ ସେ ଅନେକ କିଛି ତଫାତ୍‌ ଲକ୍ଷ୍ୟ କରୁଛି । ରତି ଆଖିକୁ ସେ ଯେମିତି ଅନେଇ ପାରୁନାହିଁ । କିଛି ବୁଝିବାକୁ ଚେଷ୍ଟା କରି ସେ ଯେପରି ବୁଝି ପାରୁନାହିଁ । ଏଇ କାଲିପରି ଲାଗୁଛି । ରତି ଆସି ତା’ ପାଖରେ ବସୁଥିଲା, ହସିହସି ଗଡ଼ିଯାଉଥିଲା । ତାକୁ ଟିକିଏ ଖୁମୁଟେଇ ଦେଲେ ଖତେଇ ହେଉଥିଲା । ପେଣ୍ଟ ସାର୍ଟରେ କାଳି ପକେଇ ଦଉଥିଲା । ବହିଗୁଡ଼ାକ ଚିରି ପକାଉଥିଲା । ଥରେ ସେ ତା’ର ଦୁଷ୍ଟାମି ଯୋଗୁଁ ତା’ ପିଠିରେ ଦୁଇଟା ବିଧା ଥୋଇଥିଲା । ବାସ୍‌ ସେତିକିରେ ସେ ତା’ଙ୍କ ଘରକୁ ପଳାଇଲା । ଖରାବେଳେ ଲୁଚି ଲୁଚି ଆସି ରମେଶର ସାମାଜିକ ପାଠ ବହି ବାହାର କଲା । ସେଥିରେ ଯେତେ ସ୍ତ୍ରୀ ଫଟୋ ଥିଲା ସବୁଥରେ ନିଶ କରି ଦେଇଥିଲା । ରମେଶ ଉଠି ଦେଖେତ ରତି ବଡ଼ କାର୍ଯ୍ୟବସ୍ତ-। ସେ ଖପ୍‌ କରି ତାକୁ ଧରି ପକେଇଲା ଓ ହାତରୁ କଲମ ଛଡ଼େଇ ତା’ରି ନାକ ତଳେ ବେଶ୍‌ ଧାଡ଼ିଏ ନିଶ କରିଦେଲା । ରତିର ମୁହଁରେ ପୁରୁଷର ନିଶ ସୁନ୍ଦର ମୁହଁଟାକୁ ତା’ର ବିକୃତ କରିଦେଲା । ସେତିକିରେ ଉଁ......ଉଁ....ହୋଇ ଦେଠେଇ ପାଖରେ ଯାଇଁ ସେ ଅଭିଯୋଗ କରିଥିଲା-

 

ଆଉ ଦିନକର କଥା । ଉଦୁଉଦିଆ ଖରାବେଳ, ରମେଶ ତାଙ୍କ ଖଟ ଉପରେ ଗଡ଼ପଡ଼ ହେଉଥିଲା । ହେଲେ ଆଖିକୁ ନିଦ ଆସୁ ନଥାଏ । ଏକ ସଦ୍ୟ ବୃନ୍ତଚ୍ୟୁତ ଗୋଲାପ ଫୁଲ ଧରି ରତି ଆସି ପହଞ୍ଚିଲା । ରମେଶ ପଚାରିଲଶ ‘‘କିଲୋ ଖରାବେଳେ କ’ଣ ତୋତେ ନିଦ ହେଉନି କି ?’’

 

‘‘ନାଇଁମ ରମୁଭାଇ, ତମପାଇଁ ପରା ଏ ଗୋଲାପ ଫୁଲଟା ଧରି ଆସିଥିଲି ।’’ କହୁ କହୁ ସେ ରମୁଭାଇ ମୁଣ୍ଡରେ ଫୁଲଟା ଖୋସିଦେଲା । ହେଲେ ଫୁଲଟା ତା’ ମୁଣ୍ଡରେ ନରହି ଝଟ କିନା ତଳକୁ ଖସି ପଡ଼ିଲା ।

 

‘‘ଜୁଡ଼ା ତ ନାହିଁ । ଫୁଲଟା ଭଲା ରହିବ କେଉଁଠି ?’’ ଝରଣା ପରି ଖିଲି ଖିଲି ହସିହସି ରତି ଉଚ୍ଚାରଣ କଲା । ରମେଶ ଫୁଲଟାକୁ ଗୋଟାଇ ଆଣୁଆଣୁ କହିଲା, ‘‘ହେ ଉଦଣ୍ଡୀ, ସେଇଟା କ’ଣ ଫୁଲ ରହିବାର ଯାଗା ?’’ ତାପରେ ତାକୁ ଭିଡ଼ିନେଇ ତା’ ବେଣୀରେ ଫୁଲଟାକୁ ଖୋସି ଦେଇଥିଲା । ହସିହସି ଦଉଡ଼ି ପଳେଇଥିଲା ସେଦିନ ରତି । ଏତ ସେଇ ରତି; କିନ୍ତୁ କାଲିର ସେ ପ୍ରଗ୍‌ଲଭତା, ସେ ଦୁଷ୍ଟାମି ଯେମିତି ଉଭେଇ ଯାଇଛି । କ’ଣ ହେଇଛି ରତିର? ତା’ ମନରେ ଅନେକ ପ୍ରଶ୍ନ । ସେ ପ୍ରଚାର ଅନେକ ଉତ୍ତର । ରତି କ’ଣ ରମାକାନ୍ତକୁ ଦେଖି ଲାଜ କଲା ? ମନଟା ତା’ର ହସି ଉଠିଲା । ରତି ଆଉ ଲାଜ ! ସେ ଦି’ଟା ବିପରୀତ ଧର୍ମୀ ଜିନିଷ । ଦି’ଜଣଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ । ସେ ଆଜି ଦିନ ଏଗାରଟାବେଳୁ ଆସିଲାଣି, ରତିର ଦେଖାନାହିଁ । ସବୁବେଳେ ତ ଘରେ ପହଞ୍ଚି ସେ ଆଗେ ଦେଖେ ରତିକୁ । ସେ ପହଞ୍ଚିବା ପୂର୍ବରୁ ରତି ଦାଣ୍ଡ ଦୁଆରେ ଠିଆ ହୋଇଥାଏ । ହେଲେ ଆଜି....? ଆଜି...ତା’ର ଦେଖା ମିଳୁଛି ଚାରିଟାବେଳେ । ସେ କ’ଣ ତା’ ଉପରେ ରୁଷିଛି, ରାଗିଛି ? ତା’ ମନରେ ପୁଣି ଉତ୍ତର ଆସୁଛି, ନାଇଁ ତା ରାଗିବା ରୁଷିବା ଢଙ୍ଗ ଅଲଗା । ଚଳ ଚଞ୍ଚଳ ଝରଣାଟା ହଠାତ୍‌ ଏମିତି ଥମିଗଲା କାହିଁକି ? ପ୍ରଜାପତିର ଡେଣା ନେଇ ଘୂରି ବୁଲୁଥିଲା ରତି । ହେଲେ ଆଜି ସେ ଡେଣା କୁଆଡ଼େ ଗଲା ? କାହିଁଗଲା ତା’ର ଦୁଷ୍ଟାମି-? କାହିଁଗଲା ତା’ର ବାଚଳତା ? ରମେଶ ମନରେ ପ୍ରଶ୍ନର ଜୁଆର ।

 

ପରଦିନ ସକାଳେ ରମେଶ ଓ ରମାକାନ୍ତ ଜଳଖିଆ ଖାଇସାରି ବୁଲି ବାହାରିଲେ । ଅନେକ ଦର୍ଶନୀୟ ସ୍ଥାନ ରହିଛି । ସେ ସବୁକୁ ଗୋଟି-ଗୋଟି କରି ଆଜି ରମେଶ ରମାକାନ୍ତକୁ ଦେଖାଇବ । ପ୍ରଥମେ ସେମାନେ ଚାଲିଲେ ଲଳିତା ମାଧବଙ୍କ ପାଖକୁ । ଅନେକ କିଆ ଗୋହରୀ ଓ ଧାନବିଲ ପାରିହେବା ପରେ ପଡ଼ିଲା ଲଳିତା ମାଧବ । ଏକ ଜୀର୍ଣ୍ଣ ମନ୍ଦିର । ତା’ ମଧ୍ୟରେ କଳାମୁଗୁନି ପଥରରେ ନିର୍ମିତ ଏକ ବିଶାଳକାୟ ମୂର୍ତ୍ତି । ମୁଣ୍ଡରେ ମୁକୁଟ । ହାତର ଚକ୍ର ଓ ଜପାମାଳା । ଅତି ପୁରାତନ ମୂର୍ତ୍ତି ହେଲେ ବି ଖୁବ୍‌ ଚକ୍‌ଚକ୍‌ ଦେଖାଯାଉଛି । ଅନେକ ଖରା ବର୍ଷା ଖାଇବି ତା’ର ତେଜ ମଉଳି ନାହିଁ । ହାତ ଟେକି ସେ ଆଶୀର୍ବାଦ ଜଣାଉଅଛନ୍ତି । ଏଡ଼େ ସୁନ୍ଦର ଜୀବନ୍ତ ମୂର୍ତ୍ତି ରମାକାନ୍ତ କେବେ ଦେଖିନଥିଲା । ଲୋକଲୋଚନର ଅଗୋଚରରେ ରହି ସେ ଯେପରି ସୁଖରେ ଅଛନ୍ତି । ଅନେକ ସମୟ ପର୍ଯ୍ୟନ୍ତ ଅବଲୋକନ କରି ସେମାନେ ଫେରିଲେ । ବଧୁଆଚକ ଦେଇ ପହଞ୍ଚିଲେ ଜାଗୁଳେଇ ଠାକୁରାଣୀଙ୍କ ପାଖରେ । ସର୍ପ ପରିବେଷ୍ଟିତା ଏଇ ଜାଗୁଳେଇ ଖଣ୍ଡେ ପ୍ରସ୍ତର ଉପରେ ଆସୀନ, ଚାରିଆଡ଼େ ଲତାଗୁଳ୍ମ ପୂରି ରହିଛି । ହେଲେ ଠାକୁରାଣୀଙ୍କ ମୁହଁକୁ ତାହା ଘୋଡ଼ାଇ ପାରିନାହିଁ । ଯୁଗଯୁଗ ଧରି ଜଙ୍ଗଲ ପରିବେଷ୍ଟିତ ହେଇ ଜାଗୁଳେଇ ବସି ରହିଛନ୍ତି । ଲତାଗୁଳ୍ମ ବଢ଼ି ଚାଲିଛି । ହେଲେ ତାଙ୍କ ମୁହଁକୁ କେବେ ତାହା ଘୋଡ଼ାଇ ପାରୁନାହିଁ । କିମ୍ୱଦନ୍ତୀ ଅଛି ଜାଗୁଳେଇ ତପରେ ବର ନଦେଇ କୋପରେ ବର ଦିଅନ୍ତି । ଥରେ ଜଣେ ବଡ଼ ରୋଗୀ ତାଙ୍କ ପାଖରେ ଗୁହାରିଆ ପଡ଼ିଥିଲା । ଅନେକ ଦିନ ବିତିଗଲେ ବି ମା’ ତା’ର ଗୁହାରି ଶୁଣିଲେ ନାହିଁ । ଭକ୍ତ ମନରେ ଆସିଲା କ୍ରୋଧ । ଆତ୍ମଜ୍ଞାନ ଭୁଲିଯାଇ ସେ ଠାକୁରାଣୀଙ୍କ ଉପରେ ପରିଶ୍ରା କରିବାକୁ ଲାଗିଲା । ମା’ଙ୍କର ନିଦ୍ରା ଭଙ୍ଗହେଲା, ଏକ ସର୍ପକୁ ଡାକି କିଛି ନିର୍ଦ୍ଦେଶ ଦେଲେ । ସର୍ପଟି ଯାଇ ରୋଗୀଟି ଉପରେ ଚୋଟ ବସାଇଲା ଓ କିଛି ସମୟ ଧରି ମୁହଁ ଲଗାଇ କିଛି ଶୋଷିବାକୁ ଲାଗିଲା । କ୍ରମେ ଲୋକଟି ସଂଜ୍ଞାହୀନ ହୋଇ ପଡ଼ିଲା ଓ ସର୍ପଟି ତାକୁ ଛାଡ଼ି ପୁଣି ମା’ଙ୍କ ନିକଟରେ ପଡ଼ିରହିଲା । କିଛିକ୍ଷଣ ପରେ ସର୍ପଟିର ମୃତ୍ୟୁ ହେଲା ଓ ଲୋକଟି ସଂପୂର୍ଣ୍ଣ ଆରୋଗ୍ୟ ହୋଇ ମା’ଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲା ।

 

ଜାଗୁଳେଇଙ୍କ ପାଖରୁ ସେମାନେ ଚାଲିଲେ ବରାହୀ ମନ୍ଦିର ଆଡ଼େ । ପ୍ରାୟ ଦଶ ମିନିଟ ଚାଲିଲା ପରେ ସେମାନେ ପହଞ୍ଚିଲେ ବରାହୀ ମନ୍ଦିର ପାଖରେ । ବରାହୀ ମନ୍ଦିର ଓଡ଼ିଶାର ଦ୍ୱିତୀୟ କୋଣାର୍କ । ଏହାର କାରୁକାର୍ଯ୍ୟ ଓ ନିର୍ମାଣ କୌଶଳରୁ ନିଠେଇକରି ଦେଖିଲେ ଯେ କେହି ସ୍ୱୀକାର କରିବ ଯେ ଏହା କୋଣାର୍କର ଏକ କ୍ଷୁଦ୍ର ସଂସ୍କରଣ । କୋଣାର୍କର କାରୁକାର୍ଯ୍ୟକୁ ଲକ୍ଷ୍ୟକରି ତା’ରି ଅନୁକରଣରେ ଏ ମନ୍ଦିର ନିର୍ମିତ । ତେଣୁ ବରାହୀ ମନ୍ଦିର କୋଣାର୍କର କନିଷ୍ଠା ଭଗିନୀ । ଅବଶ୍ୟ ଏ ସୁନ୍ଦର, କମନୀୟ କାରୁକାର୍ଯ୍ୟ ଲୋକ ଲୋଚନର ଗୋଚରକୁ ସେତେ ପରିମାଣରେ ଆସିନାହିଁ । ତେବେ ବିଗତ ଯୌବନା ଏଇ ବରାହୀ ମନ୍ଦିର କୋଣାର୍କର କାଣିଚାଏ ସୌନ୍ଦର୍ଯ୍ୟକୁ ନିଜ ଦେହରେ ଧରି ଏ ଅଞ୍ଚଳରେ ଆଜିପର୍ଯ୍ୟନ୍ତ ଠିଆହୋଇ ରହିଛି ।

 

ନୂଆଗାଁର ଅନତି ଦୂରରେ ଅମରେଶ୍ୱରଙ୍କ ମନ୍ଦିର । ଅମରେଶ୍ୱର ମନ୍ଦିରଠାରୁ ଉତ୍ତର ପୂର୍ବ ଦିଗରେ ପ୍ରାୟ ମାଇଲିଏ ବାଟ ଗଲେ ଚଉରାଶି ଗାଁ । ଏଇ ଗାଁର ଚତୁପାର୍ଶ୍ୱରେ ଅନେକ ବାମ୍ଫି ଦେଖିବାକୁ ମିଳେ । କେତେ ବାମ୍ଫି ପୋତି ହୋଇ ପଡ଼ିଲାଣି । ଆଉ କେତେକ ଏବେବି ରହିଛି । ଶୁଣାଯାଏ ଆଖପାଖରେ ଚଉରାଅଶି ଗଣ୍ଡା ବାମ୍ଫି ଖୋଳା ଯାଇଥିଲା । ତେଣୁ ଏ ଗାଁର ନାମ ଚଉରାଶି । ଏଇ ଚଉରାଶି ଗାଁକୁ ଲାଗି ବରାହୀ ମନ୍ଦିର । ମନ୍ଦିର ଭିତରେ ବରାହୀ ଠାକୁର । ବିଶାଳକାୟ ମୂର୍ତ୍ତି । ନାଭିମଣ୍ଡଳଟା ଏକ ବିରାଟ ଗର୍ତ୍ତ ହୋଇଯାଇଛି । ଏଇ ଗର୍ତ୍ତରେ ଏକ ସ୍ୱର୍ଣ୍ଣନିର୍ମିତ ନାଭି ଖଞ୍ଜା ଯାଇଥିଲା । କଳାପାହାଡ଼ ଏହାକୁ ଖୋଳି ନେଇଯାଇଛି । ଦ୍ୱାରରେ ଦୁଇଟା ସ୍ଥୂଳକାୟ କଂସା କବାଟ ଲଗା ଯାଇଥିଲା । କବାଟ ବନ୍ଦହେଲେ ତିନିକ୍ରୋଶ ଦୂରକୁ ଶବ୍ଦ ଶୁଣା ଯାଉଥିଲା । କଳାପାହାଡ଼ ସେ କଂସା କବାଟକୁ ମଧ୍ୟ ହରଣକରି ନେଇଛି । ଏବେ ମନ୍ଦିରର ଦ୍ୱାର ଫୁଙ୍ଗୁଳା ।

 

ପୂର୍ବେ ବରାହୀଠାକୁର କୁଆଡ଼େ ନିତି ଖରାବେଳେ ମାଇପି ବେଶ ହୋଇ ଗହୀର ବିଲରେ ଗୋବର ଗୋଟାଉଥିଲେ । ଟୋକେଇ ପୂରିଗଲେ ନିକଟସ୍ଥ କୌଣସି ସ୍ତ୍ରୀ ଲୋକକୁ ମୁଣ୍ଡକୁ ଟେକି ଦେବାକୁ ଡାକୁଥିଲେ । ଯେ ମୁଣ୍ଡକୁ ଟେକି ଦେଉଥିଲା, ତା’ର ଭାଗ୍ୟ ବଦଳି ଯାଉଥିଲା । ସେ ଅହ୍ୟ ସୁଲକ୍ଷଣୀ ହେଉଥିଲା ।

 

ଏଇ ମନ୍ଦିରର କାରୁକାର୍ଯ୍ୟ ଅତ୍ୟନ୍ତ ଚମତ୍କାର । ମନ୍ଦିରର ମୁଖଶାଳା ସଂପୂର୍ଣ୍ଣ ଭଗ୍ନ । ପ୍ରଧାନ ମନ୍ଦିରର ଦଧିନଉତି ମଧ୍ୟ ଖସି ଯାଇଛି । ଭିତରପଟେ ଏକ ବିରାଟ ପ୍ରସ୍ତରଖଣ୍ଡ ପତନୋନ୍ମୁଖୀ । ଅନେକ ଦିନରୁ ସେହିପରି ରହିଥିଲେ ବି ତା’ର ପତନ ହୋଇନାହିଁ । ବାହାର ପଟେ ଗଣେଶଙ୍କଠାରୁ ଆରମ୍ଭ କରି ବ୍ରହ୍ମାଙ୍କ ପର୍ଯ୍ୟନ୍ତ ଅନେକ ଛୋଟ ଛୋଟ ମୂର୍ତ୍ତି ଖୋଦିତ । ଅନେକ ସାପ, ଜୀବଜନ୍ତୁ, ମଣିଷ, ଗଛଲତା ନିହାଣ ମୁନରେ ଖୋଦିତ ହୋଇଛନ୍ତି । ମଣିଷ ମୂର୍ତ୍ତିମାନେ ଏବେ ବି ଜୀବନ୍ତ ଦେଖାଯାଉଛନ୍ତି । ଦେବା ଦେବୀ ମୂର୍ତ୍ତିଗୁଡ଼ିକର ମୁକୁଟ ଗୁଡ଼ିକରେ କୁଟକମ କରାଯାଇ ତାକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରାଯାଇଛି । କେତେକ ବାଦ୍ୟଯନ୍ତ୍ର ଧରି କେତେ ମୂର୍ତ୍ତିବାଦନ ରତ । କେଉଁ ସ୍ଥାନରେ ବାଳିକାଟିଏ ନୃତ୍ୟରତା । ଶିଞ୍ଜିନିର ଛନ୍ଦେ ଛନ୍ଦେ ଫୁଟି ଉଠିଛି ଶତଦଳ । ମନ୍ଦିରର ଚତୁପାର୍ଶ୍ୱରେ ଖୋଦିତ ମୂର୍ତ୍ତିଗୁଡ଼ିକ ସେକାଳର ଚାଲିଚଳନ ସମ୍ପର୍କରେ ସ୍ପଷ୍ଟ ଧାରଣା ଦିଅନ୍ତି । ଏବେ ଅବଶ୍ୟ ସେ ମନ୍ଦିର ଜୀର୍ଣ୍ଣଶୀର୍ଣ୍ଣ ପରିତ୍ୟକ୍ତ । ହେଲେ ଏହାର ନିର୍ମାଣ ପ୍ରଣାଳୀ ଠିକ୍‌ କୋଣାର୍କର ଅନୁରୂପ । କୋଣାର୍କ ସ୍ଥାପତ୍ୟକୁ ଅନୁକରଣ କରି ଏହା ନିର୍ମିତ ହୋଇଛି-। ଏଠାରେ ଅନେକ ମୂର୍ତ୍ତି ତଥା ଗଛଲତା ରହିଛି, ଯାହାକି ସେଇ ରୂପରେ କୋଣାର୍କ ଗାତ୍ରରେ ଖୋଦିତ । ସୁତରାଂ ନିଠେଇ କରି ଦେଖିଲେ ଏହା କୋଣାର୍କର ସମସାମୟିକ ପରି ମନେହୁଏ । ଏହାର କ୍ଷୁଦ୍ର କଳେବରରେ କୋଣାର୍କର ଅକଳନୀୟ ସୌନ୍ଦର୍ଯ୍ୟର କାଣିଚାଏ ଧରିରଖି ଯୁଗଯୁଗ ଧରି ଠିଆ ହୋଇ ରହିଛି । ବାସ୍ତବରେ ବରାହୀ ମନ୍ଦିର କୋଣାର୍କର କନିଷ୍ଠା ଭଗିନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏବେ ଜାଦୁ ପରି ତା’ ଦେହରେ ଶିଉଳି ମାଡ଼ି ଯାଇଛି; ଗଛ ଲତା ଉଠି ମନ୍ଦିର ଚାରିପଟେ ଗୁଡ଼େଇ ହେବାର ଲାଗିଛନ୍ତି । ଯେପରି ଲାଜବନ୍ତୀ ବରାହୀ ନିଜର ତନୁଶ୍ରୀକୁ ଲୋକ ଲୋଚନର ଅଗୋଚରରେ ରଖିବା ପାଇଁ ସଦା ପ୍ରୟାସୀ ।

କିମ୍ୱଦନ୍ତୀ କହେ କୋଣାର୍କର କାରିଗରମାନେ ବରାହୀ ମନ୍ଦିରକୁ ତିଆରି କରିଥିଲେ । ପ୍ରବଳ ପ୍ରତାପୀ ଲାଙ୍ଗୁଳା ନରସିଂହ ଦେବ ବାରଶ’ ବଢ଼େଇ ଲଗେଇ କୋଣାର୍କ ମନ୍ଦିର ନିର୍ମାଣ କରୁଥାଆନ୍ତି । ବଢ଼େଇକୁଳ ଦିନରାତି କାର୍ଯ୍ୟବ୍ୟସ୍ତ । ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ନିହାଣ ଚଳେଇ ଜଡ଼ ପଥର ଖଣ୍ଡ ଦେହରେ ଫୁଟାନ୍ତି ଜୀବନ । ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେ ସେମାନେ ଗାଧୋଇ ବାହାରନ୍ତି । କୋଣାର୍କଠାରୁ ଉତ୍ତରକୁ (ସାମାନ୍ୟ ଉତ୍ତରପଶ୍ଚିମରେ) ପ୍ରାୟ ଦଶମାଇଲ ପରେ ଏଇ ଚଉରାଶି ଗାଁ । ଗହୀରେ ଗହୀରେ ଚାଲିଚାଲି ଆସି ସେମାନେ ପହଞ୍ଚନ୍ତି ଏଇ ଚଉରାଶି ନିକଟରେ-। ପ୍ରାଚୀ ନଦୀର ସୁଶୀତଳ ଜଳରେ ସ୍ନାନ କରି ଘଞ୍ଚ ବୃକ୍ଷରାଜି ଛାୟାରେ ରୋଷେଇ ବସାନ୍ତି, ଖାଇପିଇସାରି ପୁଣି ଚାଲନ୍ତି କୋଣାର୍କ ଅଭିମୁଖେ । ସନ୍ଧ୍ୟାରେ ଫେରିଆସି ଏଇଠି ରାତ୍ରି ଯାପନ କରନ୍ତି । କ୍ରମେ ଏଇ ସ୍ଥାନ ପ୍ରତି ସେମାନଙ୍କର ମମତା ଜନ୍ମିଲା । ଏ ସ୍ଥାନରେ ଏକ କ୍ଷୁଦ୍ର କୋଣାର୍କ ଠିଆ କରେଇବା ପାଇଁ ସେମାନେ ମନ ବଳେଇଲେ । ପ୍ରସ୍ତାବ ଅନୁସାରେ କାର୍ଯ୍ୟାରମ୍ଭ ହେଲା । ଆସିବାବେଳେ ପ୍ରତ୍ୟେକ ନିଜ ନିଜର ମୁଣ୍ଡରେ ବହନ କରି ଏକ ଏକ ପ୍ରସ୍ତର ଖଣ୍ଡ ଆଣିବାକୁ ଲାଗିଲେ । ବିଶ୍ରାମ ସମୟରେ ସେମାନେ ପ୍ରସ୍ତର ଦେହରେ ପ୍ରାଣ ଲେଖିବାକୁ ଆରମ୍ଭ କଲେ । ଯେଉଁ କାରିଗର ଯେଉଁଦିନ କୋଣାର୍କରେ ଯେଉଁ ମୂର୍ତ୍ତି ଗଢ଼ିଥିବ, ସେଦିନ ସେ ଏଠାରେ ଅନୁରୂପ ଏକ କ୍ଷୁଦ୍ରମୂର୍ତ୍ତି ଗଢ଼ିଦେଇ ଯିବ । କୋଣାର୍କର ମୁଣ୍ଡି ମରିବାର ଅନେକ ଆଗରୁ ଅବଶ୍ୟ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା; କିନ୍ତୁ ରହିଗଲା କୋଣାର୍କର ସ୍ୱାକ୍ଷର । କୋଣାର୍କର ଛାପ ନେଇ ଠିଆ ହେଲା ବରାହୀ ମନ୍ଦିର । ସୁତରାଂ ସେ ହେଲା କୋଣାର୍କର କ୍ଷୁଦ୍ର ସଂସ୍କରଣ, କନିଷ୍ଠା ଭଗିନୀ-। ଏବେ ତା’ର କାରୁକାର୍ଯ୍ୟ ଦେଖିଲେ କିମ୍ୱଦନ୍ତୀଟି ସତ୍ୟ ବୋଲି ମନେ ହୋଇଥାଏ ।

ବରାହୀ ମନ୍ଦିରର ଅନତି ଦୂରରେ ଖାନାବାଡ଼ି । ଅଦ୍ୟାବଧି ଏଠାରେ ଉଚ୍ଚା ଉଚ୍ଚା ସ୍ତୂପାକୃତି ଗୋଡ଼ି ଓ ପଥରମିଶା ମାଟି ଦେଖାଯାଏ । ଏଇଠି ଥିଲା ସେକାଳର ରଜାଙ୍କ ଉଆସ । ଏବେ ତାହା ଭାଙ୍ଗିରୁଜି ଯାଇଛି । ସେ ଯାଗାଟା ଚାଷ ଜମିରେ ପରିଣତ ହୋଇଛି । ହେଲେ ତା’ ମାଟିତଳେ ପୂରି ରହିଛି ଅଶେଷ ସୁନାରୂପା, ହୀରା ଓ ଅନ୍ୟାନ୍ୟ ଅନେକ ମୂଲ୍ୟବାନ ବସ୍ତୁ । ଏଇ ପୋତାଧନ ଏବେବି ବେଳେବେଳେ ମାଟିତଳୁ ବାହାରୁଅଛି । ଅନେକ ସମୟରେ ହଳ କରୁ କରୁ କିମ୍ୱା ଅନ୍ୟ କିଛି କରୁ କରୁ ଗରା କିମ୍ୱା ଅନ୍ୟ କିଛି ପାତ୍ର ଲଙ୍ଗଳ ଲୁହାରେ ବାଜେ । ସେ ସ୍ଥାନକୁ ଖୋଳି କେତେ ଲୋକ ଅନେକ ଧନ ରତ୍ନପାଇ ରାତାରାତି ଧନୀ ହୋଇ ଯାଇଛନ୍ତି । ଆଜି ବି ଖାନାବାଡ଼ିର ମାଟିତଳୁ ବେଳେବେଳେ ସୁନାରୂପା ମଳିବାର ଦେଖାଯାଏ ।

ଖାନାବାଡ଼ିକୁ ଲାଗି ବୋଇତ ଡିହ । ସେ କାଳର ସାଧବ ପୁଅ ବୋଇତ ନେଇ ଏଇଠାକୁ ଜାଭା, ସୁମାତ୍ରା ଓ ବାଲିଦ୍ୱୀପକୁ ବାଣିଜ୍ୟ ପାଇଁ ଗମନ କରୁଥିଲା । କାର୍ତ୍ତିକ ପୂର୍ଣ୍ଣମୀରେ ସାଧବ ବୋହୂମାନେ ସ୍ୱାମୀମାନଙ୍କୁ ଏଇଠି ବିଦାୟ ଜଣାଉଥିଲେ । ପ୍ରାଚୀ ନଦୀରେ ବୋଇତ ମେଲିଦେଇ ପାନ, ଧାନ, ଗୁଆ ତଥା ଅନ୍ୟାନ୍ୟ ବାଣିଜ୍ୟିକ ଦ୍ରବ୍ୟମାନ ଧରି ସେମାନେ ଯାଉଥିଲେ ଅନେକ ଦୂରକୁ । ସେ କାଳର ପ୍ରାଚୀନଦୀ ଆଜି ପରି ଶୁଷ୍କ ପ୍ରାୟ ନ ଥିଲା । ଦୁକୂଳ ଉଛୁଳା ପ୍ରାଚୀ ବର୍ଷସାରା ଥିଲା ସୁନାବ୍ୟା । କଥାଅଛି ପ୍ରାଚୀ ନଦୀ ଗଙ୍ଗାଠାରୁ ଶହେବର୍ଷ ବଡ଼ । ସେଥିପାଇଁ ଏବେ ସୁଦ୍ଧା ଏଇ ପ୍ରାଚୀ ତଟ ଗୋତୀର୍ଥରେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ହଜାର ହଜାର ଲୋକ ବୁଡ଼ ପକେଇ ନିଜକୁ ପବିତ୍ର କରନ୍ତି । ଏହି ପ୍ରାଚୀ ସେଦିନ ତା’ବକ୍ଷରେ ବୋଇତକୁ ଧରି ଭସାଇ ନେଉଥିଲା ଦୂର ଦିଗ୍‌ବଳୟ ଆଡ଼େ । କାର୍ତ୍ତିକଠାରୁ ଜ୍ୟେଷ୍ଠମାସ ପର୍ଯ୍ୟନ୍ତ ସାଧବ ବୋହୂ ବିରହ ବେଦନାଗ୍ରସ୍ତ ହୋଇ ଉଆସ ଭିତରେ ପଡ଼ି ରହେ, ଇଷ୍ଟ ଦେବତାଙ୍କୁ ଅର୍ଚ୍ଚନା କରି ସ୍ୱାମୀର ମଙ୍ଗଳ କାମନା ପରେ । ରଜପର୍ବ ବେଳକୁ ପୁଣି ହର୍ଷମୁଖର ହୋଇଉଠେ ଏଇ ବୋଇତି ଡିହ । ଲକ୍ଷ ଲକ୍ଷ ସ୍ୱର୍ଣ୍ଣମୁଦ୍ରା ଓ ମଣିମାଣିକ୍ୟ ଧରି ବୋଇତ ଆସି ଲାଗେ ଏଇ ବୋଇତି ଡିହରେ । ସାଧବ ବୋହୂ ମଙ୍ଗ କୋଣର ମଙ୍ଗଳାଙ୍କୁ ବନ୍ଦାପନା କରି ସ୍ୱାମୀ ହାତ ଧରି ଘରକୁ ଫେରେ ଅଫୁରନ୍ତ ଆନନ୍ଦରେ । ମାଝି ମାଳଦାମାନେ ବୋଇତ ଖାଲିକରି ଜିନିଷପତ୍ର ଭଣ୍ଡାର ଘରକୁ ବୁହାଇ ଆଣନ୍ତି । ଆଷାଢ଼ଠାରୁ କାର୍ତ୍ତିକ ପର୍ଯ୍ୟନ୍ତ ସାଧବ ବୋହୂ ସ୍ୱାମୀସଙ୍ଗ ଲାଭ କରେ । ସେଇଥିପାଇଁ ସେ ଗାଇ ଉଠେ ଆ କା ମା ଭୈ । ଅର୍ଥାତ୍‌ ଆଷାଢ଼ଠାରୁ କାର୍ତ୍ତିକ ପର୍ଯ୍ୟନ୍ତ ଭୟ କର ନାହିଁ । ଆଜିର ସାଧବ ପୁଅ ପଙ୍ଗୁ, ଅଥର୍ବ । କାର୍ତ୍ତିକ ପୁନେଇ ଦିନ ସାଧବ ବୋହୂ କଦଳୀ ପଟୁକା–ବୋଇତ ଭସେଇ ମନସାଧ ମେଣ୍ଟାଉଛି । ରଜ ପର୍ବରେ ଗୁଆ ଖୋଳପା ପାଦରେ ମାଡ଼ି ମନର ଓରମାନ ମେଣ୍ଟାଉଛି ।

ବୋଇତି ଡିହ ପାଖରେ ବାଇଶିପାଚିଆ । ଏ ଜାଗାର ମୌଳିକ ନାମ ହୁଏତ ବାଇଶି ପାହାଚ । ଅପଭ୍ରଷ୍ଟ ହୋଇ ତାହା ବାଇଶି ପାଚିଆରେ ପରିଣତ ହେଇଛି । ଏଇ ବାଇଶି ପାହାଚକୁ ଅତିକ୍ରମ କରି ଖାନାବାଡ଼ିର ରାଜଉଆସରେ ପ୍ରବେଶ କରିବାକୁ ହେଉଥିଲା । ଏଇଠି ଠିଆ ହୋଇ ରମେଶ ରମାକାନ୍ତକୁ ଚରୁଥିବା ମଇଁଷି ପଲଙ୍କୁ ଦେଖାଉଥିଲା । ଏଇ ସବୁଜ ପ୍ରାନ୍ତରରେ ଗାଈ ମଇଁଷି ଅନେକ ଚରୁଥିଲେ । ମଇଁଷିମାନେ କିଆ ବୁଦାରୁ କିଆକନ୍ଦା ଟାଣି ଖାଇବାରେ ବ୍ୟସ୍ତ । କିଆକନ୍ଦା ଟାଣିବା ବେଳେ ସେମାନଙ୍କ ବେକର ବାଉଁଶ ନିର୍ମିତ ଟିପା ପରସ୍ପର ଦେହରେ ବାଜି ଅପୂର୍ବ ଶବ୍ଦ କରୁଥିଲେ । ବଇଁଶିଆ ଗଉଡ଼ ଅଦୂରରେ ପଣସ ଗଛ ଉପରେ ବସି ବଇଁଶି ଫୁଙ୍କୁଥିଲା-। ବାଇଶି ପାହାଚର ହର୍ମ୍ୟ ଆଜି ଗୋରୁ ଗାଈଙ୍କର ଚରାଭୂମି । ରମାକାନ୍ତ ଏ ଜାଗାମାନଙ୍କୁ ଦେଖି ଦେଖି ଓ ସେମାନଙ୍କର ଇତିକଥା ଶୁଣି ଶୁଣି ତନ୍ମୟ ହୋଇ ଯାଉଥିଲା । ଏ ଜାଗା ପ୍ରତି ଭକ୍ତି ଓ ଶ୍ରଦ୍ଧାରେ ତା’ର ଅନ୍ତରପୂର୍ଣ୍ଣ ହୋଇ ଯାଉଥିଲା । ମାଟି ମୁଠାଏ ତୋଳି ଆଣି ମୁଣ୍ଡରେ ଲଗାଇବାକୁ ତା’ର ଇଚ୍ଛା ହେଉଥିଲା ।

ଦୁଇବନ୍ଧୁ ବୁଲି ବୁଲି ଏଥର ଘରକୁ ଫେରିଲେ । ବୋଉ ରନ୍ଧାବଢ଼ା କରିସାରି ଅପେକ୍ଷା କରିଥିଲେ । ହାତ ଗୋଡ଼ ଧୋଇ ସେମାନେ ଆସନ ଉପରେ ବସିଲେ । ସରୁ ବାଲାମି ଚାଉଳର ଭାତରେ ମେଞ୍ଚେ ଲେଖେଁ ଗୁଆଘିଅ । ଡାଲି ତରକାରି ବେଶ୍‌ ରୁଚିକର ହୋଇଛି । ଖାଉ ଖାଉ ରମାକାନ୍ତ କହିଲା, ‘‘ଭାରି ଭଲ ଲାଗୁଛି ମାଉସୀ । ସବୁବେଳେ ତମ ଘରେ ରହି ତମ ହାତ ରନ୍ଧା ଖାଇବାକୁ ମନ ହେଉଛି ।’’

‘‘ନାଇଁମ ପୁଅ, ଯାହା ହେଇଛି ସବୁ ରାନ୍ଧିଛି ରତି । ରାନ୍ଧିବାଢ଼ି ଦେଇ ସେ ଘରକୁ ଗଲା-। ବାଢ଼ିବୁଡ଼ି ଖାଇବାକୁ ଦେବାଟା ମୋ’ ଉପରେ ପକେଇ ଦେଇ ଯାଇଛି ଯାହା ।’’ ହାରାମଣି ବିଞ୍ଚି ଦେଉ ଦେଉ ଉତ୍ତର ଦେଲେ । ରମେଶ ଆଶ୍ଚର୍ଯ୍ୟ ହେଲା । ରତି ରାନ୍ଧି ଦେଇ ଯାଇଛି । ଅଥଚ ଖାଇବାବେଳେ ସେ ନିଜେ ରହିନି । ଏମିତି ତ ପୂର୍ବରୁ ସେ କେବେ କରିନି । ଏବେ ତା’ର କ’ଣ ହେଇଛି ? କାହିଁକି ସେ ଏମିତି ଦୂରେଇ ଦୂରେଇ ରହୁଛି ?

ଦୁଇ ବନ୍ଧୁ ଖାଇସାରି ବିଛଣାକୁ ଗଲେ । ରମାକାନ୍ତକୁ ଶୀଘ୍ର ନିଦ ହୋଇଗଲା । ହେଲେ ରମେଶ ଭାବୁଥିଲା ରତିର ଏବେକାର ହାବଭାବ କଥା । ଚିନ୍ତା କରୁଥିଲା ଆଜି ସେ ପଚାରିବ ରତିକି–କ’ଣ ତା’ର ହୋଇଛି; କାହିଁକି ସେ ପୂର୍ବପରି ହସୁନି, ଖେଳୁନି ବା ପାଖକୁ ଆସୁନି । ଏମିତି କେତେ କଥା ଭାବି ଭାବି ତାକୁ ନିଦ ହୋଇଯାଇଛି । ପ୍ରଥମେ ନିଦ ଭାଙ୍ଗିଛି ରମାକାନ୍ତର । ଛାଇ ଲେଉଟା ବେଳ । ହାରାମଣି ପାନରେ ଚୂନ ଲଗେଇ ଗୁଆ ଭାଙ୍ଗୁଥିଲେ । ରମାକାନ୍ତ ମୁହଁ ଧୋଇ ଆସି ତାଙ୍କ ପାଖରେ ବସିଲା । ପାଖ ହେନା ଗଛରୁ ଛୁଟି ଆସୁଥିଲା ମହକ । ଦରଫୁଟା ଗୋଲାପ କଢ଼ିଟା ଚାହିଁଥିଲା ସୂର୍ଯ୍ୟଙ୍କ ଆଡ଼େ । ଫୁଲଗଛଗୁଡ଼ାକ ଆଡ଼େ ଚାହିଁ ସେ ପଚାରିଲା, ‘‘ଆଛା ମାଉସୀ, ରମେଶ ତ ସବୁବେଳେ ପୁରୀରେ ରହିଲା । ଏ ସବୁ ଫୁଲଗଛ କ’ଣ ତମେ ଲଗେଇଛ-?’’

‘‘ନାଇଁମ ପୁଅ, ଏସବୁ ସେଇ ରତିର କାମ । ଯେତେ ଯୁଆଡ଼େ ଫୁଲଗଛ ଥିବ ସବୁ ଆଣି ଏଇଠି ଲଗେଇବ । ଚାଇଁ ପିଲା ଖଣ୍ଡେ ତ । ଏ ଘରର ସବୁ କାମ ସେଇ କରିବ । ତାକୁ ଯେତେ ମନା କର ଜମା କ’ଣ ଶୁଣିବ ?’’

‘‘ରତି ବୋଧେ ତା’ ବାପ ମାଆ’ଙ୍କର ଏକମାତ୍ର ଝିଅ ?’’ ରମାକାନ୍ତର ପ୍ରଶ୍ନ ।

‘‘ହଁ, ରମୁ ଯେମିତି ମୋ’ର ଗୋଟିଏ ବୋଲି ଆଖି, ସେ ସେମିତି ତା’ ବାପ ମା’ର ଏକୋଇର ବଳା ବିଶିକେଶନ ।’’

 

‘‘ସତରେ ମାଉସୀ, ଭାରି ଭଲ ଝିଅଟିଏ ଏକା । ଯେତିକି ଲାଜକୁଳୀ, ସେତିକି ବୁଦ୍ଧିମତୀ । ସେ ନଥିଲେ ତମକୁ ଅନେକ ଚିନ୍ତା କରିବାକୁ ପଡ଼ୁଥାଆନ୍ତା । ତା’ର ଉପସ୍ଥିତି ତମର ଅଧେ ଚିନ୍ତା ଦୂରକରିଛି ।’’

 

‘‘ତା ନୁହେଁ ଆଉ କ’ଣ ? ଭଗବାନ କଲେ କାଲି ସେ ଏ ଘରକୁ ଆସିବ । ତା’ ଘର କାମ ସେ ଆଜିଠୁଁ ଜାଣ ଆଦରି ନେଇଛି । ରତିବୋଉ ତ ମତେ ଖା’ସେ ଲଗେଇଛି–ଶୁଭକାମ ଆଉ କାହିଁକି ଗଡ଼େଇ ରଖୁଛ । ଭଗବାନଙ୍କର ଯାହା ବରାଦ । ଦିହିଁଙ୍କର ବାହାଯାତ୍ରା ଫିଟିଲେ ତ ଆଉ ଘଡ଼ିଏ କେହି ରଖିପାରିବେ ନାହିଁ, ତେଣିକି ତାଙ୍କ ଘର ତାଙ୍କୁ ସମର୍ପି ଦେଇ ମୁଁ ମୋର ତୀର୍ଥଯାତ୍ରା କରିବି ।’’ ଏକାବେଳକେ ଏତେଗୁଡ଼ାଏ କଥା କହି ସାରି ହାରାମଣି ନିଶ୍ୱାସ ମାରିଲେ । ଏଥର ରମାକାନ୍ତ ରମେଶକୁ ଉଠାଇବାକୁ ଗଲା । ତିନି ଦିନ ଭିତରେ ବନ୍‌ଶୀ ପକେଇବାରେ ତା’ର ଢେର ଆଗ୍ରହ ଜମିଛି । ରମେଶକୁ ଉଠାଇଲେ ଦୁହେଁ ବନ୍‌ଶୀ ପକେଇବାକୁ ଯିବେ ।

 

ହାରାମଣି ପାନଖିଲକ ପାଟିରେ ପୂରେଇ ଭାବି ବସିଲେ ଅନେକ କଥା । ରତି ବୋହୂ ବେଶରେ ଆସି ତାଙ୍କ ପାଖରେ ଉଭା ହେଲା । ରମେଶ ସାଙ୍ଗକୁ ରତି ବେଶ୍‌ ମାନୁଛି । ସେ ବୋହୂ ହେଇ ଆସିଲେ ଏ ଘରକୁ ବେଶ୍‌ ସାଜିବ । ପିଲାଟା ଯେମିତି ଗୁଣର, ସେମିତି କାମର; ଯେମିତି ସୁନ୍ଦରୀ, ସେମିତି ବୁଦ୍ଧିମତୀ । ଏ ଘର ସହିତ ସେ ପିଲାଟି ଦିନରୁ ପରିଚିତ । ସେ ନିଜେ ତାକୁ କୋଳେଇ କାଖେଇ ମଣିଷ କରିଛନ୍ତି । ଆଉ କିଏ ଆସିଲେ ହୁଏତ ରତି ପରି ଏତେଟା ବାଧ୍ୟ ହୋଇ ନ ପାରେ । ରମେଶର ବା ତାଙ୍କର ସେତେଟା ମନ ନେଇ ନ ପାରେ । ରମେଶ ରତିକୁ ପିଲାଟି ଦିନରୁ ଦେଖୁଛି । ଏକାସାଥେ ଧୂଳିଖେଳ, କଳିଗୋଳ, ହସଖେଳ ସବୁକିଛି । ତେଣୁ ସେ ଯେ ରତି ବ୍ୟତୀତ ଆଉ କାହାକୁ ଅଧିକ ପସନ୍ଦ କରିବ, ଏକଥା ଆଦୌ ନୁହେଁ । ରତି ବୋହୂ ହୋଇ ଆସିଲେ ଏ ଘର ପୂରି ଉଠିବ । ତାପରେ ତାଙ୍କର ଛୁଟି । ଘରସଂସାର ପୁଅ ବୋହୂଙ୍କ ହାତରେ ସମର୍ପି ଦେଇ ସେ ଚାଲିବେ କାଶୀ, ବୃନ୍ଦାବନ, ମଥୁରା ଦର୍ଶନରେ । ଶେଷରେ ଶ୍ରୀ କ୍ଷେତ୍ରରେ ଶେଷ ଜୀବନ କଟାଇବେ । ତାପରେ ଏ ସଂସାରର ମାୟାତେଜି ପରଲୋକ ଗମନ କରିବେ । ରତିକି ସତରେ ସେ କେତେ ଭଲ ପାଆନ୍ତି । ସେ ଯେମିତି ତାଙ୍କ ଜୀବନର ଜୀବନ । ଏଥର ତାଙ୍କ ପାଟିରୁ ସ୍ୱତଃ ବାହାରି ଆସିଲା, ‘‘ହଁ ମ, ଆଉ ପାରି ପାରି ବର୍ଷ ଗୋଟାଏ ଦିଟା ।’’ ନିଜ ସ୍ୱରର ଶବ୍ଦରେ ସେ ପ୍ରକୃତିସ୍ଥ ହେଲେ । ତାପରେ ସେ ଚାଲିଲେ ରୋଷେଇ ଘର ଆଡ଼େ । କ୍ଷିରଟା ଠିକ୍‌ ସିଝିଲା କି ନାହିଁ ଦେଖିବେ । ଚୂଲି ରଡ଼ ଥିଲେ ରମେଶ ଓ ରମାକାନ୍ତ ପାଇଁ କ୍ଷୀର ଛେନା ଛିଣ୍ଡେଇବେ ।

 

ବେଳ ରତରତ ହେଉଛି, ଆସିଲା ରତି । ହାରାମଣୀ ଓ ରମାକାନ୍ତ ବାଡ଼ିରେ ବାଇଗଣ ତୋଳୁଥିଲେ । ରମେଶ ଦୁଆରେ ଠିଆହୋଇ ଖବର କାଗଜ ମେଲାଉଥିଲା । ରତିକି ଦେଖି ସେ ଡାକିଲା, ‘‘ହେ ରତି, ଶୁଣ୍‌ ।’’ ରତି ଠିଆହେଲା ଓ ତା’ ହାତକୁ ଧରି ରମେଶ ପାଖକୁ ଟାଣି ଆଣିଲା-

 

‘‘କିଲୋ ରତି, ଆଜିକାଲି କ’ଣ ଡାକିଲେ ଶୁଣୁନୁ । ଏଣେ ଡାକିଲେ ତେଣେ ବୁଲି ପଳାଉଛୁ । କ’ଣ ହେଉଛି ତୋ’ର ?’’ ରମେଶର ଅଭିଯୋଗାତ୍ମକ ପ୍ରଶ୍ନାବଳୀ ।

 

ରତି ନୀରବ ।

 

‘‘ବାଃ ! ଦେଖୁଛିତ ତୁ ଅନେକ ବଦଳି ଗଲୁଣି ।’’ ତା’ର ଏ ବାକ୍ୟଟିରେ ରତି ଆହୁରି ଲାଜରା ହୋଇ ମୁହଁ ତଳକୁ ପୋତିଲା ।

 

‘‘କୁଆଡ଼େ ଯାଉଛୁ ?’’–ରମେଶର ପ୍ରଶ୍ନ ।

 

ରତି ତଥାପି ନୀରବ ।

 

‘‘ତା ହେଲେ କହିବୁନି ତୁ କୁଆଡ଼େ ଯାଉଛୁ ।’’ –ରମେଶର ସ୍ୱର କ୍ରମଶଃ କର୍କଶ ହେଉଛି-

 

‘‘ଦେଠେଇଙ୍କ ପାଖକୁ’’–ରତିରେ ଏକ ଛୋଟିଆ ଉତ୍ତର ।

 

‘‘ଆଚ୍ଛା ରତି ତୁ ମୋ’ ଉପରେ ରାଗିଛୁ’’–ରମେଶର କଥାରେ ରତି ଏକଦମ ଲାଜରେ ସଢ଼ିଗଲା ଓ ତା’ ହାତରୁ ଖସିଯିବା ପାଇଁ ତାର ପ୍ରଚେଷ୍ଟା ବଢ଼ିବାକୁ ଲାଗିଲା । ପରେ ପରେ ହାତ ଖସେଇ ସେ ଚାଲିଗଲା ଦେଠେଇଙ୍କ ପାଖକୁ ।

 

ରତି ମୁହଁରେ ଆଜି ମେଞ୍ଚାଏ ଲାଜ । ତା’ ରମୁଭାଇ ପାଖରେ ସେ ଆଜି ତୁଣ୍ଡ ଖୋଲି ପାରୁନି । ସୁକୁମାର ତନୁଶ୍ରୀରେ ତା’ର ବୟସର ଛାପ । ତନୁଲତିକାରେ ତା’ର ଯଉବନର କଢ଼ି ପ୍ରସ୍ଫୁଟିତ ହେବାକୁ ଯାଉଛି । ଅନ୍ୟ ଏକ କାରଣରୁ ସେ ଆହୁରି ଲାଜରା ହେଉଛି । ସେ ଯେ ରମୁଭାଇଙ୍କୁ ବାହା ହବ, ଏ କଥା ତା’ ବୋଉ କେତେଥର କଥାବାର୍ତ୍ତା ହେବାର ଏବେ ସେ ଶୁଣିଲାଣି । ତା ଛଡ଼ା ଜେମି ଆଈଟା ମଧ୍ୟ ଗାଁ ଦାଣ୍ଡରେ ତାକୁ ଇଙ୍ଗିତି କରୁଛି । ରମୁଭାଇଙ୍କ ମୁହଁକୁ ଚାହିଁବା ମାତ୍ରେ ତା’ର ସେଇମାନଙ୍କ କଥା ମନେ ପଡ଼ିଯାଉଛି । ତାପରେ ସେ ଆଉ ତା’ ମୁହଁକୁ ଅନାଇ ପାରୁନାହିଁ ।

 

କଲେଜ ଛାତ୍ରୀ ରୀନା । ଦେହରେ ବୟସର ରଙ୍ଗ । ପାତଳ ହେମ ବର୍ଣ୍ଣ ଦେହଟା ନବନୀତ ପରି କୋମଳ । ତନୁ ଲତାର କଡ଼େ କଡ଼େ ଫୁଟନ୍ତା ପୁଷ୍ପର ସୁରଭି । ଗୁଲୁ ଗୁଲୁ ପାପୁଲିରେ ଟୁଲୁ ଟୁଲୁ ରକତ । ପତଳା କଟିଟା ଦୋହଲି ଦୋହଲି ଲତାରେ ସୃଷ୍ଟି କରୁଛି କମ୍ପନ । ପାଟଳ ଗଣ୍ଡ ଦେଶରେ ରକ୍ତିମ ଆଭା । ନୀଳ କୁନ୍ତଳରାଶି ମହୋଦଧିର ବିଚିମାଳାକୁ ଉପହାସ କରୁଛି । ମୃଣାଳ-ବାହୁ ଦିଟା ଗୋଖର ସାପର ରଙ୍ଗନେଇ ଦୋହୁଲ୍ୟମାନ । ଦାମି ଅଙ୍ଗାଭରଣ ତଳେ ନାରୀତ୍ୱର ଶ୍ରେଷ୍ଠ ସମ୍ପତ୍ତି ଚାପି ହୋଇ ରହିବାକୁ ସତେ ଯେପରି ନାରାଜ । ରୂପର ବହ୍ନି ରୀନାକୁ ଟହ ଟହ କରୁଛି । ସେ ଆଜି ଯୁବତୀ । ତା’ର ଅଙ୍ଗାଭରଣ ତଳେ ଯୌବନର ଜୁଆର । ତନୁବେଳା ଭୂମିପରେ ଆଜି ଅସଂଖ୍ୟ ରୂପର ଲହରି ।

 

କଲେଜ କୁଇନ୍‌ ରୀନା । ସେ ଆଜି କଲେଜର ଛାତ୍ର ମହଲରେ କଲେଜ କୁଇନ୍‌ ରୂପେ ପରିଗଣିତା । ତା’ ପାଟିରୁ ପଦେ କଥା ଶୁଣିବାପାଇଁ ଛାତ୍ରମାନଙ୍କ ମଧ୍ୟରେ ଟଣାଓଟରା ଲାଗେ । ତାକୁ କିଛି ଉପହାର ଦେବାକୁ ସେମାନଙ୍କ ମଧ୍ୟରେ ବାଜି ମରାମରି । ତା’ ସାଥିରେ ପଦେ କଥା ହେବାପାଇଁ ଛାତ୍ର ମହଲ ବ୍ୟାକୁଳ । କଲେଜ ଡ୍ରାମାରେ ରୀନା ଯଦି ହିରୋଇନ୍‌ ହୁଏ, ତେବେ ହିରୋ କିଏ ହେବ ବୋଲି ଆଜିଠାରୁ ଚିନ୍ତା । ବିଷ୍ଣୁର ଜିଦ୍‌ ଏଥର ସେ ଯେମିତି ହେଉ ନିଶ୍ଚୟ ହିରୋ ହେବ । ରମେଶକୁ ଏ ବର୍ଷ ସେ କେବେହେଲେ ହିରୋ କରେଇ ଦବନାହିଁ । ସବୁବେଳେ ଯେ ଜଣେ ଛାତ୍ର ହିରୋ ହେବ ଏମିତିତ କିଛି ଲେଖା ନାହିଁ ।

 

କଲେଜର ଖେଳୁଓ୍ୟାଡ଼୍‌ ବିଷ୍ଣୁ । କଲେଜ ଚମ୍ପିଆନ୍‌ । କଲେଜ ଫୁଟବଲ ଟିମ୍‌ର କାପଟେନ୍‌ । ସେଦିନ ଥିଲା ଏକ ବାହାର କଲେଜ ସହିତ ତାଙ୍କ କଲେଜର ଫୁଟ୍‌ବଲ ମ୍ୟାଚ୍‌ । ଖେଳ ଖୁବ୍‌ ଗରମା ଗରମ ହେଲା । କେହି କାହାକୁ ଗୋଲ୍‌ ଦେଇ ପାରିଲେ ନାହିଁ । ଶେଷରେ ଆଉ ଦଶମିନିଟ୍‌ ଅତିରିକ୍ତ ସମୟ ଦିଆଗଲା । ଉଭୟ ପକ୍ଷ ଗୋଲ ଦେବାପାଇଁ ପ୍ରାଣପଣେ ଲାଗିପଡ଼ିଲେ । ଖେଳ ଶେଷ ହେବାକୁ ଆଉ ଦୁଇ ମିନିଟ ବାକି । ଏତିକିବେଳେ କାପ୍‌ଟେନ ବିଷ୍ଣୁ ପାଇଲା ଗୋଟାଏ ସୁଯୋଗ । ଏକା ସଟ୍‌ରେ ବଲ୍‌କୁ ନେଇ ପୂରାଇ ଦେଲା ଗୋଲ ପୋଷ୍ଟର ଭିତରେ । ବାଡ଼ିଆ ଫୋଟକାଗୁଡ଼ାକ ଢୋ ଢା ହୋଇ ଫୁଟି ଉଠିଲା । ଛତାଗୁଡ଼ାକ ଖୋଲାହୋଇ ଆସି ପଡ଼ିଆରେ ନୃତ୍ୟ ଆରମ୍ଭ କଲେ । ବିଷ୍ଣୁକୁ ଅନ୍ୟ ଖେଳାଳୀମାନେ ଟେକିନେଇ ଧନ୍ୟ ଧନ୍ୟ କଲେ । ଏକ ଶୂନ ଗୋଲରେ ବିଜୟୀ ହେଲା ସେଦିନ ତାଙ୍କ କଲେଜ ।

 

ଖେଳ ଶେଷରେ ରୀନା ଦେଖିଲା ବିଷ୍ଣୁକୁ । ‘‘ସତରେ ବିଷ୍ଣୁବାବୁ, ଆପଣ ଆମ କଲେଜର ସମ୍ମାନ ରଖିଲେ । ଆପଣ ନଥିଲେ ଆମ କଲେଜର ଆଜି ନାଁ ବୁଡ଼ିଥାଆନ୍ତା’’–ରୀନାର ଅଭିନନ୍ଦନ । ବିଷ୍ଣୁ କିନ୍ତୁ ଏଇ ତନୁ ପାତଳୀ ଝିଅଟାକୁ ଏକ ଲୟରେ ଚାହିଁ ରହିଥିଲା । ସେ ଭାବୁଥିଲା, ଆପଣ ଆଜି ମୋ ସାଙ୍ଗରେ ସିନେମା ଯାଇପାରିବେ ? ଅବଶ୍ୟ ପାଟି ଖୋଲି ସେତକ ସେ କହି ପାରିନଥିଲା, ଭୋକିଲା ଆଖିଦିଟା ତା’ର ରୀନା ଭିତରକୁ ଯେମିତି ଭେଦି ଭେଦି ଯାଉଥିଲେ । ରୀନା ଆଜି ତାକୁ ଅଭିନନ୍ଦନ ଜଣାଉଛି । ନିଜକୁ ସେ ଧନ୍ୟ ମନେ କଲା । ସିନେମା ହଲରେ ଯାହାର ପଛ ସିଟ୍‌ ବା ସାଇଡ଼୍‌ ସିଟ୍‌ରେ ବସିବା ପାଇଁ ବୁକିଙ୍ଗ୍‌ କ୍ଳର୍କ୍‌କୁ ଅଧିକ ପଇସା ଦେଇ ସେ ସିଟ୍‌ ରିଜର୍ଭ କରିଥାଏ, ଏତ ସେଇ ରୀନା, କେବଳ ବିଷ୍ଣୁ ନୁହେଁ, ବିଷ୍ଣୁପରି ଅନେକ ଛାତ୍ର ଆଜି ରୀନା ରୂପର ପୂଜାରୀ ସାଜିଛନ୍ତି ।

 

ଗତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଥାର୍ଡ଼ ଡିଭିଜନରେ ପାଶ୍‌ କଲା ରୀନା । ଫଳ ବାହାରିଲା ଦିନ କେତେଜଣ ସହପାଠିନୀ କଥାବାର୍ତ୍ତା ହେବାର ଶୁଣା ଯାଇଥିଲା, ‘‘ଓଃ ରୀନାର ନା ! ତା’ର ପରା ଗାନ୍ଧି ଡିଭିଜନଟା’’ ରୀନା ନାଗୁଣୀ ପରି ଫଁ କରି ଉତ୍ତର ଦେଇଥିଲା, ‘‘ମୁଁ ପାଶ କରିଛି, କଲେଜରେ ପଢ଼ିବି । ଗାନ୍ଧି ଡିଭିଜନ ହେଉ ବା ସୁବାସ ଡିଭିଜନ ହେଉ, ତୁମର ସେଥିରେ ଯାଏ ଆସେ କେତେ ?’’ ସେତିକିରେ ସହପାଠିନୀମାନେ ତୁନି ହୋଇ ଯାଇଥିଲେ । ତାପରେ ରୀନା ନାଁ’ ଲେଖେଇଲା ପ୍ରିୟୁନିଭରସିଟ୍‌ କଳା ଶ୍ରେଣୀରେ । ସେଇ ଦିନଠାରୁ ସେ ହେଲା କଲେଜ ଛାତ୍ରୀ ।

 

ସେଦିନ ରମେଶ ଆସିଥିଲା ହୀରା ମହଲକୁ । ସିଧା ଯାଇ ସେ ପହଞ୍ଚିଲା ଉପର ମହଲରେ ରମାକାନ୍ତର ପଢ଼ାଘର । ଦୁଇବନ୍ଧୁ ବସି ଢେର ଗପିଲେ । ରୀନା ଆଣି ଥୋଇଲା ଦି’ କପ୍‌ ଚା । ଉଭୟେ କପ୍‌ରେ ଓଠ ଲଗେଇଲେ ।

 

‘‘ଚା’ଟା କେମିତି ହୋଇଛି ରମେଶ ବାବୁ ! ମୁଁ ଆଜି ନିଜେ କରିଛି’’ ପଚାରିଲା ରୀନା । ଚା’ଟା ଖୁବ୍‌ ମିଠାହେଇ ଯାଇଥିଲା, ତେବେ ରୀନା ମନରେ କଷ୍ଟ ନ ଆଣିବାପାଇଁ ସେ କହିଲା, ‘‘ହଁ ଖୁବ୍‌ ଭଲ ହୋଇଛି’’ ରମାକାନ୍ତ ହସି ହସି କହିଲା, ‘‘କିରେ, ତୁ କ’ଣ ଆଜିକାଲି ଢେର ମିଠା ଖାଇଲୁଣି, ଏତେଟା ମିଠାତ ତୁ କେବେ ଖାଉ ନଥିଲୁ । ରୀନା ହସିହସି ଟିପ୍‍ପଣି କାଟିଲା, ‘‘ବୁଝିଲେ ରମେଶବାବୁ, ଏ କଣ୍ଟ୍ରୋଲ ଯୁଗରେ ଆପଣ ଏତେ ଚିନି ଖାଇଲେ ନିଶ୍ଚୟ ଦେବାଳିଆ ହେଇଯିବେ ।’’ ରମେଶ ଟିକିଏ ଲାଜରା ହେଲା ପରେ ପରେ ରୀନା କପ୍‌ପ୍ଳେଟ ଉଠାଇ ନେଲା ।

 

ରମେଶର ରେକର୍ଡ଼ ଶୁଣିବାରେ ଭାରି ସଉକ । ରମାକାନ୍ତ ସେଦିନ ଗ୍ରାମ୍ଫୋନ୍‌ ବାହାର କରି ବଜେଇଲା ଏକ ନୂଆ ଫିଲ୍ମ ରେକର୍ଡ଼ । ରମେଶ ଏକାଧ୍ୟାନରେ ଗୀତଟି ଶୁଣିବାକୁ ଲାଗିଲା । ରମାକାନ୍ତ କହିଲା ‘‘ବୁଝିଲୁ ରମେଶ ଏଠିକାର ମ୍ୟୁଜିକ ହାଉସରେ ନୂଆ ରେକର୍ଡ଼ ବହୁ ସଂଖ୍ୟାରେ ମିଳୁନି ।’’ ‘‘ଆରେ ସେଇଟା ଗୋଟେ ଦୋକାଦ ନା ଅସରପା ଗୋଟେ ଚଢେଇ’’–କହି କହି ରମେଶ ଦୁଇଟା ପାନାମା ବାହାର କଲା ଓ ଗୋଟିଏ ନିଜେ ଲଗେଇ ଅନ୍ୟଟିକୁ ରମାକାନ୍ତକୁ ଦେଲା, ଦୁହେଁ ଧୁଆଁ କୁଣ୍ଡଳିକରି ଉପରକୁ ଛାଡ଼ିବାକୁ ଲାଗିଲେ । ଗୀତଟିର ବାଦ୍ୟ ସହିତ ତାଳଦେଇ ଧୂଆଁ ଯେମିତି ନାଚି ନାଚି ଉପରକୁ ଉଠୁଥିଲା ।

 

ରମେଶ ପ୍ରଥମରୁ ସିଗାରେଟ୍‌ର ଧାର୍‌ ଧରୁ ନଥିଲା । ଦିନେ ଦୁଇବନ୍ଧୁ ଯାଇଥିଲେ ସିନେମା ଦେଖିବାକୁ । ରାଜେଶଖାନ୍ନାର କୌଣସି ଗୋଟାଏ ପିକ୍‌ଚର ଚାଲୁଥାଏ । ମଧ୍ୟାନ୍ତରରେ ଦୁହେଁ ବାହାରକୁ ଆସିଲେ । ସବୁଦିନପରି ସେଦିନ ମିକ୍‌ଶ୍ଚର ବା ବାରମଜା ନକିଣି ରମାକାନ୍ତ କିଣିଲା ଦୁଇଟା କାଭେଣ୍ଡର୍ସ । ଗୋଟାଏ ନିଜେ ଲଗେଇ ଅନ୍ୟଟି ଦେଲା ରମେଶ ପାଟିରେ । ରମେଶ ଯେତେ ମନା କଲେବି ସେ ନଛୋଡ଼ ବନ୍ଧା । ସିାଗାରେଟ୍‌ ତାକୁ ଟାଣିବାକୁ ପଡ଼ିବ । ‘‘ରାଜେଶଖାନ୍ନା ପିକ୍‌ଚର ଦେଖି ସିଗାରେଟ୍‌ ନ ଟାଣିଲେ ରାଜେଶଖାନ୍ନା ପ୍ରତି ଅବମାନନା କରାଗଲା ବୋଲି ବୁଝିବାକୁ ହେବ’’–ଏଇଟା ଥିଲା ତାର ଯୁକ୍ତି । ଏଥର ଆଉ ରମେଶ ତା’ ଅନୁରୋଧକୁ ଟାଳି ପାରିଲାନି । ସେଇଦିନଠୁ ତା’ର ସିଗାରେଟ୍‌ ଟାଣିବା ଅଭ୍ୟାସ ହୋଇଛି । କ୍ୟାଭେଣ୍ଡରସକୁ ଛାଡ଼ି ଏବେ ସେ ପାନାମାର ହାତ ଧରିଛି । ଗୀତଟା ସରିସରି ଆସୁଥିଲା । ରମାକାନ୍ତ ଆରମ୍ଭ କଲା, ‘‘ପ୍ରକୃତରେ ରମେଶ, ‘‘ହାତୀ ମେରା ସାଥୀ’’ରେ ଏଇ ଗୀତଟା ଶୁଣିଦେଲେ ପଉସା ଶୁଜ୍‌ । ମିଛରେ ସେ ଫିଲ୍‌ମିରେ ଏ ଗୀତଟାକୁ ଦି’ଥର ଦେଇଛି ?’’

 

‘‘ଆରେ ଦି’ଥର ନୁହେଁ ମ, ଏଇଟା ସେ ଫିଲ୍‌ମରେ ତିନିଥର ବୋଲାଯାଇଛି–’’ରମେଶର ଉତ୍ତର ।

 

‘‘ତିନିଥର ? କେବେ ନୁହେଁ । ଦି’ଥର ବୋଲାଯାଇଛି ।’’ ରମାକାନ୍ତ ଜୋରରେ କହିଲା-

 

‘‘ମୁଁ କହୁଛି ତିନିଥର’’–ରମେଶ ଟେବୁଲ ବାଡ଼େଇଲା ।

 

‘‘ମୁଁ କହୁଛି ଦି’ଥର’’–ରମାକାନ୍ତ ବି ଟେବୁଲ ବାଡ଼େଇଲା । କିଛି ସମୟ ଭୟଙ୍କର ଯୁକ୍ତି ଓ ଟେବୁଲବାଡ଼ିଆ ଚାଲିଲା । ପରିଶେଷରେ ‘ହାତୀ ମେରା ସାଥୀ’ ଆଉ ଥରେ ଦେଖିବା ପାଇଁ ଠିକ୍‌ କରି ଦୁଇ ବନ୍ଧୁ ଉଠିଲେ ।

ଅମରେଶ୍ୱର ହାଇସ୍କୁଲର ଦଶମ ଶ୍ରେଣୀ । ଡେସ୍କ, ବେଞ୍ଚ ଧାଡ଼ି ଧାଡ଼ି ହେଇ ସଜାଯାଇଛି । ପିଲାମାନେ ଶୃଙ୍ଖଳିତ ଭାବରେ ଆସୀନ । କାନ୍ଥରେ ବିରାଟ କଳାପଟା । ସାମ୍ନାରେ ଶିକ୍ଷକଙ୍କ ପାଇଁ ଚଉକି ଓ ଟେବୁଲ ରଖାଯାଇଛି । ଟେବୁଲ କଡ଼ରେ ଠିଆହୋଇ ପିଲାଙ୍କୁ ପଢ଼ାଉଛନ୍ତି ଗୌରମୋହନ ପାଳ । ଇଂରେଜୀ ପିରିୟଡ଼ । ବିଷୟଟି ହେଲା ‘‘କୁକିଙ୍ଗ୍‌ ଦି ଏଗ୍‌’’ ।

‘‘ଆଚ୍ଛା ପିଲାଏ, ତୁମ ଭିତରୁ କାହାକୁ ରାନ୍ଧିଆସେ କହିଲ ?’’ ଗୌରମୋହନର ପ୍ରଶ୍ନ ।

‘‘ମତେ ଭଲ ରାନ୍ଧି ଆସେ ସାର୍‌ । ମୁଁ ଥରେ ରାନ୍ଧି ଦେବି; ଆପଣ ଖାଇବେ ସାର୍‌’’ ? ଆଗ ଧାଡ଼ିରୁ ଉଠି ରତି ତତ୍‌କ୍ଷଣାତ୍‌ ଉତ୍ତର ଦେଲା ।

ଆଚ୍ଛା ଠିକ୍‌ ଅଛି । ଆମର ଭୋଜି ହେଲାଦିନ ତମେ ରାନ୍ଧିବ । ଦେଖିବା ତୁମକୁ କେମିତି ରାନ୍ଧି ଆସେ । ଏବେ ବସ । ରତିକୁ ବସେଇ ସେ ବିଷୟ ଗଡ଼େଇ ଚାଲିଲା ।

ଗୌରମୋହନ ଆଜି ନୂଆଗାଁର ଏଇ ଅମରେଶ୍ୱର ହାଇସ୍କୁଲରେ ଶିକ୍ଷକ । ସ୍କୁଲଟା ପ୍ରଥମରୁ ମାଇନର ସ୍କୁଲ ଥିଲା, ଏବେ ଏହା ହାଇସ୍କୁଲରେ ପରିଣତ ହେଉଛି । ଏବର୍ଷ ଦଶମ ଶ୍ରେଣୀ ଖୋଲିଲା, ଆସନ୍ତା ବର୍ଷକୁ ପ୍ରଥମ ବ୍ୟାଚ ପିଲା ମାଟ୍ରିକ୍‌ ପରୀକ୍ଷା ଦେବେ ଓ ସ୍କୁଲଟି ପୂର୍ଣ୍ଣାଙ୍ଗ ପ୍ରାପ୍ତ ହାଇସ୍କୁଲରେ ପରିଣତ ହେବ । ଏବେ ପିଲାସଂଖ୍ୟା ପ୍ରାୟ ଦୁଇଶହ । ସାତଜଣ ଶିକ୍ଷକଙ୍କ ମଧ୍ୟରୁ ଗୌରମୋହନ ଜଣେ । ପ୍ରଥମ ବାର୍ଷିକ ଉପାଧି କଳା ପାଶକଲା ପରେ ସେ ଆଉ ମଠରେ ରହି ପାରିନଥିଲା । ମଠଗୁଡ଼ିକ ଏଣ୍ଡାଓମେଣ୍ଟ ହୋଇ ଯିବାରୁ ନଟରାଜଙ୍କ ସଂପତ୍ତି ଉପରେ ମହନ୍ତଙ୍କର ଆଉ କୌଣସି ଅଧିକାର ରହିଲା ନାହିଁ । ତେଣୁ ବାଧ୍ୟହୋଇ ତାକୁ ମଠ ଛାଡ଼ିବାକୁ ପଡ଼ିଲା । ପଢ଼ା ଛାଡ଼ିବା ପରେ ଏଇ ଗାଁ ପାଖ ହାଇସ୍କୁଲରେ ଖଣ୍ଡିଏ ଚାକିରୀ ଯୋଗାଡ଼ କରି ପାରିଛି । ଶିକ୍ଷକତା କରି ଘରୋଇ ଭାବରେ ବି.ଏ. ଖଣ୍ଡିକ ପାଶ୍‌ କରିବାକୁ ତା’ର ଇଚ୍ଛା । ଦଶମ ଶ୍ରେଣୀରେ ସେ ନେଇଛି ଇଂରେଜୀ ପ୍ରଥମ ପତ୍ର । ଏବେ ସେ ପଢ଼େଇ ଚାଲିଛି ‘‘କୁକିଙ୍ଗ୍‌ ଦି ଏଗ୍‌’’ କିଛି ସମୟ ପରେ ଘଣ୍ଟା ବାଜିଲା, ପର ପିରିୟଡ଼ ଥିଲା ତା’ର ଲିଜର, ଏଥର ସେ ଆସି ବସିଲା ଶିକ୍ଷକମାନଙ୍କ ବିଶ୍ରାମ ଗୃହରେ ।

ଆଜି ତା’ର କୌଣସି କାମରେ ମନ ଲାଗୁନି । ଛାତ୍ର ଜୀବନକୁ ଛାଡ଼ି ଏତେ ଶୀଘ୍ର ସେ ଏ ଶିକ୍ଷକ ଜୀବନକୁ ଗ୍ରହଣ କରି ପାରିନାହିଁ । ଆଜି ତା’ର ଛାତ୍ର ଜୀବନର ଅନେକ କଥା ତୁହାଇ ତୁହାଇ ମନେ ପଡ଼ୁଛି । ବାସ୍ତବିକ, ଛାତ୍ର ଜୀବନ କେତେ ମଧୁମୟ ! ଭାବ ଦୋସ୍ତି ଭିତରେ ପ୍ରତିଯୋଗିତା ସବୁ, କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ । ଏଇ ଅଳ୍ପ କେତେ ମାସ ହେଲା ସେ କଲେଜ ଛାଡ଼ିଛି, କଲେଜ ତଥା ସ୍କୁଲ ଜୀବନର ଅନେକ ଘଟଣା ଆଜି ତା ମାନସପଟରେ ଚିତ୍ରାୟିତ ହୋଇ ଉଠୁଛି । ମନ ହେଉଛି ଆଉଥରେ ସେ ପୁଣି କଲେଜକୁ ଫେରିଯାଇ ପାରନ୍ତାକି ! ସତରେ ଗରିବ ହୋଇ ଜନ୍ମହେବା ଭଗବାନଙ୍କର ଏକ ଅଭିଶାପ ।

ଆଜି ସେ ଭାବି ଚାଲିଛି ସ୍କୁଲ କଲେଜ ଜୀବନର ଅନେକ ଘଟଣା । ରମେଶର ଥଟ୍ଟା ତାମସା, ଅତୀନ୍ଦ୍ରର ଖନଖନ କଥା, ରମାକାନ୍ତର ହୁଣ୍ଡାମି, ବିଷ୍ଣୁର ଖେଳୁଆଡ଼ ମନୋବୃତ୍ତି ଓ ତ୍ରିଭୁବନର ସୁଲଳିତ କଣ୍ଠ ସଙ୍ଗୀତ–ଏ ସବୁକଥା ତା’ ଆକ୍ଷି ଆଗରେ ନାଚି ଯାଉଛି ଓ କର୍ଣ୍ଣ ପଟଳରେ ବାଜି ଯାଉଛି । ଗୋଟିଏ ଗୋଟିଏ ଦିଚ୍ଛକ ଏକ ଏକ ନିଚ୍ଛକ ଘଟଣା ତା’ମନ ଆକାଶରେ ଉଙ୍କି ମାରୁଛନ୍ତି । ରମେଶ, ରମାକାନ୍ତ, ବିଷ୍ଣୁ ସମସ୍ତେ ଆଜି ତା’ ମନ ଅଙ୍ଗନରେ ଆଗନ୍ତୁକ । ରମାକାନ୍ତର ହୁଣ୍ଡାମି ଓ ହସୁକୁରା ବ୍ୟବହାର ସେ କେବେ ଭୁଲି ପାରିବନି । କେଉଁ ସା’ରେ କେମିତି ପଢ଼ାନ୍ତି, କିଏ ନାରୀ କଣ୍ଠରେ କଥା କହେ କିଏ କେମିତି ପିଟନ୍ତି–ଏ ସବୁ ରମାକାନ୍ତ ଅବିକଳ ନକଲ କରିଦିଏ । ଡିବେଟ୍‌ ପିରିୟଡ଼ରେ ସବୁବେଳେ କହିବ ସେ । କୌଣସି ପଏଣ୍ଟ ନଥାଇ ବି ସେ ପାଞ୍ଚ ସାତ ମିନିଟ ଗପି ଯାଇପାରିବ । ଆଉ ଯେତିକି ସମୟ କହିବ, ସମସ୍ତଙ୍କୁ ହସେଇ ହସେଇ ମାରିବ ।

ରମାକାନ୍ତ ରେଡ଼ିଓ ସିଲୋନ ସବୁବେଳେ ଶୁଣେ । ବିନାକା ପ୍ରୋଗ୍ରାମ୍‌ ତା’ର ଭାରି ପ୍ରିୟ କାର୍ଯ୍ୟକ୍ରମ । ବୁଧବାର ଦିନ ବିନାକା ଗୀତିମାଳା ଦିନେ ନ ଶୁଣି ପାରିଲେ ପରଦିନ ଅନଶନ କରି କୃତପାପର ପ୍ରାୟଶ୍ଚିତ କରେ । ବୁଧବାର ଦିନ ରାତି ଆଠଟାରେ ଅମିନ ସାୟାନି ବିନାକା ପ୍ରଚାରିତ କରନ୍ତି ସିନା, ଗୁରୁବାର ଦିନ କ୍ଳାସରେ ତା’ ପ୍ରଚାରର ଦାୟିତ୍ୱ ନେଇଥାଏ ରମାକାନ୍ତ । ଅମିନ ସାୟାନିଙ୍କର କଣ୍ଠକୁ ସଯତ୍ନରେ ଅନୁକରଣ କରି ସେ ଗାଇଚାଲେ ବିନାକା ଟୁଥ୍‍ପେଷ୍ଟର ପ୍ରଶଂସା । ତା’ର ଭାରିଇଚ୍ଛା ବଡ଼ହେଲେ ଅମିନଭାଇ ବନିବ ।

ସ୍କୁଲ ଜୀବନର ମଧୁର ଅନୁଭୂତି । କେତେ ଗୋଳମାଳ, କେତେ ଭଙ୍ଗାରୁଜା, କେତେ ମାଡ଼ ଗାଳି, କେତେ ବୁଲାଚଲା, କେତେ ଭୋଜିଭାତ । ଗଣେଶ ପୂଜା, ସରସ୍ୱତୀ ପୂଜାର ଆନନ୍ଦ ମୁଖର ପରିବେଶ । ବେଳାଭୂମିର ଆକର୍ଷଣୀୟ ଜନଗହଳି, ତାଳବଣିଆର ଲଙ୍କା ଆମ୍ୱତୋଳା ଓ ଶ୍ରୀମନ୍ଦିରର ମହାପ୍ରସାଦ ମିଶି ଜୀବନକୁ ସ୍ୱର୍ଗୀୟ ଆନନ୍ଦରେ ଉବୁଟୁବୁ କରୁଥିଲା । ଗୌରମୋହନ ପାଖରେ ଆଜି ଖାଲି ପଡ଼ିରହିଛି ସେ ସବୁର ସ୍ମୃତି । ସେଇ ସ୍ମୃତି ମାଳାକୁ ଜପି ଜପି ସେ ପାଏ ଆନନ୍ଦ । ଆଉ କେବେ ସେ ଜୀବନ ଫେରି ପାରିବନି । ହେଲେ ସେ ସ୍ମୃତିକୁ ଆଶ୍ରୟ କରି ଭବିଷ୍ୟ ପାଇଁତ ବଞ୍ଚି ରହିବାକୁ ହେବ । ଏସବୁ ସ୍ମରଣରେ ସେ କିଛି ସମୟ ପାଇଁ ସୁଖ ସାଗରରେ ଉବୁଟୁବୁ ହୁଏ । ଭୁଲିଯାଏ ତା’ର ବର୍ତ୍ତମାନକୁ, ତା’ର କ୍ଷେଦବୋଳା ଏଇ ବର୍ତ୍ତମାନର ଜୀବନକୁ, ଛାତ୍ର ଜୀବନ ଛାଡ଼ିଲା ବେଳେ ଅନେକ ଦୁଃଖ ଆସେ, କିଛିଦିନ ପରେ ହୁଏତ ସେ ଦୁଃଖ ଲିଭିଯାଏ; କିନ୍ତୁ ସେ ସବୁର ସ୍ମୃତି ମନ କାଗଜରେ ଛାପି ହୋଇଯାଏ । ଗୌରମୋହନ ଖୁବ୍‌ ନିକଟରେ ଛାତ୍ର ଜୀବନରୁ ଓହରି ଆସିଛି । ଅତୀତକୁ ରୋମନ୍ଥନ କରି ଆଜି ସେ ସଂଗ୍ରହ କରୁଛି ବର୍ତ୍ତମାନ ପାଇଁ ପ୍ରେରଣା ଓ ଭବିଷ୍ୟତ ପାଇଁ ବଞ୍ଚି ରହିବାର ମୋହ ଆଉ ବାସନା ।

ଅଶିଣର ନରମ ସକାଳ । ଶୀତଳ ଦୁର୍ବାଦଳ ଗୁଡ଼ାକ ଆହୁରି ଶୀତଳ ଲାଗୁଛି । ଘାସ ଶେଜର ଫଳକେ ଫଳକେ ରାଶି ରାଶି କାକର ବିନ୍ଦୁ । ସୁରୁଜ ଦେବତା ଏଇ ଟିକକ ଆଗରୁ ରଥରେ ବସିଲେ । ସକାଳର କଅଁଳ ଖରା ଏବେ କଅଁଳିଆ ହୋଇ ରହିଛି । ପ୍ରଜାପତିଗୁଡ଼ାକ ଏଣେ ତେଣେ ଘୂରି ବୁଲୁଛନ୍ତି । ପୀତ କନିଅର ପାଖୁଡ଼ା ମେଲି ଚାହିଁଛି ଆକାଶ ବକ୍ଷକୁ । ଗଙ୍ଗଶିଉଳି ଫୁଲମାନେ ଭୂଇଁ ଉପରେ ପତିତ ହେବାରେ ଲାଗିଛନ୍ତି । ଗଙ୍ଗଶିଉଳି ଫୁଲ ଶ୍ୱେତ ପାଖୁଡା ଉପରେ ଲୋହିତର ଟିକା । ସତେ ଯେପରି ମୁକୁତା ଜାଲି ଦେହରେ ଲୋହିତ ବର୍ଣ୍ଣର ପ୍ରସ୍ତର ଖଞ୍ଜା ଯାଇଛି । ଟଗର ଚାହିଁଛି ତରାଟର ପାଖୁଡ଼ା ଆଡ଼େ । ତରାଟ ମଧ୍ୟ ଦୃଷ୍ଟିପାତ କରିଛି ଟଗରର ଶ୍ୱେତ ଗାତ୍ର ଉପରେ । ପରସ୍ପର ଯେପରି ଆହୁରି ନିକଟକୁ ଲାଗି ଆସିବାକୁ ଚାହାଁନ୍ତି ।

ରମେଶ ଏରୁଣ୍ଡିବନ୍ଧ ପାଖରେ ଠିଆ ହୋଇ ଅନେଇ ଥିଲା ରତି ମୁହଁକୁ । ରତିର ତା’ଆଡ଼କୁ ନଜର ନ ଥିଲା । ଜଳଖିଆ ତିଆରି କରିବାକୁ ସେ ଥାଳି ଧୋଇବାରେ ବ୍ୟସ୍ତ । ରମେଶ ତା’ଆଡ଼େ ଏକ ଲୟରେ ଚାହିଁ ରହିଛି । ରତି ଫ୍ରକ ଛାଡ଼ି, ପିନ୍ଧିଛି ଶାଢ଼ୀ । ତାକୁ ଶଢ଼ୀ ପିନ୍ଧିବାର ଦେଖିବା ରମେଶର ଏଇ ପ୍ରଥମ । ସବୁଜ ବ୍ଳାଉଜ୍‌ ଉପରେ ଆକାଶି ରଙ୍ଗର ଛାପା ଶଢ଼ୀ । ବ୍ଳାଉଜ୍‌ଟା ତା’ ଦେହରେ ଲାଖି ଯାଇଛି । ସବୁଜ ବ୍ଳାଉଜ୍‌ ଉପରେ ଘନକୃଷ୍ଣ କେଶର ବେଣୀ । ବେଣୀଟା ଲମ୍ୱି ଯାଇଛି ପିଚା ପର୍ଯ୍ୟନ୍ତ । ସବୁ ପାହାଡ଼ ଉପରୁ ଯେମିତି ନୀଳଜଳ ଧରି ଝରଣାଟା ଓହ୍ଲେଇ ଆସୁଛି । ବେଣୀ ଉପରେ କଅଁଳ ସୂର୍ଯ୍ୟ କିରଣ ପଡ଼ି ଚକ୍‌ ଚକ୍‌ କରୁଛି । ରମେଶର ଆଖି ପଲକ ବିହିନ ହୋଇ ଚାହିଁ ରହିଛି ତା’ ମୁହଁକୁ । ସୁଗୋଲ ସୁଠାମ ମୁହଁ ଉପରେ କେଇ ଟୋପା ଜଳବିନ୍ଦୁ ବୃନ୍ତସ୍ଥ ଗୋଲାପ ପାଖୁଡ଼ା ଉପରେ କେଇ ଟୋପା କାକର ବିନ୍ଦୁପରି । କାନର ମୁଗଲଆଜାମ୍‌ ଦୁଇଟା ପବନ ସହ ତାଳ ଦେଇ ଦୋହଲିବାରେ ବ୍ୟସ୍ତ । ରକ୍ତିମ ଓଠ ଦୁଇଟାରେ ରକ୍ତଗୁଡ଼ାକ ଯେମିତି ଟୁଳୁଟୁଳୁ ହେଉଛି । ଓଷ୍ଠ ଯୁଗଳରେ ଭରି ରହିଛି ଶତଯୁଗର ପିପାସା । ନୟନ ଯୁଗଳରେ ଭରି ରହିଛି ତନ୍ଦ୍ରାମିଶା ତାରୁଣ୍ୟ । ଛନ ଛନ ଆଖିପତା ତଳେ ଚଳଚଞ୍ଚଳ ଚାହାଣି । ସେ ଚାହାଣିରେ ଯେମିତି ଭରିଛି ନିମନ୍ତ୍ରଣର ଚିଟାଉ । ଉଛୁଳା ଯଉବନରେ ରୂପର ବନ୍ୟା । ସେ ବନ୍ୟାରେ ଝାସ ଦେବାକୁ ଦର୍ଶକର ଅଦମ୍ୟ ପିପାସା ।

ଖସି ଯାଉଥିବା ଶଢ଼ୀଟାକୁ ରତି ଏଥର କାନ୍ଧ ଉପରକୁ ଟାଣି ଆଣିଲା । ରମେଶ ଆଉ ସ୍ଥିର ହୋଇ ରହି ପାରିଲିନି । ଭାବିଲା ପାଖକୁ ଯାଇ ତାକୁ କିଛି କହିବ । ପରମୁହୂର୍ତ୍ତରେ ସେ କାମନାରୁ ନିବୃତ୍ତ ରହିଲା । ଏମିତି ଅନ୍ତରାଳରୁ ସେ ତା’ର ସୌନ୍ଦର୍ଯ୍ୟକୁ ଦେଖିବାକୁ ଚାହେଁ । ପାଖକୁ ଗଲେ ହୁଏତ ସେ ଆହୁରି ସଞ୍ଜତ ହୋଇଯିବ । ଠିକ୍‌ ସେଇ ମୁହୂର୍ତ୍ତରେ ରତି ପଛକୁ ବୁଲିଲା-। ଗିନା ଧୋଇସାରି ରୋଷେଇ ଘରଆଡ଼େ ଯିବ । ଯାଉ ଯାଉ ତା’ର ଦୃଷ୍ଟି ପଡ଼ିଲା ରମୁଭାଇ ଉପରେ । ଏଥର ସେ ତଳକୁ ମୁହଁ ପୋତି ଚାଲିଲା ରୋଷେଇ ଘରକୁ ।

ରମେଶ ସେଇଠି ସେମିତି ଠିଆ ହୋଇ ରହିଲା । ରତିକୁ ସେ ପିଲାଟି ଦିନରୁ ଦେଖୁଛି-। ଏମିତି ତ ତାକୁ ସେ କେବେ ଦେଖି ନାହିଁ । କାଲି ସେ ବନହରିଣୀ ପରି ଅସଞ୍ଚତ ଭାବରେ ଏଣେ ତେଣେ ଘୂରି ବୁଲୁଥିଲା । କିନ୍ତୁ ଆଜି ସେ କ’ଣ ଦେଖୁଛି ? ଏତେ ରୂପ, ଏତେ ସୌନ୍ଦର୍ଯ୍ୟ ସେ କେଉଁଠି ଲୁଚେଇ ରଖିଥିଲା ? କାଲିର ହସକୁରି ଚଳଚଞ୍ଚଳ ବାଳିକା ଆଜି ବନିଛି ଦେବୀ ପ୍ରତିମା । ରୂପ ଛଟାର ଜୁଆରରେ ସେ ଯେମିତି ଉବୁଟୁବୁ ହେଉଛି । ରମେଶର ଇଚ୍ଛା ହେଉଥିଲା, ସେ ଯାଇ ପଚାରନ୍ତା–‘‘ଏତେ ରୂପ ତୁ ଆଜିଯାଏ କୋଉଠି ରଖିଥିଲୁ ରତି ?’’ ହେଲେ ଏ କଥା ପଚାରିବାକୁ ତାର ଯେମିତି ସାହସ ହେଉ ନାହିଁ ।

ରତି ଯାଇ ଚୂଲୀ ଲଗେଇ ବସିଲା । କାକର ଭିଜା କାଠରେ ହଠାତ୍‌ ନିଆଁ ଧରୁ ନାହିଁ । କୁହୁଳି କୁହୁଳି ଧୂଆଁ ହେଉଛି । ରୋଷେଇ ଘର ଛାଡ଼ି ଧୂଆଁ ଆସି ପ୍ରବେଶ କଲାଣି ରମେଶର କୋଠରୀର । ଆଖିରୁ ତା’ର ପାଣି ଗଡ଼ୁଛି । ଆଖି ମଳି ମଳି ସେ ଯାଇ ପ୍ରବେଶ କଲା ରୋଷେଇ ଘରେ । ରତିର ବେଣୀଟାକୁ ଭିଡ଼ି ଦେଇ କହିଲା, ‘‘ତୁ ଗୋଟାଏ ଅଧୁଆ ମୋହିଁଟାଏ, ତୋ’ ଦେଇ ଆଉ ଏ ଚୂଲୀଲଗା କାମ ହେଇପାରିବ ନାହିଁ ।’’

ରତି ସେମିତି ଚୂଲି ଆଡ଼କୁ ମୁହଁକରି ଉତ୍ତର ଦେଲା, ‘‘ମୋ’ ପେଇଁ ଗୋଟେ ନୂଆବୋଉ ନେଇ ଆସୁନ, ସେ ଜଲ୍‌ଦି ଚୂଲି ଲଗେଇ ଦେବେ ।’’

‘‘ତୋ’ ପେଇଁ ନୂଆବୋଉ ଆଣିବି ? କେଉଁଠୁ ?’’

‘‘ଯେଉଁଠି ପଢ଼ୁଛି, ସେଇଠୁ ।’’ ରତିର ସଂକ୍ଷିପ୍ତ ଉତ୍ତରରେ ରମେଶର ଆଉ କିଛି କହିବାକୁ ସାହସ ଆସିଲା । ସେ ଖୁବ୍‌ ସାହାସ କରି କହି ପକାଇଲା, ‘‘କାହିଁକି, ତୁ ଯଦି ନିଜେ ତୋ’ର ନୂଆବୋଉ ହଉ...?’’

ଏଥର ରତିର ମୁହଁ ଲାଲ ପଡ଼ିଗଲା । ଲଜ୍ୟାର ଅରୁଣିମା ରାଶି ରାଶି ହୋଇ ତା’ ମୁହଁରେ ବୁଣି ହୋଇଗଲା । ସେ କିଛି ନକହି ନୀରବରେ ବାହାରକୁ ଚାଲିଗଲା । ରମେଶ ମନରେ ଭୟ ହେଲା । ହୁଏତ ସେ ଯାଇ ଦେଠେଇକୁ କହିଦେବ । ମନେ ମନେ ଭାବିଲା, ‘‘କେଡ଼େଟାଏ ହେଲାଣି, ଆଉ କୋଉଁଦିନ ଭଲା ବୁଦ୍ଧି ହବ । କ’ଣଟାଏ କହିଦେଲି ଯେ ଗଲାଣି ବୋଉ ପାଖରେ ନାଲିଶି କରିବ ।’’ ହେଲେ ତା’ର ଭାବନା ଭୁଲ । ଦେଠେଇକୁ ନକହି ସେ ପିଣ୍ଡାରେ ସେମିତି ଠିଆ ହେଇଛି । ରମେଶ ଆଶ୍ଚର୍ଯ୍ୟ ହେଲା । ଯେ କୌଣସି ଆକ୍ଷେପ ବା ମାଡ଼ଗାଳିରେ ରତି ଦେଠେଇଙ୍କ ପାଖରେ ଗୁହାରି କରେ । ଦେଠେଇ କହନ୍ତି, ‘‘ତୁ କାଇଁ ତା’ କଥା ଶୁଣୁଛୁ ବା । ସେଇଟା ପରା ବାଇଆଟେ । ତୁ କ’ଣ ତା’ପରି ବାଇଆଣୀ ହେଇଛୁ ? ତୁ ପରା ମୋ’ ସୁନା ଝୁଅ ।’’ ଆଜି କିନ୍ତୁ ରତିର ମୁହଁ ବନ୍ଦ । ତାପରେ ସେ ବାରଣ୍ଡାକୁ ଆସିଲା; ଦେଖିଲା ଲଜ୍ୟାବନତ ମୁଖରେ ଠିଆ ହୋଇଛି ରତି । ସେ ପଚାରିଲା, ‘‘ଆରେ ତୁ ଚାଲି ଆସିଲୁ ଯେ ? ତେଣେ ପରା ଚୂଲୀ ଜଳିଲାଣି-।’’

‘‘ମୋ ଆକ୍ଷିରେ କ’ଣଟାଏ ପଡ଼ିଗଲା ଯେ...’’ ରତିର ଯତ୍‌ ସାମାନ୍ୟ କୈଫିୟତ । ରମେଶ ଠିକ୍‌ ଜାଣେ ତା’ ଆଖିରେ କିଛି ପଡ଼ିନି । ସରମକୁ ଲୁଚାଇବା ପାଇଁ ଏଇଟା ତା’ର ଗୋଟାଏ ବାହାନା । ଏଇ ସମୟରେ ଦୁଆରେ ଆସି ପାଦ ଦେଲା ଜେମି ଆଈ । ଦିହିଙ୍କୁ ଏକାଠି ଠିଆ ହୋଇ ଥିବାର ଦେଖି ପାକୁଆ ପାଟିରେ ହସି ହସି ବୁଢ଼ୀ କହିଲା ‘‘କିଲୋ, ବର କନିଆଁ ଆଜି ଏକାଠି ଠିଆ ହେଇଛ । ରୁହ ରୁହ, ମୁଁ ଦିଟା ଦୁବ ଚାଉଳ ପକେଇ ଦିଏ ।’’ କହି କହି ସେ ହୁଳ ହୁଳି ପକେଇବାକୁ ଲାଗିଲା । ରତି ଲାଜରା ହୋଇ ରୋଷେଇ ଘରକୁ ଚାଲିଗଲା ।

‘‘କିରେ ଯୁବା ବଅସ ତ ହେଲା । ଏଥର କନିଆଁକୁ ଘରକୁ ଘିନି ଆସୁନୁ ।’’ ଛଳେଇ ଛଳେଇ ବୁଢ଼ୀ ରମେଶକୁ କହିଲା । ‘‘ତୁ ପରା ମୋ’ କନିଆଁ ଆଉ ଫେରେ କିଏ କାଇଁକି ଆସିବ ?’’ ରମେଶ ବୁଢ଼ୀକୁ ଥଟ୍ଟା କରିବାକୁ ଲାଗିଲା ।

‘‘ଆରେ ହଁ ବା । ରତିଟାକୁ ପରା ମୋ’ ସଉତୁଣୀ କରିବି ।’’ ପାକୁଆ ପାଟିରେ ବୁଢ଼ୀର ହସ ଲାଗି ରହିଥାଏ । ଏତିକି ବେଳେ ଆସିଲେ ହାରାମଣି । ରମେଶ ଏଥର ଦାଣ୍ଡଆଡ଼କୁ ଚାଲିଗଲା । ବୁଢ଼ୀ କହିଲା, ‘‘ହଇଲୋ, ଆଉ କାହିଁକି ଡେରି ଡେରି କରୁଛୁ ? ସଅଳ ସଅଳ ଦୁବ ଚାଉଳ ପକେଇ ଦଉନୁ । ଏଣିକି ତାଙ୍କ ସଂସାର ସିଏ କରନ୍ତୁ । ତୁ ଏ ବଅସରେ ଘର କାମରେ କାଇଁକି ଆଉ ଧନ୍ଦି ହଉଚୁ ?’’ ହାରାମଣୀ କହିଲେ ‘‘ହଁ ମ ମା ! ଏଇ ଆସନ୍ତା ତିଥିରେ କାମଟା ବଢ଼େଇ ଦବାକୁ ଭାବୁଛି । ହେଲେ ଦିହିଙ୍କର ବାହାଯାତ୍ରା ଫିଟିଲେ ତ ।’’ ‘‘ହଁ ତା ନୁହେଁ ଆଉ କ’ଣ-? ଆଗ ଜାତକ ସୁଜୁ । ତାହେଲେ ଯାଇ ଯୋଉଁ କଥା ସିନା ।’’ ଏତକ କହିସାରି ବୁଢ଼ୀ ବସି ପଡ଼ିଲା-

ରତି ସୁଜି ଭାଜିସାରି ମହନଭୋଗ କଲା । ରମେଶ କୋଠରୀରେ ରଖିଦେଇ ଆସି ସେ ଚାଲିଲା ତାଙ୍କ ଘରକୁ । ସମବୟସୀ ଝିଅମାନେ ଆସିଲେ ଗାଧୋଇ ଡାକିବାକୁ । ସେ ସେମାନଙ୍କ ସହ ଗାଧୋଇ ବାହାରିଲା । ଗାଧୁଆ ତୁଠରେ କେତେଆଡ଼ୁ କେତେକଥା ପଡ଼ିଲା । ମୁଖରା ସାବିତ୍ରୀ ରତିକୁ ଅନେଇ ଟିପ୍‌ଣି କାଟିଲା, ‘‘ରତିର ଆଉ ଏ ଗାଁରେ କେଇଟା ଦିନଯେ । ଏ ଗାଧୁଆ ତୁଠକୁ କ’ଣ ସେ ଆଉ ମନେ ପକାଇବ?’’

‘‘ମଲା ସେ କ’ଣ ଆଉ ତିନି ଗାଁକୁ ଯାଉଛି କି ? ରମୁଭାଇଙ୍କ ଘରୁ ସେ କ’ଣ ଏଇଠିକି ଆସି ପାରିବନି ?’’–ଛଳେଇ ଛଳେଇ ରମ୍ଭା କହିବାକୁ ଲାଗିଲା । ସାବିତ୍ରୀ ଚୁମ୍ୱକରେ ଉତ୍ତର ଦେଲା, ‘‘ନାଇଁଲୋ ହୁଣ୍ଡୀ, ରମୁଭାଇ ପରା ସହରରେ ଚାକିରୀ କରିବେ । ରମୁଭାଇ ଯୁଆଡ଼େ, ରତି ଦେବୀ ସିଆଡ଼େ । ନା କ’ଣ ରତି ? ମୁଁ କିଛି ଭୁଲ କହିଲି ?’’

 

‘‘କାଇଁକି ? ତୁ ରମୁଭାଇଙ୍କୁ ବାହା ହେଉନୁ’’ ବଡ଼ ସାହସ କରି ଏତକ କହି ପକେଇଲା ରତି । ରମା ନୂଆବୋଉ ଏତେବେଳକେ ଗୋଡ଼ ଉପରୁ ତଉଲିଆ ଉଠାଇଲେ । ରତି ମୁହଁକୁ ଅନେଇ କହିଲେ, ଦେଇ ଦବ ଏକା । ରମୁଭାଇଙ୍କି ସତେକି ଜମା ଲୋଭ ନଥିବ । ଏଇକଥା ମନେ ରହିଲା । ମଧୁଶଯ୍ୟା ଘରେ ତମକୁ ଛାଡ଼ିଦେଇ ଆସିଲା ବେଳେ ଏଇକଥା ଠିକ୍‌ ମନେ ପକେଇ ଦେଇ ଆସିବି ।’’

 

ଏଥର ରତିର ମୁହଁ ଲାଲ ଟକଟକ ହୋଇଗଲା, ଆଉ ଅଧିକ କଥା ବଢ଼େଇବାକୁ ସେ ଇଚ୍ଛା କଲାନାହିଁ । ନୀରବରେ ଗୋଡ଼ହାତ ଘସି ହେବାକୁ ଲାଗିଲା । ମୁଖରା ରମା ନୂଆବୋଉଙ୍କର କିନ୍ତୁ ପାଟି ବନ୍ଦ ହେଲା ନାହିଁ । ସେ କହି ଚାଲିଲେ, ‘ସତେ ମ, ଆମ ରତି ଭାରି କପାଳିଆ, ଏଇ ଗାଁ ଝୁଅ, ପୁଣି ଏଇ ଗାଁ ବୋହୂ ହେବେ । ଆମପରି ଅଚିହ୍ନା ଅଜଣା ରାଇଜକୁ ଯାଇ ନୂଆ ଲୋକଙ୍କ ପାଖରେ ଚୁ’ ମାରିବାକୁ ନଥିବ ।’’

 

ଗାଧୋଇଆସି ରତି ପଖାଳ ବାଢ଼ିଲା । ଲୁଣ, ଲଙ୍କା ଓ ଆଳୁ ଚକଟାର ସ୍ୱାଦରେ ପଖାଳତକ ଶେଷ ହେଇଗଲା । ତା’ପରେ ଚୁଲି ଲଗାଇ ରାନ୍ଧିବାକୁ ଗଲା । ସୁନା ଶାଗ ପଟାଳିରୁ ଶାଗ କାଟୁଥିଲେ । ଦୁଃଖିଆଙ୍କୁ ହଳ ଯୋଚିବାର ଦେଖି ସେ ପାନଭାଙ୍ଗି ବସିଲେ । ଝଟକର ପାନ ଚାରିଖଣ୍ଡ ଭାଙ୍ଗି ସ୍ୱାମୀଙ୍କ ହାତକୁ ବଢ଼େଇ ଦେଇ କହିଲେ, ‘ହଳନେଇ ଗଲାବେଳେ ତୁଳସୀପୁର ବାଟେ ଯିବଟି, ଦାମ ଅବଧାନଙ୍କୁ କହିବ, ସେ ଆଜି ଉପର ବେଳାକୁ ଆସିବେ । ଆଜି ଜାତକ ଦି’ଟା ସୁଝେଇ ଦବା । ରମୁବୋଉ ନାନୀତ ସବୁ ଯୋଗାଡ଼ଯନ୍ତ୍ର କରି ବସିଛନ୍ତି, ଖାଲି ଜାତକ ଶୁଝେଇ ଆମଠାରୁ ଜବାବ ପାଇଲେ ହେଲା । ଯେଉଁବେଳେ ସିନା ଯେଉଁକଥା ସୁନ୍ଦର । ଆଉ ଦିନ ଗଡ଼େଇଲେ କ’ଣ ସୁନ୍ଦର ଦିଶିବ । ଝିଅଘିଅ, ବଢିଲା ଝିଅକୁ ଆଉ କେତେଦିନ ଅଭାଆଡ଼ୀ ରଖିଥିବା ?’’

 

ସ୍ତ୍ରୀଙ୍କର ସବୁକଥା ନୀରବରେ ଶୁଣିଗଲେ ଦୁଃଖିଆ । ତାପରେ ହଳଯୋଚି ଉଦାସିଆ ଭାବରେ ବାହାରିଗଲେ ବିଲକୁ । ସୁନା ଜାଣନ୍ତି ସ୍ୱାମୀ ତାଙ୍କର ଏବେ ସବୁଦିନେ ଏଇୟା, ସବୁ ଶୁଣିବେ, ଆଜ୍ଞାବହ ପରି ସବୁକାମ କରିଯିବେ, ହେଲେ ସବୁବେଳେ ଉଦାସ, ସବୁବେଳେ ନୀରବ । କୌଣସି କଥାରେ ସେ ଗୁରୁତ୍ୱ ଆରୋପ କରି ପାରନ୍ତି ନାହିଁ । ଯେଉଁ ରତି ତାଙ୍କର ପ୍ରାଣଠାରୁ ବଳି ଅଧିକ ଥିଲା, ତା’ରି ବାହାଘରରେ ବି ସେ ନୀରବ । ତାଙ୍କର ବା ଦୋଷ କ’ଣ ? ସବୁଦିନେ ତ ସେ ଏଇୟା ନଥିଲେ । ଦଇବ ଆଜି ସିନା ତାଙ୍କୁ ଏଇୟା କରିଛି । କାଲି ପରି ମନେ ପଡ଼ୁଛି, ରତି ହେଇଥାଏ ଛୋଟ ପିଲାଟିଏ । ହସି ହସି ଗଡ଼ିଯାଏ ବାପାଙ୍କ କାନ୍ଧରେ । ତାକୁ ଗେଲକରି ସେ କହନ୍ତି, ‘‘ମୋ ସୁନା ଝୁଅ, ମୋ ରାଜଜେମା, ରାଜକୁମାର ସାଙ୍ଗରେ ତୋତେ ବାହା କରେଇବି । ସବାରି ପାଲିଙ୍କି ବାଣ ନିଶାଣରେ ଏ ଗାଁ ପୂରିଉଠିବ, ଏମିତି ବାହାଘର ଯେମିତି ଏ ଖଣ୍ଡ ମଣ୍ଡଳରେ ଆଜିଯାଏ ହେଇନଥିବ ।’’ କିନ୍ତୁ ଆଜି....। ଆଜି ସେ କିଛି ବୁଝି ପାରନ୍ତି ନାହିଁ । ଅଲିଆଳୀ ଝିଅ ରତିକୁ ଯେମିତି ସେ ଚିହ୍ନି ପାରନ୍ତି ନାହିଁ । ସବୁ ତାଙ୍କରି ଭାଗ୍ୟ ଦୋଷ । ଅପରକୁ ଦୋଷଦେଇ ଲାଭନାହିଁ । ଭାବୁ ଭାବୁ ସୁନାଙ୍କ ଆଖିରୁ ଦୁଇଧାର ଲୁହ ବୋହି ଆସୁଥିଲା । ସେ ଜାଣନ୍ତି ଯାହା କରିବାକୁ ହେବ ସବୁ ସେ ନିଜେ କରିବେ, ହୃଦୟ ତାଙ୍କର ଫାଟି ଯାଉଥିଲା । କଇଁକଇଁ ହୋଇ ସେ କାନ୍ଦିବାକୁ ଲାଗିଲେ । କ’ଣ ଥିଲେ ତାଙ୍କର ସ୍ୱାମୀ, କ’ଣ ହେଲା ତାଙ୍କର ଅବସ୍ଥା ? ଏସବୁ ତାଙ୍କର କୃତକର୍ମର ପ୍ରାୟଶ୍ଚିତ, ପୂର୍ବଜନ୍ମର କର୍ମଫଳ । ଏସବୁ ଭାବି ଭାବି ତାଙ୍କ ଆଖିରୁ ଧାରା ଶ୍ରାବଣ ବହି ଯାଉଥିଲା । ଗୋଡ଼ହାତ ଅବଶ ହୋଇ ଆସୁଥିଲା ମୁଣ୍ଡ ଉପରେ ଯେମିତି ସାତ ଶଗଡ଼ର ବୋଝ ଲଦି ହେଇ ଯାଉଥିଲା ।

 

ଏଥର ବଡ଼ଦିନ ଛୁଟିରେ ବି ରମେଶ ଗାଁକୁ ଆସିଲା । ସହର ତାକୁ ଆଉ ଭଲ ଲାଗୁନାହିଁ । ଗାଁରେ ସେ ଯେମିତି କିଛି ଗୋଟାଏ ଛାଡ଼ି ଯାଇଛି । ରତିକୁ ସେ ସବୁବେଳେ ଦେଖିବାକୁ ଚାହେଁ, ତା’ ପାଖରେ ସବୁବେଳେ ବସି ରହିବାକୁ ତା’ର ଇଚ୍ଛା । ତା’ ସାଙ୍ଗରେ କଥା କହିବାକୁ ଏବେ ତା’ର ଭାରି ଆଗ୍ରହ । ଏବେ ଅନେକ ସମୟରେ ତା’ର ରତି କଥା ମନେ ପଡ଼ୁଛି । ପାଠ ପଢ଼ାରେ ଯମା ମନ ଲାଗୁନାହିଁ । ବହି ଗୁଡ଼ାକ ଖୋଲିଲେ ଅକ୍ଷର ବଦଳରେ ଖାଲି ରତିର ମୁହଁ ଦେଖାଯାଉଅଛି । ଦୁଇପୃଷ୍ଠା ପଢ଼ିସାରିବା ପରେ ପୁଣି ମୂଳ ପୃଷ୍ଠା ଖୋଲୁଛ । ଯାହା ପଢ଼ିଗଲା ସେ ତାହା କିଛି ଜାଣେନା। ଆଖି ପଢ଼ି ଚାଲିଛି ସିନା, ମନଯାଇ ରତି ପାଖରେ । ଆଜିକାଲି ପଢ଼ାପଢ଼ିରେ ତା’ର ଭାରି ଖଇଚା ହେଲାଣି । ଗାଁକୁ ଆସିବାକୁ ସବୁବେଳେ ମନ । ତାଛଡ଼ା ପ୍ରିୟ ସାଙ୍ଗ ରମାକାନ୍ତ ଏବେ ଆଉ ପୁରୀରେ ରହୁନାହିଁ । ପ୍ରଥମ ବର୍ଷ ବିଜ୍ଞାନ ପାଶ୍‍ କରିବା ପରେ ସେ ବୁର୍ଲା ମେଡ଼ିକାଲ କଲେଜରେ ନାଁ ଲେଖେଇଛି । କେତେବର୍ଷ ପରେ ସେ ଡାକ୍ତର ହୋଇ ବାହାରିବ-। ରମେଶ ଏବେ ଦ୍ୱିତୀୟ ବାର୍ଷିକ କଳାର ଛାତ୍ର । ବି. ଏ. ପରେ କିଛି ଗୋଟାଏ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବାପାଇଁ ସେ ଆଶା ବାନ୍ଧିଛି ।

 

ଗାଁରେ ଏଥର ତା’ର କେଉଁଥିରେ ମନ ଲାଗୁନି । ରତି ପାଖରେ ବସି ତା’ ସାଙ୍ଗେ ଗପ କରିବା ଛଡ଼ା ଆଉ ଯେମିତି ସେ କିଛି କରିବାକୁ ଚାହେଁନା ହେଲେ ରତି କିନ୍ତୁ ଆଗପରି ତାଙ୍କ ଘରକୁ ଆଉ ଆସୁନି । ଯଦି କେବେ ଆସୁଛି, ତେବେ ଦେଠେଇଙ୍କ ପାଇଁ କିଛିଟା କାମଦାମ କରିଦେଇ ଝଟ ବାହାରି ଯାଉଛି । ଦେଠେଇଙ୍କ ପାଖରେ ଆଉ ସେତେଟା ଖୋଲା ଖୋଲି କଥାବାର୍ତ୍ତା କରି ପାରୁନାହିଁ । ସବୁ କଥାରେ ଗୋଟାଏ ଲାଜଲାଜ ଭାବ ପ୍ରକାଶ ପାଉଛି । ଆଗପରି ଗାଁରେ ବି ସେତେ ବୁଲାବୁଲି କରୁନି । ଅନେକ ସମୟରେ ତାଙ୍କ ଖଟ ଉପରେ ବସି କିଛି ବୁଣାବୁଣି କରୁଛି କିମ୍ୱା କୌଣସି ଗପବହି ପଢ଼ାପଢ଼ି କରୁଛି । ସ୍କୁଲକୁଯିବା ଏବେ ତା’ର ବନ୍ଦ ହୋଇ ଗଲାଣି-। ବଢ଼ିଲା ଝିଅଟାକୁ ସ୍କୁଲକୁ ପଠାଇବାକୁ ସୁନା ନାପସନ୍ଦ କଲେ । ଦୁଃଖିଆଙ୍କୁ ସେ କହିଲେ, ଯେତେ ପାଠ ପଢ଼ିଲେତ ଝୁଅ ଚୂଲୀମୁଣ୍ଡକୁ ଯିବ । ଆମର ଯେତିକି ପାଠ ହେଲା ସେତିକି, ଯେତିକି ପଢ଼ିଲାଣି, ସେଥିରେ ଚିଠିପତ୍ର ଖଣ୍ଡେତ ବେଶ୍‌ ଲେଖି ପାରିବ । ଭାଗବତ ଅଧ୍ୟାଏ ବୋଲିତ ଶାଶୁକୁ ଶୁଣେଇ ପାରିବ । ଆଉ ଅଧିକା ପାଠରେ ଆମର କି ଦରକାର ? କୋଉ ଆମ ଝୁଅ ଯାଇ ଚାକିରୀ କରୁଛି । ସ୍ୱାମୀ ମଧ୍ୟ ସେଥିରେ ହଁ ଭରିଲେ । ଫଳରେ ରତିର ସେଇ ଦିନଠାରୁ ପାଠପଢ଼ା ବନ୍ଦ । ଦଶମ ଶ୍ରେଣୀ ମଝିରୁ ତା’ ପଢ଼ାରେ ଇତି ହେଲା । ଏବେ ସେ ଘରକାମ କରିବା, ବୁଣାବୁଣି କରିବା ବା କିଛିଟା ବାହାର ବହି ପଢ଼ିବାରେ ସମୟ କଟାଏ ।

 

ସୁନା ଏଣିକି ଝିଅକୁ ସବୁ କଥାରେ ଆକଟ କରନ୍ତି । ଦୁମ୍‌ଦୁମ୍‌ ହୋଇ ଚାଲିଗଲେ ଖୂଣି ବସନ୍ତି । ଏରୁଣ୍ଡି ଉପରେ ଗୋଡ଼ ଥୋଇଲେ ଆକ୍ଷି ଦେଖାନ୍ତି । ରାନ୍ଧିବା କାମଟା ଏଣିକି ସବୁବେଳେ ରତିର । କେଉଁଟା କେମିତି ରନ୍ଧାଯିବ, କେଉଁଥିରେ କେତେ ପାଣି ଦିଆଯିବ, କେତେ ଲୁଣ ପଡ଼ିବ ସବୁ ଗୋଟି ଗୋଟି କରି ସେ ଝିଅକୁ ବତେଇ ଦିଅନ୍ତି । ବିଭିନ୍ନ ରକମର ପିଠାପଣା, ଡାଲି ତରକାରୀ କରି ଝିଅକୁ ଭାଗମାପ ଶିଖାଇ ଦିଅନ୍ତି । ଝିଅଟା କାଲି ଛାଡ଼ି ପଅରଦିନ ଶାଶୁଘର ଯିବ, ମା’ ହେଇ ସେ ନ ବତେଇଲେ ଆଉ କିଏ ବତେଇବ ? ସେ ଚାହାନ୍ତି ଝିଅ ତାଙ୍କର ସବୁଥିରେ ଗୁଣର ହୋଇଥିବ । ତାହେଲେ ଯେମିତି ଶାଶୁଘଣେ ପଦେ କହି ଖୁଣି ନପାରିବେ । ଝିଅ ଶାଶୁଘରେ ବୋଲଣା ଶୁଣିଲେ ସେଇଟା ମା’ପ୍ରତି ଅବମାନନା, ମା’ ପ୍ରତି ଖୁଣ୍ଟଣା । ଯିଏ ହେଲେ କହିବ ମା’ତ ଶିଖେଇ ନାହିଁ, ଝିଅ କେଉଁଠୁ ଶିଖିବ ? ସେଇଥିପାଇଁ ସୁନା ଚାହାନ୍ତି ଝିଅ ତାଙ୍କର ଶାଶୁଘର ଯିବା ପୂର୍ବରୁ ସବୁ କାମରେ ପକ୍‌କା ହୋଇଥିବା ଦରକାର । ରତିପ୍ରତି ତାଙ୍କର ଏଣିକି କଡ଼ା ନଜର । ତା’ର କେଶବାସ ପ୍ରତି ତାଙ୍କର ଅଧିକ ଧ୍ୟାନ । ତା’ର ମୁଣ୍ଡ ବାନ୍ଧିଦେବା ଆଖିରେ କଳା ଲଗେଇଦବା, ମୁଣ୍ଡରେ ସବୁବେଳେ ଲୁଗା ଦେବାକୁ ତାଙ୍କର ଆଦେଶ ।

 

ରତି କିନ୍ତୁ ଖୁବ୍‌ ଆଲୁରି । ଆଉ ପାଞ୍ଚଜଣଙ୍କପରି ଶଢ଼ୀଟାକୁ କୁଞ୍ଚେଇକରି ପିନ୍ଧିବା, ନିତି ମୁଣ୍ଡ କୁଣ୍ଡେଇବା, କପାଳରେ କୁଙ୍କୁମ ଲଗେଇବା କିମ୍ୱା ମୁହଁରେ ସ୍ନୋ ପାଉଡ଼ର ମାଖିବାକୁ ସେ ଭଲ ପାଏନା । ସାଧାରଣ ଭାବରେ ଖଣ୍ଡେ ଲୁଗା ଆଉ ବ୍ଳାଉଜ ବାସ୍‍ ସେତିକି ହେଲେ ତା’ର ଢେର-। ସୁନା କିନ୍ତୁ ତା’ର ଏପରି ଢଙ୍ଗରେ ବିରକ୍ତ ହୁଅନ୍ତି । ଝିଅ ଏଦିନେ ପିନ୍ଧିବନି ଲଗେଇବନି ତ ଆଉଁ କୋଉଁଦିନ ପିନ୍ଧିବ ଲଗେଇବ ? ତାଙ୍କର କିନ୍ତୁ କଡ଼ା ନିର୍ଦ୍ଦେଶ ରତି ଯେମିତି ସବୁଦିନେ ଆଖିରେ କଳା ଲଗାଏ, ତା ନହେଲେ ଆଖିରୁ ଲେଞ୍ଜରା ବୋହିବ ।

 

ଆଜି ରତି ଗାଧୋଇ ଆସି ତାଙ୍କ ଘରେ ରୋଷେଇ ବସେଇଥିଲା । ସୁନା ଯାଇଥିଲେ ହାରାମଣିଙ୍କ ପାଖକୁ । ଦୁଇ ଭାବି ସମୁଦୁଣୀ ବସି ବିଭିନ୍ନ ଆଡ଼ୁ ବିଭିନ୍ନ କଥା ପକେଇଥିଲେ । ରମେଶ ଏତିକିବେଳେ ଚୁପ୍‌ ଚୁପ୍‌ କରି ଦୁଃଖୀ ଦାଦିଙ୍କ ଘରକୁ ଆସିଲା । ଦେଖିଲା ରତି ଆଖିରେ କଳା ଲଗାଇବାରେ ବ୍ୟସ୍ତ । ପଛପଟୁ ଧୀରେ ଧୀରେ ଯାଇ ତା’ ଆଖିକୁ ବୁଜି ଧରିଲା । ରତି ଦେହରେ ଗୋଟାଏ କମ୍ପନ ଖେଳିଗଲା । ଶିରା ପ୍ରଶିରାରେ ଗୋଟାଏ କେମିତି ଅଜଣା ଶିହରଣ ଛୁଇଁଗଲା । ହାତ କାଢ଼ିଦେଇ ଦେଖିଲା ପଛରେ ଠିଆ ହୋଇଛନ୍ତି ରମୁଭାଇ । ଗୋଡ଼ହାତ ତାର ଥରିବାକୁ ଲାଗିଲା ଉଭୟେ ନୀରବରେ କିଛି ସମୟ ପରସ୍ପରକୁ ଚାହିଁ ରହିଲେ । କିଛି ସମୟ ପରେ ପ୍ରଥମେ ପାଟି ଖୋଲିଲା ରମେଶ ।

 

‘‘ବାଃ, ତୁ ତ ଭାରି ଲାଜକୁଳୀ ହୋଇଗଲୁଣି । ଏତେ ଲାଜ ତୁ କେଉଁଠି ଲୁଚେଇ ରଖିଥିଲୁ ମ ?’’

 

ରତି ନୀରବ ।

 

‘‘ସତରେ ରତି, ତୁ ଭାରି ସୁନ୍ଦର ଦେଖାଯାଉଛୁ ! ତାପରେ ଆଣିଥିବା ଏକ ସଦ୍ୟ ଗୋଲାପକୁ ତା’ ବେଣୀରେ ଖୋସିଦେଲା । ରତିର ସୌନ୍ଦର୍ଯ୍ୟ ଯେମିତି ଦ୍ୱିଗୁଣିତ ହେଲା । ରମେଶ ଭୋକିଲା ଆଖିରେ ଚାହିଁ ରହିଲା ତା’ ମୁହଁଆଡ଼େ । ରତିର ଆଖି ତା’ ଆଖିରେ ମିଶି ଯିବାରୁ ସେ ତଳକୁ ମୁହଁ ପୋତିଲା । ରମେଶର ଇଚ୍ଛା ତାକୁ ଅନେକ କିଛି କହିବ, ହେଲେ ତା’ ପାଟି ଖୋଲୁନାହିଁ । କିଛି ସମୟ ନୀରବ ରହିବା ପରେ ସେ କହିଲା, ‘‘ତୁ ତାହେଲେ ମୋତେ କଥା କହିବୁ ନାହିଁ ନା, ମୁଁ ତେବେ ଯାଉଛି ।’’ ସେ ଯିବାକୁ ଉଦ୍ୟତ ହେବାରୁ ହଠାତ୍‌ ରତି କଣ୍ଠରୁ ନିର୍ଗତ ହେଲା, ‘‘ରମୁଭାଇ ।’’

 

‘ରତି’–ଭଙ୍ଗା କଣ୍ଠରେ ଏତିକି କହି ରମେଶ ତା’ ହାତକୁ ଧରି ପକାଇଲା ଓ ହାତ ପାପୁଲିରେ ବସାଇଦେଲା ଦୁଇ ତିନିଟା ଚୁମା । ତାପରେ ନୁଆଇଁ ଆଣିଲା ତା’ ଗଣ୍ଡ ଦେଶକୁ । ତା’ର ପିପାସୀ ଓଷ୍ଠ ଯୁଗଳ ଏଥର ରତିର ଗଣ୍ଡଦେଶ ଆଡ଼କୁ ଆଗେଇ ଯାଉଥିଲେ । ରତି ଝଟ୍‌କରି ଦୂରକୁ ଘୁଞ୍ଚିଗଲା ।

 

‘‘ଛି, ରମୁଭାଇ, ତମେ ଏମିତି ଦୁଷ୍ଟ ହୋଇ ଗଲଣି ।’’ ରତିର ଅତି କଅଁଳିଆ କଣ୍ଠରେ ଏଇ କ୍ଷୁଦ୍ର ବାକ୍ୟଟା ଥରି ଥରି ନିର୍ଗତ ହେଉଥିଲା ।

 

‘‘ଦୁଷ୍ଟାମିଟା କେବଳ ତୋ ପାଖରେ ରତି’’–ରମେଶର ଉତ୍ତର ।

 

‘‘ଯଦି କିଏ ଦେଖୁଥାଏ......। ନା ରମୁଭାଇ, ମତେ ଭାରି ଡର ଲାଗୁଛି । ଯେବେ କିଏ ଆସୁଥିବ କ’ଣ ଭାବିବ କହିଲ ।’’ ନିଶ୍ୱାସ ପ୍ରଶ୍ୱାସଟା ଖୁବ୍‌ ଜୋରରେ ଗତି କରୁଛି । କହିଲା ବେଳେ ସର୍ବାଙ୍ଗଟା ତା’ର ଥରି ଉଠୁଛି ।

 

‘‘ଏଇ କେତେଦିନ ଭିତରେ ତୁ ଆମ ଘରକୁ ଯିବୁ ରତି । ତା ପୂର୍ବରୁ ତୋ ସାଙ୍ଗରେ ଦି’ପଦ କଥାବାର୍ତ୍ତା ହେଲେ ତୁ କ’ଣ ପ୍ରତିବାଦ କରିବୁ ?’’

 

‘‘ଯେଉଁଠି ସିନା ଯେଉଁଟା ସୁନ୍ଦର ରମୁଭାଇ, ତମ ଘରକୁ ଗଲେ ତମ ଦୁଷ୍ଟାମିଟା ମୋ ପେଇଁ ସିନା ପବିତ୍ର ସ୍ୱର୍ଗମୁଖ, ହେଲେ ଆମ ଘରେ ଏଇଟା ମୋ’ ପେଇଁ କଳଙ୍କ ନୁହେଁ କି ?’’ ରମେଶ ରତିର ଏ କେତେ ପଦ କଥାରେ ସ୍ତବ୍‍ଧ ଚକିତ ହୋଇଗଲା । ତା’ର ଏଇ କେତେପଦ କଥା ତା’ ଦେହରୁ ସମସ୍ତ ଉତ୍ତାପ ହରଣ କରିନେଲା । ବରଫ ପରି ଶୀତଳ ପାଲଟିଗଲା ତା’ ଦେହଟା । ତଳକୁ ମୁହଁ ପୋତି ସେ ଅପରାଧୀଟି ପରି ଠିଆ ହୋଇ ରହିଲା ।

 

‘‘ଆମ ଦିହିଙ୍କର ଏପରି ମିଳାମିଶା ଦେଖିଲେ ଗାଁ ଲୋକେ କ’ଣ କହିବେ କହିଲ । ବାପା ବୋଉ କ’ଣ ଭାବିବେ କହିଲ । ତମେ କ’ଣ କହୁଛ ଗାଁ ଲୋକଙ୍କ ଟିକା ଟିପପ୍‌ଣୀ ଶୁଣି ମୁଁ ତୁମ ଘରକୁ ଯାଏଁ ।’’ ରମେଶର ଦେହ ଏଥିରେ ଆହୁରି ଶୀତଳ ପାଲଟି ଗଲା । ରତିର କଥା ଗୁଡ଼ାକ ତା’ ବିବେକରେ ବୁଲେଟ ପରି ଲାଖି ଯାଉଛି । ସେ ଯାହା କହୁଛି, ତାହା ଅକ୍ଷରେ ଅକ୍ଷରେ ସତ୍ୟ । ଏକ ଯବୁତୀ ମନର ଗଚ୍ଛିତ କେଇପଦ କଥା । ସବୁ ଯୁବତୀ ଚାହାଁନ୍ତି ତାଙ୍କର କୁମାରୀତ୍ୱ ଅକାଳରେ ଅପାତ୍ରରେ ଉତ୍ସର୍ଗ ନ ହେଉ । ତାହା ଏକ ଯୁବତୀ ମନର କରୁଣ ଭାଷା । ତା’ ଅନ୍ତରର କରୁଣ ନିବେଦନ । ରମେଶ ଝିଅ ହୋଇଥିଲେ ଆଜି ଠିକ୍‌ ଏଇକଥା କହିଥାନ୍ତା । ରତି ତ କିଛି ଭୁଲ କହିନି । ସେ ଏଥର ବୁଝିପାରିଲା । ରତିର ଆଗରେ କ୍ଷଣେ ମୁହଁ ଦେଖାଇବାକୁ ଆଉ ତା’ର ଇଚ୍ଛା ହେଲା ନାହିଁ । ଅନୁତାପ ଅନଳରେ ତା’ ହୃଦୟ ଦଗ୍‌ଧ ହେବାକୁ ଲାଗିଲା । କିଛି ସମୟ ପରେ ଭାରି କଣ୍ଠରେ ସେ କହିଲା, ‘‘ମତେ କ୍ଷମା କରିବୁ ରତି, ଭାବପ୍ରବଣତାର ବଶବର୍ତ୍ତୀ ହୋଇ ମୁଁ ଆଜି ସୀମା ପାରି ହେବାକୁ ବସିଥିଲି ।’’

 

‘‘ଛି ରମୁଭାଇ ମୁଁ କ’ଣ ତମକୁ କ୍ଷମା କରିବାର ପାତ୍ର ?’’ ଦରଦ କଣ୍ଠରେ କହୁଥିଲା ରତି-

 

‘‘ମୁଁ ତତେ ଭୁଲ ବୁଝୁନି ରତି । ବିବାହ ପୂର୍ବରୁ ପ୍ରକୃତରେ ଏ ଦୁଷ୍ଟାମି ଶୋଭା ପାଏନା । ତୁ ଦେଖିବୁ, ମୁଁ ଆଜି ଶପଥ କରୁଛି, ଆମ ବାହାଘରର ପୂର୍ବରୁ ମୋ’ର ଅନୁରୂପ ଦୁଷ୍ଟାମି ତୋ’ ପାଖରେ କେବେହେଲେ ପ୍ରକାଶ ପାଇବନି ।’’ ଏତିକି କହି ସେ ସେଠାରୁ ବାହାରି ଯାଉଥିଲା ।

 

‘‘ରମୁଭାଇ.... ।’’ ଥର ଥର କଣ୍ଠରେ ଡାକିଲା ରତି । ସ୍ୱରରେ ତା’ର ପୂରି ରହିଥିଲା ମିନତି, ଅନୁରୋଧ । ଆଖିରୁ ତା’ର ଗଡ଼ି ଆସୁଥିବା ଲୁହକୁ ନିଜ ହାତରେ ପୋଛି ଦେଇ କହିଲା, ‘‘ଆରେ ପାଗଳିଟା, ତୁ ଭାବୁଛୁ ମୁଁ ତୋ ଉପରେ ରାଗିଲି ନା.... । ମତେ ବିଶ୍ୱାସ କର ରତି, ମୁଁ ବରଂ ଆଜି ତୋ’ର ଏ ବ୍ୟବହାରରେ ଖୁବ୍‌ ଖୁସି ହେଲି । ସତରେ ରତି, ମନ୍ତ୍ରସିଦ୍ଧ ହାତଗଣ୍ଠି ପଡ଼ିବା ପୂର୍ବରୁ ଏ ସବୁ କ୍ଷମା ଶୋଭା ପାଏନା । ମୁଁ ଅପେକ୍ଷା କରିବି ରତି । ଆମର ସେଇ ଦିନଟକୁ ମୁଁ ଅପେକ୍ଷା କରିବି ।’’ ତାପରେ ସେ ଝଟକିନା ଘରୁ ବାହାରି ଚାଲିଗଲା ।

 

ରତି ଏଥର ଗୋଲାପ ଫୁଲଟାକୁ ତା’ ଗଭାରୁ ଆଣିଲା । ନୀରବରେ ଫୁଲଟାକୁ ଅନେକ ଦେଖିଲା । ପରେ ତାକୁ କପାଳରେ ଲଗାଇ ପୁଣି ଗଭାରେ ଖୋସିଲା । ମନେ ମନେ ତା’ର ଅନେକ ଭାବନା ଜାଗି ଉଠିଲା । ପର ମୁହୂର୍ତ୍ତରେ ଭାବିଲା, ରମୁଭାଇ ନିଶ୍ଚୟ ତା ଉପରେ ରାଗିଛନ୍ତି । ପୁଣି ଚିନ୍ତା କଲା–ସେ କଣ ପକତରେ କିଛି ଭୁଲ କରିଛି ? ରମୁ ଭାଇଙ୍କୁ ଅନୁରୂପ କାର୍ଯ୍ୟରୁ କ୍ଷାନ୍ତ କରି ସେ କ’ଣ ଠିକ୍‌ କରି ନାହିଁ ? ଗାଁ ଗହଳରେ ଝିଅ ହିସାବରେ, ସୁନାପରି ମା’ଙ୍କର ଝିଅ ହୋଇ ସେ ତା’ର କର୍ତ୍ତବ୍ୟ ପାଳନ କରିନାହିଁ ? ଯୁବତୀ ସେ । ଅଖଣ୍ଡ ଯୌବନ ତା’ର ସମ୍ପତ୍ତି । ବିବାହ ପୂର୍ବରୁ ସେ ତା’ର ସଞ୍ଚିତ ମଧୁତକ ଏମିତି ଉଜାଡ଼ି ଦେବ କାହିଁକି । ବିବାହ ପରେ ସେ ସବୁତ ପୁଣି ରମୁଭାଇଙ୍କର । ତା’ର ଏ ଦେହଟାକୁ ସେ ଆଉ କାହାପାଇଁ ସଜାଡ଼ି ରଖୁଛି-? ସେ ଦିନର ବେଦମନ୍ତ୍ର ଧ୍ୱନି ପରେ ହାତଗଣ୍ଠିର ପିବତ୍ର ସ୍ପର୍ଶ । ଇନ୍ଦ୍ର, ବରୁଣ, ଅଗ୍ନିଙ୍କ ସମ୍ମୁଖରେ ସେମାନେ ସେଥିପାଇଁ ଅନୁମତି ପାଇବେ । ତାପରେ ସେ ତା’ର ସଞ୍ଚିତ ଯଉବନ ପୁଷ୍ପକୁ ଅର୍ଘ୍ୟରୂପେ ବାଢ଼ିଦେବ ରମୁଭାଇଙ୍କ ପାଦତଳେ । ସେଇ ତ ତା’ର ଇହକାଳ ପରକାଳର ଦେବତା-

 

ରମେଶ ରତି ପାଖରୁ ଫେରି ତା’ର ଶୀତଳ ଶରୀରଟାକୁ ଲୋଟାଇ ଦେଲା ନିଜ ପଲଙ୍କ ଉପରେ । ରତିର ବ୍ୟବହାର ଆଜି ତାକୁ ଚମତ୍କୃତ କରିଛି । ତା’ର କେଇପଦ କଥା ଆଜି ତା’ର ଆଖି ଖୋଲି ଦେଇଛି । ଏକ ସରଳା ପଲ୍ଲୀବାଳା ହିସାବରେ ସେ ତା’ର କର୍ତ୍ତବ୍ୟ ଠିକ୍‌ ପାଳନ କରିଛି । ତା’ର ଖସିଯାଉଥିବା ପାଦକୁ ସେ ଅଟକାଇ ନେଇଛି । ସତରେ ସେ କେଡ଼େ ବୁଦ୍ଧିମତୀ । ବିବାହର ପବିତ୍ର ବନ୍ଧନ ପୂର୍ବରୁ ଯୌବନର ଭାବ ପ୍ରବଣତା ଅଶୋଭନୀୟ । ଆଜି ଏ କଥା ରତି ତାକୁ ବେଶ୍‌ ବୁଝାଇପାରିଛି । ତା’ ବ୍ୟତୀତ ସେ ତ ଆଉ କାହାର ହୋଇପାରେନା । କାଲିଛାଡ଼ି ପଅର ଦିନ ସେ ତ ପୁଣି ତାଙ୍କ ଘରକୁ ଆସିବ । ତାପରେ......। ଆଉ ସେ ଭାବିପାରିଲାନି । ରତି ପ୍ରତି ପ୍ରଶଂସାରେ ତା’ ମନ ଭରି ଉଠିଲା । ପୂର୍ବାପେକ୍ଷା ତା’ ପ୍ରତି ତା’ର ଆସକ୍ତି ଶତଗୁଣିତ ହେଲା । ଅନେକ ଦୂରର ରତି ଯେମିତି ତା’ର ଆହୁରି ନିକଟକୁ ଚାଲିଆସିଲା ।

 

କିଛିଦିନ ପରେ ରମେଶର ଛୁଟି ସରିଆସିଲା । ଏଥର ସେ ପୁରୀ ଚାଲିଯିବ । ଯିବା ପୂର୍ବରୁ ସେ ରତିକୁ ଦେଖାକରି ଯିବାକୁ ଇଚ୍ଛା କଲା ହେଲେ ଯିବ କି ନାହିଁ ଠିକ୍‌ କରିପାରିଲା ନାହିଁ । ଯିବାଟା ତାର ଭୁଲ ହେବ ନାହିଁ–ମନ ତା’ର ପ୍ରଶ୍ନ କରୁଥିଲା । ବିବେକ କିନ୍ତୁ କହୁଥିଲା, କାହିଁକି ? ସେ ତ ତା’ର ବାଗ୍‌ଦତ୍ତା । ତା’ର କ’ଣ ରତି ଉପରେ କୌଣସି ଅଧିକାର ନାହିଁ ? ସେଇ ଅଧିକାର ନେଇ ସେ ତା’ ପାଖକୁ ଯିବ । ତାପରେ ଦେଖାକରି ନ ଗଲେ ରତି ହୁଏତ ନ ଦୁଃଖ କରିବ । ସେ ହୁଏତ ମନେ କରିବ, ରମୁଭାଇ ତା’ ଉପରେ ରାଗିକରି ଚାଲିଗଲେ । ଶେଷରେ ବିବେକର ହିଁ ଜୟ ହେଲା । ଏଥର ସେ ଚାଲିଲା ଦୁଃଖିଦାଦିଙ୍କ ଘର ଆଡ଼େ । ସିଧା ଯାଇ ପହଞ୍ଚିଲା ସେ ରତି ପାଖରେ । ତାଙ୍କ ପଲଙ୍କ ଉପରେ ବସି ସେ କ’ଣ ଗୋଟାଏ ବୁଣୁ ଥିଲା । ତାକୁ ଦେଖି ସେ ଠିଆ ହୋଇଗଲା ।

 

ରମେଶ ସିଧା କଥା ଆରମ୍ଭ କଲା, ‘‘ମୁଁ ଆଜି ପୁରୀ ଚାଲିଯାଉଛି ରତି ।’’

Unknown

 

‘‘ଆଜି...’’ । ରତି ମୁଣ୍ଡରେ ଯେମିତି ବଜ୍ର ପଡ଼ିଲା । ‘‘ଛୁଟି କ’ଣ ଏଡ଼େ ବେଗି ସରିଗଲାଣି ?’’

 

‘‘ହଁ ରତି, ଛୁଟି ଆଜି ସରୁଛି । ମୁଁ କାଲି ଯାଇ କ୍ଳାସ କରିବି । ପୁଣି ଅଳ୍ପଦିନ ପରେ ହୁଏତ ଗାଁକୁ ଆସିବି ।’’

 

‘‘ରମୁଭାଇ’’...ରତି ଆଖିରେ ଲୁହ ।

 

‘‘ଛି ରତି, ତୁ କାନ୍ଦୁଛୁ ?’’ ତା ଆଖିରୁ ଲୁହ ପୋଛି ଦେଲା । ‘‘ହଁ ଚିଠି ନିଶ୍ଚୟ ଲେଖିବୁ । ବୋଉର ଦେହ ପା’ପ୍ରତି ନିଘା ରଖିଥିବୁ ।’’ ରମୁ ଏଥର ବାହାରି ଯାଉଥିଲା ।

 

‘‘ଟିକିଏ ଶୁଣ ରମୁଭାଇ ।’’ ରତି ଡାକରେ ରମୁ ଠିଆ ହେଲା । ରତି । ତା ବାକ୍‌ସରୁ ବାହାର କଲା ଗୋଟାଏ ରୁମାଲ । ସୁନ୍ଦର ଧଳା କନାରେ ତିଆରି ଏଇ ରୁମାଲରେ ଏକ ଫୁଟନ୍ତା ଗୋଲାପ ବୁଣା ଯାଇଛି । ବଡ଼ ଚମତ୍କାର ଦେଖାଯାଉଛି ସତରେ । ରୁମାଲଟିକୁ ସେ ବଢ଼େଇ ଦେଲା ରମୁଭାଇଙ୍କ ହାତକୁ । ରମେଶ ଦେଖିଲା, ଭାରି ସୁନ୍ଦର ଦିଶୁଛି ଗୋଲାପଟା । ସତରେ ଯେମିତି ଗଛ ଡାଳରେ ଫୁଟି ମହକ ବିତରଣ କରୁଛି ।

 

‘‘ତତେ ତ ଏବେ ଖୁବ୍‌ ସୁନ୍ଦର ବୁଣି ଆସୁଛି ରତି । ଗୋଲାପଟା ଯେମିତି ସାଙ୍ଗେ ସାଙ୍ଗେ ବଗିଚାରୁ ତୋଳା ହେଇ ଆସିଛି ।’’ ରୁମାଲଟାର ଢେର ପ୍ରଶଂସା କଲା ରମେଶ । ତାକୁ ଚଉତେଇ କରି ପକେଟରେ ରଖୁ ରଖୁ କହିଲା, ‘‘ତୋ’ ରୁମାଲକୁ କେବେ ମୁଁ ଭୁଲିବିନି ରତି । ତୁ ଦେଖିବୁ, ସେଇଟା ସବୁବେଳେ ଠିକ୍‌ ମୋ’ ପକେଟରେ ରହିଥିବ ।’’ ତାପରେ ସେ ଘରୁ ବାହାରି ଚାଲିଗଲା ।

 

ରତିକୁ ଆଜି ଭାରି ଖୁସି ଲାଗିଲା । ତା’ ହାତ ତିଆରି ପ୍ରଥମ ରୁମାଲଟିକୁ ଆଜି ରମୁଭାଇ ଗ୍ରହଣ କରିଛନ୍ତି । ବଡ଼ ଭାଗ୍ୟ ଏକ ତା’ର । ତା’ରି ରମୁଭାଇ । କେଡ଼େ ସୁଠାମ ଚେହେରା । କେଡ଼େ ରୁଚିପୂର୍ଣ୍ଣ ବ୍ୟବହାର ! କାଲି ହେବ ସେ ତାଙ୍କରି ଦାସୀ । ତାଙ୍କରି ପାଦତଳେ ବସି ଏମିତି ସହସ୍ର ରୁମାଲ ସେ ବୁଣିଯିବ । ତାଙ୍କର ସେବାରେ ବିତିଯିବ ତା’ ଜୀବନ । ଠାକୁରେ ତାଙ୍କୁ ଭଲରେ ରଖନ୍ତୁ । ସଂଜବେଳ ଗଡ଼ି ଯାଉଥିଲା । ଚଉଁରା ମୂଳେ ସଂଜବତୀ ଥୋଇ ସେ ମୁଣ୍ଡିଆମାରି ରମୁଭାଇଙ୍କର ଶୁଭ ମନାସିଲା । ‘‘ମା ବୃନ୍ଦାବତୀ, ମୋ ରମୁଭାଇଙ୍କୁ କୁଶଳରେ ରଖିଥାଅ । ସବୁ ଦୁଃଖ ମତେ ଦେଇ ତାଙ୍କୁ ସଦା ସୁଖରେ ରଖିଥାଅ । ତାଙ୍କ ଚଲା ପଥରେ ସବୁବେଳେ ପଦ୍ମ ଫୁଟି ଉଠୁ ।’’

 

ରମେଶ ଗାଁରୁ ଫେରି ପଢ଼ାପଢ଼ିରେ ମନୋନିବେଶ କରିଛି । ପରୀକ୍ଷାଟା ଆଉ ଖୁବ୍‌ କମ୍‌ଦିନ ରହିଲା । ପୂର୍ବରୁ ତା ପଢ଼ାପଢ଼ିରେ ଅନେକ ଖଇଚା ହେଇଛି । ତେଣୁ ଏବେଠାରୁ ପରୀକ୍ଷା ପାଇଁ ସେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି । ଗତବର୍ଷ ତାର ପରୀକ୍ଷା ଫଳ ସେତେ ଭଲ ହୋଇ ନ ଥିଲା । ତେଣୁ ଏ ବର୍ଷ କୌଣସିମତେ ତାକୁ ଭଲ ଫଳ କରିବାକୁ ହେବ । ସେଥିପାଇଁ ସେ ପରୀକ୍ଷାର ଅନେକ ଦିନ ଆଗରୁ ପରୀକ୍ଷା ବିଷୟରେ ଚିନ୍ତା କରିଛି ଓ ତଦନୁସାରେ ପରିଶ୍ରମ କରୁଛି । ପ୍ରତ୍ୟହ ସକାଳ ସଞ୍ଜରେ ନିୟମିତ ପଢୁଛି ଓ ରାତି ତିନିଟାରେ ଉଠି ବିଭିନ୍ନ ବିଷୟରେ ନୋଟ୍‌ ଲେଖୁଛି । ଏବେ ତା’ର ସିନେମା ଥିଏଟର ଦେଖା ଅନେକ ପରିମାଣରେ କମିଗଲାଣି । ରମାକାନ୍ତର ଅନୁପସ୍ଥିତି ତାକୁ ସେ ଦିଗ ପ୍ରତି ଅନେକଟା ବିମୁଖ କରିଛି ।

 

ଶୀତ ଦିନର ଶିଶିର ପୂର୍ଣ୍ଣ ସକାଳ । ବାହାରେ ଘଞ୍ଚ କୁଜ୍‌ଝଟିକା ସୂର୍ଯ୍ୟ କିରଣକୁ ଢାଙ୍କି ରଖିଛି । ଚାରିଆଡ଼େ ଗୋଟାଏ ଧୂଆଁଳିଆ ପରିବେଶ । ରାସ୍ତା ଗୁଡ଼ାକରେ କାକର ପଡ଼ି ସତେ ଯେମିତି ଧୋଇ ହୋଇ ଯାଇଛି । ଘନ କହୁଡ଼ି ଯୋଗୁଁ ଦୂର ଜିନିଷ ଆଦୌ ଦେଖା ଯାଉନାହିଁ । ପାଖ ଜିନିଷ ବି ସେତେଟା ସ୍ପଷ୍ଟ ହେଉନାହିଁ । ବାହାରେ ସେତେ ଲୋକବାକ ଯିବା ଆସିବା ନାହିଁ । ପ୍ରବଳ ଥଣ୍ଡା, ଘୋଡ଼ି ଘାଡ଼ି ହୋଇ ଶେଜଉପରେ ପଡ଼ି ରହିବାକୁ ଇଚ୍ଛା । ରମେଶ କିନ୍ତୁ ଅନେକ ରାତିରୁ ଉଠି ପଢ଼ା ପ୍ରସ୍ତୁତ କରି ଚାଲିଛି । ଟେବୁଲ ଉପରେ ଗଦାଗଦା ବହି । ଗୋଟାଏ ପାଖରେ ଲାଇବ୍ରେରୀରୁ ଅଣାଯାଇଥିବା କେତେଖଣ୍ଡ ଅର୍ଥନୀତି ପୁସ୍ତକ ଓ ପତ୍ରିକା, ଆର ପାଖରେ ଖାତାପତ୍ର ଓ ନିଜର ଅନେକ ପୁସ୍ତକ । ମଝିରେ ଅଷ୍ଟବକ୍ର ଟେବୁଲ ଲାଇଟ୍‌ଟା ବହି ଉପରେ ଫୋକ୍‌ସ୍‌ ପକାଉଛି । ବାମ ଓ ଡାହାଣ ଉଭୟ ପାଖେ ଚାରିପାଞ୍ଚଖଣ୍ଡ ବହି ଖୋଲା ହୋଇ ତା ଉପରେ ତା ଉପରେ ରଖାଯାଇଛି । ଅନେକ ଚିନ୍ତା କରି ସେ ତା ଖାତାରେ ଲେଖିଚାଲିଛି ନୋଟ୍‌ ।

 

କ୍ରମେ ରାସ୍ତା ସ୍ପଷ୍ଟରୁ ସ୍ପଷ୍ଟତର ହେଉଛି । କୁହୁଡ଼ି ରାଶି ମଧ୍ୟରେ ଜୋରକରି ସୂର୍ଯ୍ୟ ଦେବ ତାଙ୍କ କିରଣକୁ ଭର୍ତ୍ତିକରି ଏ ଧରା ଉପରେ ପକାଇବାରେ ବ୍ୟସ୍ତ । କୁହୁଡ଼ି କ୍ରମେ କ୍ରମେ ମିଳେଇ ଯାଉଛି । ବାହାର ରାସ୍ତାରେ କେତେ ଜଣ ଲୋକ କଥାବାର୍ତ୍ତା ହୋଇ ଆଗକୁ ମାଡ଼ି ଚାଲିଛନ୍ତି । ଦି’ଟା ଛୋଟପିଲା ଛାତି ଉପରେ ହାତ ଦିଟାକୁ ଛକି ପକେଇ ଚାଲିଛନ୍ତି ଦୁଗଧ୍‌ ଯୋଗାଣ କେନ୍ଦ୍ରଆଡ଼େ । ଘଡ଼ିକେ ପହଡ଼କେ କେତେଟା ରିକ୍‌ସା ଟଣଟଣ ଘଣ୍ଟି ବଜେଇ ଚାଲି ଯାଉଛନ୍ତି । ଆଉ ଟିକକ ପରେ ଲୋକାଲ୍‌ ଗାଡ଼ିଟା ଲାଗିବ, ସେଥିପାଇଁ ଜାଡ଼ରେ ଥୁରୁ ଥୁରୁ ହୋଇ ଧାଇଁଛନ୍ତି ଷ୍ଟେସନ ଆଡ଼େ । କାଳେ କିଛି ଦୀର୍ଘପଥର ଗୋଟାଏ ଭଡ଼ା ମିଳିଯାଇପାରେ । ରମେଶ ଝରକା ବାଟେ ବାହାରକୁ ଚାହିଁଲା, କ୍ରମେ ଆକାଶ ସଫା ଦେଖାଗଲାଣି । ଘଣ୍ଟାକୁ ଚାହିଁ ଦେଖିଲା ଆଠଟା ବାଜିବ । ଏତିକି ବେଳେ ବାହାରୁ କିଏ ଜଞ୍ଜିର ଖଡ଼ଖଡ଼ କଲା । ଏତେ ସକାଳୁ କିଏ ଡାକୁଛି ସେ ଅନୁମାନ କରି ପାରିଲା ନାହିଁ । ଚଉକିଟାକୁ ପଛକୁ ପେଲିଦେଇ ପଢ଼ା ଟେବୁଲ ପାଖରୁ ଉଠି ପଡ଼ିଲା । ବାହାର କବାଟ ଫିଟେଇ ଦେଖେତ ଠିଆ ହୋଇଛି ସତିଆ । ଗୋଟାଏ ଜୁହାର ପକେଇ କହିଲା, ‘‘ମା ମତେ ପଠେଇଛନ୍ତି ଆପଣଙ୍କୁ ଡାକି ନବାକୁ । ଆପଣ ଟିକିଏ ମୋ’ ସାଥୀରେ ଆସନ୍ତୁ-।’’

 

ରମେଶ ପଚାରିଲା, ‘‘କଣ ଏଇ ସାଙ୍ଗେ ସାଙ୍ଗେ ?’’

 

‘‘ହଁ ବାବୁ, ଏଇ ସାଙ୍ଗେ ସାଙ୍ଗେ ।’’

 

‘‘ଆଚ୍ଛା ତୁ ଚାଲ । ମୁଁ ତୋ’ ପଛେ ପଛେ ଯାଉଛି’’–କହି ସେ ପେଣ୍ଟ ପିନ୍ଧିବାକୁ ଗଲା । ସତିଆ ଏଥର କବାଟ ଆଉଜାଇ ଦେଇ ଚାଲିଲା ହେରା ଗୌରୀସାହୀ ଆଡ଼େ । ରମାକାନ୍ତ ଘରର ଚାକର ସେ । ହୀରାଦେବୀ ତାକୁ ରମେଶକୁ ଡାକି ନେବାପାଇଁ ପଠେଇଥିଲେ ।

 

ରମେଶ ତରବରରେ ପ୍ୟାଣ୍ଟସାର୍ଟ ଦିଖଣ୍ଡ ଗଳେଇ ଦେଇ ଚାଲିଲା ହୀରାମହଲ ଆଡ଼େ-। ହୀରାଦେବୀ ଥିଲେ ଶଯ୍ୟାଶାୟୀ । ସେ ପ୍ରଣାମ ଜଣେଇ ପାଖରେ ବସିଲା । ଏଇ କେତେଦିନ ହେଲା ତାଙ୍କର ଦେହ ଖରାପ ଅଛି, ଏବେ ମଝିରେ ମଝିରେ ତାଙ୍କର ଦେହ ବରାବର ଏମିତି ଖରାପ ହେଉଛି । ରମେଶ ନିଜକୁ ବଡ଼ ଅପରାଧୀ ମଣିଲା । ରମାକାନ୍ତ ବୁର୍ଲା ଯିବାବେଳେ ତାକୁ କହି ଯାଇଥିଲା, ‘‘ରମେଶ ବୋଉର ଟିକେ ଖବର ନେଉଥିବୁ ’’ ହେଲେ ଏହା ଭିତରେ ପ୍ରାୟ ଦୁଇତିନି ମାସ ହେଲା ସେ ହୀରାମହଲ ଆଡ଼େ ଆସିନାହିଁ । ହୀରାଦେବୀ ତାକୁ ଠିକ୍‌ ନିଜର ରମୁପରି ଦେଖନ୍ତି ହେଲେ ତାଙ୍କରି ଦେହ ଖରାପ ବେଳେ ସେ ଟିକିଏ ସାହାଯ୍ୟ କରି ପାରିଲାନାହିଁ-। ସେ ଏକଥା ଯେତିକି ଭାବିଲା ତା’ ମନରେ ଅନୁପାତ ସେତିକି ଆସିଲା । ତଳକୁ ମୁହଁ ପୋତି ସେ କହିଲା, ‘‘ମତେ କ୍ଷମା କରିବ ମାଉସୀ । ପରୀକ୍ଷା ପାଇଁ ଟିକିଏ ବ୍ୟସ୍ତଥିଲି ଆପଣଙ୍କ ଦେହ ଖରାପବୋଲି ଆଦୌ ଜାଣିନାହିଁ ।’’

 

‘‘ନମସ୍କାର ରମେଶ ବାବୁ ଆପଣ ସତରେ ଆମକୁ ଏକବାର ଭୁଲିଗଲେ । ଭାଇ ବୁର୍ଲା ଗଲାପରେ ଆପଣଙ୍କର ଦେଖାନାହିଁ । ହଁ, ଭାଇ ଥିଲେବୋଲି ସିନା ଆସୁଥିଲେ, ଆଉ ଏଣିକି କାହିଁକି ଆସିବେ ? ଆଉ ବା ଆପଣଙ୍କର ଏଠି କିଏ ଅଛି ?’’ ଚା’ କପଟା ରଖିସାରି ଏକାବେଳକେ ଏତେ ଗୁଡ଼ାଏ କଥା କହିଗଲା ରୀନା । ରମେଶ ନିଜକୁ ଆହୁରି ଅପରାଧୀ ମଣିଲା । ଉପରକୁ ମୁହଁ ଟେକି ଅନେଇ ପାରିଲା ନାହିଁ । ପ୍ରକୃତରେ ସେ କିଛି ଭଲ କରିନି । ରମାକାନ୍ତ ବୁର୍ଲା ଯିବାପରେ ସେ ହୀରମହଲକୁ ଏକ ପ୍ରକାର ଭୁଲି ଯାଇଛି ।

 

‘‘ଆରେ ଆପଣଙ୍କ ଚା’ଟା ଥଣ୍ଡା ହୋଇଗଲା ଯେ’’–ପୁଣି ଥରେ ରୀନା ତାର ଉପସ୍ଥିତି ବିଷୟରେ ସୂଚେଇ ଦେଲା । ସେ ଏଥର ଅତି ସନ୍ତର୍ପଣରେ ଚା’ କପ୍‌ରେ ଚୁମୁକ ଦେବାରେ ଲାଗିଲା ।

 

‘‘ସତରେ ରୀନା, ମତେ ବିଶ୍ୱାସ କର, ମାଉସୀଙ୍କ ଦେହ ଖରାପ କଥା ମୁଁ ଆଦୌ ଜାଣେନା’’–ରମେଶର କରୁଣ କୈଫିୟତ ।

 

‘‘ଆରେ ମୁଁ ଆପଣଙ୍କୁ ଅବିଶ୍ୱାସ କଲି କେତେବେଳେ ?’’ ରୀନାର ଏ ପଦକରେ ରମେଶ ଆହୁରି ଲାଜରା ହେଲା । ହୀରାଦେବୀ ଏଥର ତୁଣ୍ଡ ଖୋଲିଲେ–ଥାଉ ମ ବାପ, ସେ ହୁଣ୍ଡୀଟା କଥା କାହିଁକି ଶୁଣୁଛ ?

 

‘‘ତମେ ଏଥର ନିଶ୍ଚିନ୍ତ ରୁହ ମାଉସୀ, ତମ ଦେହ ଭଲ ହେବା ପର୍ଯ୍ୟନ୍ତ ମୁଁ ସବୁଦିନ ଆସୁଥିବି,’’ ତାପରେ ସେ ଡାକ୍ତରଙ୍କ ପ୍ରେସକ୍ରିପ୍‌ସନ ଗୁଡ଼ାକ ଦେଖିଲା ଓ ସାଙ୍ଗେ ସାଙ୍ଗେ ସାଇକେଲ ନେଇ ବଜାରରୁ ଔଷଧ ଗୁଡ଼ାକ କିଣି ଆଣିଲା । କେମିତି କେତେବେଳେ ଖାଇବାକୁ ହେବ, ତାହା ରୀନାକୁ ବତେଇ ଦେଇଗଲା । ଏହିପରି ତିନିଦିନ ପର୍ଯ୍ୟନ୍ତ ସେ ହୀରାଦେବୀଙ୍କର ସେବାରେ ଲାଗି ରହିଲା । ସକାଳେ ସଂଜେ ଆସି ତାଙ୍କର ସମସ୍ତ ଖବର ବୁଝିଲା । କ୍ରମେ କ୍ରମେ ହୀରାଦେବୀ ସୁସ୍ଥ ହେବାକୁ ଆରମ୍ଭ କଲେ ।

 

ସେଦିନ ରାତିରେ ଆସିଥିଲା ରମେଶ । ଔଷଧ ଗୁଡ଼ାକ ଠିକ୍‌ଠିକ୍‌ ଦିଆଯାଇଛି କି ନାହିଁ ରୀନାକୁ ପଚାରିଲା । ସେ ସବୁ ଔଷଧ ଠିକ୍‌ଠିକ୍‌ ଦେଇଛି । ଏବେ କେତେଦିନ ହେଲା ସେ ବୋଉଙ୍କ ଲାଗି କଲେଜ ଯାଇନାହିଁ, କଲେଜ ନଯାଇ ସେ ଖୁବ୍‌ ଦୁଃଖିତ । କ୍ଳାସରେ ଅନେକ ପାଠପଢ଼ା ହୋଇ ଯାଉଛି, ସେ ବହୁତ ପଛରେ ପଡ଼ିଯିବ । ଏଣେ କିନ୍ତୁ ଘରେ ନରହିଲେ ନଚଳେ । ରମାକାନ୍ତ ବୁର୍ଲା ଗଲାଦିନୁ ସେ ଆଉ ସେତେ ବାହାରକୁ ଯାଇପାରୁନାହିଁ । ଅନେକ ଘରକାମ ତାକୁ କରିବାକୁ ହେଉଛି । ଭାଇଙ୍କର ଏକାଜିଦ୍‌ ସେ ଡାକ୍ତରି ପଢ଼ିବେ । ବାପା ତାଙ୍କର ଅକାଳରେ ବିଦାୟ ନେଲେ, ବୋଉ ମଧ୍ୟ ଅନେକ ସମୟରେ ଶଯ୍ୟାଶାୟୀ ରହୁଛି । ତେଣୁ ସେ ଡାକ୍ତର ହୋଇ ଏହାର ଗୋଟାଏ ପ୍ରତିକାର କରିବ । ବୋଉଙ୍କୁ ଆଉ ଅନେକ ଦିନ ବଞ୍ଚେଇ ପାରିବ । ବୋଉ ଯେତେ ମନା କଲେବି ସେ ମାନିବାକୁ ନାରାଜ । ଏତେବଡ଼ ଘରଟାରେ ଆଉ କେହିନାହିଁ । ସେ ବୁର୍ଲା ଚାଲିଗଲେ ସେମାନେ କେମିତି ଚଳିବେ ବୋଲି ସେଦିନ ହୀରାଦେବୀ ପ୍ରଶ୍ନ କରିଥିଲେ । ସେ କହିଥିଲା–ସେ କ’ଣ ମଝିରେ ମଝିରେ ଆସିବନି । ତା’ ଛଡ଼ା ରମେଶ ବି ରହିଛି, ସେ କ’ଣ ସେମାନଙ୍କର ଖବର ନେବନି ।

 

ରୀନା ଆଜିକାଲି ପଢ଼ାପଢ଼ିରେ ଅନେକ ପଛେଇ ଗଲାଣି । ଘରକାମ କରିବାରେ ସେ ଅନେକ ସମୟ କଟାଉଛି । ଫଳରେ ପଢ଼ାପଢ଼ିରେ ତା’ର ଖୁବ୍‌ ଖଇଚା ହେଉଛି । ହୀରାଦେବୀ ଏକଥା ଜାଣିଲେ ବି କିଛି କରି ପାରୁନାହାନ୍ତି । ସେ କ୍ଳାସରେ କିଛି ବୁଝି ପାରୁନି । ରମେଶଠାରୁ କିଛି ପାଠ ବୁଝିବାକୁ ସେ ଅନେକ ଥର ଭାବିଲାଣି । ହେଲେ ସେ ଏବେ ତାଙ୍କ ଘରକୁ ଆସୁନି, ଆଜି ରମେଶ ଡାକ୍ତରଙ୍କୁ ଡାକିଆଣି ମାଉସୀଙ୍କୁ ପରୀକ୍ଷା କରେଇ ନେଲା । ଡାକ୍ତରଙ୍କୁ ବିଦାକରି ଦେଇ ଆସି ତାଙ୍କ ପାଖରେ ବସିଲା । ‘‘ବୁଝିଲ ମାଉସୀ, ଏଥର ତମେ ପ୍ରାୟ ଭଲ ହୋଇଗଲଣି ।’’ ରମେଶ କଥାରେ ହୀରାଦେବୀ କହିଲେ, ‘‘ହଁ ବାପ ତମେ ମୋ’ ପାଇଁ ବହୁତ ପରିଶ୍ରମ କଲ । ତମେ ଲାଗି ନ ଥିଲେ ମୁଁ କ’ଣ ବଞ୍ଚିଥାନ୍ତି ଏଥର ?’’

 

‘‘ଛି ମାଉସୀ, ସେ କଥା କହନ୍ତି ? ମୁଁ ଆପଣଙ୍କର କ’ଣଟା ବା କରିଛି । ମୁଁ କ’ଣ ଆପଣଙ୍କର ରମୁ ନୁହେଁ ? ରମେଶର ଏଇ କେତେ ପଦରେ ହୀରାଦେବୀ ଆହୁରି ସୁସ୍ଥହୋଇ ଉଠିଲେ । ତାଙ୍କ ଦେହ ଯେମିତି ସଂପୂର୍ଣ୍ଣ ଆରୋଗ୍ୟ ହୋଇଗଲା । ଛାତି ଭିତରର ସମସ୍ତ ବାତ୍ସଲ୍ୟ ସ୍ନେହ ଉଛୁଳି ଉଠିଲା । ଛଳ ଛଳ ନୟନରେ ରମେଶ ଆଡ଼େ ଚାହିଁ ବାଁ ହାତ ପାପୁଲିରେ ତା’ମୁଣ୍ଡକୁ ଆଉଁସିବାକୁ ଲାଗିଲେ ।

 

ଏଥର ରମେଶ ଉଠିଲା । ‘‘ମୁଁ ଯାଉଛି ମାଉସୀ, ପୁଣି କାଲି ଆସିବି ।’’ ରୀନା କହିଲା, ‘‘ଏଇଲେ ଆପଣ ଯାଇ କ’ଣ ପଢ଼ିବେ ? ସେକେଣ୍ଡଇୟର ପାଇଁ ଆପଣ କ’ଣ ଏତେଟା ସିରିୟସ ହେଉଛନ୍ତି ମ ।’’ ପଢ଼ା ପ୍ରତି ତା’ର ଏତେଟା ସିରିୟସ ହେବା ସେ ଯେମିତି ପସନ୍ଦ କରି ପାରୁ ନଥିଲା ।

 

‘‘ହଁ ସେକେଣ୍ଡଇୟର ହେଲେ କ’ଣ ହେଲା ? ପରୀକ୍ଷାରେ ତ ପୁଣି ଭଲ କରିବାକୁ ହେବ ।’’ ରମେଶର ଉତ୍ତର ।

 

ଆପଣ ସିନା ପରୀକ୍ଷାରେ ଭଲ କରିବାରେ କଥା ଚିନ୍ତା କରୁଛନ୍ତି, ହେଲେ ମୁଁ କିନ୍ତୁ ଏବର୍ଷ ଫେଲ ହେଉଚି ନିଶ୍ଚୟ । କ୍ଳାସରେ ତ କିଛି ବୁଝି ପାରୁନି । ତାପରେ ଅନେକ ଦିନ ହେଲା ତ କଲେଜ ଯାଇନି । ପରୀକ୍ଷାରେ ବ୍ଳାଙ୍କ ପେପର ଦେବିନି ଆଉ କ’ଣ କରିବି ?’’ ତା’ କଥା ଶୁଣି ରମେଶ କହିଲା, ‘‘କ୍ଳାସରେ ବୁଝି ପାରୁନ...? କେଉଁଟା ବୁଝି ପାରୁନ ?’’

 

‘‘ଏକୋନୋମିକ୍‌ସର ଲ’ ଗୁଡ଼ାକ ଯମା ବୁଝି ହେଉନି ।’’ ରମେଶ ରୀନା କଥାରେ ସାମାନ୍ୟ ହସିଲା । ପରେ ପରେ କହିଲା, ‘‘ସେଗୁଡ଼ାକ ତ ଭାରି ସହଜ, ଭାରି ଇଣ୍ଟରେଷ୍ଟିଂ ମଧ୍ୟ ।’’

 

‘‘ଆପଣଙ୍କୁ ସିନା ସହଜ । ହେଲେ ମତେ....ଆପଣ ମତେ ଟିକେ ସେଗୁଡ଼ାକ ବୁଝେଇ ଦେବେ ?’’

 

‘‘ହଁ ବୁଝେଇ ଦେବି । ସେଗୁଡ଼ାକ ତମେ ଥରେ ବୁଝିଗଲେ ଦେଖିବ କେମିତି ଇଣ୍ଟରେଷ୍ଟିଂ ପାଠ ।’’

 

‘‘ତାହେଲେ ଆସନ୍ତୁ ଏଇଲେ ଟିକିଏ ବୁଝେଇ ଦେବେ ।’’

 

‘‘ଏଇଲେ........।’’ ରମେଶ ଟିକିଏ ଇତସ୍ତତ ହେଲା ।

 

‘‘ହଁ, ମୁଁ ଜାଣେ ପରା । ଏମିତି ବୁଝେଇ ଦେବେ ବୁଝେଇ ଦେବେ କହି ଆମର ପରୀକ୍ଷା ସରିଯିବ । ରୀନାର ମନ୍ତବ୍ୟରେ ରମେଶ ଟିକିଏ ଅପମାନିତ ବୋଧ କଲା । ତେଣୁ ପରମୁହୂର୍ତ୍ତରେ କହିଲା, ‘‘ଆଛା ଚାଲ ଏଇଲେ ବୁଝେଇ ଦେବି ।’’

 

‘‘ଆସନ୍ତୁ ମୋ’’ ଷ୍ଟଡ଼ିରୁମ୍‌କୁ ।’’

 

ଆଗପଛ ହୋଇ ଦୁହେଁ ରୀନାର ଷ୍ଟଡ଼ି ରୁମ୍‌ରେ ପଶିଲେ । ଏକ ସୁସଜ୍ଜିତ କକ୍ଷ । କାନ୍ଥର ଦି’ଫୁଟିଆ ବାର ଲାଇଟ୍‌ଟା ଘରଟା ସାରା ଆଲୋକ ଛିଞ୍ଚାଡ଼ି ପକାଇଛି । ନୀଳରଙ୍ଗର କାନ୍ଥ ଉପରେ ଝୁଲୁଛି କେତେକ ଫଟୋ । ତା’ ମଧ୍ୟରୁ ଗୋଟାଏ ପୂର୍ଣ୍ଣାବୟବ ଫଟୋଗ୍ରାଫ ରୀନାର । ଦେହରେ ଚିପା ସେରଔାନି ସାଙ୍ଗକୁ ଶ୍ୱେତ ବର୍ଣ୍ଣଯୁକ୍ତ ଛାପିଛାପିକା ପଞ୍ଜାବୀ । କେତେଟା କେଶ ଫୁରୁଫୁରୁ ହୋଇ ଉଡ଼ିଆସି ଆଖିପତାର ଉପର ସୀମାରେ ପତିତ । ବାମ ଗୋଡ଼କୁ ଟିକିଏ ନଇଁଦେଇ ଅଣ୍ଟାଭାଙ୍ଗି ଠିଆ ହୋଇଛି । ବାମ ହାତରେ କର୍କ୍‌ ଓ ଦକ୍ଷିର ହସ୍ତରେ ବ୍ୟାଡମିଣ୍ଟେନ ରାକେଟ୍‌ ଧରି ଦୂରକୁ ଅନେଇଛି ଏକ ଖେଳୁଆଡ଼ ଠାଣିରେ । ରମେଶ କିଛି ସମୟ ସେ ଫଟୋକୁ ଅନେଇଲା । ରୀନା ତାକୁ ଜଣେଇ ଦେବାକୁ ଚାହୁଁଥିଲା ଯେ ସେଦିନର ବ୍ୟାଡ଼ମିଣ୍ଟନ ଚମ୍ପିଆନ୍‌ ହେବା ପରେ ସେ ଏ ଫଟୋଟାକୁ ଉଠାଇଥିଲା ।

 

‘‘ଫଟୋଟା କେମିତି ହୋଇଛି ରମେଶ ବାବୁ ?’’ ରୀନାର ପ୍ରଶ୍ନରେ ଏଥର ସେ ଫଟୋଗ୍ରାଫରୁ ନଜର ଉତ୍ତାରି ଆଣି ତା’ ଆଡ଼େ ଚାହିଁଲା । ରଙ୍ଗିନ ସାଲଔାର ଓ ଛାପିଛାପିକା ମାଟିଆ ରଙ୍ଗର ପଞ୍ଜାବୀ ଦେହ ସହିତ ମିଶିଯାଇଛି । ମୋଟା ବେଣୀଟା କାନ୍ଧ ଉପରେ ଦେଇ ଛାତି ଉପରେ ଦୋଳାୟମାନ, ସତେ ଯେମିତି ହୁଙ୍କା ଉପରେ ଆରୋହଣରତ ଏକ କୃଷ୍ଣସର୍ପଟାଏ । ରମେଶ ଏଥର ତା’ପ୍ରଶ୍ନର ଉତ୍ତର ଦେଲା, ‘‘ହଁ ଫଟୋଟା ଖୁବ୍‌ ସୁନ୍ଦର ହେଇଛି ।’’ ଛୋଟିଆ ଉତ୍ତରଟିଏ ଦେଇ ସେ ଚଉକିରେ ବସିଲା । ରୀନା ଏଥର ଆଉ ଗୋଟାଏ ଚଉକି ଟାଣିଆଣି ତା’ ପାଖରେ ବସିପଡ଼ି ଅର୍ଥନୀତିର ବହି ଖୋଲିବାକୁ ଲାଗିଲା । ତାପରେ ରମେଶ ଅର୍ଥନୀତିର ଗୋଟିକ ପରେ ଗୋଟିଏ ସୂତ୍ର ବୁଝେଇ ଚାଲିଲା । ଗୋଟିଏ ଅତି ମନଯୋଗୀ ଛାତ୍ରପରି ରୀନା ଶୁଣିଚାଲିଲା ତା’ର ଲେକ୍‌ଚର । ଏକ ଅଭିଜ୍ଞ ଅଧ୍ୟାପକ ପରି ରମେଶ ବୁଝେଇ ଚାଲିଥିଲା ଓ ଅତି ତନ୍ମୟ ହେଇ ତାକୁ ଗ୍ରହଣ କରି ଚାଲିଥିଲା ସେ । ବେଳେବେଳେ କୌଣସି ପ୍ରଶ୍ନ ପଚାରି ସନ୍ଦେହ ମୋଚନ କରୁଥିଲା ବା କୌଣସି କୌଣସି ତଥ୍ୟ ନିଜ ନୋଟ୍‌ ଖାତାରେ ଲେଖି ରଖୁଥିଲା ।
 

 

ଅନେକ ସମୟ ପରେ ଲେକ୍‌ଚର ବନ୍ଦକରି ରମେଶ କହିଲା, ‘‘ଆଜି ଏତିକି ଥାଉ, ପୁଣି କେବେ ସମୟ ହେଲେ ବାକିତକ ବୁଝେଇ ଦେବି’’ । ରୀନା ଏଥର ବହି ବନ୍ଦ କଲା । ସାମାନ୍ୟ ହସି କହିଲା, ବୁଝିଲେ ରମେଶ ବାବୁ, ଆପଣ ଗୋଟାଏ ଲେକ୍‌ଚରର ହୁଅନ୍ତୁ । ପିଲାମାନେ ଖୁବ୍‌ ଉପକୃତ ହେବେ । ଆପଣ ଆଜି ଯେମିତି ବୁଝେଇଲେ, ଆମ ସାର୍‌ ବି ସେମିତି ପ୍ରାଞ୍ଜଳ ଭାବରେ ବୁଝେଇ ନଥିଲେ ।’’

 

‘‘ମୁଁ କିନ୍ତୁ ଲେକ୍‌ଚରର ହେଲା ବେଳକୁ ତମେ ବି. ଏ. ପାଶ୍‌ କରି ସାରିଥିବ ଯେ ।’’ ରୀନା ସାଙ୍ଗେ ସାଙ୍ଗେ ଜବାବ ଦେଲା, ‘‘କେବେ ନୁହେଁ; ମୁଁ ଏଥର ଯମା ପାଶ୍ କରୁନି ।’’

 

‘‘ଚେଷ୍ଟା କର ରୀନା । ଆତ୍ମବିଶ୍ୱାସ ଥିଲେ ତମେ ନିଶ୍ଚୟ ପାଶ୍ କରିବ ।’’ ତା’ପରେ ସେ ବାହାରିଗଲା ତା’ ବସାକୁ । ରୀନା ଦାଣ୍ଡ ଦୁଆରେ ତାକୁ ବିଦାୟ ଜଣେଇ ଆସି ଗଡ଼ି ପଡ଼ିଲା ତା’ ଖଟ ଉପରେ । ଭାରି ହର୍ଷୋତ୍‌ଫୁଲ ଜଣା ପଡ଼ୁଥିଲା ସେ । ଭାବୁଥିଲା, ‘‘ଇସ କେତେ ଜ୍ଞାନ ମ ସତେ । ଯାହା ବହୁ ଚେଷ୍ଟା କରି ସେ ବୁଝି ପାରି ନଥିଲା, ଆଜି କେଡ଼େ ସହଜରେ ସେ ବୁଝିଗଲା ! ରମେଶ ବାବୁ ସତରେ ଭାରି ମେଧାବୀ ଛାତ୍ର । ତାଙ୍କୁ ଆଜି ତା’ର ଧନ୍ୟବାଦ ଦେବାକୁ ଇଚ୍ଛା ହେଉଥିଲା । ରମେଶ ତାକୁ ଆଜି କାହିଁକି ଖୁବ୍‌ ଭଲ ଲାଗୁଛି । ଯେମିତି ସୁନ୍ଦର ଚେହେରା, ସେମିତି ତୀକ୍ଷ୍‌ଣ ବୁଦ୍ଧି । କାର୍ତ୍ତିକଙ୍କ ଚେହେରା ଓ ଗଣେଶଙ୍କ ବୁଦ୍ଧି ନେଇ ଯେମିତି ତାଙ୍କର ଜନ୍ମ । ସେ ତାକୁ ପାଖରେ ବସାଇ ସବୁଦିନେ ଏମିତି ପଢ଼ାନ୍ତେ କି । ତା’ ହେଲେ ସେ ଆଉ ଯମା ଫେଲ ହୁଅନ୍ତା ନାହିଁ । ସେ ପଢ଼େଇଲେ ତା’ର ଯେମିତି ଆତ୍ମବିଶ୍ୱାସ ଉଦୟ ହେଉଛି । ପାଶ୍ କରିଯିବ ବୋଲି ଭରସା ଆସୁଛି । ହେଲେ ସେ ସବୁଦିନେ ଆସିଲେ ତ ! ବୋଉ ଦେହ ଭଲ ହୋଇଗଲେ ତାଙ୍କର କି ଆଉ ଦର୍ଶନ ମିଳେ ? ସେ କିନ୍ତୁ ଭାବୁଥିଲା ତାଙ୍କୁ ଏଥର ସବୁଦିନେ ତାଙ୍କ ଘରକୁ ଆସିବାକୁ ପଡ଼ିବ । ସେ ନିଜେ ଯାଇ ଅନୁରୋଧ କରିବ । ନ ଆସିଲେ ସଫାସଫା କହିଦେବ । ‘‘ମନେରଖନ୍ତୁ; ଆପଣ ନ ଆସିଲେ ମୁଁ ନିଶ୍ଚୟ ଫେଲ ।’’

 

ତା’ପର ଦିନ କଲେଜରେ ଲିଜର ପିରିଅଡ଼ରେ ରୀନାର ରମେଶ ସହିତ ଭେଟ ହେଲା-। କଲେଜର ସିଡ଼ି ପାଖରେ ସେ ରମେଶକୁ କହିଲା, ‘‘ଆପଣ ତ ଆଜି ସକାଳେ ଆମ ଘରକୁ ଗଲେନି । ବୋଉ ଦେହ କ’ଣ ସଂପୂର୍ଣ୍ଣ ଭଲ ହୋଇ ଗଲାଣି ?’’

 

‘‘ଆଜି ସକାଳେ ମୁଁ ଗୋଟାଏ ନୋଟ୍‌ କରୁଥିଲି । କାଲି ସକାଳେ ନିଶ୍ଚୟ ଯିବି ।’’ ରୀନା ଆଡ଼େ ଚାହିଁ ରମେଶ ଉତ୍ତର ଦେଉଥିଲା ।

 

‘‘ମୋର କିନ୍ତୁ ଆଉ ଅନେକ ପାଠ ବୁଝିବାକୁ ଅଛି । ଆପଣ ବଡ଼ ସ୍ୱାର୍ଥପର ରମେଶବାବୁ । ଖାଲି ଆପଣ ପାଶ୍‌ କରିବେ ଆଉ ମୁଁ ଫେଲ ହେବି.......’’ ରୀନାର କଥା ନ ସରୁଣୁ ବିଷ୍ଣୁ ଆସି ଦୁହିଁଙ୍କ ମଝିରେ ଠିଆ ହୋଇଗଲା ଓ ତତ୍‌କ୍ଷଣାତ୍‌ ରମେଶକୁ କହିଲା ‘‘ସତରେ ରମେଶବାବୁ, ଆପଣ ଆଜିକାଲି ଭାରି ସ୍ୱାର୍ଥପର ହେଇ ଉଠିଲେଣି । ରୀନା ଦେବୀଙ୍କ ସ୍ୱାର୍ଥରେ ଆପଣଙ୍କ ସ୍ୱାର୍ଥଟା କାହିଁକି ଯୋଡ଼ୁଛନ୍ତି କହିଲେ, ଏଇଟା କିନ୍ତୁ ବାସ୍ତବିକ୍‌ ଭଲ ହେଉ ନାହିଁ ? ତା’ କଥା ଶେଷ ନହେଉଣୁ ରୀନା ସେ ସ୍ଥାନରୁ ଦୂରେଇ ଗଲା । ଚାଲି ଯାଉ ଯାଉ କହିଗଲା, ‘‘ଆଜି ନିଶ୍ଚୟ ଯିବେ ରମେଶବାବୁ । ମୁଁ ଅପେକ୍ଷା କରିଥିବି ।’’ ବିଷ୍ଣୁ ରୀନାକୁ ଚାଲି ଯାଉଥିବାର ଦେଖି ପଛରୁ ଡାକ ପକାଇଲା, ଶୁଣନ୍ତୁ ଶୁଣନ୍ତୁ ରୀନା ଦେବୀ, ମୋ’ର ଆପଣଙ୍କ ସାଙ୍ଗରେ ଗୋଟାଏ ପି. ଟି. ଥିଲା ।’’ ରୀନା ପଛକୁ ନ ଅନାଇଁ କହିଦେଇ ଗଲା, ‘‘କ୍ଷମା କରିବେ ବିଷ୍ଣୁବାବୁ, ମୋର ଏଇଲେ କ୍ଳାସ ଅଛି ।’’ ବିଷ୍ଣୁ ଏଥର ରମେଶ ଆଡ଼େ ମୁହଁ ବୁଲେଇଲା । ତା’ ମୁହଁକୁ ଅନେଇ ଟିକିଏ ହସିଦେଇ ରମେଶ ଅନ୍ୟ ଆଡ଼େ ଚାଲିଗଲା । ସେ ସେଇଠି ଠିଆ ହୋଇ ଥରେ ରୀନା ଆଡ଼େ ଓ ଥରେ ରମେଶ ଆଡ଼େ ଚାହିଁଲା । ଶେଷରେ ନିଜ ଆଡ଼େ ଟିକିଏ ଦେଖି ନେଇ କଲରଟାକୁ ଆହୁରି ଉପରକୁ ଟେକିଦେଲା । ମନେମନେ ଚିନ୍ତା କଲା, ‘‘ଭାରି ଲଇଲା ମଜନୁ ସାଜିଛ ନା, ମୁଁ ଯଦି ଏଇ କେତେଦିନ ଭିତରେ ରମେଶର ସ୍ଥାନ ଅଧିକାର ନ କରିଛି, ତେବେ ମୋ’ ନାଁ ବିଷ୍ଣୁ ନୁହେଁ । ତାପରେ ଫାଳେ ନିଶରେ ହାତ ମାରିଦେଇ କଲେଜ ବାରଣ୍ଡା ଆଡ଼େ ଆଗେଇ ଚାଲିଲା ।

 

ସେଦିନ ସଞ୍ଜବେଳେ ରମେଶ ହୀରାମହଲକୁ ଗଲା । କେବଳ ମାଉସୀଙ୍କ ଖବର ନେଇ ପୁଣି ତା’ ବସାକୁ ଫେରି ଆସିଲା । ରୀନା ଯେତେ ଅନୁରୋଧ କଲେ ବି ସେ ତାକୁ ପାଠ ବୁଝେଇଲା ନାହିଁ । କ୍ରମେ ହୀରାଦେବୀ ସୁସ୍ଥ ହୋଇ ଆସିଲେ । ଏଥର ସେ ହୀରାମହଲକୁ ଯିବା ବନ୍ଦ କରିଦେଲା । କଲେଜରେ ରୀନାକୁ ଦେଖିଲେ ସେ ଅନ୍ୟଆଡ଼େ ଚାଲିଯାଏ । ରୀନା ଯେତେ ଚେଷ୍ଟା କଲେ ବି ତାକୁ ସାକ୍ଷାତ କରି ପାରେନା ।

 

କିଛିଦିନ ପରେ ଆସିଲା ସମ୍ୱର ଦଶମୀ । ହୀରାଦେବୀ ଅନେକ ପିଠାପଣା କଲେ । ସତିଆକୁ ପଠେଇ ରମେଶକୁ ଡକେଇ ଆଣିଲେ । ନିଜ ହାତରେ ସେ ବାଢ଼ିଦେଲେ ପିଠା, ଖିରି, ମିଠା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ । ରମେଶ ବସି ଖାଇବାକୁ ଲାଗିଲା । ହୀରାଦେବୀ ଭାବୁଥିଲେ, ଜଣେ ରମୁ ସିନା ଆଜି ତାଙ୍କ ହାତରନ୍ଧା ପ୍ରସାଦ ଖାଇ ପାରିଲା ନାହିଁ, ହେଲେ ଆଉ ଜଣେ ରମୁ ତ ତାଙ୍କ ପାଖରେ ଅଛି । ବାସ୍ତବିକ୍‌ ମା’ର ବାତ୍ସଲ୍ୟ ମମତାର ଡୋର ଖୁବ୍‌ ଲମ୍ୱା । ରମାକାନ୍ତର ଅନୁପସ୍ଥିତି ତାଙ୍କ ପକ୍ଷରେ ଆଜି ଅସହ୍ୟ ହୋଇ ଉଠିଛି । ଏଇ ସମ୍ୱର ଦଶମୀ ଭୋଗ ଖାଇବାକୁ ସେ କେଡ଼େ ସୁଖ ପାଏ । ଆଜି କିନ୍ତୁ ସେ ଏ ପୂଜା ଦିନରେ ଘରଠାରୁ ଅନେକ ଦୂରରେ । ରମେଶକୁ ପାଇ ଆଜି ହୁଏତ ସେ କିଛିଟା ସାନ୍ତ୍ୱନା ପାଉଛନ୍ତି । ତା’ରୂପରେ ସେ ଦେଖୁଛନ୍ତି ତାଙ୍କ ଆଦରର ଅଲିଅଳ ରମେଶକୁ । ରମେଶ ବେଶରେ ସତେ ଯେମିତି ବସିଛି ରମାକାନ୍ତ । ଆଉ ମା’ଙ୍କ ହାତ ପରଶା ପିଠାତକ ତରବର ହେଇ ଖାଇବାରେ ଲାଗିଛି । ଆଜି ରମୁ ତାଙ୍କର ଢେର ମନେ ପଡ଼ୁଛି । ସେ ଆଜି ଅନୁଭବ କରୁଛନ୍ତି, ତାଙ୍କ ଆଦରର ଧନକୁ ସେ ଏତେ ଦୂରକୁ ପଠେଇ ଦେଇ ମସ୍ତବଡ଼ ଭୁଲ କରିଛନ୍ତି । ପ୍ରଥମରୁ ତାକୁ ସେଠାକୁ ଯିବାକୁ ଅନୁମତି ଦେଇ ନଥିଲେ ଭଲ ହେଇଥାନ୍ତା । ଏତେବଡ଼ ଘରଟାରେ ଆଉ ବା ତାଙ୍କର କିଏ ଅଛି ? ରମୁ ବିନା ଘରଟା ଯେମିତି ଖାଁ ଖାଁ ଗୋଡ଼ାଉଛି । ପୁଣି ବର୍ଷେ ବା ଦୁଇବର୍ଷ ନୁହେଁ । ଦୀର୍ଘ ପାଞ୍ଚବର୍ଷ ପଢ଼ିସାରି ସେ ବୁର୍ଲା ଛାଡ଼ିବ । ତାକୁ ଘଡ଼ିଏ ନ ଦେଖିଲେ ସେ ବାୟାଣୀ ହେଇ ଯାଉଥିଲେ । ଏବେ ତାକୁ ଏତେଦିନ କାଳ ପାଖରୁ ଅନ୍ତର କରି କିପରି ଚଳିବେ ?

 

ଆଜି ତାଙ୍କର ଛାତି ଭିତରୁ ତୁହାଇ ତୁହାଇ କୋହ ଉଠୁଛି । ଛାତି ଭିତରେ କୋହ ଚାପି ରଖି ସେ ରମେଶକୁ ପିଠା ପରଶି ଚାଲିଲେ । ଶାନ୍ତ ସରଳ ପିଲାଟିଏ ପରି ସେ ପିଠା ଖାଇ ଚାଲିଛି-। ହୀରାଦେବୀ ଭାବିଲେ, ରମେଶ ବି ଆଜି ତା’ ବୋଉଠାରୁ ଅନେକ ଦୂରରେ । ଘରେ ଥଲେ ସେ କେଡ଼େ ଆନନ୍ଦ ହେଉ ନଥାନ୍ତେ ! ଗୋଡ଼ ତାଙ୍କର ପାଞ୍ଚ ହାତରେ ପଡ଼ୁଥାଆନ୍ତା । ତା’ର ମନ ଜାଣି ସେ ପରଶୁଥାଆନ୍ତେ ନ’ ତିଅଣ ଛ’ ଭଜା । ସେ କ’ଣ ତା’ ମା’ ପରି ନୁହନ୍ତି ? ରମେଶ ଆଉ ରମାକାନ୍ତ ଦୁହେଁ ତାଙ୍କ ଆଖିକୁ ଦି’ଭାଇ ପରି ଦିଶନ୍ତି । ଏଥର ରମେଶକୁ ସେ ଆହୁରି ଭଲକରି ଦେଖିବାକୁ ଲାଗିଲେ । ବଡ ସର ପିଲାଟିଏ ଏକା । ସେ ତାଙ୍କୁ ଭାରି ଭଲ ଲାଗେ । ସବୁବେଳେ ତାକୁ ସେ ନିଜ ପୁଅପରି ଦେଖି ଆସିଛନ୍ତି; ବରଂ ରମାକାନ୍ତକୁ ପରକରି ରମେଶକୁ ଆଗ ପୁଅପରି ଦେଖିଛନ୍ତି ।

 

ରମେଶ ଖାଇସାରି ହାତ ଧୋଇଲା । ରୀନା ତା’ ହାତକୁ ବଢ଼େଇ ଦେଲା ତଉଲିଆ । ମୁହଁ ପୋଛିଦେଇ ସେ ମାଉସୀଙ୍କୁ ବିଦାୟ ମାଗିଲା ।

 

‘‘ଟିକିଏ ଶୁଣନ୍ତୁ ରମେଶ ବାବୁ; ଆପଣଙ୍କ ସାଙ୍ଗରେ ଗୋଟାଏ କଥା ଅଛି । ପ୍ଳିଜ ଟିକିଏ ଉପରକୁ ଆସନ୍ତୁ’’–ରୀନାର କଥାରେ ଫୁଟିଉଠୁଥିଲା ମିନତିଭରା ଅନୁନୟ । ରମେଶ ଥରେ ମାଉସୀଙ୍କ ଆଡ଼େ ଓ ଥରେ ରୀନା ଆଡ଼େ ଚାହିଁଲା । ସତିଆକୁ ଖାଇବାକୁ ଦେବାପାଇଁ ହୀରାଦେବୀ ଚାଲିଗଲେ ହାଣ୍ଡିଶାଳକୁ । ରମେଶ ଆଜି କାହିଁକି ରୀନାର ଡାକକୁ ଏଡ଼ି ଦେଇ ପାରିଲାନି । ରୀନା ପଛେ ପଛେ ସେ ଚାଲିଲା ଉପର ମହଲା ଆଡ଼େ । ଗୋଟିକ ପରେ ଗୋଟିଏ ପାହାଚ ଅତିକ୍ରମ କରି ଷ୍ଟଡ଼ି ରୁମ୍‌ରେ ପହଞ୍ଚିଲା । ଗୋଟାଏ ଚଉକିରେ ବସିପଡ଼ି ଉତ୍ସୁକ ନୟନରେ ରୀନା ଆଡ଼େ ଅନେଇ ରହିଲା ।

 

‘‘ଆପଣ ମୋ’ ଉପରେ ଢେର ରାଗିଛନ୍ତି ନା.....’’ ପ୍ରଶ୍ନଟି ପଚାରି ରୀନା ଅନେଇ ରହିଲା ରମେଶର ମୁହଁକୁ

 

‘‘ନାଇଁତ, ମୁଁ ତମ ଉପରେ ରାଗିବି କାହିଁକି ? ରାଗିବାର ତ କୌଣସି କାରଣ ନାହିଁ ।’’ ରମେଶର କଥା ନ ସରୁଣୁ ରୀନା କହି ଉଠିଲା, ‘‘ତେବେ ଆପଣ ଆମ ଘରକୁ ଆସୁନାହାନ୍ତି କାହିଁକି-? କ’ଣ ହେଇଛି ଆପଣଙ୍କର ? କିଏ ଆପଣଙ୍କୁ ଆସିବାକୁ ମନା କରିଛି ?’’ ରମେଶ ଏଥର ସଂପୂର୍ଣ୍ଣ ହତବାକ୍‌ ହୋଇଗଲା । ଏ ପ୍ରଶ୍ନର କ’ଣ ଉତ୍ତର ଦେବ କିଛି ଠିକ୍‌ କରି ପାରିଲା ନାହିଁ । ସତରେ କାହିଁକି ସେ ତାଙ୍କ ଘରକୁ ଆସୁନି, ସେ ନିଜେ ବି ହୁଏତ ଠିକ୍‌ ଜାଣେନା ।

 

‘‘ଆପଣ ନ ଆସିଲେ ବୋଉ ମନରେ କେତେ କଷ୍ଟ ହୁଏ ଜାଣନ୍ତି ? ଭାଇଙ୍କ ସାଙ୍ଗ ହିସାବରେ ସେ ଆପଣଙ୍କୁ ନିଜର ପୁଅପରି ଦେଖେ । ଭାଇଙ୍କ ଅନୁପସ୍ଥିତିରେ ସେ ଆପଣଙ୍କୁ ଦେଖିଲେ କିଛିଟା ଖୁସି ହୁଏ । ଆପଣ କ’ଣ ତା’ମନରେ କଷ୍ଟ ଦେବାକୁ ଚାହାନ୍ତି ?’’ ରୀନାର କଥାରେ ସେ ସ୍ତମ୍ଭୀଭୂତ ହୋଇଗଲା । ତା’ମନ ଯେମିତି ତା’ ବୋଉ ଓ ମାଉସୀଙ୍କୁ ତଉଲିବାକୁ ଲାଗିଲା । ସତେ ତ, ମାଉସୀ ତାକୁ କେତେବେଳେ ପରକରି ଦେଖି ନାହାନ୍ତି । ନିଜ ପୁଅଠାରୁ ତାକୁ ବରଂ ଅଧିକ କରିଛନ୍ତି । ତେବେ ସେ ତାଙ୍କ ଘରକୁ ନ ଆସୁଛି କାହିଁକି ? କେହିତ ତାକୁ ଆସିବାକୁ ମନା କରି ନାହାନ୍ତି । ବରଂ ସମସ୍ତେ ତାକୁ ଏ ଘରେ ସ୍ୱାଗତ କରନ୍ତି । ତା’ର ସବୁ ଯେମିତି ଗୋଳମାଳ ହୋଇଗଲା । ଭକୁଆଙ୍କ ପରି ରୀନା ମୁହଁକୁ ସେ ଚାହିଁବାକୁ ଲାଗିଲା ।

 

ତାପରେ ରୀନା ଆହୁରି ଅନୁନୟ କରି କହିଲା, ‘‘ଆପଣଙ୍କୁ ମୋ’ ରାଣ ରମେଶ ବାବୁ, ଆପଣ ଆମ ଘରକୁ ଯେପରି ଏଥର ନିୟମିତ ଆସିବେ ।’’ ‘‘ମୋ’ ରାଣ’’ କଥା ପଦକ ରମେଶ କାନରେ ସାଇଁ ସାଇଁ ହେବାକୁ ଲାଗିଲା । ରତି ଆଜି ଚିଠି ଲେଖିଛି–ମୋ’ ରାଣ ରମୁଭାଇ, ବେଶୀ ବୁଲାବୁଲି କରିବ ନାହିଁ । ମନଦେଇ ପଢ଼ାପଢ଼ି କରୁଥିବ । ଏକ ପାଖରେ ରତିର ‘‘ମୋ’ ରାଣ’’ ଅନ୍ୟ ପାଖରେ ରୀନାର ‘‘ମୋ’ ରାଣ’’ । ତା’ ପାଖରେ କାହା ରାଣର ମୂଲ୍ୟ ଅଧିକ, ସେ କଥା ସେ ଭାବିବାକୁ ଲାଗିଲା । ହେଲେ ତା’ ମୁଣ୍ଡରେ ସବୁ ଗୋଳମାଳ ହେଇଗଲା । ଝଟ୍‌କରି ସେ ରୀନାର ଷ୍ଟଡିରୁମରୁ ବାହାରି ଆସିଲା । ତରବରରେ ତା’ ଗୋଡ଼ ଅବାଟରେ ପଡ଼ୁଥିଲା । ଗୋଟାଏ ରିକ୍‌ସାରେ ଚଢ଼ି ସେ ପହଞ୍ଚିଲା ତା’ ବସାରେ । ଚଟ୍‌କରି ଗଡ଼ି ପଡ଼ିଲା ତା’ ବିଛଣା ଉପରେ । ମୁଣ୍ଡଟା ଆଜି ତା’ର ଚକର ଖାଉଛି । ସବୁ ଭାବନାଗୁଡ଼ାକ ତା’ ମୁଣ୍ଡ ଭିତରେ ଖେଳେଇ ହୋଇଯାଇ ଯେମିତି ସେଁ...ସେଁ ଶବ୍ଦ କରୁଛନ୍ତି । ଚିନ୍ତା ରାଜ୍ୟରେ ତା’ର ଆଜି ବିଭ୍ରାଟ ଘଟିଛି । କିଛି ଯେମିତି ଭାବିବାକୁ ଆଜି ତା’ର ଶକ୍ତି ନାହିଁ ।

 

ସେଦିନର ଏ ଘଟଣା ପରେ ରମେଶ ଅନେକ ଚିନ୍ତା କରିଛି । ହୀରାମହଲକୁ ଯିବା ନ ଯିବା ନେଇ ତା’ ମନରେ ଅଶେଷ ଦ୍ୱନ୍ଦ୍ୱ ଉପୁଜିଛି । ଗୋଟାଏ ପଟେ ମାଉସୀଙ୍କର ବାତ୍ସଲ୍ୟ ମମତା ଓ ରୀନାର ସାନୁନୟ ମିନତି, ଅନ୍ୟପାଖରେ କଲେଜର ବିଷ୍ଣୁ ତଥା ଅନ୍ୟ କେତେଜଣ ଛାତ୍ରଙ୍କର ଅଶ୍ଳିଳ ଟୀକା ଟିପ୍‌ପଣୀ । ହେଲେ ମାଉସୀଙ୍କର ମମତାକୁ ସେ ଏଡ଼ାଇ ଦେଇ ପାରିନାହିଁ । ତା’ର ଉପସ୍ଥିତି ଯଦି ତାଙ୍କ ପରି ଜଣେ ରକ୍ତଚାପ ରୋଗୀକୁ ସାନ୍ତ୍ୱନା ଦେଇପାରେ, ଆରୋଗ୍ୟ ରଖିପାରେ, ତେବେ ସେ କ’ଣ ତାଙ୍କ ପାଇଁ ଏତିକି କରି ପାରିବନି । ରମାକାନ୍ତର ଘନିଷ୍ଠ ସାଙ୍ଗ ହିସାବରେ ମାଉସୀଙ୍କ ପ୍ରତି ନିଶ୍ଚୟ ତା’ର କିଛିଟା କର୍ତ୍ତବ୍ୟ ରହିଛି । ରମାକାନ୍ତର ଅନୁପସ୍ଥିତିରେ ଏ ଘର ପ୍ରତି ତା’ର କିଛିଟା ଦାୟିତ୍ୱ ରହିଛି । ଏ କର୍ତ୍ତବ୍ୟରେ ଅବହେଳା କଲେ ବା ଏ ଦାୟିତ୍ୱରେ ଖିଲାପ କଲେ ସେ କ’ଣ ଭଗବାନଙ୍କ ଦରବାରରେ ଦୋଷୀ ସାବ୍ୟସ୍ତ ହେବ ନାହିଁ ? ଯେତେଥର ସେ ହୀରାମହଲ ନ ଯିବାକୁ ଠିକ୍‌ କରିଛି, ସେତେଥର ତା’ ବିବେକ ତରଫରୁ ଏଇ ଯୁକ୍ତି ତାକୁ ଅତିଷ୍ଠ କରିଛି, ଭାବନା ତା’ର ଓଲଟ ପାଲଟ ହେଇ ଯାଇଛି । ମୁଣ୍ଡ ଭିତରଟା ଚକାଭଉଁରି ଖାଇଛି । ଶେଷରେ ସେ କିନ୍ତୁ ମାଉସୀଙ୍କର ଦରଦଭରା ସ୍ୱରକୁ ଏଡ଼େଇ ପାରି ନାହିଁ । ତା’ କାନରେ ସବୁବେଳେ ବାଜି ଉଠିଛି ତାଙ୍କର ସ୍ନେହସିକ୍ତ ଆହ୍ୱାନ । ମନର ସବୁ ଯୁକ୍ତି ତା’ର ହାର ମାନିଛି । ଅନ୍ତତଃ ପୁରୀରେ ରହିଥିବା ପର୍ଯ୍ୟନ୍ତ ସେ ମାଉସୀଙ୍କ ସହ ଦେଖା କରୁଥିବ ବୋଲି ଠିକ୍‌ କରି ନେଇଛି ।

 

ଏହାପରେ ଅନେକଥରେ ସେ ହୀରାମହଲକୁ ଆସିଲାଣି । ହୀରାଦେବୀ ଏବେ ସଂପୂର୍ଣ୍ଣ ସୁସ୍ଥ । ରୀନା ଏବେ ନିତି କଲେଜ ଗଲାଣି । ରମେଶ ପାଖରୁ ସେ ଅନେକ ସମୟରେ ପାଠ ବୁଝୁଛି-। କଲେଜ ତଥା ବିଭିନ୍ନ ଅଧ୍ୟାପକଙ୍କ ବିଷୟରେ ସେମାନେ ଅନେକ ସମୟରେ କଥାବାର୍ତ୍ତା ହୁଅନ୍ତି । ରମେଶର ଗାଁ ବିଷୟରେ ଶୁଣିବାକୁ ସେ ଭାରି ଆଗ୍ରହ ପ୍ରକାଶ କରେ । ରମେଶ ମଧ୍ୟ କହିବାରେ କାର୍ପଣ୍ୟ କରେନାହିଁ । ବରାହୀ ମନ୍ଦିରଠାରୁ ଆରମ୍ଭକରି ଗୋତୀର୍ଥର ବାରୁଣି ବୁଡ ସମ୍ୱନ୍ଧରେ ସେ ଅନେକ କଥା କହେ । ରୀନା ଶାନ୍ତ ସ୍ରୋତାଟି ପରି ସବୁ ଶୁଣି ଚାଲେ ଏକ ଲୟରେ-। କ୍ରମେ ନୂଆଗାଁ ପ୍ରତି ତା’ର ଅତୁଟ ମମତା ଜନ୍ମି ଆସିଲାଣି । କଥାଛଳରେ ସେ ଅନେକଥର କହିଲାଣି, ‘‘ସତରେ ରମେଶ ବାବୁ, ଆପଣଙ୍କ ଗାଁ ଦେଖିବାକୁ ଭାରି ଇଚ୍ଛା ହେଲାଣି; ହେଲେ ଆପଣ କ’ଣ ମୋତେ ତାହା ଦେଖାଇ ପାରିବେ ?’’ ରମେଶ ଉତ୍ତର ଦିଏ, ‘‘ମାଉସୀ ବି ସେଇକଥା ଅନେକଥର କହିଲେଣି । ଯଦି ସମ୍ଭବ ହୁଏ, ତୁମ ଦୁହିଙ୍କୁ ନେଇ ଥରେ ଆମ ଗାଁରେ ବୁଲେଇ ଆଣିବି ।’’ ରୀନା କହେ, ‘‘ମିଛ କଥା, ଯେ ସବୁବେଳେ ଆମଠାରୁ ଦୂରେଇ ଦୂରେଇ ଯାଉଛନ୍ତି, ବା ଦୂରରେ ରହିବାକୁ ଇଚ୍ଛା କରୁଛନ୍ତି, ସେ ପୁଣି ଆମକୁ ତାଙ୍କ ଗାଁ’କୁ ନେବେ !’’ ରମେଶ ଏଥର ନୀରବରେ ମୁହଁ ତଳକୁ କରେ । ରୀନା ନିମ୍ନ ସ୍ୱରରେ କହେ, ‘‘ଆପଣ ରାଗିଲେଟି, ପ୍ଳିଜ୍‌ ରମେଶ ବାବୁ ମତେ କ୍ଷମା କରନ୍ତୁ-।’’

 

ସେଦିନ ସକାଳେ ରମେଶ ଆସି ରୀନା ରୁମ୍‌ରେ ବସି କେତେଟା ବହି ମେଲାଉଥିଲା । ରୀନା ବାଥ୍‌ରୁମରେ ଗାଧୋଇ ସାରି ସେଇ ବାଟଦେଇ ଫେରିଲା । ରମେଶକୁ ଦେଖି କହି ପକେଇଲା, ‘‘ଆରେ ରମେଶ ବାବୁ ଯେ, ମତେ କ୍ଷମା କରିବେ । ବସି ବସି ନିଶ୍ଚୟ ବୋର ହେବେଣି । ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି ।’’ ରମେଶ ରୀନାର ସ୍ୱରରେ ପଛକୁ ଚାହିଁଲା । ଠିଆ ହେଇ ହସି ହସି କହି ଚାଲିଥିଲା ସଦ୍ୟସ୍ନାତା ଯୁବତୀଟି । ସିକ୍ତ ବସନ ତା’ ଅଙ୍ଗରେ ଜଡ଼ି ଯାଇଛି । ସିକ୍ତ ବସନର ଆବରଣ ଭିତରୁ ନାରୀତ୍ୱର ସମସ୍ତ ସଂପତ୍ତି ଯେମିତି ଆତ୍ମପ୍ରକାଶ କରୁଛି । କୁନ୍ତଳରାଶି ପୃଷ୍ଠ ଭାଗରେ ଦୋଳାୟମାନ ମଲ୍ଲୀକଢ଼ପରି ଦନ୍ତମାଳା ମଧ୍ୟରୁ ମିଠାମିଠା ଚାପା ହସର ପାଖୁଡ଼ାଗୁଡ଼ାକ ଯେମିତି ଖସିପଡ଼ୁଛି । ରମେଶ ଆଉ ଚାହିଁ ପାରିଲାନି । ଆଖି ଦିଇଟାକୁ ତଳକୁ ନଇଁଲା । ରୀନା ଏଥର ଚାଲିଗଲା ଆର କୋଠରୀକୁ । ଶଢ଼ୀ ବଦଳେଇ ଆସି ଠିଆହେଲା ରମେଶ ପାଖରେ । ହାତରେ ତା’ର ସସର ଉପରେ କପେ ଗରମ ଚା’ । ଚା’ଟାର ମଧୁର ବାସ୍ନା ତା’ର ଧୂମ କୁଣ୍ଡଳି ମଧ୍ୟରୁ ନିର୍ଗତ ହୋଇ ରମେଶର ଘ୍ରାଣେନ୍ଦ୍ରିୟରେ ଆଘାତ କରୁଥିଲା । ଏଥର ସେ ଥରେ ଚା’କପକୁ ଓ ଥରେ ତା’ ଦେହକୁ ଚାହିଁ ରୀନା ହାତରୁ କପ୍‌ଟା ନେଇ ଚୁମୁକ ଦେବାକୁ ଲାଗିଲା । ରୀନା ତାପରେ ରମେଶ ପାଖରେ ବସି ପଡ଼ିଲା । ଦୋଳିତ କୁନ୍ତଳ ରାଶି ତା’ର ପୃଷ୍ଠଭାଗକୁ ଆଚ୍ଛାଦିତ କରି ପକେଇଲା । ଦୁହେଁ କିଛି ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହେଲେ । ରୀନାର ପରୀକ୍ଷା ଚାଲିଥିଲା । ପରୀକ୍ଷାରେ ସେ ଏ ପର୍ଯ୍ୟନ୍ତ କେମିତି କରିଛି ସେ ବିଷୟରେ ବଖାଣି ଚାଲିଲା । ପରୀକ୍ଷା ସରି ଆସିଲାଣି, ଆଉ ମାତ୍ର ଦୁଇଟି ପେପର ବାକି । ଚାରିଦିନ ପରେ ପୁଣି ପରୀକ୍ଷା ଅଛି । ଆଜି ଆଉ ତା’ର ପଢ଼ିବାକୁ ଇଚ୍ଛା ନାହିଁ । ଏ ତିନିଦିନ ଭିତରେ ସେ ଅନ୍ୟ ଦି’ଟା ପେପର ପାଇଁ ଠିକ୍‌ ପ୍ରସ୍ତୁତ ହୋଇ ପାରିବ ।

 

ରମେଶ ଏଥର ତା’ ପ୍ରଶ୍ନ ପତ୍ରଗୁଡ଼ାକ ଦେଖିଲା ଓ ତା’ଠାରୁ ତା’ର ଉତ୍ତର ସମ୍ପର୍କରେ ମଧ୍ୟ ଶୁଣିଲା । ଦେଖିଲା ରୀନା ସେତେ ଭଲ କରିନାହିଁ । ତଥାପି ତାକୁ ନିରୁତ୍ସାହିତ ନ କରିବା ପାଇଁ କହିଲା, ‘‘ଠିକ୍‌ ଅଛି, ସେକେଣ୍ଡ ଡିଭିଜନ ନ ହେଲେ ବି ପାଶ୍‌ ନିଶ୍ଚୟ ହେବ ।’’

 

‘‘ଏଥର ଟି, ଏଥର ମୁଁ ପୂରାପୂରି ଫେଲ୍‌ । ମୁଁ ତ ଖାତାରେ କିଛି ଲେଖିନି, ଆଉ ପରୀକ୍ଷକ ଖାତାରେ କେମିତି ନମ୍ୱର ଦବ ଯେ?’’ ରୀନା ବଡ଼ ନିରୁତ୍ସାହିତ ହେଇ ପଡ଼ିଥିଲା । ତେଣୁ ଟିକିଏ ସାହସ ଦେବା ପାଇଁ ରମେଶ କହିଲା, ‘‘କେବେ ନୁହେଁ, ତମେ ଯାହା ଲେଖିଛ, ସେଥିରେ ପାଶ୍‌ ନମ୍ୱର ଜରୁର ମିଳିବ । ଅନେକ ପିଲା ଅଛନ୍ତି, ଯେଉଁମାନେ ଏହାଠାରୁ ବି ଖରାପ ଉତ୍ତର କରିଥିବେ ।’’ ତା’ର ଦୃଢ଼ୋକ୍ତି ଶୁଣି ରୀନା କହିଲା, ‘‘ସେ ଯାହାହେଉ, ମୁଁ ଫେଲ୍‌ ହେଲେ କିନ୍ତୁ ଆପଣ ଦାୟୀ ହେବେ । ଆପଣ ମତେ ବେଳହୁଁ କିଛି ବୁଝେଇ ଦେଲେନି । ପରୀକ୍ଷା ପୂର୍ବରୁ ପଢ଼ିଲେ ମୋ’ର କେଉଁ ମନେ ରହୁଛି ।’’

 

‘‘ଧେତ୍‌ ତମେ ସେତେଟା ଭାଙ୍ଗି ପଡ଼ୁଛ କାହିଁକି ? ମୁଁ କହୁଛି ତମେ ନିଶ୍ଚୟ ପାଶ୍‌ କରିବ-।’’ ରମେଶ ଏଥର ଆହୁରି ଜୋରରେ କହିଲା । ସଙ୍ଗେ ସଙ୍ଗେ ରୀନା କହି ଉଠିଲା, ‘‘ଆଚ୍ଛା, ମୋ’ ଦେହ ଛୁଇଁ କହିଲ ।’’ ପରେ ପରେ ସେ ତା’ ମୃଣାଳ–ଭୁଜଟା ତା’ଆଡ଼କୁ ବଢ଼େଇ ଦେଲା । ରମେଶ ଇତସ୍ତତ ହେଇ ତା’ ହାତ ଆଡ଼େ ଚାହିଁ ରହିଲା । ଶୁଭ୍ର କୋମଳ ହାତଟା । ବାହୁର କିଛି ଅଂଶକୁ ବ୍ଳାଉଜଟା ଢେର ଚାପି ରଖିଛି । ତର୍ଜନୀର ଅଙ୍ଗୁରୀୟଟା ଅଙ୍ଗୁଷ୍ଠିର ଶୋଭାକୁ ବହୁଗୁଣିତ କରୁଛି । ମୁଦ୍ରିକାସ୍ଥିତ ଦାମି ପଥରଟା ଚକ୍‌ଚକ୍‌ କରି ତା’ର ଦୃଷ୍ଟି ଆକର୍ଷଣ କରୁଛି । ଏ ହାତଟାକୁ ସେ ଛୁଇଁବ କି ନାହିଁ କିଛି ଠିକ୍‌କରି ପାରିଲାନାହିଁ । କିଂକର୍ତ୍ତବ୍ୟବିମୁଢ଼ ହୋଇ ତାକୁ ଖାଲି ଅନେଇଁ ରହିଲା । ରୀନା ବି ଅନେଇଥିଲା ରମେଶର ମୁହଁକୁ, ଦୁହିଁଙ୍କର ଆଖି ପରସ୍ପର ମିଶି ଯାଇଛି । ଉଭୟେ ନିରବ । କାହାରି ହଲଚଲ ନାହିଁ, କେହି କାହାରି ଆଖି କାଢ଼ିନେଇ ପାରୁ ନାହାଁନ୍ତି କାହାରି ଆଖିରେ ପଲକ ପଡ଼ୁନି । ଏମିତି ବିତିଗଲା କେତେ ସମୟ । କେତେ ସମୟ ପରେ ପହିଲେ ରମେଶ ମୁହଁକୁ ତଳକୁ ନଇଁଲା । ରୀନା ବି ପ୍ରକୃତିସ୍ଥ ହେଲା । ତା’ ଭିତରେ ଗୋଟାଏ କମ୍ପନ ଖେଳି ଯାଉଥିଲା । କିଛି ଗୋଟାଏ ଅଜଣା ଚମକରେ ତା’ର ସର୍ବାଙ୍ଗ ଥରି ଥରି ଉଠୁଥିଲା । କ’ଣ ଗୋଟାଏ କହିବାକୁ ଯାଇ ସେ ଯେପରି କହିପାରୁନି । ରମେଶ ଏଥର ନୀରବତା ଭଙ୍ଗକରି କହିଲା, ‘‘ତମେ ଅନ୍ୟ ଦିଟା ପେପରରେ ଭଲ କରିବାକୁ ଚେଷ୍ଟା କର ରୀନା, ପାଶ୍‌ ନହେଲେ ସେଥିପାଇଁ ମୁଁ ଦାୟୀ ।’’

 

‘‘ହଁ, ଆପଣ ମୋ’ ଦେହ ଛୁଇଁଲେନିଟି । ମୁଁ ଜାଣେ ପରା ମୋ’ର ପରୀକ୍ଷାରେ ଢେର ଖରାପ ହେଲାଣି । ଠିକ୍‌ ଅଛି, ପୁଣି ସପ୍ଳିମେଣ୍ଟାରୀ ପରୀକ୍ଷା ଦବା ।’’

 

‘‘ରୀନା ମୋ’ କଥାରେ ତମର ସାମାନ୍ୟତମ ବିଶ୍ୱାସ ନାହିଁ ?’’ ରମେଶର ସ୍ୱର ଏଥର କର୍କଶ ହେଉଥିଲା । ତା’ର କଡ଼ା ସ୍ୱରରେ ରୀନା ଖୁବ୍‌ ନଇଁ ଆସିଲା । ଶାନ୍ତ କୋମଳ ସ୍ୱରରେ ସେ କହିଲା, ‘‘ଆପଣ ରାଗନ୍ତୁନି ରମେଶ ବାବୁ; ମତେ ବିଶ୍ୱାସ କରନ୍ତୁ । ଆପଣଙ୍କର ଯଦି ଦୃଢ଼ ଧାରଣା ଥାଏ ଯେ ମୁଁ ପାଶ୍‌ କରିବି, ତେବେ ମୁଁ କେବେ ଫେଲ୍‌ ହେବି ନାହିଁ ।’’

 

‘‘ହେଲେ ସେଥିପାଇଁ ତମର ତ ପୁଣି ଗୋଟାଏ ଆତ୍ମବିଶ୍ୱାସ ରହିବା ଦରକାର’’–ରମେଶର ସ୍ୱର ଏଥର ଆହୁରି କଡ଼ା ।

 

‘‘ଆପଣଙ୍କର ଦୃଢଧାରଣା ମୋ’ ମନର ଆତ୍ମବିଶ୍ୱାସ ଆଣିଦେବ ରମେଶବାବୁ । ଆପଣଙ୍କର ଦୃଢ ଧାରଣା ଓ ମୋ’ର ଆତ୍ମବିଶ୍ୱାସ ମିଶିଲେ ମୁଁ ନିଶ୍ଚୟ ପାଶ୍‌ କରିଯିବି,’’ ଏତିକି କହିସାରି ରୀନା ତା’ ମୁହଁକୁ ଅନେଇବାକୁ ଲାଗିଲା । ସତେ ଯେମିତି ଟିକି ଶିଶୁଟିପରି ସେ ତା’ଠାରୁ ଶକ୍ତି ଚାହେଁ, ସମର୍ଥନ ଚାହେଁ । ତା’ କଥା ପଦକ ତାକୁ ଯେମିତି ପ୍ରବଳ ସ୍ରୋତ ମଧ୍ୟରେ ଆଶ୍ରୟ ଆଣିଦେବ, ନିରାଶାର ଶୁଷ୍କତା ମଧ୍ୟରେ ଆଶାର ଝର ସଂଚାରିବ ।

 

‘‘ମତେ ବିଶ୍ୱାସ କର ରୀନା, ତମେ କେବେ ଫେଲ ହେବନି । ମନଦେଇ ପଢ଼ାପଢ଼ି କର, ପରୀକ୍ଷା ସମୟରେ ତମର ଅଯଥା ସମୟ ନଷ୍ଟ କରିବାଟା ଠିକ୍‌ ହେଉନହିଁ । ମୁଁ ଆସୁଛି, ତମେ ଏଥର ପଢ଼ାପଢ଼ି କର ।’’ ତାପରେ ସେଠାରୁ ସେ ବାହାରିଗଲା ଓ ରୀନା ତା’ ଯିବା ବାଟକୁ ଏକ ଲୟରେ ଚାହିଁ ରହିଲା । ତା’ ପଦ ଚାଳନାର ଶବ୍ଦ ତା’ କର୍ଣ୍ଣ ପଟହରେ ସୃଷ୍ଟି କରୁଥିଲା ଗୋଟିଏ ହତାଶିଆ ଭାବ । ତା’ ଆଶା ଭରସାର ଉତ୍ସ ଯେମିତି ଭାଙ୍ଗି ପଡ଼ୁଛି । ତା କାମନା–ତରୀଟା ଯେମିତି ଲକ୍ଷ୍ୟଚ୍ୟୁତ ହୋଇ ମଝି ନଈରେ ଚକା ଭଉଁରି ଖାଉଛି । ଉର୍ଦ୍ଧ୍ୱ ଦୃଷ୍ଟିକରି ସେ ନଥକରି ଚଉକିଟା ଉପରେ ଆଉଜି ପଡ଼ିଲା ।

 

ଛ’ ଦିନ ପରେ ରୀନାର ପରୀକ୍ଷା ସରିଲା । ପରୀକ୍ଷା ସରିବା ଦିନ ହଲ୍‌ରୁ ବାହାରି ଆସି ସେ ରମେଶକୁ ଦେଖା କରିଥିଲା କଲେଜ ବାରଣ୍ଡାରେ । ତରତରରେ ତା’ ପାଖକୁ ଯାଇ କହିଥିଲା, ‘‘ବୁଝିଲେ ରମେଶ ବାବୁ, ମୁଣ୍ଡରୁ ଗୋଟାଏ ବୋଝଗଲା । ତେଣିକି ଭଲ ହେଇଥାଉ କି ମନ୍ଦ ହେଇଥାଉ ।’’ ରମେଶ ପଚାରିଲା ‘‘ସାଇକଲୋଜିରେ ଆଜି କେମିତି ହେଇଛି ? ରୀନା ଉତ୍ତର ଦେଲା, ସେତେ ଭଲ ନହେଲେ ବି ଖରାପ ହେଇନାହିଁ ।’’

 

‘‘ଓ, ତାହେଲେ ତ ଆପଣଙ୍କର ଫାଷ୍ଟ କ୍ଳାସଟା ଥୁଆ’’–ପଛରେ ଥାଇ ମନ୍ତବ୍ୟ କଲା ବିଷ୍ଣୁ । ରମେଶ ଓ ରୀନାର କଥାବାର୍ତ୍ତା ବେଳେ ସେ କେତେବେଳେ ଆସି ପଛରେ ଠିଆ ହେଇଯାଇଛି । ରୀନା ତା’ ଆଡ଼କୁ ନ ଅନେଇ ରମେଶକୁ କହିଲା, ‘‘ପ୍ଳିଜ ରମେଶ ବାବୁ, ଆଜି ଚାରିଟା ବେଳେ ଆପଣ ଆମଘର ଆଡ଼େ ଆସିବେ ।’’ ରମେଶ ଇତସ୍ତତଃ ହେଇ ଉତ୍ତର ଦେଲା, ‘‘ଆଜି ଚାରିଟା ବେଳେ ତ ମୁଁ କେବେ ଯାଇ ପାରୁନି । ଲାଇବ୍ରେରୀରେ ମୋ’ର ଟିକିଏ କାମ ଅଛି-।’’ ରୀନା ଏଥର ହସି ହସି କହିଲା, ଆପଣ ଯେମିତି ଭୋଳା ଲୋକ ନା’, ଲାଇବ୍ରେରୀରେ ବସିଥିଲେ ଆଠଟା ବାଜିଯିବ ପଛକେ ଆପଣଙ୍କୁ ଜଣାପଡ଼ିବନି ।’’ ରୀନା କଥାକୁ ଝାମ୍ପିନେଇ ବିଷ୍ଣୁ କହିଲା, ‘‘ଦେଖନ୍ତୁ ରୀନା ଦେବୀ, ରମେଶ ବାବୁଙ୍କର ଯଦି କାମ ଅଛି ତାଙ୍କୁ ଆଉ ଡିସ୍‌ଟର୍ବ କରୁଛନ୍ତି କାହିଁକି ? କାମଟା ହୁଏତ ଆପଣ ଆଉ କାହାଦ୍ୱାରା ଚଳେଇ ନେଇ ପାରନ୍ତି ।’’

 

‘‘ମାନେ........?’’–ରୀନାର ପ୍ରଶ୍ନ ।

 

‘‘ମାନେ ଆପଣ ଆଉ କାହାକୁ ନିମନ୍ତ୍ରଣ କରି ପାରନ୍ତି । ଏଇ ଯେମିତି ବିନୋଦ, ମୁଁ କିମ୍ୱା ଅନନ୍ତ ବାବୁ,’’ ବିଷ୍ଣୁ ଉତ୍ସାହିତ ହେଇ ସବେଗରେ କହି ଯାଉଥିଲା । ରୀନା ଚିହିଁକି ଉଠି କହିଲା, ‘‘ଦେଖନ୍ତୁ ବିଷ୍ଣୁ ବାବୁ, ଆପଣ ସାଧାରଣ ଶିଷ୍ଟାଚାର ବି ଭୁଲି ଯାଉଛନ୍ତି । କେଉଁଠି କେମିତି କଥା କହିବାକୁ ହୁଏ, ଆପଣ ଅନ୍ତତଃ ସେତିକି ଶିକ୍ଷା କରିବା ଉଚିତ ।’’

 

‘‘କଲେଜ ବାରଣ୍ଡାରେ ପ୍ରେମାଳାପ କରି ଆପଣତ ବେଶ୍‌ ଶିଷ୍ଟାଚାର ରଖି ପାରିଛନ୍ତି ।’’ ଛିଗୁଲେଇ କରି ବିଷ୍ଣୁ କହିବାବେଳେ ରମେଶର ଛାତିରେ ଯେପରି କଣ୍ଟକ ବିଦ୍ଧ ହେଇଥିଲା । ଦୁଇପାଦ ଆଗେଇ ଯାଇ ସେ କହିଲା, ‘‘ଆପଣ କ’ଣ କହିବାକୁ ଚାହାନ୍ତି ବିଷ୍ଣୁବାବୁ ?’’

 

‘‘ମୁଁ କହିବାକୁ ଚାହେଁ, ଏଇଟା ଆପଣଙ୍କ ଗାଁ ନୁହେଁ । ଆପଣମାନେ ଏ କଲେଜ ବାରଣ୍ଡାର ପବିତ୍ରତା ରକ୍ଷା କରୁ ନଥିବାରୁ ମୁଁ ଦୁଃଖିତ । ଆଶାକରେ ଭବିଷ୍ୟତରେ ଆପଣ ଏଥିପାଇଁ ସଚେତନ ହେବେ ।’’ ବିଷ୍ଣୁର କଥା ଗୁଡ଼ାକ ତା’ ଛାତିରେ ଛୁରିକା ଆଘାତ କରୁଥିଲା, କଥା ନ ବଢ଼େଇବାକୁ ଇଚ୍ଛାକରି ସେଠାରୁ ସେ ଚାଲିଯିବାକୁ ଇଚ୍ଛା କଲା । ଆନତ କଣ୍ଠରେ ସେ କହିଲା, ‘‘ମୋତେ କ୍ଷମା କରିବେ ବିଷ୍ଣୁବାବୁ, ମୁଁ ଆପଣଙ୍କର କାଉଣ୍ଟର ପାର୍ଟନୁହେଁ ।’’ ତା ପରେ ସେ କମନ ରୁମ୍‌ଆଡ଼େ ଚାଲିଗଲା । ରୀନା ତା’ ଚାଲିଯିବା ବାଟକୁ ଏକ ଲୟରେ ଚାହିଁ ରହିଥିଲା । ତାକୁ ଲକ୍ଷ୍ୟ କରି ବିଷ୍ଣୁ କହିଲା, ‘‘ଦେଖନ୍ତୁ ରୀନାଦେବୀ, ଆପଣ କିନ୍ତୁ ଭୁଲ ବାଟରେ ଯାଉଛନ୍ତି । କଲେଜରେ ତ ଜ୍ୟାଦା ଖେଳୁଆର୍ଡ଼ର ଅଭାବ ନାହିଁ । ରମେଶକୁ ଭଲପାଇ ଆପଣଙ୍କର ଏ ଅପାତ୍ରରେ ଦାନ ଦେବାଟାକୁ ମୁଁ ଅନ୍ତତଃ ପସନ୍ଦ କରି ପାରୁନି ।’’ ବିଷ୍ଣୁ କଥାରେ ରୀନାର ଧୈର୍ଯ୍ୟଚ୍ୟୁତି ଘଟିଲା । ମନେ ହେଉଥିଲା, ଯେମିତି ଗୋଡ଼ର ହାଇହିଲର ସଦ୍‌ବ୍ୟବହାର କରିବ । ଚାରିଆଡ଼କୁ ଦେଖିଲା ଅନେକ ପିଲା ଜମା ହେଇ ଗଲେଣି । ଇଉ ରବିଶ୍‌ ନନସେନ୍‌ସ କହି ସେଠାରୁ ସେ ତଳକୁ ଓହ୍ଲେଇ ଗଲା । ବିଷ୍ଣୁ ତା’ଆଡ଼େ ଚାହିଁରହି ମୁରୁକି ମୁରୁକି ହସୁଥିଲା, ମୁଣ୍ଡଟାକୁ ନାଟକୀୟ ରୀତିରେ ହଲାଇ ତା’ ହାଇହିଲର ଠକଠକ ଶବ୍ଦ ସହିତ ଯେମିତି ତାଳ ମିଳାଉଥିଲା । ବିନୋଦ ପଛଆଡ଼ୁ ଆସି ତା’ କାନ୍ଧରେ ଆଘାତ କରି କହିଲା, ‘‘କିରେ, ମିଜାଜଟା ତ ଭାରି କଡ଼ା । ନାତଟାକୁ ତୁ ସମ୍ଭାଳି ପାରିବା ଭଳି ଦେଖା ଯାଉ ନାହିଁତ ।’’

 

ବିଷ୍ଣୁ ଏଥର ଆଉ ଥରେ କଲରଟାକୁ ଉପରକୁ ଟେକି ଦେଇ କହିଲା, ‘‘ମିଜାଜଟା ଯେତେ କଡ଼ା ହେବ, ଚିଡ଼ିଆଟା ସେତେ ଜଲ୍‌ଦି ପଞ୍ଜୁରୀ ଭିତରକୁ ଆସିବ; ଆଉ ଥରେ ପଞ୍ଜୁରୀ ଭିତରକୁ ଆସିଲେ ନା ଯମା ଉଡ଼ି ଯିବାକୁ ଇଚ୍ଛା କରିବନି ।’’ ନିଶଟାରେ ହାତମାରି ଯାଉ ଯାଉ କହିଗଲା, ‘‘ବୁଝିଲୁ ବିନୋଦ, ଚିଡ଼ିଆଟାକୁ କେମିତି ମନେଇବାକୁ ହୁଏ ସେ ବିଦ୍ୟା ଏ ବିଷ୍ଣୁକୁ ଠିକ୍‌ ଜଣା ଅଛି ।’’

 

ରୀନା ଘରକୁ ଯାଇ ବହିପତ୍ର ସେଲଫ୍‌ ଉପରେ ଫୋପାଡ଼ି ଦେଲା । ମନଟା ତା’ର ଯମା ଭଲ ଲାଗୁନି । ବିଷ୍ଣୁ ଉପରେ ଆସୁଛି ଯୁଗପତ୍‌ ରାଗ ଆଉ ଘୃଣା । ତା’ରି ଲାଗି ଆଜି ଏତେ ପିଲାଙ୍କ ଆଗରେ ରମେଶବାବୁଙ୍କୁ ଅପମାନିତ ହେବାକୁ ପଡ଼ିଲା । ଏଥିଲାଗି ତାଙ୍କୁ କ୍ଷମା ମାଗିବାକୁ ହେବ । ବିଷ୍ଣୁବାବୁ ଉପରେ ପ୍ରତିଶୋଧ ନେବାକୁ ହେବ । ଆଜି ପରୀକ୍ଷା ସରିଛି, ସିନେମା ଦେଖିବାକୁ ସେ ନିଶ୍ଚୟ ଯାଇଥାଆନ୍ତା; କିନ୍ତୁ ସିନେମା ଯିବାକୁ ତା’ର ମନ ଭାଙ୍ଗି ଯାଇଛି । ଖଟ ଉପରେ ଶୋଇ ଶୋଇ ସେ ଖାଲି ଅସ୍ଥିର ହେଉଛି । ଅନେକ ଭାବିଚିନ୍ତି ସେ ଯାଇ ସାଢ଼େ ଚାରିଟା ବେଳକୁ ସମୁଦ୍ର କୂଳରେ ପହଞ୍ଚିଲା । ରମେଶକୁ ଯେ ସେଠାରେ ନିଶ୍ଚୟ ଆବିଷ୍କାର କରିବ ଏକଥା ସେ ଚିନ୍ତା କରୁଥିଲା । ସତକୁ ସତ ଗାନ୍ଧିଘାଟକୁ ଲାଗି ଏକ ନିର୍ଜନ ସ୍ଥାନରେ ବସିଥିଲା ରମେଶ । ଉତୁଙ୍ଗ ଉର୍ମିମାଳା ଆଡ଼େ ଚାହିଁ କ’ଣ ଗୁଡ଼ାଏ ଭାବି ଚାଲିଥିଲା । ରୀନାଯାଇ ତା ପାଖରେ ଚୁପ୍‌ କରି ବସିପଡ଼ିଲା ।

 

‘‘ରମେଶ ବାବୁ–’’ ରୀନା ଡାକରେ ତା’ମୋହ ଭାଙ୍ଗିଲା । ତା’ ଭାବନାର ଖିଅରେ ଗଣ୍ଠି ପଡ଼ିଗଲା । ‘‘ମତେ କ୍ଷମା କରିବେ ରମେଶ ବାବୁ, ଆଜି ମୋ’ ପାଇଁ ଆପଣଙ୍କୁ ଅଯଥା ଅପମାନିତ ହେବାକୁ ପଡ଼ିଲା–‘‘ରୀନାର କରୁଣ କୈଫିୟତ । ରମେଶ ଭାବ ପ୍ରବଣ ହୋଇ ଉତ୍ତର ଦେଲା, ‘‘ଅପମାନିତ କାହିଁକି ହେବି ରୀନା? ବରଂ ବିଷ୍ଣୁ ମତେ ଠିକ୍‌ କହିଛି । ତା’ର ଆହୁରି କହିବା ଉଚିତ ଥିଲା ।’’ ରୀନା ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ଆପଣ ବିଷ୍ଣୁବାବୁଙ୍କ କଥାକୁ ଏମିତି ସହିନେବେ ? ନା ରମେଶ ବାବୁ, ମୁଁ ଆପଣଙ୍କୁ ଏ ଭୁଲ କରିବାକୁ କେବେ ଦେବିନି । ଆମ ମିଳାମିଶାରେ ଇର୍ଷାନ୍ୱିତ ହୋଇ ଯିଏ ଯାହା କହିଯିବ, ଆପଣ ତାକୁ ଏମିତି ସହିନେବେ ? କାହିଁକି ?’’

 

‘‘ବନ୍ଦକର ରୀନା, ବନ୍ଦକରି । ଆଉ ମୁଁ କିଛି ଶୁଣିବାକୁ ଚାହେଁନା’’–ରମେଶ ଚିତ୍କାର କରି ଉଠିଲା । ପରମୁହୂର୍ତ୍ତରେ ସେ ସ୍ଥାନ ଛାଡ଼ି ଆଗେଇବାକୁ ଲାଗିଲା । ଆବେଗ ଭରା ହୃଦୟରେ ରୀନା ତା’ର ଅନୁଗମନ କରିବାକୁ ଲାଗିଲା । ରାସ୍ତାରେ ଅପେକ୍ଷା କରିଥିଲା ବିଷ୍ଣୁ । ଠିକ୍‌ ସମୟରେ ସେ ରୀନାକୁ ବାଟ ଓଗାଳି କହିଲା, ‘‘ଆସନ୍ତୁ ରୀନା ଦେବୀ, ମୋ’ କାରରେ ଆପଣଙ୍କୁ ଘରେ ଛାଡ଼ିଦେଇ ଆସିବି । ରମେଶ ବାବୁ ପାଦରେ ଚାଲି ଚାଲି ଏକୁଟିଆ ବେଶ୍‌ ଯାଇପାରିବେ ।’’ ରୀନା ଆଖିରୁ ବାଡ଼ବାଗ୍ନି ନିସୃତ ହେବାକୁ ଲାଗିଲା । ଚିହିଁକି ଯାଇ ସେ ଜବାବ ଦେଲା, ‘‘ଆପଣଙ୍କ କାରର ଗଦି ଅପେକ୍ଷା ରିକ୍‌ସାର ଗଦିଟା ମତେ ଆହୁରି କଅଁଳ ଲାଗିବ । ମତେ କାରରେ ବସାଇବା ପୂର୍ବରୁ ଆପଣଙ୍କର ସୁନାଥାଳିରେ ମୁହଁ ଧୋଇ ଆସିବା ଉଚିତ ଥିଲା । ହଠାତ୍‌ ସେ ଗୋଟାଏ ରିକ୍‌ସା ଅଟକାଇ ନିଜେ ବସି ପଡ଼ିଲା ଓ ରମେଶକୁ ଏକପ୍ରକାର ଟାଣିନେଇ ପାଖରେ ବସେଇ ଦେଲା । ରମେଶ ଯନ୍ତ୍ରଚାଳିତ ଭାବରେ ତା’ ପାଖରେ ବସିଲାବେଳେ ଚାରିଆଡ଼ ତାକୁ ଅନ୍ଧାର ଦେଖାଯାଉଥିଲା । ରିକ୍‌ସାଟା ମସୃଣ ରାସ୍ତା ଉପରେ ଆଗକୁ ଆଗକୁ ଗଡ଼ି ଚାଲିଲା । ବିଷ୍ଣୁ ଇର୍ଷାଦଗ୍‌ଧ ହୃଦୟରେ କ୍ରୋଧାଗ୍ନି ଜଳେଇ ରିକ୍‌ସା ପଛପଟକୁ ଚାହିଁ ରହିଥିଲା ।

 

ରିକ୍‌ସା ଯାଇ ଅଟକିଲା ରମେଶର ବସା ପାଖରେ । ଦୁହେଁ ଓହ୍ଲେଇ ତା’ର କୋଠାରୀ ଭିତରେ ପ୍ରବେଶ କଲେ । ରମେଶ ରୀନା ମୁହଁକୁ ଚାହିଁପାରୁ ନ ଥିଲା । କିଛି ସମୟ ଉଭୟେ ନୀରବ ରହିଲେ । କେତେବେଳ ପରେ ରୀନା କହିଲା, ‘‘ଆପଣ ଚେଷ୍ଟା କଲେ ବିଷ୍ଣୁବାବୁଙ୍କ ମୁହଁ ବନ୍ଦ କରି ଦେଇ ପାରିବେ, ରମେଶ ବାବୁ । କିନ୍ତୁ ଆପଣ ନୀରବ କାହିଁକି ? କାହିଁକି ଆପଣ ତାଙ୍କ ଅପମାନକୁ ଏମିତି ସହି ଯାଉଛନ୍ତି ? କେଉଁ ଅଧିକାରରେ ସେ ଆମକୁ ଏମିତି ଅପମାନିତ କରିବେ-?’’ ଏକାବେଳକେ ରୀନାର ଅନେକ ଗୁଡ଼ାଏ ପ୍ରଶ୍ନ । କ’ଣ ସେ ତାର ଉତ୍ତର ଦେବ କିଛି ଠିକ୍‌ କରି ପାରିଲାନି । ତା’ର ଅନେକ କିଛି କହିବାକୁ ଥିଲେ ବି ସେ ସେମିତି ନୀରବ ରହିବାକୁ ବାଧ୍ୟ ହେଉଥିଲା । ରୀନା ଏଥର ଆହୁରି ଅନୁନୟ କରି କହିଲା, ‘‘ବିଷ୍ଣୁବାବୁଙ୍କର ଔଦ୍ଧତ୍ୟ ବହୁତ ବଢ଼ିଗଲାଣି ରମେଶ ବାବୁ, ଆଉ ଅଧିକ ତାଙ୍କୁ କହିବାକୁ ସୁଯୋଗ ଦେବାଟା..... ।’’ ରମେଶ ଆଉ ସମ୍ଭାଳି ହୋଇ ରହି ପାରିଲାନି । କୁପିତ ସ୍ୱରରେ ସେ କହିବାକୁ ଲାଗିଲା, ‘‘କିଏ ତାକୁ ସୁଯୋଗ ଦଉଛି ରୀନା ? ଆମେ ତାକୁ ସୁଯୋଗ ଦେଲେ ସେ ତ ନିଶ୍ଚୟ କହିବ । ଖାଲି ସେ କାହିଁକି, କାଲି ତ ସାରା କଲେଜ କହିବ, ସାରା ସହର କହିବ ।’’ ତା’ର ଏ କଥା ଗୁଡ଼ାକ ରୀନାକୁ ସ୍ତବ୍‌ଧ ଚକିତ କରିଦେଲା । ତଥାପି ଧୈର୍ଯ୍ୟଧରି ଖୁଣ୍ଟପରି ସେ ଠିଆହୋଇ ପଚାରିଲା, ‘‘ଆପଣ ସବୁବେଳେ ଉଦାସୀନ କାହିଁକି ? ଆପଣଙ୍କର ଏ ଉଦାସୀନତା ପରୋକ୍ଷରେ ତାଙ୍କୁ ଅଧିକ କହିବାକୁ ସୁଯୋଗ ଦେଉ ନାହିଁକି ? ଆପଣ ଚେଷ୍ଟା କଲେ ତାଙ୍କ ମୁହଁ ଛାଏଁ ଛାଏଁ ବନ୍ଦ ହୋଇଯିବ ।’’

 

‘‘ଉପାୟ ନାହିଁ ରୀନା, ଉପାୟ ନାହିଁ । କାହାର ମୁହଁ ମୁଁ ବନ୍ଦ କରିବି; ଆଉ କାହିଁକି ବା ବନ୍ଦ କରିବି ମୁଁ କିଛି ବୁଝି ପାରୁନାହିଁ ।’’ ରମେଶର ଏଇ କେତେପଦ କଥାରେ ରୀନା ଆହୁରି ଚକିତ ହେଲା । ତା’ ଗୋଡ଼ତଳୁ ଯେମିତି ମାଟିର ପୃଥିବୀଟା ତଳକୁ ତଳକୁ ଦବି ଯାଉଥିଲା, ତଥାପି ସେ ଶେଷଥର ପାଇଁ ପ୍ରଶ୍ନକଲା, ‘‘ରମେଶ ବାବୁ, ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି ?’’ ତା’ର ପ୍ରଶ୍ନିଳ ମୁହଁଟାକୁ ରମେଶ ଜିଜ୍ଞାସୁ ଦୃଷ୍ଟିରେ ଅନେଇଁ ରହିଲା । ରୀନା ପ୍ରଶ୍ନ ପଚାରିବାକୁ ଅନୁମତି ମାଗୁଛି । କି ପ୍ରଶ୍ନ ସେ ପଚାରିବ ! ଏଥର ରୀନା ତୁଣ୍ଡ ଖୋଲିଲା । ଆପଣ ମୋ’ ସଙ୍ଗେ ମିଳାମିଶା କରିବାକୁ ଚାହାନ୍ତିନି ନା, ଆପଣ ମୋ ବ୍ୟବହାର ପସନ୍ଦ କରନ୍ତିନି ନା ? ମୁଁ ଆପଣଙ୍କୁ ବାରମ୍ୱାର ହଇରାଣ କରୁଛି ନା ?

 

‘‘ରୀନା....’’–ଚିତ୍କାର କରି ଉଠିଲା ରମେଶ ।

 

‘‘କ୍ଷମା କରିବେ ରମେଶ ବାବୁ, ଆପଣଙ୍କୁ ଅନେକ ହଇରାଣ କଲି ।’’ ଗଡ଼ି ଆସିଥିବା ଲୁହଧାରକୁ ଅଞ୍ଚଳରେ ପୋଛି ଦେଇ ଝଡ଼ ବେଗରେ ସେ ଘରୁ ବାହାରିଗଲା । ଘରେ ପହଞ୍ଚି ନିଜ ସୋଫା ଉପରେ ଲୋଟାଇ ଦେଲା ତା’ର ଅବଶ ଶରୀରଟାକୁ । ତା’ର ଇଚ୍ଛା ହେଉଥିଲା, ସେ ଟିକିଏ ଚିତ୍କାର କରି କାନ୍ଦି ପାରନ୍ତା କି । ଦି’ ଆଖିରୁ ଧାରା ଶ୍ରାବଣ ବହି ଯାଉଥିଲା । ସେ ଅନୁଭବ କରୁଥିଲା ଯେମିତି ଆଜି ତା’ର ଉଡ଼ନ୍ତା ଡେଣା ଦୁଇଟା କିଏ କାଟି ପକେଇଛି । ଚିନ୍ତା କରୁଥିଲା ସେ ଯେମିତି ଠକି ଯାଇଛି । ନିଜକୁ ନିଜେ ସେ ଦୋଷୀ କରୁଥିଲା । ରମେଶ ଉପରେ ତା’ର ରାଗ ଆସୁଥିଲା; ଭୀଷଣ ପ୍ରତିଶୋଧ ନେବାକୁ ଇଚ୍ଛା ହେଉଥିଲା । ସେ ଯେମିତି ଜାଣି ଜାଣି ତାକୁ ଅପମାନିତ କରୁଛି । ବିଷ୍ଣୁ ତାକୁ ଦାଣ୍ଡରେ ଘାଟରେ ଏମିତି ଅପମାନିତ କରିବ, ଆଉ ସେ ସବୁବେଳେ ତୁନି ରହିଥିବେ । କାହିଁକି ? ସେ ତାଙ୍କର କ’ଣ କେହି ନୁହେଁ ? ବିଷ୍ଣୁବାବୁଙ୍କ ମନ୍ତବ୍ୟକୁ କାହିଁକି ସେ ଏମିତି ସହି ନେଉଛନ୍ତି ? ସହିନେବାଟା କ’ଣ ଦୁର୍ବଳତା ନୁହେଁ ? ବିଷ୍ଣୁବାବୁ ବି ତ କିଛି କମ ନୁହେଁ । ସେ ତା’ ଦୁର୍ବଳତାରୁ ବେଶ୍‌ ଫାଇଦା ଉଠାଇଲାଣି । ଆଉ ନୁହେଁ, ପହିଲେ ବିଷ୍ଣୁବାବୁଙ୍କ ଉପରେ ପ୍ରତିଶୋଧ ନେବାକୁ ହେବ । ତାପରେ ରମେଶ ବାବୁଙ୍କ ପାଳି । ବିଷ୍ଣୁବାବୁ ହୁଏତ ତା’ ଦୁର୍ବଳତାର ପରିଚୟ ପାଇଛନ୍ତି । ତା’ ନାରୀତ୍ୱରେ ଦଂଶନର ଜ୍ୱାଳା ଅନୁଭବ କରି ନାହାନ୍ତି । କାଲି ସକାଳୁ ତାଙ୍କ ବସାକୁ ଯାଇ ଏ ଜ୍ୱାଳାର ମଜା ତାକୁ ଚଖେଇବାକୁ ପଡ଼ିବ ।

 

ଏଣେ ରମେଶ ତା’ ଖଟ ଉପରେ ଶୋଇ ଶୋଇ ଅସ୍ଥିର ହେଉଥିଲା । ସେ ଭାବୁଥିଲା ବିଷ୍ଣୁ ଓ ରୀନାଙ୍କର ବିପରୀତମୁଖୀ ଭାବଧାରା ସମ୍ୱନ୍ଧରେ । ରୀନାର ତା’ ପ୍ରତି ଆସକ୍ତି ଆଉ ବିଷ୍ଣୁର ଟିଟିକାର । ରୀନା ଠିକ୍‌ କହୁଥିଲା–ସେ ଯେମିତି ବିଷ୍ଣୁକୁ ଟିଟିକାର କରିବାକୁ ସୁଯୋଗ ଦେଉଛି । ବିଷ୍ଣୁ କ୍ରମେ ଯେମିତି ତାକୁ ଦର୍ବୁଳ ଆଉ କ୍ଳୀବ ବୋଲି ଧରି ନେଉଛି । ବିଷ୍ଣୁ ହୁଏତ ଜାଣେନା ଯେ ଜଣେ ନାରୀର ସମ୍ମାନ ରଖିବାକୁ ତା’ଠାରେ ବି ଯଥେଷ୍ଟ ତାକତ ଅଛି । ତା’ ସପକ୍ଷରେ ଯୁକ୍ତି ବାଢ଼ିବାକୁ ତା’ ଜିଭରେ ବି ବେଶ୍‌ ଶକ୍ତିଅଛି, ବିଷ୍ଣୁ ତା’ ଭିତରଟାକୁ ଚିହ୍ନିନି । ରମେଶର ବାହାରଟା ଯେତିକି ଶାନ୍ତ, ତା’ ଭିତରଟା ସେତିକି ଉତ୍ତପ୍ତ । ଥରେ ସେ ଉତ୍ତାପର ସ୍ପର୍ଶ ପାଇଲେ, ଆଉ କେବେ ଆଗେଇବାକୁ ସାହାସ କରିବନି । କାଲି ସକାଳେ ତା’ର ମୁକାବିଲା କରିବାକୁ ହେବ, ତାକୁ ଚେତେଇ ଦେବାକୁ ହେବ ଯେ ରୀନା ଆଉ ରମେଶକୁ କେନ୍ଦ୍ରକରି ଅଶ୍ଳିଳ ପ୍ରଚାର କଲେ ପରିଣାମଟା ତା ପାଇଁ ଖୁବ୍‌ ଭୟାବହ ହେବ । ଏକଥା ସେ ଯେତିକି ଭାବୁଥିଲା, ବିଷ୍ଣୁପ୍ରତି ତା’ର କ୍ରୋଧ ସେତିକି ବଢ଼ୁଥିଲା । ରାତି ସେତେବେଳକୁ ଅନେକ ହୋଇଥିଲେ ବି ସେ ଅହେତୁକ ଭାବରେ ଜାଗି ରହିଥିଲା ।

 

ପରଦିନ ସକାଳେ ସେ ଚାଲିଲା ବିଷ୍ଣୁ ଘରକୁ, ତାକୁ ଦେଖି ବିଷ୍ଣୁ ଆଶ୍ଚର୍ଯ୍ୟ ହୋଇଗଲା । ବକ୍ରଦୃଷ୍ଟି ପକେଇ ସେ ବ୍ୟଙ୍ଗପୂର୍ଣ୍ଣ ସ୍ୱରରେ କହିଲା, ‘‘ଆରେ ରମେଶବାବୁ.... ସକାଳୁ ସକାଳୁ ଏଣେ ପଳେଇ ଆସିଲେ ଯେ... । ଏଇଟାକୁ ହୀରାମହଲ ବୋଲି ଭାବି ଭୁଲରେ ଚାଲି ଆସି ନାହାନ୍ତି ତ ?’’

 

‘‘ବିଷ୍ଣୁବାବୁ, ସଂଜତ ଭାବରେ କଥାବାର୍ତ୍ତା କରନ୍ତୁ ।’’

 

‘‘ମୁଁ ତ ଆପଣଙ୍କ ପରି କେବେ ଅସଂଜତ ହୋଇନାହିଁ ।

 

ହୀରାମହଲରେ ଆପଣ ଅସଂଜତ ହୁଅନ୍ତି ବୋଲି ସବୁ ସ୍ଥାନକୁ ହୀରାମହଲ ଭାବୁଛନ୍ତି କାହିଁକି ?’’

 

‘‘ବିଷ୍ଣୁବାବୁ, ହୀରାମହଲରେ ମୋତେ ସ୍ୱାଗତ କରାଗଲେ ଆପଣଙ୍କର ଇର୍ଷା ହୁଏ କାହିଁକି ? କାହିଁକି ଆପଣଙ୍କର ଆମ ଉପରେ ଏ ଅହନ୍ତା ? ଆପଣ କ’ ଜାଣନ୍ତିନି ରୀନା ମତେ ଭଲପାଏ’’–ରମେଶର କଣ୍ଠରେ ଥିଲା ଦୃଢ଼ତା । ବିଷ୍ଣୁ ଏଥର ଥଟ୍ଟାଳିଆ ସ୍ୱରରେ କହିଲା, ‘‘ସେଇତ ଟାଜେଡ଼ି ରମେଶ ବାବୁ, ରୀନା ଆପଣଙ୍କୁ ଭଲ ପାଇ ପାରୁଥାଏ; ହେଲେ ଆପଣ ରୀନାକୁ ନିଶ୍ଚୟ ଭଲ ପାଆନ୍ତିକି ।’’

 

ରମେଶ ଏଥର ନିଆଁ ହୋଇଗଲା । କ୍ରୁଦ୍ଧ ସ୍ୱରରେ ସେ କହିବାକୁ ଲାଗିଲା, ‘‘କିଏ କହେ ମୁଁ ରୀନାକୁ ଭଲ ପାଏ ନାହିଁ ବୋଲି । ରୀନାକୁ ମୋ’ ଜୀବନଠାରୁ ବଳି ଭଲ ପାଏ, ସ୍ନେହ କରେ, ପ୍ରେମ କରେ । ଆପଣ ଏଇଟାକୁ ସହି ପାରୁନାହାନ୍ତି କାହିଁକି ?’’ ବିଷ୍ଣୁର ଡ୍ରଇଙ୍ଗ୍‌ ରୁମ୍‌ଟା ତା’ କୁପିତ ସ୍ୱରରେ କମ୍ପି ଉଠୁଥିଲା । ତା’ କାନଟା ସ୍ତବ୍‌ଧ ହୋଇ ଯାଉଥିଲା । ସେ ତା’ କଥାକୁ ବିଶ୍ୱାସ କରିବାକୁ ଯେମିତି ରାଜି ନୁହେଁ । ସ୍ତବ୍‌ଧ ଚକିତ ହୋଇ ସେ ଠିଆ ହୋଇଥିଲା । ତା’ର ମନେ ହେଉଥିଲା, କୌଣସି ନିଶାକାରୀ ପଦାର୍ଥର ପ୍ରଭାବରେ ରମେଶ ଯେମିତି ଏଗୁଡ଼ାକ ଗପି ଚାଲିଛି । ରମେଶ କହି ଚାଲିଥିଲା, ‘‘ମନେ ରଖନ୍ତ ବିଷ୍ଣୁବାବୁ, ଆପଣ ଯଦି ଆଉ କେବେ ରୀନା ଆଉ ରମେଶ ନାମରେ ଅଶ୍ଳିଳ ଇଙ୍ଗିତ କରନ୍ତି, ତେବେ ଆପଣଙ୍କର ସତ୍ତା ମୁଁ ରଖେଇ ଦେବିନି । ରୀନାର କୌଣସି ଅବହେଳା ବା ଅପମାନକୁ ରମେଶ ପ୍ରଧାନ ସହ୍ୟ କରି ପାରେନା । ଏକଥା ମୁଁ ଆପଣଙ୍କୁ ପ୍ରଥମ ଓ ଶେଷଥର ପାଇଁ ଚେତେଇ ଦେଇଗଲି ।’’ ଏତିକି କହିସାରି ଝଡ଼ ବେଗରେ ସେ ପଦାକୁ ବାହାରି ଆସିଲା । ପରଦା ଠେଲି ବାହାରେ ପାଦ ପକେଇବା ବେଳେ ରୀନା ଦେହରେ ଧକ୍‌କା ହେଇ ପଡ଼ି ଯାଉ ଯାଉ ତାକୁ ଧରି ପକେଇଲା । ଆଶ୍ଚର୍ଯ୍ୟରେ ତା’ ପାଟିରୁ ବାହାରି ପଡ଼ିଲା, ‘‘ରୀନା.....ତମେ ?’’ ରୀନା ଭଙ୍ଗା କଣ୍ଠରେ କହିଲା, ‘‘ମୁଁ ସବୁ ଶୁଣିଛି ରମେଶ ବାବୁ; ମୁଁ ବି ସେଇଥିପାଇଁ ଆସିଥିଲି । ଆପଣ ମୋ କାମଟା ଆଗୁଆ କରି ଦେଇଛନ୍ତି ।’’ ରୀନାର ପାଟି ଶୁଣି ବିଷ୍ଣୁ ପଦାକୁ ଆସିଲା । ଦାନ୍ତ ରଗଡ଼ି ଆଖି ଲାଲ ଲାଲ କରି ସେ କହିଲା, ‘‘ଓ ଲଇଲା ମଜନୁ ଦୁହେଁ ପ୍ଳାନ କରି ଆସିଥିଲ ତାହେଲେ ।’’

 

ରମେଶର କ୍ରୋଧାଗ୍ନି ଶାନ୍ତ ହୋଇ ନଥିଲା । ଚିହିଁକି ଯାଇ ସେ ଉତ୍ତର ଦେଲା, ‘‘ଚୁପ କରନ୍ତୁ ଆପଣ ।’’ ହୁଏତ ବିଷ୍ଣୁ ଦେହରେ ସେ ହାତ ଲଗେଇ ଦେଇଥାଆନ୍ତା । ରୀନା ତାକୁ ଏକପ୍ରକାର ଟାଣି ଟାଣି ଘେନି ଆସିଲା । ‘‘ଆସନ୍ତୁ ରମେଶ ବାବୁ, ଆଉ ଏଠି ଦଣ୍ଡେ ନୁହେଁ ।’’ ରମେଶକୁ ନେଇ ସେ ସେଠାରୁ ଚାଲି ଆସିଲା । ସେ ଆଜି ସତେ ଯେମିତି ତା’ର ଉପସିତ ବସ୍ତୁ ପାଇ ଯାଇଛି । ଆଖିରୁ ତାର ଆନନ୍ଦାଶ୍ରୁ ଗଡ଼ି ଆସୁଥିଲା । ରମେଶ ପ୍ରତି ତା’ ମନରେ କୃତଜ୍ଞତା ଭରିଗଲା । ତାଙ୍କୁ ସେ କି ଭୁଲ ବୁଝି ନ ଥିଲା ସତେ ! ରମେଶ ବାବୁ ଯେ ତାକୁ ସତରେ ଭଲପାଆନ୍ତି ସେ ତା’ର ନିଦର୍ଶନ ଆଜି ପ୍ରଥମ କରି ପାଇଲା । ଇଚ୍ଛା ହେଉଥିଲା ତା’ ପାଦ ଉପରେ ଲୋଟି ପଡ଼ିବ । ପାଦଧରି କହିବ–ମତେ କ୍ଷମା କରିବେ ରମେଶ ବାବୁ । ଆପଣଙ୍କୁ ମୁଁ ଭୁଲ ବୁଝିଥିଲି । ଆପଣ ମୋର ଏତେ ନିକଟରେ ଏ କଥା ଆଜି ମୁଁ ଜାଣିଲି । ତା’ ପାଦତଳେ ମୁଣ୍ଡ ଲଗେଇବାକୁ ତା’ର ଇଚ୍ଛା ହେଉଥିଲା । ନାରୀ ଜୀବନର ସମସ୍ତ ଅର୍ଘ୍ୟ ତା’ ପଦତଳେ ଅଜାଡ଼ି ଦେବାକୁ ସେ ଯେମିତି ପ୍ରସ୍ତୁତ ହେଉଥିଲା ।

 

ରମେଶ ଆସି ତା’ କୋଠାରୀରେ ତା’ ବିକ୍ଷିପ୍ତ ମନଟାକୁ ସଜାଡ଼ିବାକୁ ଲାଗିଲା । କ୍ଳାନ୍ତ ଶରୀରରେ ବିକ୍ଷିପ୍ତ ମନଟା ଯେମିତି ଘର ଧରୁ ନଥିଲା । ଭାବନା ରାଜ୍ୟରେ ତା’ର ବିସ୍ଫୋରଣ ଘଟୁଥିଲା । ଦୁଇହାତରେ ସେ ମୁଣ୍ଡଟାକୁ ଜୋରରେ ଚିପି ଧରିଲା । ପରମୁହୂର୍ତ୍ତରେ ତା’ ଦୁଇଆଖି ଅଇନାରେ ଦୁଇଟି ଜୀବ ଆସି ଦେଖାଦେଲେ । ଗୋଟିଏ ରୀନା, ଆଉ ଗୋଟିଏ ରତି । ଦିହେଁ ତାକୁ ଏକ ଲୟରେ ଚାହିଁଛନ୍ତି । ହେଲେ ସେ କାହା ଆଖିରେ ଆଖି ମିଶାଇ ପାରୁନି । ଉଭୟେ ଯେମିତି ତାକୁ କିଛି କହିବାକୁ ଚାହାନ୍ତି । ହେଲେ ସେ କାହାର କଥା ଶୁଣିବ ? କାହା କଥାରେ ସ୍ୱର ମିଳାଇବ ? ଚାରିଆଡ଼ ତାକୁ ଅନ୍ଧାର ଦିଶିଲା । ସବୁଚିନ୍ତା ତା’ର ଗୋଳମାଳ ହୋଇଗଲା । ‘‘ନା, ନା, ତମେମାନେ ଚାଲିଯାଅ । ମୁଁ ଟିକିଏ ଶାନ୍ତିରେ ରହିବାକୁ ଚାହେଁ, ହଁ, ହଁ ମୋର ଟିକିଏ ଶାନ୍ତି ଦରକାର’’–ଚିତ୍କାର କରି କରି ମୁଷ୍ଟିବଦ୍ଧ ହାତଟାକୁ ଟେବୁଲ ଉପରେ କଚାଡ଼ିବାକୁ ଲାଗିଲା ।

 

ଛୁଟିଟା ରମେଶକୁ ଖରାଛୁଟି ପରି ଲାଗି ନଥିଲା । ମାତ୍ର କେତେଦିନ ପାଇଁ ସେ ଗାଁକୁ ଯାଇଥିଲା, ଗାଁଟା ତାକୁ ଯମା ଭଲ ଲାଗିଲାନି । ସବୁବେଳେ ସେ ଚିନ୍ତାମଗ୍ନ ରହୁଥିଲା । ସବୁ କଥାରେ ସବୁକାମରେ ସେ ଅନ୍ୟମନସ୍କ ଜଣା ପଡୁଥିଲା । ପ୍ରତିବର୍ଷ ପରି ଏବର୍ଷ ବି ଗାଁରେ ଡ୍ରାମା ହେଲା । ହେଲେ ସେଥିରେ ସେ ଭୂମିକା ଗ୍ରହଣ କଲାନି, ପୂର୍ଣ୍ଣପ୍ରାଣରେ ସହଯୋଗ ବି କରି ପାରିଲାନି । ସମବୟସ୍କ ଯୁବକମାନେ ତାକୁ ପରିହାସ କଲେ । ଛଳେଇ ଛଳେଇ କହିଲେ, ‘‘ରମେଶ ଅନେକ ଦିନ ସହରରେ ରହିବା ପରେ ତାକୁ ଆଉ ଗାଁ ଭଲ ଲାଗୁନାହିଁ । ଶିକ୍ଷିତ ହେବା ପରେ ଆମ ଭଳି ମୂର୍ଖଙ୍କ ସାଙ୍ଗେ ପାର୍ଟ କରିବାକୁ ତା’ର ଇଚ୍ଛା ହେଉନାହିଁ ।’’ ରମେଶ ସବୁ ଶୁଣିଲା, ହେଲେ କାହାକୁ କିଛି କହି ପାରିଲାନି ।

 

ଗାଁ ସ୍କୁଲରେ ଗୌରମୋହନ ସହିତ ତା’ର ଦେଖାହେଲା । ପଚାରିଲା, ‘କିରେ ସବୁ ଭଲ ତ ? ‘ଗୌରମୋହନ କହିଲା, ‘କିରେ ତୋ’ ମାରାଲିଷ୍ଟ ଡାକଟା ତୁ କ’ଣ ଭୁଲି ଗଲୁଣି । ହଁ ଭୁଲିବୁନି କାହିଁକି ? କଲେଜରେ ତ ଅନେକ ନୂଆସାଙ୍ଗ ମିଳି ଯିବେଣି । ରମେଶ ଲଜ୍ଜିତ ହେଲା । ପରମୁହୂର୍ତ୍ତରେ ପରିସ୍ଥିତିକୁ ସୁଧାରି ନେବାକୁ ଯାଇ କହିଲା, ‘‘ବା’ରେ ମାରାଲିଷ୍ଟ, ତୁ ତ ପକ୍‌କା ମାଷ୍ଟର ବନିଗଲୁଣି । ତାପରେ ସେମାନେ ଆହୁରି ଅନେକ କଥାବାର୍ତ୍ତା ହେଲେ । ସ୍କୁଲ ବିଷୟରେ ମଧ୍ୟ କେତେକଥା ପଡ଼ିଲା । ଗୌରମୋହନ କହିଲା, ଏଠିକାର ବଡ଼ ସମସ୍ୟା ହେଉଛି, ଅନେକ ପିଲା ବର୍ଷ ମଝିରେ ପଳାଉଛନ୍ତି । ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୁବ୍‌ କମ୍‌ ପିଲା ରହୁଛନ୍ତି । ପଇସାପତ୍ରର ଅଭାବ ଯୋଗୁଁ ଅଭିଭାବକମାନେ ତାହା କରୁଛନ୍ତି ବୋଲି ରମେଶ ଯୁକ୍ତି ବାଢ଼ିଲା । ରମେଶ ସେଇଟାକୁ ଗ୍ରହଣ ନକରି କହିଲା, ସେଇଟା ଠିକ୍‌ କାରଣ ନୁହେଁ । ଏଇ ତମ ଗାଁ ଦୁଃଖୀ ପଧାନେ, ତାଙ୍କ ଝିଅ ରତିକୁ ଦଶ ଶ୍ରେଣୀରୁ ଉଠାଇ ନେଲେ । ପିଲାଟା କିନ୍ତୁ କ୍ଳାସରେ ପୋଜିସନ ରଖୁଥିଲା । ରମେଶ ଏଥର ତୁନି ରହିଲା । ଗୌରମୋହନ ଜଳଖିଆ ମଗାଇଲା । ଦୁଇବନ୍ଧୁ ସାଙ୍ଗ ହେଇ ବସି ଖାଇଲେ । ଅନେକଦିନ ପରେ ଦିହେଁ ସାକ୍ଷାତ କରିଥିଲେ । କଥାବାର୍ତ୍ତା ବହୁ ସମୟ ଧରି ଚାଲିଲା । ଘଣ୍ଟା ବାଜିବା ପରେ ଗୌର ମୋହନ କ୍ଳାସକୁ ଗଲା ଓ ରମେଶ ଗାଁକୁ ଆସିଲା । ଗାଁଟା ତଳକୁ ଏଥର ଯମା ଭଲ ଲାଗୁନି । କେଉଁ କାମରେ ତା’ର ମନ ଲାଗୁନି । କେଉଁଥିରେ ତା’ର ଅଭାବ ରହିଯାଇଛି ସେ ନିଜେ ଯେପରି ଜାଣେନା ।

 

ଦୁଃଖୀଦାଦିଙ୍କ ଘରକୁ ବି ସେ ଯାଇଥିଲା, ହେଲେ ରତି ସାଙ୍ଗେ ତା’ର ଦେଖା ହେଇ ପାରିଲା ନାହିଁ । ଦାଦି, ଖୁଡ଼ୀକୁ ପ୍ରଣାମକରି ସେ ଚାଲି ଆସିଥିଲା । ଝରକା ବାଟ ଦେଇ ରତି ତା’ ଯିବା ବାଟକୁ ଚାହିଁ ରହିଥିଲା । ଦୃଷ୍ଟିପଥରୁ ସେ ଅନ୍ତର ହୋଇଯିବା ପର୍ଯ୍ୟନ୍ତ ତା’ ଆଖିରେ ପଲକ ପଡ଼ି ନଥିଲା । ରମୁଭାଇଙ୍କ ସାମ୍ନାକୁ ଆସିବାକୁ ତାକୁ ଭାରି ଲାଜ ଲାଗିଥିଲା । ଘର ଭିତରେ ରହି ସେ ତାଙ୍କ କଥା ଶୁଣୁଥିଲା । ବାପା ପଚାରୁଥିଲେ, ‘‘ପୁରୀର ଆଉ କେତେବର୍ଷ ପଢ଼ିବାକୁ ଅଛି ?’’ ରମୁଭାଇ ଉତ୍ତର ଦେଇଥିଲେ–‘ଆଉ ଏଇ ବର୍ଷକ’ । ରତି ମନର ଆନନ୍ଦର ଲହରୀ ଖେଳି ଯାଉଥିଲା । ଆଉ ବର୍ଷକ ପରେ ସେ ତା’ ରମୁଭାଇଙ୍କୁ ସବୁଦିନ ପାଇଁ ଦେଖିପାରିବ ।

 

ରମେଶ ସାହସ କରି ରତି ପାଖକୁ ଯାଇ ପାରି ନଥିଲା । ଗାଁରେ ସେତେବେଳକୁ ସମସ୍ତେ ଜାଣି ସାରିଥିଲେ ଯେ ତା’ ସହିତ ରତିର ବାହାଘର ହେବ । ତେଣୁ ତା ସହିତ ଦେଖା କରିବାକୁ ତାକୁ ଗୋଟାଏ କେମିତି ଅହେତୁକୀ ମନେ ହେଇଥିଲା । ତା ଛଡ଼ା ରତି ବି ବେଶ ଲଜ୍ୟାଶୀଳା ହେଇ ଯାଇଥିଲା । ପୂର୍ବର ବାଳଚପଳତା ବା କିଶୋରୀ ଜୀବନର ପ୍ରଗ୍‌ଲଭତା ଏବେ ତା’ଠାରେ ନଥିଲା । ତା ବଦଳରେ ଥିଲା ନୀରବ ମୁଖଶ୍ରୀରେ ଛନ୍ଦଭରା ଚାହାଣି । ରମେଶ ସହ ତା’ବାହାଘର କଥା ପଡ଼ିଲେ ତା’ ମୁହଁ ଉପରେ ମେଞ୍ଚାଏ ଲାଜଫଗୁ ଛାଟିହୋଇ ଯାଉଥିଲା । ତେଣୁ ରମୁଭାଇ ସାଙ୍ଗେ ସାକ୍ଷାତ କରିବା ବା କଥାବାର୍ତ୍ତା କରିବା ତ ଦୂରର କଥା, ତା’ ପାଟି ଶୁଣିଲେ ସେ ଘର ଭିତରୁ ପଦାକୁ ବାହାରୁ ନ ଥିଲା ।

 

ସେଦିନ ରମେଶ ଆସିବା ପରେ ସୁନାମଣୀ ସ୍ୱାମୀଙ୍କୁ ରତିର ବାହାଘର କଥା ପଚାରିଲେ । ‘‘ରମୁ ତ ଏଇନେଗାକୁ ଆସିଛନ୍ତି, ତାଙ୍କ ବୋଉଙ୍କ ସାଙ୍ଗେ ଏତିକି ବେଳେ କଥାଟା ପକ୍‌କା କରେଇ ନେଲେ ଭଲହୁଅନ୍ତା’’ ଉଦାସିଆ କଣ୍ଠରେ ଦୁଃଖୀର ଉତ୍ତର ଦେଇଥିଲେ, ଯିଏ ଯାହା ହାଣ୍ଡିରେ ଚାଉଳ ପକେଇଥିବ ସେ ତା’ ଘରକୁ ନିଶ୍ଚୟ ଯିବ । ଭଗବାନ ଯାହାହୁ ଯାହାପାଇଁ ଖଞ୍ଜିଥିବେ, ଛାଏଁ ଛାଏଁ ଘଟସୂତ୍ର ଯୋଡ଼ିହୋଇଯିବ । ଏତିକି ବେଳେ ଯେମି ବୁଢ଼ୀ ଆସି ଦୁଆରେ ପଶିଲା । ବୁଢ଼ୀ ତା’ ପାକୁଆ ପାଟିରେ କହିଲା ‘‘ସେଇଆରେ ବାପ, ସେଇ ଯୋଉ ପଦକ କହିଲୁ ଠିକ୍‌ । ଚକର ପାଣି ଯାହା ଖଞ୍ଜିଛି ତାକୁ କ’ଣ ଆଉ ମଣିଷ ବଦଳେଇ ଦବ ?’’ ବାଆକୁ ତ ଫେରେ ବତା । ଆମେ ଉଯୋଗ ନ କଲେ ଭଗବାନ କ’ଣ ସବୁ ଓଜାଡ଼ି ଦେଇ ଯିବେ ?’’ ଜେମିବୁଢ଼ୀ ଆଉ ପଦେ ଯୋଡ଼ିଦେଇ କହିଲା–ସେଇ କଥାଟି ଲୋ ବୋଉ, ଉଯୋଗ ନକଲେ ମାହାପୁର କ’ଣ ଘରେ ଆଣି ଦେଇଯିବେ ?’’ ସୁନା ଏଥର ସାହାସ ପାଇଲା ପରି କହିଲେ–ସେଇକଥା ତାଙ୍କୁ ଟିକେ ପଚାରିବଟି ମା’ । ଆମଆଡ଼ୁ କିଛି ଯୋଗାଡ଼ ନ ହେଲେ ରମୁବୋଉ ତ ସେମିତି ଆଉ ରତିକୁ ବଳେ ବଳେ ବୋହୂ କରି ନେଇ ଯିବେନି । ଏତିକିବେଳେ ଠାକୁରାଣୀଙ୍କ ଯନ୍ତାଳ ପାଇଁ ଚାରି ଘେରିଆ ଦୁଃଖୀଆକୁ ଦାଣ୍ଡରେ ଡାକି ପକେଇଲେ ଓ ଦୁଃଖିଆ ତତ୍‌କ୍ଷଣାତ୍‌ ଦାଣ୍ଡକୁ ଚାଲି ଆସିଲେ । ଜେମିବୁଢ଼ୀ ନଥକରି ବସିପଡ଼ି କହିଲା, ଦବୁଟି ଲୋ ବୋଉ ଧାପୁଟେ ଗୁଣ୍ଡିପତର, ପାଟିଟା ମୋ’ର ଆମ୍ୱିଳା ହୋଇଗଲାଣି । ସୁନାଠାରୁ ଗୁଣ୍ଡିପତର ଖାଇ ବୁଢ଼ୀ କହିଲା, ‘‘ଆଲୋ ବୋଉ, ସେ ଅମୁରିଆ ବୁଢ଼ା ଦୟାରୁ ତ ତୁ ରତିକୁ ପାଇଛୁ । ସବୁ ତା’ରି ଉପରେ ଛାଡ଼ିଦେ । ଯାହା ତା’ର ଇଚ୍ଛାଥିବ, ସବୁ ଆପେ ଆପେ ହେଇଯିବ ।’’ ତାପରେ ସେ ବାଡ଼ି ଠକ ଠକ କରି ଦାଣ୍ଡକୁ ଚାଲିଗଲା-। ସୁନା ବୁଢ଼ୀର ଯିବା ବାଟକୁ ନୀରବ ନିସ୍ପନ୍ଦ ଚକ୍ଷୁରେ ଚାହିଁ ରହିଥିଲେ । ମନଟା ତାଙ୍କର ନଇଁ ନଇଁ ଆସୁଥିଲା । ସଂଜବେଳ ଗଡ଼ି ଯାଇଥିଲା, ସଂଜବତୀ ନେଇ ସେ ଚଉରାମୁଳରେ ଜାଳିଦେଲେ । ବେକରେ ପଣତ ଗୁଡେଇ ମୁଣ୍ଡିଆ ମାରିଲାବେଳେ ମନେ ମନେ କହୁଥିଲେ, ‘‘ହେ ସଂଜେଇ ମଂଜେଇ, ହେ ପ୍ରଭୁ ଅମରେଶ୍ୱର, ତେମେ ଯାହା କରିବ, ମୋ ପିଲା ତମକୁ ଲାଗିଛି ।

 

ହାରାମଣୀ ଓ ସୁନାମଣୀଙ୍କର ବାହାଘର ସମ୍ୱନ୍ଧରେ ଅନେକ କଥା ପଡ଼ିଥିଲା । ସୁନା କହିଥିଲେ, ଆଉ ଡେରି କରିବାଟା କ’ଣ ସୁନ୍ଦର ଦିଶୁଛି ନାନି, ତମ ଅମାନତକୁ ତମେ ଘେନି ଆସିଲେ ଆମର ଛୁଟି । ହାରାମଣୀ ତାଙ୍କୁ କହିଲେ, ‘‘ଆଲୋ ସୁନା, ଆଉ ପାରି ପାରି ମାସ କେଇଟା । ଚାରିମାସ ପାଇଲେ କ’ଣ ଆଉ ରହୁଛି ? ଟୋକାଟାର ତ ଏକା ଜିଦ୍‌ ଏଇନେ ସେ ବାହା ହବନି । ପରୀକ୍ଷାଟା ନ ସରିଲେ ସେ ଏଥେରେ ମୁଣ୍ଡ ଭର୍ତ୍ତି କରିବାକୁ ଜମା ରାଜି ହେଉନି । ଏଇ ଚାରିମାସ ପାଇଲେ ତା’ର କୌଣସି କଥା ମୁଁ ଆଉ ଶୁଣିବିନି । ହାରାକୁ ଦିହାତ କରି ଏ ଘର ସଂସାର ତାକୁ ସମର୍ପି ଦେଲେ ମୋ’ର ବି ଛୁଟି । ସୁନା କିନ୍ତୁ ମଳିନ ମୁହଁରେ କହିଥିଲେ, ‘‘ତମେ ଦେଖୁଛ ତ ନାନି, ଆଜି କାଲିକା କାଳ ବେଳ । ସେଥେରେ ପୁଣି ପାଞ୍ଚଖଣ୍ଡି ମଉଜାରେ ଡିବି ଡିବି ବାଜିଲାଣି ଯେ ରତି ରମୁକୁ ବାହାହବ ।

 

‘‘କିଲୋ ଜାଣନ୍ତୁ, ବାହାଘର ତ ଆଉ ଚୋରେଇ ଲୁଚେଇ ହବନି । ତା’ଛଡ଼ା ମୋ’ ରତିକୁ କ’ଣ ମୋ’ ପାଖରୁ ଆଉ କିଏ ଛଡ଼େଇ ନେଉଛି ? ରମୁକୁ କ’ଣ ଜାଣିନୁ ? ପିଲାଟି ଦିନରୁ ଦିହେଁ ମିଳିମିଶି ଆସିଛନ୍ତି । ଦିହେଁ ଦିହିଙ୍କି ଚିହ୍ନିବାରେ କ’ଣ ଆଉ ବାକିଅଛି ? ଆମେ ଖାଲି ହାତଗଣ୍ଠି ପକେଇ ଦୁବ ଚାଉଳ ଛିଞ୍ଚିଦେଲେ ହେଲା ।’’ ହାରାମଣୀଙ୍କ କଥା ପରେ ସୁନା ତୁନି ରହିଥିଲେ । ଆଉ ଅଧିକା କିଛି କହିବାକୁ ତାଙ୍କ ତୁଣ୍ଡ ଖୋଲି ନଥିଲା । ଚାରିମାସ କେମିତି ପାଇବ, ସେ ସେଇ କଥା ସବୁବେଳେ ଭାବୁଥିଲେ । ଆର ପଞ୍ଚୁଦୋଳ ବେଳକୁ ରତିକୁ ଏ ଘରକୁ ପଠେଇ ଦେଲେ ସେ ଶାନ୍ତିରେ ନିଶ୍ୱାସ ମାରିବେ । ଝିଅ ତାଙ୍କର ଘର ସଂସାର କରି ସୁଖରେ ରହିଲେ ସେଇ ହେବ ତାଙ୍କର ପରମ ସୁଖ ।

 

ହାରାମଣୀ ଫେରେ ସେଦିନ କଥା ଛଳରେ ରମେଶ ପାଖରେ ବାହାଘର କଥା ଉଠାଇଥିଲେ । ହେଲେ ରମେଶ ଦୃଢ଼ ଭାବରେ ପୁଣି ସେଇ ଯୁକ୍ତି ଦେଖାଉଥିଲା । ଏବର୍ଷ ତା’ର ବି.ଏ. ଫାଇନାଲ ପରୀକ୍ଷା । ପରୀକ୍ଷା ପୂର୍ବରୁ ସେ କିଛି କରି ପାରିବ ନାହିଁ । ତାପରେ ସେ ଚାଲି ଆସିଥିଲା ପୁରୀ; ପୁରୀରେ ମଧ୍ୟ କେଉଁଥିରେ ତା’ ମନ ଲାଗୁନି । କଲେଜ ଖୋଲିବାର ଦୁଇ ତିନିମାସ ବିତିଗଲାଣି । ହେଲେ ଫାଇନାଲ ପରୀକ୍ଷା ପାଇଁ ଯେମିତି ପରିଶ୍ରମ କରିବା କଥା ସେ ତାହା କରି ପାରୁନି । ବହି ଖୋଲି ବସିଲେ ପଢ଼ାରେ ଯମା ମନ ଲାଗୁନି । ନୋଟ୍‌ ଲେଖିବାକୁ କଲମ ଖୋଲିଲେ, କଲମ ଯେମିତି ଚାଲିବାକୁ ନାରାଜ । ମନଟା ଖୁବ୍‌ ଭାରି ଭାରି ଲାଗୁଛି । ଟେବୁଲ ଉପରେ ବହି ଖୋଲି ସେ ବାହାରର ଶୂନ୍ୟତା ଆଡ଼କୁ ଘଣ୍ଟା ଘଣ୍ଟା ଧରି ଚାହିଁ ରହୁଛି । କଣ’ ବା ଭାବୁଛି, ସେ ତାହା ନିଜେ ବି ଜାଣେନା ।

 

X X X X

 

ଭାଦ୍ରବ ମାସର ଗୋଟାଏ କାଉଁଳିଆ ଅପରାହ୍ନ । ସେଦିନ କଲେଜରେ ସାଧାରଣ ଛୁଟି-। ରବିବାରର ଅଳସ ଅବସରକୁ ଶୋଇ ଶୋଇ ବଢ଼ାଇ ଦେଉଥିଲା ରମେଶ । ହଠାତ୍‌ ବାହାରୁ ଠକ୍‌ ଠକ୍‌ ଶବ୍ଦ ଶୁଣାଗଲା । କିଏ ଜଣେ ବାହାରେ କବାଟ ବାଡ଼ାଉଛି । ସେ ଯାଇ କବାଟ ଖୋଲିଲା । ବାହାରେ ଠିଆ ହୋଇଥିଲା ରମାକାନ୍ତ । ରମେଶ ତାକୁ ଦେଖି କୁଣ୍ଢେଇ ପକାଇଲା । ‘କିରେ ତୁ ହଠାତ୍‌ କେତେବେଳେ ଆସିଲୁ ?’ ତା’ ପ୍ରଶ୍ନରେ ରମାକାନ୍ତ ମୁରୁକି ହସିଲା । ‘କିରେ ତୁ କଣ ଆଜି କାଲି ସବୁ ପାଶୋରି ଯାଉଛୁ । ମୋ’ ପାଖକୁ ଚିଠିଖଣ୍ଡେ ବି ଠିକ୍‌ ସମୟରେ ଲେଖନୁ । ଏଇଟା ଭାଦ୍ରବ ମାସ ବୋଲି ଭୁଲିଯାଉଛୁ । କ’ଣ ହୋଇଛି ତୋ’ର ?’’ ଏଥର ରମେଶର ଚେତା ପଶିଲା । ଭାଦ୍ରବ ମାସର ଜନ୍ମାଷ୍ଟମୀ ରମାକାନ୍ତର ଜନ୍ମତିଥି । ସେଦିନ ଯେଉଁଠି ଥାଉ ପଛକେ ରମାକାନ୍ତକୁ ତାଙ୍କ ଘରେ ଉପସ୍ଥିତ ହେବାକୁ ପଡ଼ିବ । ସେଦିନ ହୀରା ମହଲରେ ଏକ ବଡ଼ ଧରଣର ଉତ୍ସବ ପାଳିତ ହୁଏ । ହୀରାଦେବୀ ନିଜ ହାତରେ ରୋଷେଇବାସ କରି ପୁଅର ସାଙ୍ଗମାନଙ୍କୁ ଖୁଆନ୍ତି । ତାଛଡ଼ା ଅନେକ ଭିକାରୀ ମଧ୍ୟ ସେଦିନ ପେଟଭରି ଭୋଜନ ପା’ନ୍ତି । ଜଗନ୍ନାଥଙ୍କ ପାଖରେ ଆରତି ବଢ଼େ । ଶ୍ରୀମନ୍ଦିର ଉପରେ ପତକା ଚଢ଼େ ।

 

ରମାକାନ୍ତ ଉପରେ ଅନେକ ସନ୍ତାନ ନଷ୍ଟ ହୋଇଛନ୍ତି । ସେ ଗୋଟେ ଅପତ୍ୟାଣିଟାଏ । ହୀରାଦେବୀଙ୍କର ସେଇ ଗୋଟିଏ ଆଖି । ତେଣୁ ତା’ ଉପରେ ଏଡ଼େ ଶରଧା । ଭାଦ୍ରମାସ ଜନ୍ମାଷ୍ଟମୀରେ ତା’ର ଜନ୍ମ । ସେଇଦିନ ସେ ଦେବତା ମନ୍ଦିରରେ ପୂଜା ଅର୍ଚ୍ଚନା କରନ୍ତି । ଭୋଗରାଗ କରି ଅତିଥି ଅଭ୍ୟାଗତ ସେବା କରନ୍ତି । ପୁଅ ଯେତିକି ବଡ଼ ହେଉଛି, ତାଙ୍କର ଏ ଉତ୍ସବ ସେତିକି ଆନନ୍ଦ ମୁଖର ହେଉଛି । ତା’ପାଇଁ ହୀରାଦେବୀ ଖର୍ଚ୍ଚ କରିବାରେ କେବେ କାର୍ପଣ୍ୟ କରି ନାହାନ୍ତି । ସବୁ ଦେବତାଙ୍କ ନିକଟରେ ତା’ର ଦୀର୍ଘ ଜୀବନ କାମନା କରି ନାନା ପୂଜା ପାଠ ହୋଇଛି । ପୁଅ ବାହାଘର ଦିନ ଶ୍ରୀମନ୍ଦିରରେ ଲକ୍ଷେ ଘିଅ ବଳିତା ଜାଳିବେ ବୋଲି ମାନସିକ କରିଛନ୍ତି । ଜନ୍ମାଷ୍ଟମୀ ଦିନ ଠାକୁର ଘରେ ପଶି ଘଣ୍ଟା ଘଣ୍ଟା ଧରି ଆରତି କରନ୍ତି । ଆଖିରୁ ତାଙ୍କର ଧାରଧାର ଲୁହ ବୋହି ଯାଉଥାଏ । କେତେବେଳେ କାନିପାତି ବା ଆଉ କେତେବେଳେ ହାତପାତି ଅତି ଆକୁଳ ହୃଦୟରେ ସେ ଠାକୁରଙ୍କୁ ଯେମିତି କ’ଣ ମାଗନ୍ତି । କ’ଣ ବା ମାଗନ୍ତି, ସେ ନିଜେହିଁ କେବଳ ଜାଣନ୍ତି । ଏବର୍ଷ ଅଷ୍ଟମୀକୁ ରମାକାନ୍ତକୁ ଏକୋଇଶି ପୂରି ବାଇଶି ଚାଲିବ । ଜନ୍ମାଷ୍ଟମୀ କଥା ମନେପକେଇ ହୀରାଦେବୀ ତା’ ପାଖକୁ ଅନେକ ଆଗରୁ ଚିଠି ଲେଖିଥିଲେ । ରମାକାନ୍ତ ଠିକ୍‌ ସମୟରେ ଆସି ଘରେ ପହଞ୍ଚିଛି । ଘରେ ପାଦ ଦେଉ ନ ଦେଉଣୁ ଆସିଛି ପ୍ରିୟ ବନ୍ଧୁ ରମେଶକୁ ଦେଖା କରିବ । ଅନେକ ଦିନ ହେଲା ଦେଖା ହେଇନି । ସେଥିପାଇଁ ଦୁହେଁ ବସି ମନଖୋଲି ଆଳାପ ଆଲୋଚନା କରିବେ । ଦୁଇ ଘନିଷ୍ଠ ସାଥୀଙ୍କର ଅପୂର୍ବ ମିଳନ ଘଟିବ ।

 

ଦୁହିଁଙ୍କ ଭିତରେ ଅନେକ କଥାବାର୍ତ୍ତା ଚାଲିଲା । ରମାକାନ୍ତ ମନା କରୁଥିଲେ ବି ରମେଶ ଜଳଖିଆ ମଗେଇଲା । ଦୁହେଁ ସାଙ୍ଗ ହୋଇ ବସି ତା’ର ସଦ୍‌ବ୍ୟବହାର କଲେ । କେତେଟା ମିଠା ଏକାବେଳକେ ପାଟିରେ ପୁରେଇ ରମାକାନ୍ତ କହିଲା, ‘‘ବୁଝିଲୁ, ତୋ’ର ଯୋଉ ଜିଦି, ମୁଁ ଏଇମାତ୍ର ଘରେ ଖାଇକରି ଆସିଥିଲି ।’’ ରମେଶ କହିଲା, ‘‘କିରେ, ତୁ ପୁଣି କେବେଠୁ ଖାଇବାକୁ ଡରିଲୁଣି ? ଡାକ୍ତରି ପଢ଼ିବାରୁ ଭୋକଟା କମି ଗଲାଣି କିରେ ।’’ ରମାକାନ୍ତ ପାଟି ପାକୁଳେଇ କହିଲା, ‘‘ଆରେ ଡାକ୍ତରି ପାଠ ଭୋକ ମାରି ଦେଇନି ସେ ଭୋକଟାକୁ ସଞ୍ଜତ କରିଦେଇଛି ।’’ ‘‘ବାଃ, ଅଳ୍ପ କେତେଦିନ ଭିତରେ ତୁ ତ ପକ୍‌କା ଡାକ୍ତର ବନିଗଲୁଣି ।’’ ରମେଶର ମନ୍ତବ୍ୟରେ ଦୁହେଁ ବସି ଉଠିଲେ । ଦୁହିଙ୍କ ଭିତରେ ଅନେକ ଥଟ୍ଟା ତାମସା ଚାଲିଲା । ବେଶ୍‌ ହସ ଖୁସିରେ ବହୁ ସମୟ ଧରି ନାନା କଥାବାର୍ତ୍ତାରେ ମାତି ରହିଲେ । କଥା ଭିତରେ ରମାକାନ୍ତ କହିଲା, ‘‘କିରେ, ମୁଁ ଶୁଣିଲି ତୁ ଆଜିକାଲି ଆମଘରକୁ ଯାଉନୁ । କ’ଣ ଆମଘରକୁ ଭୁଲିଗଲୁ ।’’ ରମେଶ ପଢ଼ାପଢ଼ିର ଦ୍ୱାହି ଦେଇ କଥାଟାକୁ ବାଁରେଇବାକୁ ଲାଗିଲା । ରମାକାନ୍ତ ଏଥର ଉଠିଲା । ଗଲାବେଳେ କହିଲା–‘‘ହଉ କାଲିର ଜନ୍ମାଷ୍ଟମୀଟାକୁ ଯେମିତି ଭୁଲି ନଯାଉ । ଠିକ୍‌ ସମୟରେ ନ ପହଞ୍ଚିଲେ ତୋତେ ଉପଯୁକ୍ତ କୈଫିୟତ ଦେବାକୁ ପଡ଼ିବ ଜାଣିଥା ।’’

 

ପରଦିନ ଠିକ୍‌ ସମୟରେ ଯାଇ ରମେଶ ହୀରାମହଲରେ ଉପସ୍ଥିତ ହେଲା । ଜନ୍ମାଷ୍ଟମୀର ଧୂପଦୀପ ପୂର୍ଣ୍ଣ ପବିତ୍ର ସକାଳ । ରମାକାନ୍ତ ନବବସ୍ତ୍ର ପିନ୍ଧି ଚନ୍ଦନ ଚର୍ଚ୍ଚିତ ହୋଇ ତାକୁ ଅପେକ୍ଷା କରିଥିଲା । ତା’ର ଦୀର୍ଘଜୀବନ କାମନାକରି ରମେଶ ତାକୁ ଜନ୍ମଦିନର ଶୁଭେଚ୍ଛା ଜଣେଇଲା । ପରେ ପରେ ପ୍ରବେଶ କଲେ ବିଷ୍ଣୁ, ବିନୋଦ, ଅନନ୍ତ ତଥା ଆଉ କେତେଜଣ କଲେଜ ସାଥୀ । ସମସ୍ତେ ତାକୁ ଜନ୍ମଦିନର ଅଭିନନ୍ଦନ ଜଣେଇ ତା’ର ଦୀର୍ଘଜୀବନ କାମନା କଲେ-। ଗୋଟି ଗୋଟି ହୋଇ ଉପହାରଗୁଡ଼ାକ ଗଦା ହେବାକୁ ଲାଗିଲା । ରମାକାନ୍ତ ସେଗୁଡ଼ିକୁ ଗ୍ରହଣ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଉଥିଲା । ବିଷ୍ଣୁର ତାଜମହଲର କାଚ ମଡେଲ, ବିନୋଦର ଦାମୀ ଆଲବମ, ଅନନ୍ତର ରାଇଟିଂ ପ୍ୟାଡ଼୍‌ ଓ କଲମ ମିଶି ଗୋଟାଏ ଅପୂର୍ବ ଦୃଶ୍ୟ ସୃଷ୍ଟି କରୁଥିଲା-। ରମେଶ ଆଣିଥିଲା ଦୁଇଖଣ୍ଡି ସୁଦୃଶ୍ୟ ବନ୍ଧେଇ ପୁସ୍ତକ । ଜଣେ ବିଶିଷ୍ଟ ଓଡ଼ିଆ ଲେଖକଙ୍କର ଖଣ୍ଡେ ନାମି ଉପନ୍ୟାସ ଓ ଜଣେ ସୁପ୍ରସିଦ୍ଧ ନାଟ୍ୟକାରଙ୍କର ଏକ ଯୁଗାନ୍ତକାରୀ ନାଟକ । ବିଷ୍ଣୁ ପୁସ୍ତକ ଦିଖଣ୍ଡ ଓଲଟେଇ ଦେଖି ମୁହଁ ନେଫେଡ଼ି ଦେଲା । ବିନୋଦ ତା’ଆଡ଼େ ଅନେଇଁ କହିଲା, କିରେ ମୁହଁ ନେଫେଡ଼ି ଦେଲୁ ଯେ, କ’ଣ ଉପହାରଟା ତୋ’ର ପସନ୍ଦ ହେଲା କାହିଁକି ?

 

‘‘ଆରେ ମୋ’ ପସନ୍ଦରେ ଯାଏ ଆସେ କେତେ ? ହେଲେ ବିଂଶ ଶତାବ୍ଦୀର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ଜନ୍ମଦିନର ଉପହାରଟା ବି ଫିଟିଂ ହେଲାନି ।’’ ରମେଶର ମୁହଁଟା ଲାଲ ପଡ଼ି ଆସୁଥିଲା । ଇଚ୍ଛା ହେଉଥିଲା ବିଷ୍ଣୁମୁହଁ ଉପରେ ବହି ଦିଟା କଚାଡ଼ି ଦିଅନ୍ତା । କହନ୍ତା–ଆମ୍ଭମାନଙ୍କର ଏଇ ମନୋଭାବ ପାଇଁ ଆମ ସାହିତ୍ୟର ଅବନତି । ନିଜ ଭାଷାର ପୁସ୍ତକ ଆମେ ପଢ଼ିବାକୁ ନାରାଜ । ମାତୃଭାଷାରେ ପ୍ରକାଶିତ ପୁସ୍ତକକୁ ଆମର ତଥା କଥିତ ଶିକ୍ଷିତ ସମାଜ ଘୃଣା କରେ । ଫଳରେ ଆମ ଭାଷାରେ ପ୍ରକାଶିତ ପୁସ୍ତକର ଦ୍ୱିତୀୟ ସଂସ୍କରଣ ବାହାରେନା । ଲେଖକମାନେ ଲେଖାଲେଖିକୁ ଜୀବିକା କରି ପାରନ୍ତିନି । ଜଣେ ଲେଖକର ଖଣ୍ଡେ ପୁସ୍ତକ ପ୍ରକାଶ ପାଇବା ପରେ ତା’ର ଦ୍ୱିତୀୟ ପୁସ୍ତକକୁ ପ୍ରକାଶକ ଗ୍ରହଣ କରିବାକୁ ଆଗପଛ ହୁଏ । ଲେଖା ଯେତେ ଭଲ ହେଲେ ବି ବଜାରରେ ପାଠକର ଅଭାବ । ବ୍ୟବସାୟର ଚାହିଦା ନଥିଲେ ସେ କାହିଁକି ବା ରିସ୍କ ନେବାକୁ ଇଚ୍ଛା କରିବ ? ଏକଥା ଭାବିଲା ବେଳକୁ ରମେଶ ମୁହଁରେ କ୍ରୋଧର ଚିହ୍ନ ସୁସ୍ପଷ୍ଟ ହୋଇ ଉଠୁଥିଲା । ମନଟା ତା’ର ଆମ ଶିକ୍ଷିତ ଯୁବକମାନଙ୍କ ପ୍ରତି ବିଶିପିତା ହେଇ ଉଠିଥିଲା । ଆମେ ନିଜେହିଁ ଆମ ଉନ୍ନତି ପଥରେ କଣ୍ଟା ବିଛାଉଛେ । ଆମ ଭାଷାରେ ଯୁଗାନ୍ତକାରୀ ସାହିତ୍ୟ ସୃଷ୍ଟି ହେଉଥିଲେ ବି ତାହା ଆଜି ଏତେ ପଛରେ ପଡ଼ିଛି ।

 

Unknown

ରମାକାନ୍ତ ବିଷ୍ଣୁ ମୁହଁକୁ ଚାହିଁଲା, ତା’ ମୁହଁରେ ବ୍ୟଙ୍ଗର ଚିହ୍ନ ସୁସ୍ପଷ୍ଟ । ରମେଶକୁ ଚାହିଁ ରହିଛି ଆଉ କିଛି ମନ୍ତବ୍ୟ କରିବା ଆଶାରେ । ସେ ଏଥର କଥାଟାକୁ ସମାଧାନ କରେଇ ନେବାକୁ ଯାଇ କହିଲା, ‘‘ଦେଖନ୍ତୁ ବିଷ୍ଣୁବାବୁ, ଛାତ୍ର ଥିବା ପର୍ଯ୍ୟନ୍ତ ଏମିତି ଉତ୍ସବରେ ଆମ୍ଭେମାନେ ବହି ଖାତାର ଉପହାର ଦେଲେ କିଛି କ୍ଷତି ନାହିଁ । ଛାତ୍ରାବସ୍ଥା ପରେ ଅନ୍ୟାନ୍ୟ ଉପହାର କଥା ଚିନ୍ତା କରାଯାଇ ପାରେ ।’’ ରମାକାନ୍ତର କଥାରେ ସମସ୍ତେ ହୋ ହୋ ହୋଇ ହସି ଉଠିଲେ । ସେତେବେଳକୁ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ହୀରାଦେବୀ ସମସ୍ତଙ୍କୁ ବସେଇ ଖିଆପିଆର ବନ୍ଦୋବସ୍ତ କଲେ । ରୀନା ସମସ୍ତଙ୍କ ପତ୍ରରେ ଲଗାଇ ଦେଇଗଲା ଅମାଲୁ । ତା ପରେ ପରେ ତରକାରୀ, ଭଜା, ଖଟା ଓ ପାୟସ । ସମସ୍ତେ ଖାଇସାରି ହାତ ଧୋଇଲେ । ରୀନା ଆଣି ରଖିଦେଲା ମସଲା, ପାନ ତଥା ସିଗାରେଟ । ବିଷ୍ଣୁ ଗୋଟାଏ ସିଗାରେଟ ଲଗାଉ ଲଗାଉ କହିଲା, ‘‘ବୁଝିଲେ ରୀନାଦେବୀ, ଆପଣଙ୍କ ରମେଶବାବୁ ଆଜି କିନ୍ତୁ ବିଶେଷ କିଛି ଖାଇଲେ ନାହିଁ । ଆଉଥରେ ତାଙ୍କୁ ଡାକି ଯେମିତି ଖୁଆଇବାର ବ୍ୟବସ୍ଥା କରନ୍ତି ।’’ ରୀନା କୋପ ଦୃଷ୍ଟିରେ ତାକୁ ଥରେ ଚାହିଁ ଭିତରୁ ଚାଲିଗଲା । ଭାଇଙ୍କ ଆଗରେ ମୁହଁଖୋଲି କିଛି କହିବାକୁ ସେ ସାହାସ କଲା ନାହିଁ ।

 

ରମାକାନ୍ତ କହିଲା, ‘‘କିରେ ରମେଶ ପେଇଁ ତୁ ଭାରି ଦୁଃଖିତ ଦେଖୁଛି ।’’ ବିଷ୍ଣୁ କଥାର ଖିଅଟାକୁ ଅନ୍ୟ ଆଡ଼କୁ ଟାଣିନେଇ କହିଲା, ‘‘ମୋ’ଠୁ ବେଶି ତ ରୀନାଦେବୀ ଦୁଃଖିତ ହେବା କଥା, କାରଣ ସେ ଯେତେବେଳେ ପରଶୁଥିଲେ ରମେଶ ବାବୁ ତ ବେଶୀ ଖାଇବାର କଥା ।’’ ରମାକାନ୍ତ ବିଷ୍ଣୁ କଥାରୁ ଅନୁମାନ କଲା ସେ ଯେମିତି କିଛିଟା ଅପ୍ରିୟତା ସୃଷ୍ଟି କରିବାକୁ ଚାହେଁ । ତାକୁ ଟିକିଏ ସତର୍କ କରେଇ ଦେବାକୁ ଯାଇ ସେ କହିଲା, ‘‘ବିଷ୍ଣୁ ବାବୁ, ଆପଣ ତ କଥା ଗୁଡ଼ାକ ବେଶ୍‌ ବଙ୍କେଇ କହି ପାରୁଛନ୍ତି ।’’ ବିଷ୍ଣୁ ଠିକ୍‌ ଏମିତି ପଦେ କଥା ରମାକାନ୍ତଠାରୁ ଆଶା କରୁଥିଲା, ହଠାତ୍‌ କହିଲା, ‘‘ହଁ ସିଧା କଥା କହିବାକୁ ଯେତେବେଳେ ସୁଯୋଗ ନାହିଁ ବା ସିଧା କଥା ଶୁଣିବାକୁ ଯେତେବେଳେ ଶ୍ରୋତାର ଅଭାବ, ସେତେବେଳେ ବଙ୍କାକଥା ତ କହିବାକୁହିଁ ପଡ଼ିବ ।’’

 

ଏଥର ରମାକାନ୍ତ ଦେଖିଲା, ଗୋଟାଏ ଝଡ଼ ଯେମିତି ସୃଷ୍ଟି ହେବାକୁ ଯାଉଛି । ଏପରି ଏକ ଶୁଭ ଦିନରେ ସେ କୌଣସି ଅପ୍ରିୟତା ସୃଷ୍ଟି କରିବାକୁ ଉଚିତ ମଣିଲା ନାହିଁ । ତେଣୁ ବିଷ୍ଣୁର ପିଠିରେ ହାତ ବାଡ଼େଇ ଦେଇ ହସି ହସି କହିଲା, ‘‘ଓ ଏବେ ମୁଁ ବୁଝିଲି । ରମେଶ ସାଥୀରେ ଆପଣଙ୍କର ଗୋଟାଏ ରିଫ୍‌ଟ ହୋଇ ଯାଇଛି, ଛାଡ଼ନ୍ତୁ ସେ କଥା, କାଲି ସେ ସବୁର ସମାଧାନ କରିଦେବା ।’’ ବାସ୍‌, ଏତିକିରେ ଘରର ବାୟୁମଣ୍ଡଳ ଅନେକଟା ଶାନ୍ତ ହୋଇଗଲା । ତାପରେ ଗୋଟି ଗୋଟି ହୋଇ ସମସ୍ତେ ବିଦାୟ ନେଇଗଲେ ।

 

ପରଦିନ ସକାଳେ ରମାକାନ୍ତ ବୁର୍ଲା ବାହାରିଲା । ହୀରାଦେବୀ ସଜଳ ନୟନରେ ତାକୁ ବିଦାୟ ଦେଲେ । ରମେଶ ତା’ ସାଥୀରେ ଯାଇଥିଲା ଷ୍ଟେସନକୁ । ରମାକାନ୍ତ ତାକୁ କହିଲା, ‘‘ଏଇଟା ତୋ’ର ଫାଇନାଲ ଇଅର, ମନଦେଇ ପଢ଼ାପଢ଼ି କର । ବିଷ୍ଣୁ କଥାରେ କାନ ଦେଇ ତୋ’ ପଢ଼ାପଢ଼ି ଯେମିତି ନଷ୍ଟ ନକରୁ ।’’ ରମେଶ ନୀରବରେ ସବୁ ଶୁଣି ଯାଉଥିଲା । କ୍ରମେ ଗାଡ଼ି ଛାଡ଼ିବା ସମୟ ହେଇ ଆସୁଥିଲା । ରମାକାନ୍ତ କହୁଥିଲା, ‘‘ଦେଖ ରମେଶ, ଆମ ଘରକୁ ନିୟମିତ ଯାଉଥିବୁ, ବୋଉର ଖବର ନେଉଥିବୁ । ମୋ’ ଅନୁପସ୍ଥିତିରେ ବୋଉର ଆଉ କିଏ ଅଛି କହିଲୁ, ତୁ ମୁଁ ପରା ଦି’ ଭାଇ । ଗୋଟାଏ ରମୁ ସିନା ବୁର୍ଲାରେ ରହିଲା, ହେଲେ ଆଉ ଗୋଟାଏ ରମୁ ତ ତା’ପାଖରେ ରହିଛି । ତାପରେ ରୀନା କଥାତ ଜାଣିଛୁ; ସେ କେମିତି ହୁଣ୍ଡୀଟାଏ । ସେ କ’ଣ ତୋ’ର ସାନ ଭଉଣୀ ପରି ନୁହେଁ ? ହଁ, ଏଇ କେତେଦିନ ଭିତରେ ତା’ର ଜନ୍ମଦିନ ପଡ଼ିବ । ସେଦିନ ତୁ ଯେମିତି ଉପସ୍ଥିତ ରହୁ ।’’ ରମେଶ ତେବେବି ଉଦାସୀନ ରହିଥିଲା । ତା’ର ନୀରବତା ଦେଖି ରମାକାନ୍ତ କହିଲା, ‘‘କିରେ ତୋ’ର କ’ଣ ରତିକଥା ମନେ ପଡୁଛି କି ? ଯାଉନୁ ଥରଟେ ଗାଁ ଆଡ଼େ ବୁଲି ଆସିବୁ ।’’ ରମେଶ ଏଥର ତୁଣ୍ଡ ଖୋଲିଲା । ମ୍ଲାନ ହସି ହସି କହିଲା, ‘‘ନାଇଁମ, କାଲିଠୁ ମୋ’ ଦେହଟା ଭଲ ନାହିଁ । ମୁଣ୍ଡଟା ଘୂରାଇଲା ପରି ଜଣାଯାଉଛି ।’’ ଗାଡ଼ିଟା ଏଥର ପେଁ କିନି ସିଟି ବଜେଇ ଗଡ଼ିବାକୁ ଆରମ୍ଭ କଲା । ଦୁଇବନ୍ଧୁ ହାତ ହଲେଇ ପରସ୍ପରକୁ ବିଦାୟ ଜଣେଇଲେ । ଗାଡ଼ିଟା ଭୀମ ଗତିରେ ଆଗକୁ ଆଗକୁ ମାଡ଼ି ଚାଲିଲା । ରମେଶ ଫେରିଆସିଲା ତା’ ବସାକୁ ।

 

ଘରେ ଆସି ଅନେକ ସମୟ ଯାଏ ସେ ନୀରବରେ ବସି ରହିଲା । ରମାକାନ୍ତର କଥା ଗୁଡ଼ାକ ତା’ କାନରେ ବାରମ୍ୱାର ଆଘାତ କରୁଥିଲା, ‘‘ରୀନା କ’ଣ ତୋ’ ସାନ ଭଉଣୀ ପରି ନୁହେଁ-।’’ ତା ପକ୍ଷରୁ କ’ଣ ସେ ରୀନାକୁ ସାନ ଭଉଣୀର ଆସନ ଦେଇନି ? ହେଲେ ରୀନା ତାକୁ ବଡ଼ଭାଇ ପରି ଦେଖି ଆସିଛି ତ ? ତା ବିବେକ ପକ୍ଷରୁ ଅନେକ ଅନୁରୂପ ପ୍ରଶ୍ନ ଉତ୍‌ଥିତ ହେଉଥିଲା । କିନ୍ତୁ ସେ ପ୍ରଶ୍ନର ଉତ୍ତର ସେ ଖୋଜି ଖୋଜି ପାଉ ନଥିଲା ।

 

କିଛିଦିନ ପରେ ଆସିଲା ରୀନାର ଜନ୍ମଦିନ । ପୂର୍ବଦିନ ରୀନା ନିଜେ ଆସିଥିଲା ରମେଶର ବସାକୁ । କହି ଯାଇଥିଲା ତାକୁ ନିଶ୍ଚୟ ଯିବାକୁ ହବ । ନୋହିଲେ ସେ ତା’ ସଙ୍ଗେ କଥା କହିବ ନାହିଁ । ରମେଶ ଯେମିତି ତାକୁ କ’ଣ କହିବ ବୋଲି ମନେ ମନେ ପ୍ରସ୍ତୁତ ହେଉଥିଲା । ରୀନା କିନ୍ତୁ ଅନ୍ୟ ସହେଲିମାନଙ୍କୁ ନିମନ୍ତ୍ରଣ କରିବ ବୋଲି ଝଟ ସେଠାରୁ ବାହାରି ଯାଇଥିଲା । ଗଲାବେଳେ କହିଗଲା, ‘‘କାଲି ଆପଣ ଠିକ୍‌ ସମୟରେ ଯେମିତି ପହଞ୍ଚନ୍ତି । ମୁଁ ଆପଣଙ୍କୁ ଅପେକ୍ଷା କରିଥିବି । ମୋ’ ରାଣ ରମେଶବାବୁ, ଯମା ବିଳମ୍ୱ କରିବେନି ।’’

 

ଆଜି ରୀନାର ଜନ୍ମଦିନ । ନୂଆ ଲୁଗା ପିନ୍ଧି ସେ ପ୍ରଭାତରୁ ଦିଅଁ ଦର୍ଶନ ସାରିଛି । ତାପରେ ଚାଲିଛି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି । ଗୋଟି ଗୋଟି ହୋଇ ତା’ର ଅନେକ ସାଥୀ ଆସିଲେ । ହୀରାଦେବୀ ଝିଅର ସମସ୍ତ ସାଙ୍ଗମାନଙ୍କୁ ଖୁଆଇ ପିଆଇ ଛାଡ଼ିଲେ । ସମବୟସୀ ଝିଅଗୁଡ଼ାକ, ବୟସର ଯମୁନାରେ ଚଳଚଞ୍ଚଳ ସେମାନେ । ରୀତା, ମିତା, ଆରତି, ମିନତି, ଅଶୋକା, ମେନକା ସମସ୍ତେ ଆସି ଖାଇକରି ଚାଲିଗଲେଣି । ଗଲାବେଳେ ମେନକା ପଚାରିଲା, ‘‘ରୀନା ଆଜି ଭାରି ଶୁଖିଲା ଦିଶୁଛି ଯେ...? ମିତା କହିଲା, ମନଚୋର ଏ ପର୍ଯ୍ୟନ୍ତ ଆସିନାହାନ୍ତି ନା...ସେ ଆସିଗଲେ ରୀନା ପୁଣି ସତେକ ହୋଇଯିବ ଯେ ।’’ ଅଶୋକା କହିଲା, ‘‘ଟିକିଏ ଭୋଳା ଲୋକ କିନା; ଆସୁଥିବେ ମ । ଦୁଃଖ କାହିଁକି କରୁଛୁ ? ଅପେକ୍ଷାରେ ସିନା ମଜାଥାଏ ।’’ ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ । ରୀନା କହିଲା, ‘‘ମନଚୋର ପରା କେତେବେଳୁ ଆସିଗଲେଣି । ମନଚୋର ମନ ଅଙ୍ଗନରେ ଆସନ୍ତି ସିନା । ତାଙ୍କୁ କ’ଣ ଅନ୍ୟ କିଏ ଦେଖିପାରନ୍ତି ?’’ ଏଥର ହସିହସି ସମସ୍ତେ ବିଦାୟ ନେଇଗଲେ । ରମେଶର କିନ୍ତୁ ଏତେ ବେଳଯାଏ ଦେଖାନାହିଁ । ବୋଉ ପଚାରିଲେ, ‘‘ରୀନା ତୁ ରମେଶକୁ କହିଥିଲୁ ତ ?’’ ରୀନା ବ୍ୟଥିତ କଣ୍ଠରେ ଉତ୍ତର ଦେଲା, ହଁ ବୋଉ, ‘‘ମୁଁ ନିଜେ ଯାଇ କାଲି ବାରମ୍ୱାର କରି ତାଙ୍କ ବସାରେ କହି ଆସିଥିଲି ।’’

 

ଏତିକିବେଳେ ରମେଶ ଆସି ହୀରାମହଲର ଫାଟକ ଖୋଲିଲା । ସେ ଆଜି ଏଠାକୁ ଆସିବ କି ନାହିଁ କିଛି ଠିକ୍‌ କରି ପାରି ନଥିଲା । ଆସିବାକୁ ଯେତିକି ଭାବୁଥିଲା, ନ ଆସିବାକୁ ବି ସେତିକି ଭାବୁଥିଲା । ଗୋଟାଏ ପଟେ ବିଷ୍ଣୁର କଟୂ ମନ୍ତବ୍ୟ ଓ ଅନ୍ୟ ପକ୍ଷରେ ମାଉସୀ ତଥା ରୀନାଙ୍କର ଅନୁରୋଧ ଓ ରମାକାନ୍ତର ବନ୍ଧୁତ୍ୱ । ରମାକାନ୍ତର ବିଦାୟକାଳୀନ ବାର୍ତ୍ତା ତା’ର ମନେ ପଡ଼ି ଯାଉଥିଲା । ଠିକ୍‌ ଅଛି, ରୀନାର ଜନ୍ମ ଦିନରେ ଆଜି ସେ ବଡ଼-ଭାଇ ପରି ଯୋଗଦେବ । ରୀନା ମନରେ ଯାହା ଥାଉନା କାହିଁକି ସେ କିନ୍ତୁ ରମାକାନ୍ତର ଘନିଷ୍ଠ ସାଙ୍ଗ ହିସାବରେ ତା’ର ବଡ଼ଭାଇ ପରି । ରାମାକାନ୍ତ ତାକୁ ଏ କଥା ଠିକ୍‌ ଚେତେଇ ଦେଇ ଯାଇଛି । ରୀନା ତା’ର ସାନ ଭଉଣୀ ବ୍ୟତୀତ ଅନ୍ୟ କିଛି ହୋଇପାରେନା । ତାପରେ ସେ ଯାଇ କଳିଙ୍ଗ ଫିଲିଗ୍ରୀ ହାଉସ୍‌ରୁ ଗୋଟାଏ ଚାନ୍ଦିର ଗୋଲାପ କିଣି ଆଣିଛି । ସେଇଟିକୁ ଧରି ସେ ପ୍ରବେଶ କରିଛି ହୀରାମହଲରେ ।

 

ରୀନା ରମେଶକୁ ଦେଖି କୁରୁଳି ଉଠିଛି । ତା’ ହାତରେ ଗୋଲାପଟା ନେଇ ଚୁମ୍ୱନ ଦେଇଛି । ଆନନ୍ଦରେ ଅଧୀରା ହୋଇ କହିଉଠିଛି, ‘‘ସତରେ ରମେଶ ବାବୁ, ଖୁବ୍‌, ସୁନ୍ଦର ହେଇଛି-। ମାର୍ଭଲାସ ଚଏସ୍‌ ଆପଣଙ୍କର ।’’ ତାପରେ ଚାଲିଛି ଖିଆପିଆ । ଖିଆପିଆ ଶେଷରେ ରମେଶକୁ ସେ ଭିଡ଼ି ନେଇଛି ନିଜର ଷ୍ଟଡ଼ିରୁମ୍‌କୁ । ଚଳଚଞ୍ଚଳ ଝରଣାପରି ଗପି ଚାଲିଛି ଅନେକ କଥା । ‘‘ସତରେ ରମେଶ ବାବୁ, ଆପଣ ଯେମିତି ଡେରି କଲେ ନା, ମତେ ପୁଣି ଥରେ ଆପଣଙ୍କର ବସାକୁ ଯିବାକୁ ହୋଇଥାନ୍ତା । ମୁଁ ଭାବିଲି ଆପଣ ଯେମିତି ଭୋଳା ଲୋକ ନା, ମୋ’ ଜନ୍ମଦିନ କଥା ବି ଭୁଲି ଯାଇଥିବେ ।’’

 

‘‘ତମ ଜନ୍ମଦିନ କଥା ମୁଁ କେବେ ଭୁଲି ପାରିବିନି ରୀନା । ଖାଲି ମୋ’ର କଳିଙ୍ଗ ଫିଲିଗ୍ରୀ ହାଉସ୍‌ରେ ଡେରି ହୋଇଗଲା ଯାହା । କେଉଁ ଜିନିଷଟା ଆଣିବି ମୁଁ ତାହା ଠିକ୍‌ କରି ପାରୁ ନଥିଲି-।’’ କ’ଣ ଗୋଟାଏ ଭାବୁ ଭାବୁ ଆଉ ଗୋଟାଏ କ’ଣ ଯେମିତି କହି ପକାଇଲା ।

 

‘‘ଆପଣଙ୍କ ଚଏସ୍‌ଟା ଖୁବ୍‌ ଏକ୍‌ସେଲେଣ୍ଟ କିନ୍ତୁ; ମୋ’ର ଜନ୍ମଦିନରେ ଆପଣଙ୍କ ପାଖରେ ଗୋଟାଏ ଅଳି ରହିଛି ରମେଶ ବାବୁ ।’’ ରୀନାର ଏ କଥାରେ ରମେଶ ଆଶ୍ଚର୍ଯ୍ୟ ହୋଇଗଲା । ତା’ର ପୁଣି ତା’ ନିକଟରେ ଅଳି ! ଜିଜ୍ଞାସୁ ଦୃଷ୍ଟିରେ ସେ ଚାହିଁଲା ତା’ ମୁହଁକୁ । ରୀନା ଟେବୁଲ ଡ୍ରୟାର ଭିତରୁ ସାଇତି ରଖିଥିବା ରୁମାଲଟାଏ ବାହାର କରି ରମେଶ ଆଗରେ ଧରିଲା । ‘‘ଏଇଟା ମୁଁ ନିଜେ ତିଆରି କରିଛି ରମେଶ ବାବୁ, ଆପଣଙ୍କ ପାଇଁ । ଏଇଟା ଗ୍ରହଣ କରିବେନି ?’’ ଶୁଭ୍ର ରକ୍ତିମ ହାତଟାରେ ଗୋଟାଏ ରୁମାଲ । ସବୁଜ ରଙ୍ଗର ମସୃଣ କନା ଉପରେ ଗୋଟିଏ ରକ୍ତ ଗୋଲାପ ଅଙ୍କିତ । ରୀନା ହାତରେ ଥାଇ ସେଇଟା ଆହୁରି ଶହେଗୁଣ ସୁନ୍ଦର ଦିଶୁଛି । ରୁମାଲଟାର ଗୋଟାଏ ପାଖକୁ ଧରି ସେ ବଢ଼େଇ ଦେଉଛି ରମେଶ ହାତକୁ । ରମେଶ ନେବ କି ନାହିଁ କିଛି ଠିକ୍‍ କରିପାରୁ ନାହିଁ । ଏକଲୟରେ ସେ ରୀନାର ବଢ଼େଇଥିବା ହାତକୁ ଚାହିଁ ରହିଛି । କ୍ରମେ ସେ ହାତର ଶୋଭା ବଦଳି ଯାଉଛି । ରମେଶ ଦେଖୁଛି ସତେ ଯେମିତି ତା’ ଆଗରେ ଠିଆ ହୋଇଛି ରତି । ହାତରେ ଗୋଟାଏ ଧଳା ରୁମାଲ ଧରି ତା’ହାତକୁ ବଢ଼େଇ ଦେଉଛି । ସେ ଏଥର ରୁମାଲଟାକୁ ତା’ ହାତରୁ ଘେନି ଆସିବାକୁ ହାତ ବଢ଼େଇଲା । ଡାହାଣ ପକେଟରେ ରଖିବାକୁ ଯାଇ କ’ଣ ଭାବିଲା କେଜାଣି, ବାମ ପକେଟରେ ଚଉତେଇ କରି ରଖିଲା । ପରମୁହୂର୍ତ୍ତରେ ବିଦାୟ ନେଇ ନିଜର ବସା ଆଡ଼େ ଆଗେଇଲା ।

 

ତା’ କୋଠରୀରେ ପ୍ରବେଶ କରି ଟେବୁଲ ପାଖରେ ଠିଆ ହୋଇ ସେ ଦୁଇ ପକେଟରୁ ବାହାର କଲା ଦୁଇଟା ରୁମାଲ । ଗୋଟାଏ ଧଳା ରୁମାଲ, ମସିଆ ହୋଇଗଲାଣି, ସେଇଟା ରତିର-। ଆରଟି ଚକ୍‍ଚକ୍‍, ସବୁଜ ରଙ୍ଗର ନୂଆ ରୁମାଲଟାଏ । ସେଇଟା ରୀନାର । ଦୁହେଁ ଆସି ତା’ର ଦୁଇ କଡ଼ରେ ଠିଆ ହେଲେ । ଉଭୟେ ଯୁବତୀ; ଉଭୟେ ସୁନ୍ଦରୀ । ଜଣେ ସରଳା ପଲ୍ଲୀବାଳା, ଆଉ ଜଣେ ଆଧୁନିକା, ସହରର ଚାକଚକ୍ୟରେ ସ୍ୱୟଂ ସମ୍ପୂର୍ଣ୍ଣା । ଜଣକର ଆଖିରେ କଜଳ, ଓଷ୍ଠ ଦୁଇଟିରେ ସ୍ୱାଭାବିକ ଲାଲିମା; ଆଉ ଜଣକର ମୁହଁରେ ସ୍ନୋ, ପାଉଡ଼ର ଲେପ ସାଙ୍ଗକୁ ଓଷ୍ଠରେ ଲିପଷ୍ଟିକର ପ୍ରଲେପ । ଜଣକର ପାଦ ଫୁଙ୍ଗୁଳା, ଆଉ ଜଣକର ପାଦତଳୁ ଭାସିଆସେ ହାଇହିଲ୍‍ର ଠକ୍‍ ଠକ୍‍ ଶବ୍ଦ । ଜଣକର ହାତରେ କାଚ ରୁଣୁଝୁଣୁ ବେଳେ ଆଉ ଜଣକର କଚଟିରେ ରିଷ୍ଟଓ୍ୟାଚ୍‍ର ଚକତି । ଜଣେ ଧୀର ସ୍ଥିର ଶାନ୍ତ ଜଳପରି । ଆଉ ଜଣେ ଚଳଚଞ୍ଚଳ ପ୍ରବାହମାନ ଝରଣା । ଦୁଇଜଣଙ୍କର ଓଷ୍ଠ ପିପାସୀ । ଓଷ୍ଠ ଯୁଗଳରେ ସେମାନଙ୍କର ଶତଯୁଗର ମଦିରା । ସେଇ ମଦିରା ପାନ କରିବାକୁ ଉଭୟଙ୍କର ସସମ୍ମାନେ ଆବେଗଭରା ନିମନ୍ତ୍ରଣ । ହେଲେ କାହାର ସେ ଗ୍ରହଣ କରିବ, କାହାର ସେ ପ୍ରତ୍ୟାଖାନ କରିବ, ଠିକ୍‍ କରି ପାରୁନି । ଜଣକର ସେ ରମୁଭାଇ, ଆଊ ଜଣକର ସେ ରମେଶ ବାବୁ । ରୀନା ଯେମିତି, ତା’ ହାତଧରି ଟାଣି ଟାଣି ନେଇଯାଉଛି; ରତି ସେଇଠି ଠିଆହୋଇ ଲୁହ ଝରାଉଛି । ‘‘ସେ ରତି ପ୍ରତି ଅନ୍ୟାୟ କରୁନାହିଁ ତ ? ମନରେ ତା’ର ସମସ୍ୟା ମୂଳକ ପ୍ରଶ୍ନ । ରତି ଆହୁରି ଜୋରରେ କାନ୍ଦି ଉଠୁଛି । ସେ ଆଉ ସହି ପାରୁନି । ‘‘ନା, ନା, ରତି, ମୁଁ ତୋ’ ପ୍ରତି କେବେ ଅନ୍ୟାୟ କରି ପାରେନା । ଟେବୁଲ ଉପରେ ରୁମାଲ ଦିଟା ପକେଇ ଦେଇ ଚିତ୍କାର କରି ଉଠିଛି ରମେଶ ।

 

ବାହରେ ଜୋରରେ ଦୁଆର ବାଡ଼େଇବାର ଶବ୍ଦ । ‘ରମେଶ ରମେଶ’ ବୋଲି ବାହାରୁ ଚିତ୍କାର ଶୁଣାଯାଉଛି । ସେ ଯାଇ ଦୁଆରଟା ଖୋଲି ଦେଇଛି । ଭିତରକୁ ସବେଗରେ ପଶି ଆସିଛି ଗୌରମୋହନ । ସେ କହି କହି ଆସିଛି, ‘‘ବୁଝିଲୁ ରମେଶ, ମୁଁ ଭାବିଲି ତୁ ବୋଧେ ଘରେ ନ ଥିବୁ । ତୁ ନଥିଲେ ଯେ ଏଇଲେ ମୁଁ କି ଅସୁବିଧାରେ ପଡ଼ିଥାଆନ୍ତି ।’’ ଖଦଡ଼ ରୁମାଲଟାରେ ବୋହିଯାଉଥିବା ଝାଳକୁ ପୋଛି ପୋଛି ଆସୁଥିଲା ସେ । ତରବରରେ ରୁମାଲଟାକୁ ଟେବୁଲ ଉପରେ ଫିଙ୍ଗିଦେଇ ଗାମୁଛା ପାଲଟି ସେ ଚାଲିଗଲା ପାଇଖାନାକୁ । ସଙ୍ଗେ ସଙ୍ଗେ ଝାଡ଼ା ଫେରିଆସି ଲୁଗା ପିନ୍ଧୁ ପିନ୍ଧୁ ସେ କହିଲା, ‘‘ଇନ୍‌ସପେକ୍‌ଟରଙ୍କ ଅଫିସରେ ଗୋଟାଏ ଜରୁରୀ କାମ ଥିଲା । ତେଣେ ହେଡ଼ମାଷ୍ଟ୍ରେ ମତେ ଅପେକ୍ଷା କରି ରହିଥିବେ । ମତେ ଯେ କୌଣସି ମତେ ଆଜି ଫେରି ଯିବାକୁ ପଡ଼ିବ । ଲାଷ୍ଟ ବସ୍‌ଟା ଛାଡ଼ିବାକୁ ଆଉ ଦଶମିନିଟ ବାକି ରହିଲା ।’’ ଏତିକି କହି ଟେବୁଲ ଉପରୁ ଧଳା ରୁମାଲଟାକୁ ସେ ପକେଟରେ ପୂରେଇଲା । ରମେଶ କଥାକୁ ଅପେକ୍ଷା ନ ରଖି ସେ କହିଲା, ‘‘ଭାଇ ପୁଣି ସାକ୍ଷାତରେ କଥାବାର୍ତ୍ତା । ବସ୍‌ ବେଳ ଗଡ଼ିଯାଉଛି, ମୁଁ ଆସୁଛି, ନମସ୍କାର ।’’ ପରେ ପରେ ସେ ଝଟ୍‌କରି ବସଷ୍ଟାଣ୍ଡ ଆଡ଼େ ଚାଲିଗଲା । ତା ଆସିବାଟା ଯେମିତି ନାଟକୀୟ, ଯିବାଟା ବି ସେମିତି ନାଟକୀୟ । ରମେଶ ତା’ ଯିବା ବାଟକୁ ଭକୁଆଙ୍କ ପରି ଚାହିଁ ରହିଥିଲା । ଏଇ କେତେ ସମୟ ଭିତରେ କ’ଣ ଯେ ଘଟିଗଲା, ସେ ଯେମିତି କିଛି ଜାଣେନା ।

 

ରମେଶ ଏଥର ଚଉକି ଉପରେ ବସି ପଡ଼ିଲା । ଟେବୁଲ ଉପରେ ପଡ଼ିଥିଲା ରୀନାର ସଦ୍ୟ ରୁମାଲଟା । ହେଲେ ରତିର ଧଳା ରୁମାଲଟା କୁଆଡ଼େ ଗଲା ? ତଳକୁ ଚାହିଁ ଦେଖିଲା, ମାରାଲିଷ୍ଟଙ୍କର ଧଳା ଖଦଡ଼ ରୁମାଲଟା ଖସି ପଡ଼ିଛି । ଗୌରମୋହନ ତା’ ରୁମାଲଟା ଟେବୁଲ ଉପରକୁ ଫୋପାଡ଼ିଲା ବେଳେ ଯାହା ଟେବୁଲରେ ନ ରହି ତା’ ଅଲକ୍ଷ୍ୟରେ ତଳକୁ ଖସି ପଡ଼ିଥିଲା-। ରମେଶ ଅବାକ୍‌ ହୋଇଗଲା । ନିଜ ରୁମାଲ ବଦଳରେ ଗୌରମୋହନ ରତି ରୁମାଲଟାକୁ ନେଇ ଯାଇଛି । ରତି ତାକୁ କେଡ଼େ ଶରଧାରେ ଦେଇଥିଲା ସେଦିନ । ସେ ଏକଥା ଜାଣିଲେ ତାକୁ କ୍ଷମା କରିବ ତ ? ଆଉ କିଛି ସେ ଭାବି ପାରିଲାନି । ମୁଣ୍ଡରେ ତା’ର ଶତ ବୃଶ୍ଚିକ ଦଂଶନ କରିବାକୁ ଲାଗିଲେ । ଟେବୁଲ ଉପରେ ମୁହଁମାଡ଼ି ଗଡ଼ି ପଡ଼ିଲା ସେ । ରୀନା ରୁମାଲଟାର ଗୋଲାପ ଫୁଲ ଉପରେ ତା’ ଆଖିରୁ ଟୋପା ଟୋପା ଲୁହ ବୋହି ଯାଉଥିଲା ।

 

କୁମାର ପୂର୍ଣ୍ଣିମା । କୁମାର କୁମାରୀମାନଙ୍କର ଆନନ୍ଦ ଉତ୍ସବର ଦିନ । ନବବସ୍ତ୍ର ପରିହିତ ହେଇ ନାଚି ନାଚି ଗାଇ ଗାଇ ସେମାନେ ଆଜି ଜୀବନ-ଯମୁନାରେ ସନ୍ତରଣ କରନ୍ତି । କୁମାରମାନଙ୍କର ନାଚ ଗୀତ, କୁମାରୀମାନଙ୍କର କାଦୂଇ ଖେଳ ତଥା ଚାନ୍ଦ ପୂଜାରେ ଗାଁଗହଳର ବାୟୁମଣ୍ଡଳ ମହକି ଉଠେ । ରାତିରେ କୂଆଁରୀ କନିଆଁମାନେ ପୁଚି ଖେଳ ସମୟ ବିତାନ୍ତି । କେତେକ ବୋଲନ୍ତି, ‘‘ପୂଚି ଲୋ ଯା’ ଘୁଞ୍ଚି....।’’ ଆଉ କେତେକ ବୋଲନ୍ତି, ‘‘ଠିଆ ପୁଚି ନାରଙ୍ଗ, ଗୋଡ଼ ଦିଟା ସାରଙ୍ଗ, ଗହୀର ବିଲକୁ ଯାଇଥିଲି, ଚୁଙ୍ଗୁଡ଼ି ଶୁଖୁଆ ଆଣିଥିଲି; ଅଧେ କଲି ରାଇ, ଅଧେ କଲି ଭଜା । ମୋ’ ଭାଉଜ ରାଣୀ, ମୋ’ ଭାଇ ରଜା ।’’ ଗାଁ ଝିଅମାନେ ମିଶି ଏ ଉତ୍ସବକୁ ଆନନ୍ଦ ମୁଖର କରନ୍ତି । କେବଳ କୂଆଁରୀ ଝିଅମାନେ ନୁହନ୍ତି, ରାତ୍ରି ଟିକିଏ ବେଶୀ ହୋଇଗଲେ ନୂଆ ହେଇ ଆସିଥିବା ବୋହୂ ତଥା ପ୍ରୌଢ଼ାମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରନ୍ତି । ଶରତର ନିର୍ମଳ ଆକାଶରେ ଉଜ୍ୱଳ ପୂର୍ଣ୍ଣଚନ୍ଦ୍ର । ଶୀତଳ ଜୋଚ୍ଛନାରେ ଗ୍ରାମ୍ୟ ଯୁବତୀମାନେ ନାଚି ନାଚି ଅଧୀରା ହୁଅନ୍ତି । ବିଭିନ୍ନ ନାଚ ଗୀତ, ଥଟ୍ଟା ତାମସା, ବାହାଘର, ପୁଆଣିଘର, ରାଧାକୃଷ୍ଣ ଭେଟରେ ରାତି ବିତିଯାଏ । ଗାଁର ଛୋଟ ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ପ୍ରୌଢ଼ା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅଂଶ ଗ୍ରହଣ କରିଥାନ୍ତି ।

 

ଆଜି ସେଇ କୁମାର ପୂର୍ଣ୍ଣିମା । ନୂଆଗାଁରେ ସେଥିପାଇଁ ଅନେକ ପ୍ରସ୍ତୁତି । ରାତିରେ ଆଜି ବାହାଘର ହବ । ରତି ସାଜିବ କନିଆଁ ତା’ର ସମବୟସୀ ସାବିତ୍ରୀ ହେବ ତା’ର ବର । ଝୁମା ଆଉ ବିଦୁ ହେବେ ଦି’ ସମୁଦି । ବେଲ ସାଜିବ ପୁରୋହିତ, ସେବତୀ ହେବ ବାରିକାଣୀ, ଆଉ ରେବତୀ ଫୁଙ୍କିବ ଶଙ୍ଖ । ବାଜାବାଲା ସାଜିବ ମାଳ । ମାଳ ଆଜି ଦିନଯାକ ବିସ ତା’ର ବାଜା ପ୍ରସ୍ତୁତ କରୁଛି । ଭଙ୍ଗା ମାଠିଆ ମୁହଁରେ ବାନ୍ଧି ଦେଇଛି ଗୋଟାଏ ବାଉଁଶ ଖୋଳପା । ଖଣ୍ଡେ ଗୋଡ଼ି ସାହାଯ୍ୟରେ ଖୋଳପା ଭିତରେ ଦେଇ ଟାଣି ଦେଇଛି ଖଣ୍ଡେ ସରୁ ତାଳପତ୍ରର ଖିଅ । ଦି’ ଗୋଡ଼ରେ ମାଠିଆ ମୁହଁକୁ ଚାପିଧରି ତାଳପତ୍ର ଖିଅକୁ ହାତରେ ଆଘାତ କଲେ ସୁନ୍ଦର କୁଁ କୁଁ ଶବ୍ଦ ସୃଷ୍ଟି ହେଉଛି । ତା ବ୍ୟତୀତ ସେ ପ୍ରସ୍ତୁତ କରିଛି ଆଉ କେତୋଟି ବାଜା । ଦୁଇଟା ଗେଣ୍ଡା ଭିତରେ ଦୁଇଟା ଖଡ଼ିକା ଭର୍ତ୍ତି କରିଛି । ଦୁଇ ଖଡ଼ିବାକୁ ଦାନ୍ତରେ ଚିପିଧରି ମଧ୍ୟ ଭାଗରେ ଅନ୍ୟ ଏକ ଖଡ଼ିକା ଚାଳନା କଲେ ସେଥିରୁ ଉତ୍ପନ୍ନ ହେଉଛି ଭାଓଲିନ୍‌ର ଶବ୍ଦ ପରି ଏକ ମଧୁର ରାଗିଣୀ । ତା ପରେ ନଡ଼ିଆ ପତ୍ରରେ କେତେଟା ପେଁ’କାଳି ଓ ପାରୁଡ଼ା ବାଜା ମଧ୍ୟ ପ୍ରସ୍ତୁତ ହୋଇଛି । ବାହାଘର ବେଳେ ମାଳ, ନିର, ସୁଶୀ, କୌଶଲ୍ୟା, ଯମୁନା, ପାର୍ବତୀ, ସୂରୁଜୀ ମିଶି ଏ ସବୁ ବାଜାରେ ତାଳ ଦେବେ । ମାଳ ନିର୍ଦ୍ଦେଶରେ ଏ ବାଦ୍ୟବୃନ୍ଦ ପରିଚାଳିତ ହେବ ।

 

ବାହାଘର ପାଇଁ ଦିନ ଥାଉଁ ଥାଉଁ ବେଦୀ ପ୍ରସ୍ତୁତ ହୋଇ ସାରିଲାଣି । ବେଦୀ ଉପରେ ନଡ଼ିଆ ବରଡ଼ାର ଛାମୁଡ଼ିଆ । ଛାମୁଡ଼ିଆ ଉପରେ କିଆ ସପୁରିଠାରୁ ଆରମ୍ଭ କରି ଚାଉଳିଆ ପର୍ଯ୍ୟନ୍ତ ଅନେକ ଫଳ ଝୁଲୁଛି । ହୋମ ପାଇଁ ଆମ୍ୱକାଠ, ଘିଅ ଓ ନଡ଼ିଆ ଯୋଗାଡ଼ ହୋଇ ସରିଛି-। କେତେକ ଅଳ୍ପ ବୟସର ଝିଅ ଏବେ ବି ବେଦୀ ଉପରେ ଆମ୍ୱପତ୍ରର ମାଳ ଟାଙ୍ଗୁଛନ୍ତି । ସମସ୍ତଙ୍କ ମନରେ ଆନନ୍ଦର ଜୁଆର । ସାନ ସାନ ପିଲାମାନେ ଡାଳିମାରି ଡେଇଁ ବୁଲୁଛନ୍ତି । କେହି କେହି ଗୋଟାଏ ଗୋଡ଼ ଟେକି ଆଉ ଗୋଟାଏ ଗୋଡ଼ରେ ଡେଇଁ ଯାଉଛନ୍ତି । କେତେକ ଶୂନବନ୍ଧ ଭାଙ୍ଗି ଧୂଳି ଧୂସର ହେଉଛନ୍ତି । ସମସ୍ତେ ଏ ଉତ୍ସବକୁ ଆଜି ପୂର୍ଣ୍ଣପ୍ରାଣରେ ଉପଭୋଗ କରୁଛନ୍ତି । ହେଲେ ପାଗଟା ସେତେ ଭଲ ନାହିଁ । ସବୁବର୍ଷ ପରି ଆଜିର ଶରଚ୍ଚନ୍ଦ୍ର ସେତେ ନିର୍ମଳ ଦେଖାଯାଉନି । ଆକାଶରେ କେତେ ଖଣ୍ଡ ଭାସମାନ ବାଦଲ ବେଳେ ବେଳେ ଚନ୍ଦ୍ରକୁ ଢାଙ୍କି ଦେଉଛନ୍ତି । ସକାଳେ ସାମାନ୍ୟ ବର୍ଷା ହେଇଥିଲା । ହେଲେ ସେଥିପ୍ରତି କାହାରି ଖାତିରି ନାହିଁ । ପାଗ ଏମିତି ରହିଲେ ବାହାଘର ନିଶ୍ଚୟ ହେବ ।

 

ସନ୍ଧ୍ୟା ହେଇ ଆସିଲାଣି । ନୂଆ ହୋଇ ବାହା ହେଇଥିବା ଝିଅମାନେ ଚଉଁରାମୂଳେ ଚାନ୍ଦ ପୂଜା କରୁଛନ୍ତି । ସେମାନଙ୍କର ଶାଶୁଘରୁ ଆସିଛି ନୂଆ ଭାର । ଖଇ, କଦଳୀ, ମିଠେଇ, ମନୋହର, ଝିଲି; ଆହୁରି କେତେ କଅଣ । ରାତି ଘଡ଼ିଏ ହେଇ ଗଲାଣି । ଆଉ ଟିକିଏ ବେଶି ରାତି ହେଇଗଲେ ବାହାଘର ଉତ୍ସବ ଆରମ୍ଭ ହେବ । ଗାଁର କିଶୋର ତଥା ପୌଗଣ୍ଡମାନେ ପାଳଭୂତ ସାଜିବାର ଉଦ୍ୟମ କରୁଛନ୍ତି । ଝିଅମାନଙ୍କର ବାହାଘର ଚାଲିଥିଲା ବେଳେ ସେମାନେ ପାଳଭୂତ ସାଜି ତାଙ୍କୁ ଡରେଇବାର ଯୋଗାଡ଼ । ହେଲେ ସେମାନେ କେବେ ଡରିଯିବେ ନାହିଁ । ବର୍ଷ ବର୍ଷ ଧରି ଏଇ ପାଳଭୂତର ଭିଆଣ । ତେଣୁ ସେମାନେ ତାକୁ ଦେଖି କେବେ ଡରିବାର ପ୍ରଶ୍ନ ଉଠୁନାହିଁ ।

 

ରତି ଆଜି ସକାଳୁ ନୂଆ ଲୁଗା ପିନ୍ଧି ଆଞ୍ଜୁଳି ଟେକିଥିଲା । ସାତଥର ବନ୍ଦାପନା କରି ହୁଳହୁଳି ପକେଇଥିଲା । ଠିକ୍‌ ମୁଣ୍ଡିଆ ମାରିଲା ବେଳକୁ ପହଞ୍ଚିଥିଲା ଜେମିବୁଢ଼ୀ । ଥଟ୍ଟାକରି ତାକୁ କହିଥିଲା, ‘‘ଆଲୋ ରମୁକୁ ଚଞ୍ଚଳ ପାଇବୁ ବେଲି ଗୁହାରି କରିଥା । ଏଇ ଫଗୁଣ ମାସ ବେଳକୁ ଯେମିତି ରମୁ ମାଇପ ହେଇ ସାରିଥିବୁ ।’’ ବୁଢ଼ୀକୁ ଜିଭ ଦେଖେଇ ତରବର କରି ଆଞ୍ଜୁଳି ଟେକି ଦେଇଥିଲା ।

 

ସଞ୍ଜବେଳକୁ ଚଉଁରା ପୂଜା ସାରି ରତି ବେଦୀ ପାଖକୁ ଗଲା । ସାଙ୍ଗ ଝିଅମାନେ ଗୋଟି ଗୋଟି ହୋଇ ବେଦୀ ପାଖରେ ଜମା ହେବାକୁ ଲାଗିଲେ । ରାତ୍ରି କ୍ରମେ ତିନିଘଡ଼ି ହେଲା । ରମା ନୂଆବୋଉ ଠିକ୍‌ ବେଳକୁ ଆସି ପହଞ୍ଚିଗଲେ । ତାଗିଦା କରି କହିଲେ, ‘‘ଏଥର ବରକନ୍ୟା ବେଶ ହେଇ ଆସନ୍ତୁ । ବାହାଘର ଆରମ୍ଭ କରିବା ।’’

 

ରତି ତାଙ୍କ ଘରକୁ ଆସିଲା । ଶଢ଼ୀଟାକୁ ସଜାଡ଼ିକରି ପିନ୍ଧି ଆଖିରେ କଜଳ ଲଗାଇଲା । ଆଜି ତାକୁ ବୋହୂ ସାଜିବାକୁ ହବ । ଗୋଡ଼ରେ ଅଳତା, ଅଙ୍ଗଭରି ଅଳଙ୍କାର ଓ ମଥାରେ ସିନ୍ଦୁର ପିନ୍ଧିବାକୁ ହବ । ରମା ନୂଆବୋଉ ନିଜ ଅଳଙ୍କାରରେ ତାକୁ ଭୂଷିତ କରି ଦେଇଛନ୍ତି । ଏଥର ସେ ଗୋଡ଼ରେ ଭଲକରି ଅଳତା ଲଗେଇଲା । ମଥାରେ କୁଙ୍କୁମର ବିନ୍ଦୁ ଥାପି ଅଇନାରେ ନିଜ ଦେହକୁ ଅନେଇଲା । ତାକୁ ଆଜି ଖାସା ମାନୁଛି । ବିଳମ୍ୱ ହେବାରୁ ମାଳ ଆସି ତାକୁ ଭିଡ଼ି ନେଇଗଲା । ବରକନିଆଁ ବେଦୀରେ ବସିଲେ । ସାବିତ୍ରୀର ଡାହାଣ ପାଖରେ ରତି । ନଇଁ ନଇଁ କରି ଠିକ୍‌ ବୋହୂ ଠାଣିରେ ବସିଛି ସେ । ମୁଣ୍ଡ ଉପରେ ଖଣ୍ଡୁଆ । ଖଣ୍ଡୁଆ ଉପରେ କାଠି ମୁକୁଟ । ରତିର ମନେ ହେଉଛି, ରମୁଭାଇ ସାଥୀରେ ସେ ଯେମିତି ବେଦୀରେ ବସିଛି; ଆଉ ପୁରୋହିତ ମନ୍ତ୍ରପାଠ କରି ଚାଲିଛନ୍ତି । ରମା ନୂଆବୋଉ ଏଥର ବେଦୀ ଉପରେ ସମସ୍ତ ଉପକରଣ ତନଖି କରିନେଲେ । ଦେଖିଲେ ସବୁ ଜିନିଷ ଯଥା ସ୍ଥାନରେ ରଖା ଯାଇଛି । ତା’ପରେ ବେଲ ଆଡ଼େ ଚାହିଁ କହିଲେ, ‘‘ଏଥର ଆରମ୍ଭ କର ।’’ ବେଲ ପୁରୋହିତ ଠାଣିରେ ଆରମ୍ଭ କଲା, ‘‘ଯଥା ରାବଣସ୍ୟ ମନ୍ଦୋଦରୀ-।’’ ମାଳର ଅର୍କେଷ୍ଟ୍ରା ପାଟି ଗର୍ଜି ଉଠିଲା । ସାନପିଲାଙ୍କ ଭିତର ଅନେକ ଶୋଇ ଯାଇଥିଲେ । ଯେଉଁ କେତେଜଣ ଚେଇଁଥିଲେ ସେମାନେ ତାଳି ମାରିବାକୁ ଲାଗିଲେ ।

 

ଜହ୍ନଟାକୁ ବାଦଲ ଢାଙ୍କି ପକାଇଲା । ଚାରିଆଡ଼ ଅନ୍ଧାର ହେଇଗଲା । ତାପରେ ଆସିଲା ବର୍ଷା । ବର୍ଷା ସହିତ ପ୍ରବଳ ପବନ । ଚାହୁଁ ଚାହୁଁ ଝଡ଼ ବତାଶ ଘୋଟି ଆସିଲା । ହାତଗଣ୍ଠି ଏବେ ବି ପଡ଼ିନି । କିଏ କୁଆଡ଼େ ପଳେଇଲେ ତାର ହିସାବ ନାହିଁ । ବେଦୀ ଭାଙ୍ଗି ଚୁରମାର ହୋଇଗଲା । ସାବିତ୍ରୀ ଉଠି ଦଉଡ଼ିଲା ତାଙ୍କ ଘରକୁ । ମୁଣ୍ଡରେ ତା’ର ଏବେବି କାଠି ମୁକୁଟ ଲାଗି ରହିଥିଲା । ରତି ପଡ଼ି ଉଠି ପଶିଲା ତାଙ୍କ ଘରେ । ଖଣ୍ଡୁଆଟା ତା’ ପଛରେ ଘୁଷୁଡ଼ୁଥିଲା । କୁମାର ପୂର୍ଣ୍ଣମୀର ଏମିତି ବର୍ଷା ଖୁବ୍‌ କ୍ୱଚିତ୍‌ ହୋଇଥାଏ । ଅବଶ୍ୟ ଝଡ଼ ବତାସ ବା ପ୍ରବଳ ପ୍ରଭଞ୍ଜନ ଯେ ଅଶିଣ, କାର୍ତ୍ତିକ ମାସରେ ହୋଇ ନଥାଏ ଏକଥା ନୁହେଁ ।

 

ରତି ପଲଙ୍କ ଉପରେ ବୋଉ ପାଖରେ ଶୋର ପଡ଼ିଲା । ଝଡବର୍ଷା ବେଳକୁବେଳ ବଢ଼ି ଚାଲିଛି । ତାକୁ ନିଦ ନାହିଁ । ମନଟା ତା’ର ଆଜି ବଡ଼ ଗୋଳେଇ ଘାଣ୍ଟି ହେଉଛି । ରମୁଭାଇଙ୍କ କଥା ତୁହାଇ ତୁହାଇ ମନେ ପଡ଼ୁଛି । ଏ ପୂଜା ଛୁଟିରେ ବି ସେ ଆସିଲେ ନାହିଁ । ଚିଠି ଲେଖିଛନ୍ତି, ପଢ଼ାପଢ଼ି ଖୁବ୍‌ ଜୋରରେ ଚାଲିଛି । ତେଣୁ ଏ ଛୁଟିରେ ସେ ଗାଁକୁ ଯାଇ ପାରିବେନି । ରତିକି ଏଥର ନିଦ ଆସିଯାଇଛି । ଶୋଇ ଶୋଇ ଦେଖୁଛି ସପନ-ରମୁଭାଇ ସମୁଦ୍ର କୂଳରେ କେଉଁ ଏକ ଯୁବତୀର ହାତ ଧରି ଘୂରି ବୁଲୁଛନ୍ତି । ବାଳିକାଟି ହସି ହସି ତାଙ୍କ ମୁହଁରୁ ଜଳବିନ୍ଦୁ ଗୁଡ଼ାକ ପୋଛି ଦେଉଛି ତା’ ଅଞ୍ଚଳରେ । କ୍ରମେ ସେମାନେ ଦୂରେଇ ଯାଉଛନ୍ତି । ଅଦୂରରେ ଠିଆ ହୋଇ ସେ ଅଶ୍ରୁବର୍ଷଣ କରୁଛି । ହଠାତ୍‌ ସେ ଚିତ୍କାର କରି ଉଠିଲା, ‘‘ରମୁଭାଇ, ରମୁଭାଇ, ଏ ତୁମେ କ’ଣ କଲ ରମୁଭାଇ ?’’ ସୁନାମଣିଙ୍କ ନିଦ ଭାଙ୍ଗିଯାଇଛି । ଝିଅକୁ ଅଣେଇ ଦେଇ ଶୁଆଇ ଦେଇଛନ୍ତି ଓ ଆକଟିବା ସ୍ୱରରେ କହିଛନ୍ତି, ‘‘ମୁଁ କେତେଥର ତତେ ମନା କଲିଣି ଚିତ୍‌ ହୋଇ ଶୋଇବୁନି ବୋଲି-।’’ ତା’ପରେ ସେ କମ୍ୱଳଟାକୁ ଆହୁରି ଉପରକୁ ଟାଣିଆଣି ରତିକୁ ଆକଣ୍ଠ ଆବୃତ କରି ଦେଇଛନ୍ତି ।

 

ସପ୍ତ ପାହାଡ଼ ଘେରା ସବୁଜ ପ୍ରକୃତିର ସମଘଞ୍ଚ ବନାନି-ସପ୍ତଶଯ୍ୟା । ସାତଟି ପାହାଡର ଅପୂର୍ବ ସମାହାର । ସାତ ଭଉଣୀ ଯେମିତି ହାତ ଧରା ଧରି ହେଇ ଅର୍ଦ୍ଧବୃତ୍ତାକାରରେ ଦଣ୍ଡାୟମାନ-। ସବୁଜ ଶଢ଼ୀ ପିନ୍ଧି ନବୋଢା ଷୋଡ଼ଶୀ ପରି ପ୍ରତୀୟମାନ ଏଇ ପାହାଡ଼ ନିଚୟ ଦୂରରୁ ଦିଗ୍‌ବଳୟ ସହ ମିଶିଗଲା ପରି ମନେହୁଏ । ସତେ ଯେମିତି ପହିଲି ରାତିର ଅବଗୁଣ୍ଠିତା ନବବଧୂ ସ୍ୱାମୀର ବାହୁ ବନ୍ଧନରେ ଲାଜେଇ ଯାଇଛି । ଅବଗୁଣ୍ଠନ ତଳେ ତା’ର ଲୁକ୍‌କାୟିତ ସଂପତ୍ତିକୁ ଧରି ଯୁଗ ଯୁଗରୁ ଠିଆ ହୋଇଛି ଏଇ ସପ୍ତଶଯ୍ୟା । କେଉଁ ଆଦିମ ଯୁଗରୁ ତା’ ଦେହରେ ଫଲ୍‌ଗୁ ଧାରା ପରି ବହିଯାଉଛି ଛନ୍ଦମୟୀ କଳକଳ ନାଦିନୀ ଝରଣା । ଦେହଟା ସାରା ଛାଇ ହେଇ ଯାଇଛି ସବୁଜ ବୃକ୍ଷରାଜି । ସବୁ ବନାନୀର ଶାଖାରେ ଶାଖାରେ ବନ ଫୁଲର ବେହରଣ । ପକ୍ଷୀମାନଙ୍କର କାକଳୀ ସାଥୀରେ ଝରଣାର କଳ କଳ ଶବ୍ଦ ମିଶି ସ୍ୱର୍ଗୀୟ ପରିବେଶ ସୃଷ୍ଟି କରୁଛି । ଅଲକ୍ତ ରଞ୍ଜିତା ପ୍ରତୀକ୍ଷାମାନା ଯୁବତୀ ପରି ସେ ଯେମିତି କେଉଁ ଏକ ପ୍ରେମିକକୁ ସୁଦୂର ଅତୀତରୁ ଅପେକ୍ଷା କରି ଆସିଛି । ଶିଞ୍ଜିନି ଛନ୍ଦିତା ନର୍ତ୍ତକୀ ପରି ତା’ ପଦ ଯୁଗଳରୁ ନିର୍ଗତ ହେଉଛି ଛନ୍ଦର ଲହରୀ । ବଣ ବୁଦା ଉହାଡ଼ରୁ କୋକିଶିଆଳି ବା କଟାଶଙ୍କର ସାମୟିକ ଶବ୍ଦ ତା’ ପଦ ଚାଳନାକୁ ଲକ୍ଷ୍ୟ କରି ଯେମିତି ତାଳ ରଚନା କରୁଛନ୍ତି । ନିଶିଥ ଝିଙ୍କାରିର ଝିଁ ଝିଁ ଶବ୍ଦ ଓ ଦିବାଲୋକର ବିବର୍ଣ୍ଣଛଦନା ବିହଙ୍ଗମଙ୍କର କୂଜନରେ ଭାଓଲିନ୍‌ ବା ଏକତାରାର ମଧୁର ରାଗିଣି ସୃଷ୍ଟି ହୋଇ ନର୍ତ୍ତକୀର ଛନ୍ଦମୟ ପଦ ଚାଳନାରେ ପଦ୍ମ ଫୁଟାଉଛି । ବିହଙ୍ଗ କାକଳୀରେ ଗାଇଗାଇ କଳକଳ ଝରଣାର ଛନ୍ଦରେ ନାଚି ନାଚି ଚାଲିଛି, ସେ ହୁଏତ ପୃଥିବୀ ସୃଷ୍ଟିର ଆଦି ମୁହୂର୍ତ୍ତରୁ । ତଥାପି ତା’ର ଗାନରେ ଆସିନି ସ୍ତବ୍‌ଧତା, ନୃତ୍ୟରେ ଆସିନି ଶିଥିଳତା । ଆକାଶରେ ଗତି କରୁ କରୁ ଚନ୍ଦ୍ର ସୂର୍ଯ୍ୟ ଏଇଠି ଘଡ଼ିଏ ଅଟକି ଯାଆନ୍ତି । ସପ୍ତଶଯ୍ୟାର ଏଇ ପାରମ୍ପରିକ ଅମର ସଂଗୀତ ଶୁଣି ସତେ ଯେମିତି କ୍ଳାନ୍ତି, ଅବସାଦର ଅପନୋଦନ କରନ୍ତି ।

 

ଛବିଳ ଉତ୍କଳର ଅକଳନୀୟ ଆଲେଖ୍ୟ ମଧ୍ୟରୁ ଗୋଟିଏ ଢେଙ୍କାନାଳ ଜିଲ୍ଲାର ଏଇ ସୌନ୍ଦର୍ଯ୍ୟ ଭରା ସବୁଜ ସପ୍ତଶଯ୍ୟା । ଢେଙ୍କାନାଳ ସହରର ଅନତି ଦୂରରେ ଦଣ୍ଡାୟମାନ ରହି ସୃଷ୍ଟି କରୁଛି ସେ ଅନୁପମ ସୌନ୍ଦର୍ଯ୍ୟ । ଢେଙ୍କାନାଳ ସହରଠାରୁ ଚାରି ପାଞ୍ଚ ମାଇଲ ଗଲେ ପଡ଼େ ବଡ଼ଗିଲା ଗାଁ । ଏଇ ଗାଁ ମଧ୍ୟ ଦେଇ ସପ୍ତଶଯ୍ୟାର କୋଳରେ ପ୍ରବେଶ କରିବାକୁ ହୁଏ । ଏଠାରୁ ଜଙ୍ଗଲିଆ ରାସ୍ତା ଦେଇ କିଛିବାଟ ଗଲା ପରେ ଦୃଶ୍ୟମାନ ହୁଏ ଗୋଟାଏ କ୍ଷିଣକାୟ ଅଣଓସାରିଆ ଖୋଲା ଯାଗା । ଏଇଟା ହେଉଛି ସପ୍ତଶଯ୍ୟାର ପାଦ ଦେଶ । ଏଇ ସ୍ଥାନରୁ ପାହାଡ଼ ଉପରକୁ ପଡ଼ିଛି ଗୋଟିଏ ଅଙ୍କା ବଙ୍କା ବନ୍ଧୁର ଚଲାପଥ । ସେଇ ଚଲାପଥ ଦେଇ ପାହାଡ଼ ଚଢ଼ିବାକୁ ହୁଏ ।

 

ପାହାଡ଼ର ଶୀର୍ଷ ଦେଶରୁ ଝରି ଆସିଛି କଳ କଳ ଝରଣାଟା । ନିଜର କ୍ଷୁଦ୍ର ଜଳଧାରକୁ ଲୋଟାଇ ଦେଇଛି ପାହାଡ଼ର ପାଦଦେଶରେ । ସେଇଠି ନାଲି ନେଳି ବସ୍‌ ଦୁଇଟା ରଖାଯାଇଛି । ଅଦୂରରେ କେତେକ ଯୁବକ ଯୁବତୀ ହରରଙ୍ଗି ପୋଷାକ ପିନ୍ଧି ଦଳ ଦଳ ହେଇ ବୁଲୁଛନ୍ତି । କେତେକ ନିକଟସ୍ଥ ପଥରଖଣ୍ଡ ଗୁଡ଼ିକୁ ଯୋଡ଼ି ଚୂଲି ସଜାଡ଼ୁଥିଲେ । ଉଦ୍ଦେଶ୍ୟ ଥିଲା ଚୂଳି ଜାଳି ରନ୍ଧାବଢ଼ାର ବ୍ୟବସ୍ଥା କରିବେ । ଆଉ ଦଳେ କାଠିକୁଟା ରୁଣ୍ଡାଇବାରେ ବ୍ୟସ୍ତ । କେତେକ ଯୁବତୀ ହାଇହିଲ ଗୁଡ଼ାକ ରଖିଦେଇ ପଥର ଉପରେ ଖପ୍‌ଖପ୍‌ ହେଇ ଡେଇଁ ବୁଲୁଥିଲେ । ବୁଦି ବୁଦିକିଆ ଗଛ ଗୁଡ଼ାକରେ ନାନା ଜାତିର କୋଳି । ଖଟା ମିଠାର କୋଳିଗୁଡ଼ାକୁ ତୋଳି ସେମାନେ ସ୍ୱାଦ ଚାଖିବାରେ ବ୍ୟସ୍ତ । ଆଧୁନିକ ସହରି ସଭ୍ୟତାରେ ଗଢ଼ା ଏଇ ଯୁବକ ଯୁବତୀମାନଙ୍କୁ ଏ ସ୍ଥାନଟା ସ୍ୱର୍ଗ ପରି ଲାଗୁଛି । ଅନେକ କଷ୍ଟ ସ୍ୱୀକାର କରି ପାହାଡ଼ ଉପରକୁ ଚଢ଼ିବାର ଉପକ୍ରମ କରୁଛନ୍ତି । ରୀତା ମିତାଙ୍କ ସାଥୀରେ ଚାଲିଛି ରୀନା । କଡ଼େ କଡ଼େ ଚାଲିଛନ୍ତି ରମେଶ, ଗୋକୂଳ, ପଞ୍ଚାନନ । କଲେଜର ଅର୍ଥନୀତି ବିଭାଗର ଛାତ୍ରମାନେ ଆଜି ଏ ବନ୍ଧୁର ଶିଳାଶେଯର ଅତିଥି । ବରଭୋଜି କରିବାକୁ ସେମାନେ ଆସିଛନ୍ତି ଏଇ ସପ୍ତଶଯ୍ୟାର ପ୍ରାକୃତିକ ପରିବେଶକୁ ।

 

ଦୁଃଖ ପାଶୋରା ପ୍ରାକୃତିକ ଆଲେଖ୍ୟ ଏଇ ସପ୍ତଶଯ୍ୟା ଯୁଗ ଯୁଗଧରି ତା’ର ସୌନ୍ଦର୍ଯ୍ୟକୁ ଲୋକ ଲୋଚନରୁ ଲୁଚେଇ ରଖି ଠିଆ ହୋଇଛି ଶାନ୍ତ ସରଳ ଯୁବତୀଟି ପରି । ସାତଟି ପାହାଡ଼ର ଉଚ୍ଚନିଚ ପରିବେଶ । ପାହାଡ଼ଗୁଡ଼ିକର ମଧ୍ୟବର୍ତ୍ତି ସ୍ଥାନଗୁଡ଼ିକ କ୍ରମଶଃ ଢାଲୁ ହେଇ ତଳକୁ ଝୁଙ୍କି ପଡ଼ିଛି । ପ୍ରତି ଦୁଇ ପାହାଡ଼ର ମଧ୍ୟଭାଗ ଅନୁରୂପ ଏକ ଏକ ଉପତ୍ୟକାରେ ପରିଣତ ହେଇଛି । ସତେ ଯେମିତି କେଉଁ ଏକ ସ୍ୱପ୍ନପୁରୀ ରାଜକୁମାରୀର ଅପୂର୍ବ କେଶ ବିନ୍ୟାସ । ଦୂରରୁ ଜଣାଯାଏ ସତେ ଅବା ସମୁଦ୍ରର ନୀଳ ଲହରି ଭାଙ୍ଗି ଭାଙ୍ଗି କୂଳକୁ ଆସୁଛି । ସାତ ଭଉଣୀଙ୍କ ପରି ଅଙ୍ଗକୁ ଅଙ୍ଗ ଜଡ଼େଇ ହାତଛନ୍ଦ ଠିଆ ହେଇଛନ୍ତି ସେମାନେ । ରାମାୟଣ, ମହାଭାରତ ଯୁଗର ସ୍ମୃତିକୁ ଜାବୁଡ଼ିଧରି ଏବେ ଯେମିତି ସେମାନେ ଭାବାବେଶ ହୋଇ ପଡ଼ିଛନ୍ତି ।

 

କିମ୍ୱଦନ୍ତୀ କହେ ରାମଚନ୍ଦ୍ର ବନବାସ କଲାବେଳେ ଏଇ ସ୍ଥାନରେ ଗ୍ରୀଷ୍ମକାଳ କଟେଇ ଥିଲେ । ପ୍ରାଣପ୍ରିୟା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ସେ ହୋଇଥିଲେ ବନଚାରୀ । ତାଙ୍କ ଯାତ୍ରା ପଥରେ ପଡ଼ିଥିଲା ଏଇ ପାହାଡ଼ ନିଶ୍ଚୟ । ପ୍ରଭୁଙ୍କ ପଦତଳେ ଯେମିତି ସେମାନେ ନତମସ୍ତକ ହେଇ ପଦଧୂଳି ଭିକ୍ଷା କରୁଥିଲେ । କୋମଳାଙ୍ଗୀ ଜନକନନ୍ଦିନୀ ପାହାଡ଼ ଉପରକୁ ଯିବାକୁ ମନ ବଳାଇଲେ । ଅଯୋଧ୍ୟାର ରାଜ ଅନ୍ତପୁର ଅପେକ୍ଷା ଏ ପରିବେଶ କେଡ଼େ ଶାନ୍ତିପଦ ! କେଡ଼େ ଉପଭୋଗ୍ୟ । ବିଦେହ ମଣ୍ଡଳର ସାରା ଇଲାକାରେ ହୁଏତ ସେ ଏମିତି ପ୍ରାକୃତିକ ପରିବେଷ୍ଟନୀ କେବେ ଦେଖି ନଥିଲେ । ବନ ହରିଣୀମାନଙ୍କର ଚଳଚଞ୍ଚଳ ଗମନ, ବର୍ଣ୍ଣମୟୀ ପକ୍ଷୀମାନଙ୍କର ମଧୁର କାକଳୀ, ବୃକ୍ଷରାଜି ଶାଖାମାନଙ୍କର ଫଳପୁଷ୍ପଭରା ପରିବେଶ ତାଙ୍କୁ ମୁଗ୍‌ଧ କରିଥିଲା । ସ୍ଥାନଟିରେ କିଛିଦିନ ବିତେଇବା ପାଇଁ ସ୍ୱାମୀଙ୍କ ନିକଟରେ ଅଳି କରି ବସିଲେ । ଦୁଗ୍‌ଧ ଫେନନିଭ ତୁଳିତଳପ ଶଯ୍ୟାର ଅଯୋଧ୍ୟା ରାଜବଧୂ ବନ୍ଧୁର ଶିଳା-ଶେଯରେ ଶୟନ ପାଇଁ ମନ ବଳାଇଛନ୍ତି । ସବୁ ବଣବୁଦାରେ ହରିଣୀ ପରି ଘୂରି ବୁଲିବାକୁ ତାଙ୍କ ମନରେ ବାସନା ଜାଗିଛି । ସେଥିପାଇଁ ସ୍ୱାମୀଙ୍କ ନିକଟରେ ତାଙ୍କର ଅଳି, ମିନତିଭରା ପ୍ରାର୍ଥନା । ରାମଚନ୍ଦ୍ର ମନାକରି ପାରିଲେନି । ପ୍ରାଣପ୍ରିୟା ପତ୍ନୀଙ୍କର ବାସନା ଚରିତାର୍ଥ ପାଇଁ ସେଠାରେ ସେ କିଛିକାଳ କଟାଇବାକୁ ଇଚ୍ଛା କଲେ ଓ ସଙ୍ଗେ ସଙ୍ଗେ ପାହାଡ଼ ଉପରକୁ ଉଠିବାକୁ ଲାଗିଲେ ।

 

ଅନୁଜ ଓ ପତ୍ନୀଙ୍କ ସହ ସେଠାରେ ଅବସ୍ଥାନ କରି ରାମଚନ୍ଦ୍ର ପ୍ରକୃତରେ ସ୍ଥାନଟିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ପଡ଼ିଲେ । ବିଭିନ୍ନ କୋଳି, ପତ୍ର ଓ ଫଳମୂଳ ଭକ୍ଷଣ କରି ଆନନ୍ଦରେ ଚତୁର୍ଦ୍ଦିଗରେ ଘୂରି ବୁଲିଲେ । ବନ ହରିଣୀମାନେ ସୀତାଙ୍କର ସହଚରୀ ସାଜି ତାଙ୍କର ଅଗ୍ରଧାବନ ତଥା ଅନୁଧାବନ କରିବାକୁ ଲାଗିଲେ । ବୁଦା ଉପରୁ ଲାଲ ଟକଟକ ବା ହଳଦିଆ ରଙ୍ଗର କୋଳି ତୋଳି ପଛରେ ସ୍ୱାମୀଙ୍କ ହାତକୁ ବଢ଼ାଇଦେଲେ । ପ୍ରାଣେଶ୍ୱରୀଙ୍କ ହାତରୁ ମିଠା ମିଠା ଫଳ ଖାଇ ପାହାଡ଼ ପରେ ପାହାଡ଼ ସେ ବୁଲିବାକୁ ଲାଗିଲେ । ଅନେକ ବୁଲିବା ପରେ ସୀତା ତୃଷା ଅନୁଭବ କଲେ । ହେଲେ ନିକଟରେ କୌଣସି ସ୍ଥାନରେ ଜଳର ସନ୍ଧାନ ମିଳିଲା ନାହିଁ । ପ୍ରାଣପ୍ରିୟା ପତ୍ନୀଙ୍କର ତୃଷା ଭଗବାନଙ୍କୁ ଅସହ୍ୟ ବୋଧ ହେଲା । ଶେଷରେ ବାମ ଗୋଡ଼ର ବୃଦ୍ଧାଙ୍ଗୁଳିରେ ସେ ଗୋଟାଏ ପଥରକୁ ଚାପ ଦେବାକୁ ଲାଗିଲେ । ତତ୍‌କ୍ଷଣାତ୍‌ ଝର ଝର ହୋଇ ନିର୍ଗତ ହେଲା ସୁଶୀତଳ ଜଳ । ଜାନକୀ ତାକୁ ପିଇ ତାଙ୍କ ତୃଷା ନିବାରଣ କଲେ । କଥିତ ଅଛି ସେ ଦିନର ସେଇ ଝରଣାଟିଏ ଏବେ ବି ଏଠାରେ ବିଦ୍ୟମାନ ଏହିପରି ବୁଲି ବୁଲି ସେମାନେ ପ୍ରତିଟି ପାହାଡ଼ ଉପରେ କିଛି କିଛି ଦିନ ବିତାଇବାକୁ ଲାଗିଲେ । ସାତଟିଯାକ ପାହାଡ଼ ଉପରେ ଶେଯ ପରା ହେଲା ପରି ବିରାଟ ପ୍ରସ୍ତର ଖଣ୍ଡ ଏବେ ବି ରହିଛି । ସେହି କାରଣରୁ ଯାଗାଟିର ନାମ ସପ୍ତଶଯ୍ୟା ।

 

ରୀନା କେତୋଟି କୋଳି ତୋଳି ବଢ଼େଇ ଦେଉଥିଲା ରମେଶ ହାତକୁ । ରମେଶ ଖାଇ ଖାଇ ଚାଲିଥିଲା ଆହୁରି ଉପରକୁ । ଜଙ୍ଗଲିଆ ରାସ୍ତାଟା ତେର୍ଚ୍ଛା ହେଇ ପାହାଡ଼ ଉପରକୁ ଉଠିଛି । ରୀନା ଗୁଣ୍ଡୁଚି ମୂଷା ପରି ଡେଇଁ ଡେଇଁ ଚାଲିଛି ବୁଦା କଡ଼େ କଡ଼େ । ବେଳେ ବେଳେ ତା’ ଶାଢ଼ୀରେ କେତେ କଣ୍ଟାଝଣ୍ଟା ଲାଗିଯାଇଛି । ସେମାନଙ୍କ ଦାଉରୁ ନିଜକୁ ରକ୍ଷାକରି ସେ ଗଢ଼ି ଚାଲିଛି ଉପରକୁ, ଆହୁରି ଉପରକୁ । ଆଗପଛ ହୋଇ ଆହୁରି ଅନେକ ପିଲା । ପାହାଡ଼ ଚଢ଼ିବାରେ କେହି ଅଭ୍ୟସ୍ତ ନୁହନ୍ତି । ଅନେକ ଆଗେଇ ଗଲେଣି ତ ଅନେକ ପଛରେ ପଡ଼ିଛନ୍ତି । ପରସ୍ପର ପରସ୍ପରଠାରୁ କାହିଁ କେତେ ଦୂରରେ ରହିଲେଣି । ରମେଶ ଓ ରୀନା ଏକୁଟିଆ ହୋଇଗଲେଣି । ରୀନାର ଆଜି କ୍ଳାନ୍ତି ନାହିଁ । ଅବସାଦ ନାହିଁ । ରମେଶକୁ ପଛରେ ପକେଇ ସେ ଉପରକୁ ଉପରକୁ ଉଠି ଚାଲିଛି । ମଝିରେ ମଝିରେ ସେ କହିବାର ଶୁଣାଯାଉଛି, ‘‘କ’ଣ ରମେଶ ବାବୁ ପଛରେ ପଡ଼ିଗଲେ । ରମେଶ ଏଥର ଆହୁରି ବେଗରେ ଚଢ଼ିବାକୁ ଲାଗିଛି । ଅଳ୍ପସମୟ ମଧ୍ୟରେ ରୀନାକୁ ଟପିଯାଇ ଜୋରରେ ଚାଲିବାକୁ ଲାଗିଛି ସେ । ପଛରୁ ଡାକୁଛି ରୀନା, ‘‘ପ୍ଳିଜ ରମେଶ ବାବୁ, ରୁହନ୍ତୁ, ରୁହନ୍ତୁ ମୁଁ ଆଉ ଚଢ଼ି ପାରୁନି ।’’ ଅପେକ୍ଷା କରିଛି ରମେଶ, ରୀନା ଆସି ଧରିଛି ତା’ର ହାତକୁ । ଦୁହେଁ ପୁଣି ଆଗେଇ ଚାଲିଛନ୍ତି । ପାହାଡ଼ର ମଧ୍ୟଭାଗରେ ପହଞ୍ଚି ସେମାନେ ଅଟକି ଯାଇଛନ୍ତି ।

 

ଗୋଟିଏ ପାହାଡ଼ର ମଧ୍ୟାଂଶ । ଏକ କ୍ଷୁଦ୍ର କୁଟିରରେ ଗୋଟାଏ ହନୁମାନ ମୂର୍ତ୍ତି । ଜଣେ ପୂଜକ ବସି ପୂଜା କରୁଛନ୍ତି, ନିକଟରେ ସାତଟି ପ୍ରସ୍ତରର ଋଷି ମୂର୍ତ୍ତି । କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଟ ଓ ମରିଚୀ । ସପ୍ତଋଷି ପରିବେଷ୍ଟିତ ହନୁମାନ ମୂର୍ତ୍ତି । ‘‘ଜୟ ବଜରଙ୍ଗ ବଲ୍ଲି’’ କହି ରମେଶ ମୂର୍ତ୍ତିଟାକୁ ସ୍ପର୍ଶକଲା । ଉଭୟେ ମୂର୍ତ୍ତିରେ ମୁଣ୍ଡ ଲଗେଇଲେ । ପୂଜକଠାରୁ ପାଦୁକ ଖାଇ ପଇସା ପକାଇଲେ । ପୂଜକ କହିଲେ ‘‘ଏଇଟା ହେଉଛି ସିଦ୍ଧ ମନ୍ଦିର । ଯିଏ ଯାହା ମାନସିକ କରିବ ସେ ତାହା ଲାଭ କରିବ ।’’ ରୀନା ହସହସ ହେଇ ଆଉଥରେ ମୁଣ୍ଡିଆ ମାରିଲା । ଗୁଣୁ ଗୁଣୁ ହେଇ କ’ଣ ସବୁ କହି ରମେଶକୁ ଚାହିଁ ମୁରୁକି ମୁରୁକି ହସିଲା । ‘‘ରମେଶବାବୁ, ଆପଣ କିଛି ମାନସିକ କରନ୍ତୁ’’ । ରୀନା କଥାରେ ସେ ମୁଣ୍ଡ ନୁଆଁଇଲା । କିନ୍ତୁ ସେ କୌଣସି ମାନସିକ କରିବାକୁ ଯେପରି ନାରାଜ । କ’ଣ ଯେ ସେ ମାଗିବ ସେ ନିଜେ ଯେମିତି ଜାଣେନା ।

 

ପାହାଡ଼ ଚଢ଼ିବାର ପରିଶ୍ରମ ପରେ ରୀନା ଅନୁଭବ କରୁଥିଲା ପ୍ରବଳ ତୃଷା; କିନ୍ତୁ ଜଳ ନପାଇ ସେ ତଳକୁ ଫେରିଯିବା ପାଇଁ ରମେଶ ନିକଟରେ ପ୍ରକାଶ କଲା । ଅଦୂରରେ ଉହାଡ଼ରେ ଦେଖା ଯାଉଥିଲା ଝରଣା । ଦୂରକୁ ଅଙ୍ଗୁଳି ନିର୍ଦ୍ଦେଶ କରି ରମେଶ ଦେଖାଇ ଦେଲା ଝରଣା । କ୍ରମେ ଦୁହେଁ ଯାଇ ଝରଣା ନିକଟରେ ପହଞ୍ଚିଲେ । ତଳକୁ ନଇଁପଡ଼ି ରୀନା ଆଞ୍ଜୁଳା ଆଞ୍ଜୁଳା କରି ପାଣି ପିଇବାକୁ ଲାଗିଲା । ହଠାତ୍‌ ତା’ ଗୋଡ଼ତଳ ପଥରଟା ଗଡ଼ି ପଡ଼ିଲା । ପଡ଼ିଯାଉଥିବା ରୀନାକୁ ନିଜର ବଳିଷ୍ଠ ବାହୁ ଦ୍ୱୟରେ ଅଟକାଇ ନେଲା ରମେଶ ।

 

ରମେଶ ବାବୁ ପଦାକୁ ଉଠାଇ ଆଣିଲା । କହିଲା, ‘‘ଆଉ ଟିକିଏ ତଳକୁ ଖସି ଥିଲେ ଆଜି କ’ଣ ହୋଇଥାନ୍ତା କହିଲ ।’’ ତଳକୁ ଥିଲା ଦୁଇ ତିନି ପୁରୁଷର ଗଭୀର ଗର୍ତ୍ତ । ସେଇଠୁ ଝରଣାଟା ଘୋର ଘରଘର ଶବ୍ଦ କରି ତଳକୁ ପଡୁଛି । ରୀନା କହିଲା, ‘‘ଆପଣ ଥାଉଁ ଥାଉଁ ମୁଁ କେବେ ପଡ଼ିଯିବିନି ରମେଶ ବାବୁ । ଆପଣଙ୍କର ଆଶ୍ରୟ ପାଇଲେ ଜୀବନ ପଥ ଯେତେ ପିଚ୍ଛିଳ ହେଲେ ବି ମୋ’ ପାଦ କେବେ ଖସିଯିବ ନାହିଁ ।’’ ଭାବାବେଶରେ କହିଯାଉଛି ରୀନା । ରମେଶ ସ୍ତବ୍‌ଧ, ଚକିତ ନୟନରେ ଚାହିଁ ରହିଛି ତା’ ମୁହଁକୁ । ରୀନାର ହାତମୁଠା ତା’ ହାତକୁ ଜୋରରେ ଚାପ ଦେଇଛି । ତା ଦେହରେ ଜାଗିଛି କମ୍ପନ । ପାଟି ତା’ର ଖନ ଖନ ହୋଇ ଯାଉଛି । ଦେହଟା କେମିତି ଶିହରି ଉଠିଛି । କମ୍ପିତ ସ୍ୱରରେ ସେ ଡାକିଛି ‘ରୀନା’ । ରୀନା ତା’ର ଆହୁରି ପାଖକୁ ଲାଗିଆସିଛି । କିଛି କହିବାକୁ ଇଛା କରୁଥିଲେ ମଧ୍ୟ ତା ପାଟି ଖୋଲୁ ନାହିଁ । ଏତିକିବେଳେ ଗୋଟାଏ କେନ୍ଦୁଆ ଚରୁଥିବା ଛେଳିଟାକୁ ଧରି ଖପଉଁକିନା ଝରଣାଟାକୁ ଡେଇଁଗଲା । ମାଙ୍କଡ଼ଗୁଡ଼ାକ ଖପଖାପ୍‌ ହେଇ ଡେଇଁ ପଡ଼ିଲେ ଏ ଗଛରୁ ସେ ଗଛକୁ । ଚଢ଼େଇ ଗୁଡ଼ାକ ଜୋରରେ ଶବ୍ଦ କରି ଏକାବେଳକେ ଉଡ଼ିଗଲେ । ଆଉ ଗୋଟାଏ ଗଛକୁ । ରୀନା ‘‘ରମେଶ ବାବୁ’’ ବୋଲି ଚିତ୍କାର କରି ତାକୁ କୁଣ୍ଢେଇ ପକେଇଲା । ଠିକ୍‌ ଏଇ ସମୟକୁ ଅପେକ୍ଷା କରି ରହିଥିଲା ବିଷ୍ଣୁ-। ସାଙ୍ଗେ ସାଙ୍ଗେ ତା’ କ୍ୟାମେରାରେ ସେ କ୍ଳିକ୍‌ କରିଦେଲା । ଦୂରରେ ରହି ସେ ଯେମିତି ଲୁଚି ଲୁଚି ଦେଖୁଥିଲା, କ୍ଳିକ୍‌, କରିସାରି ସେମିତି ରୁଚି ଲୁଚି ଫେରିଗଲା । ରୀନା ବା ରମେଶ କେହି ତା’ର ଉପସ୍ଥିତି ଜାଣି ପାରିଲେ ନାହିଁ । କିଛି ସମୟ ପରେ ସେମାନେ ହୋସ୍‌କୁ ଫେରି ଆସିଲେ । କ୍ରମେ ଅନ୍ୟ ପିଲାମାନେ ବୁଲି ବୁଲି ପହଞ୍ଚିଲେ ଝରଣା ପାଖରେ । ସ୍ଥାନୀୟ କ୍ଷୁଦ୍ର ମଣ୍ଡପ ଉପରେ ସମସ୍ତେ ବସି ଅବସାଦ ମେଣ୍ଟାଇଲେ । ପୂଜକ ଆସି ବାଣ୍ଟିଲେ ପାଦୁକ । ସମସ୍ତେ ପାଦୁକ ଖାଇ ହାତକୁ ମୁଣ୍ଡରେ ପୋଛିଲେ । ତା ପରେ ସେ କହି ଚାଲିଲେ ସେ ସ୍ଥାନର ନାମକରଣର ଇତିକଥା ଓ ତତ୍‌ସଂପର୍କୀୟ କେତେକ କିମ୍ୱଦନ୍ତୀ ।

 

ସନ୍ଧ୍ୟା ହେଇ ଆସିଥିଲା । ପାହାଡ଼ ପାଦ ଦେଶକୁ ସମସ୍ତେ ଓହ୍ଲାଇ ଆସିଲେ । ରନ୍ଧାବଢ଼ା କାମ ଶେଷ ହୋଇ ଆସିଥିଲା । ପିଲାମାନେ ଖାଇପିଇ ସାରି ଗାଡ଼ିରେ ବସିଲେ । ରାତି ବାରଟା ବେଳକୁ ସେମାନେ ଆସି ପହଞ୍ଚିଲେ ପୁରୀରେ । କଲେଜ ପାଖରୁ ଗୋଟାଏ ରିକ୍‌ସାରେ ଆସିଲା ରୀନା । ଘରେ ପହଞ୍ଚି ଅବଶ ଶରୀରଟାକୁ ଲମ୍ୱାଇ ଦେଲା ତା’ ସୋଫା ଉପରେ । ଅଳ୍ପ ସମୟ ପରେ ନିଦ୍ରା ଦେବୀଙ୍କ କ୍ରୋଡ଼ରେ ଥାଇ ସେ ଦେଖିଲା ସ୍ୱପ୍ନ । ସପ୍ତଶଯ୍ୟାର ପାହାଡ଼ ଉପରେ ସେ ସାଜିଛି ସୀତା । ରମେଶ ରାମଚନ୍ଦ୍ର ହେଇ ତାକୁ ଅପେକ୍ଷା କରିଛି । କେତେ ମିଠା ମିଠା କୋଳି ତୋଳି ସେ ବଢ଼େଇ ଦଉଛି ତା’ ହାତକୁ । ଝରଣା ଜଳରେ ଗାଧୋଇ ସାରି ସେ ରମେଶର ପାଦ ସେବା କରୁଛି । ଉଭୟେ ଘୂରି ସାତଟିକଯାକ ପାହାଡ଼ରେ । ପ୍ରତି ପାହାଡ଼ର ଅଗ୍ରଭାଗରେ ପଥରର ଶେଜ । ତା’ ଉପରେ କୋମଳ ପତ୍ରର ବିଛଣା । ସପ୍ତଶଯ୍ୟା ମଧ୍ୟରୁ ଗୋଟିଏ ଶଯ୍ୟା ସୁସଜ୍ଜିତ । ସେମାନେ ଆଜି ରାତ୍ରିଯାପନ ପାଇଁ ସେଇ ଶଯ୍ୟା ଆଡ଼େ ଆଗେଇ ଯାଉଛନ୍ତି । କିଛିବାଟ ଯାଇ ଶଯ୍ୟା ନିକଟରେ ପହଞ୍ଚିଲେ । ତା ପରେ ନିଦ୍ରାଯିବାର ଉପକ୍ରମ । ହୀରାଦେବୀ ଏଥର କବାଟ ବାଡ଼େଇଲେ । ରୀନା, ରୀନା ଡାକରେ ତା’ ନିଦ ଭାଙ୍ଗିଗଲା । ଝରଣା ଆଡ଼େ ଦେଖିଲା, ସୂର୍ଯ୍ୟ କେତେ ଉପରକୁ ଉଠି ଗଲେଣି । ଘଣ୍ଟାକୁ ଚାହିଁ ଦେଖିଲା, ଆଠଟା ବାଜିବାକୁ ଦି’ ମିନିଟା ବାକି । କବାଟ ଖୋଲି ଏଥର ସେ ବାଥରୁମ୍‌ ଆଡ଼େ ଆଗେଇଲା ।

 

ସବୁବର୍ଷ ପରି ଏ ବର୍ଷ ମଧ୍ୟ କଲେଜରେ ଡ୍ରାମା ହେଲା । ବିଷ୍ଣୁ ଅନେକ ଚେଷ୍ଟା କରି ବି ନାୟକ ଭୂମିକାରେ ଓହ୍ଳେଇ ପାରିଲାନି । ସଂପୃକ୍ତ ଅଧ୍ୟାପକ ନାୟକ ପାଇଁ ତା’ ଚେହେରାକୁ ନାପସନ୍ଦ କଲେ । ଅବଶ୍ୟ ଆଉ ଗୋଟିଏ ଛୋଟ ଭୂମିକା ତାକୁ ଯଚା ଯାଇଥିଲା; କିନ୍ତୁ ନାୟକ ବ୍ୟତୀତ ଅନ୍ୟ କୌଣସି ପାର୍ଟ କରିବ ନାହିଁ ବୋଳି ସେ ଜଣାଇ ଦେଇଥିଲା । ନାୟିକା ପାଇଁ ରୀନା ବଛା ହେବା ପରେ ରମେଶ ରୋଲ୍‍ କରିବାକୁ ମନା କରୁଥିଲା । ହେଲେ ଅଧ୍ୟାପକ କହିଲେ, ‘‘ଦେଖ ରମେଶ, କଳାକାର କଳା ଫୁଟେଇବା ପାଇଁ ମାନ ଅପମାନକୁ ଖାତିରି କରିବା ଅନୁଚିତ । ତମକୁ କିଏ କ’ଣ କହିବ ବୋଲି ତମେ ଡ୍ରାମାରୁ ଓହରିଯାଇ କାପୁରୁଷର ପରିଚୟ ଦବନି କି ? ଚୋରକୁ ମାନକରି କ’ଣ ଖପରାରେ ଖାଇବା ଉଚିତ ?’’ ରମେଶ ଆଉ ପ୍ରତିବାଦ କରି ନପାରି ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା ।

 

ନିର୍ଦ୍ଦିଷ୍ଟ ଦିବସରେ କଲେଜରେ ଡ୍ରାମା ହେଲା । ନିର୍ଦ୍ଧାରିତ ସମୟ ସନ୍ଧ୍ୟା ସାତଟା ବେଳେ ଆରମ୍ଭ ହେଲା ଅଭିନୟ । ପ୍ରେକ୍ଷାଳୟ ଲୋକାରଣ୍ୟ । ଛାତ୍ର ଛାତ୍ରୀ ଓ ଭଦ୍ରବ୍ୟକ୍ତିମାନେ ମନଯୋଗ ସହ ଦେଖି ଚାଲିଲେ ଦୃଶ୍ୟ ପରେ ଦୃଶ୍ୟ । ଗୋଟିଏ ଦୃଶ୍ୟର ନାୟକ ଆସି ଠିଆ ହୋଇଛି ପାହାଡ଼ ପାଦ ଦେଶର ଏକ ଝରଣା କୂଳରେ । ନାୟିକା ଫୁଲହାରଧରି ଆଗେଇ ଆସିଛି ନାୟକର ନିକଟବର୍ତ୍ତୀ ହୋଇ ତା’ ଗଳାରେ ଫୁଲମାଳଟାକୁ ଲମ୍ୱାଇ ଦେଇଛି ଓ ପରକ୍ଷଣରେ ତା’ ଛାତି ଉପରେ ନଇଁ ଯାଇଛି । ଠିକ୍‌ ଏତିକିବେଳେ ଗୋଟାଏ ପଚା ଅଣ୍ଡା ଆସି ନାୟକ ମୁହଁରେ ବାଜି ଫାଟି ଯାଇଛି ଓ ଅଣ୍ଡାର ପକ୍ୱ କେଶର ତା ମୁହଁରେ ଲେପି ହେଇଯାଇଛି । ପ୍ରେକ୍ଷାଳୟର ପୃଷ୍ଠଭାଗରୁ ଅଣ୍ଡାଟା ଫିଙ୍ଗା ହୋଇ ରମେଶ ମୁହଁରେ ବାଜି ଫୁଟି ଯାଇଛି । ତତ୍‌କ୍ଷଣାତ୍‌ ରୁମାଲ ବାହାରକରି ସେ ପୋଛି ଲାଗିଛି ତା’ ମୁହଁ ଓ ପରେ ପରେ ହୁଇସିଲ ବାଜି ସିନ୍‌ ପଡ଼ିଛି-। ମର୍ଡର ମର୍ଡର ବୋଲି ଚାରିଆଡ଼େ ହଲ୍ଲା ହେଇଛି ଓ ସେଦିନ ସେତିକିରେ ନାଟକଟିକୁ ସ୍ଥଗିତ ରଖାଯାଇଛି-

 

ରୀନା ଆଜି ଶୋଇ ଶୋଇ ଭାବୁଥିଲା କାଲିର ଡ୍ରାମା କଥା । କିଏ ପଚା ଅଣ୍ଡା ମାଡ଼ କରିଛି ସେକଥା ସେ ଠିକ୍‌ ଜାଣେ । ରମେଶକୁ ସେ ଅପେକ୍ଷା କରିଛି । ଆଜି ସନ୍ଧ୍ୟା ପୂର୍ବରୁ ଆସିବାକୁ ସେ ତାକୁ ଖୁବ୍‌ ଅନୁରୋଧ କରିଛି । ଅପରାହ୍ନଟା ଶୋଇ ଶୋଇ ବିତେଇ ଦବାକୁ ତାକୁ ଯମା ଭଲ ଲାଗୁନି । ହୀରାଦେବୀ ଏଇ ଟିକକ ପୂର୍ବରୁ ଗାଁକୁ ବାହାରିଗଲେ । ଧାନକଟା ସରିଛି । ଗାଁ ରେ କିଛିଦିନ ରହି ସେ ଫସଲ ଅମଳ ତଦାରଖ କରିବେ ।

 

ପାଞ୍ଚଟା ବେଳକୁ ଆସିଲା ରମେଶ । ରୀନା ଆଣି ତା’ ସାମ୍ନାରେ ରଖିଲା କପେ ଚା’ । ଚା’ ପର୍ବ ପରେ ଦୁହିଙ୍କ ମଧ୍ୟରେ ଅନେକ କଥାବାର୍ତ୍ତା ହେଲା । ଗତରାତ୍ରିର ଡ୍ରାମା ସମ୍ୱନ୍ଧରେ କହିବାକୁ ଯାଇ ରୀନା କହିଲା, ଏ ସବୁ ବିଷ୍ଣୁ ବାବୁଙ୍କ କାମ । ଆପଣ ଆଉ ଯାହା କହନ୍ତୁ ନା, ମୁଁ କେବେ ବିଶ୍ୱାସ କରିବି ନାହିଁ । ରମେଶ ସବୁ ଶୁଣି ନୀରବ ରହିଲା । କିଛି ସମୟ ପରେ ସେ ଯିବାକୁ ଉଠିବାରୁ ରୀନା ତାକୁ ଜୋରକରି ବସାଇଦେଲା । ‘‘ଆରେ, ଆପଣ ଯିବାକୁ ବାହାରିଲେ ? ମୁଁ ପରା ଆଡ଼ଭାନସ୍‌ ବୁକିଂ କରିଦେଇଛି । ଭଲ ପିକ୍‌ଚରଟାଏ । ପ୍ଳିଜ୍‌, ଆପଣ ଆଜି ନିଶ୍ଚୟ ଯିବେ-। ରମେଶ ରୀନା କଥାଶୁଣି ଆଶ୍ଚର୍ଯ୍ୟ ହେଲା । ସେ ପଚାରିଲା, ‘‘ମୁଁ ଯିବି ? ନା...ନା...ରୀନା-। ମତେ କ୍ଷମା କରିବ । ମୋ’ର ବହୁତ କାମ ଅଛି ।’’ ରୀନା ମିନତି ଭରା କଣ୍ଠରେ କହିଲା, ‘‘ପ୍ଳିଜ୍‌ ରମେଶ ବାବୁ, ମୋର ଏଇ ମାତ୍ର ଗୋଟିଏ ଅନୁରୋଧ ରଖିବେନି ?’’ ରମେଶ ଭକୁଆଙ୍କ ପରି ଠିଆ ହୋଇଗଲା । କ’ଣ କରିବ ତାକୁ ବୁଦ୍ଧି ଦେଖା ଯାଉ ନଥିଲା । ରୀନା ଏଥର ତାକୁ ଏକ ପ୍ରକାର ଟାଣି ନେଇଗଲା । ଦୁହେଁ ଯାଇ ସିନେମା ହଲ୍‌ରେ ପହଞ୍ଚିଲେ । ସୋଫା ଉପରେ ଲଗାଲଗି ହୋଇ ବସିଲେ ଦୁହେଁଯାକ ।

 

ସିନେମା ହଲ୍‌ର ଲାଇଟ ଗୁଡ଼ାକ ହଲ୍‌ଟାରେ ଆଲୋକ ଛିଞ୍ଚାଡ଼ି ପକାଇଥିଲେ । ଉପରେ ବୁଲୁଥିଲା ପଙ୍ଖା । କ୍ଷୀଣ ପବନରେ ରୀନାର କେତେଟା କୁନ୍ତଳ ଉଡ଼ିଆସି ରମେଶ ମୁହଁରେ ଛନ୍ଦି ହୋଇ ଯାଉଥିଲା । ତା’ ଶାଢ଼ୀରୁ ଭାସି ଆସୁଥିଲା କାନ୍ତା ସେଣ୍ଟ୍‌ର ମହକ । ଝିଲିମିଲି ଶାଢ଼ୀଟା ବିଜୁଳି ଆଲୁଅରେ ଆହୁରି ଝକମକ କରି ଉଠୁଥିଲା । କୁନ୍ଦୁରି ଚିରା ଆଖିରେ ସେ ଅନେଇ ଥିଲା ରମେଶ ମୁହଁକୁ । ରମେଶ ସେ ଆଖିରେ ଯେମିତି ଅନେକ କିଛି ଦେଖି ପାରୁଥିଲା । ରୀନାର ଉପସ୍ଥିତି ତା’ ପାଖରେ ଗୋଟାଏ ବେତାଳିଆ, ବେଖାପିଆ ପରିବେଶ ସୃଷ୍ଟି କରୁଛି । ଗୋଟାକ ପରେ ଗୋଟାଏ-କ୍ରିଂ କ୍ରିଂ ହୋଇ ତିନିଟା ବେଲ୍‌ ବାଜିଲା । ପ୍ରେକ୍ଷାଳୟର ସବୁ ଲାଇଟ୍‌ ଲିଭି ହଲ୍‌ଟା ପକେଇଲା । ଇଣ୍ଡିଆନ୍‌ ନିଉଜ୍‌ ରିଭିଉ । ଏହାପରେ ଫିଲ୍ମ ଆରମ୍ଭ ହେବ । ଏଇ ଶ୍ୱେତ ବର୍ଣ୍ଣର ପରଦାଟା ଉପରେ କେତେ ମଣିଷ ଆସି ନାଚିବେ, ଗାଇବେ । କେତେ ହସିବେ ତ କେତେ କାନ୍ଦିବେ ।

 

ନ’ଟା ବେଳକୁ କ୍ରିଂ କ୍ରିଂ ହେଇ ପୁଣି ବେଲ୍‌, ବାଜିଉଠିଛି । ସିନେମା ହଲ୍‌ରୁ ବାହାରି ଦୁହେଁ ଗୋଟାଏ ରିକ୍‌ସାରେ ବସି ଆଗେଇଛନ୍ତି ହେରାଗୌରୀ ସାହୀଆଡ଼େ । ସେଦିନ ବି ସିନେମା ଦେଖି ଫେରୁଥିଲେ ବିଷ୍ଣୁ, ଅନନ୍ତ ଆଉ ବିନୋଦ ବିଷ୍ଣୁ ଦେଖିଲା ରିକ୍‌ସାରେ ରୀନା ସାଥିରେ ବସିଛି ରମେଶ । ନିଠେଇ କରି ଅନେଇଲା, ତା’ଆଖିରେ ସେ ଠିକ୍‌ ଦେଖି ପାରୁଛି ସେ ଦୁହେଁ ରମେଶ ଓ ରୀନା । ଦେହକୁ ଦେହ ଲଗାଇ ବସିଛନ୍ତି ଗୋଟାଏ ରିକ୍‌ସାରେ । ଈର୍ଷାରେ ତା’ଦେହ ଜଳି ଯିବାକୁ ଲାଗିଲା । ପଛରୁ ଡାକିଲା, ‘‘ଆରେ ରମେଶ ବାବୁ ଯେ..........ଶୁଣନ୍ତୁ ଶୁଣନ୍ତୁ । ଡାକ ଉପରେ ଡାକ ପକାଉଛି, ରମେଶ ବାଧ୍ୟହୋଇ ରିକ୍‌ସା ଅଟକେଇଲା । ରିକ୍‌ସାବାଲା ରାସ୍ତାକଡ଼ର ଗୋଟାଏ ଇଲେକଟ୍ରିକ୍‌ ଖୁଣ୍ଟି ପାଖରେ ବ୍ରେକ୍‌ ମାରିଲା । ରୀନା ବାହୁ ଉପରେ ରମେଶର ବାହୁ । ତା ଅଂଚଳରେ କିଛି ଅଂଶ ରମେଶ କାନ୍ଧରେ ଲାଖି ଯାଇଛି । କନ୍ଧକୁ କାନ୍ଧ ଜଡ଼େଇ ବସିଛନ୍ତି ସେମାନେ । ବିଷ୍ଣୁ ଆଉ ଚାହିଁ ପାରିଲାନି । ତା’ ଦେହରେ ନିଆଁ ଚରିଗଲା । ସେ ତ ବେଶ୍‌ ଖେଳୁଆର୍ଡ । ହେଲେ ତାକୁ ପଛରେ ପକେଇ ରମେଶ ଏକା ଷ୍ଟ୍ରାଇକ୍‌ରେ କୁଇନ୍‌କୁ ହସ୍ତଗତ କରିଛି–ଏକଥା ଭାବିଲା ବେଳକୁ ତା’ଦେହ ଭିତରେ ରକ୍ତ ଗୁଡ଼ାକ ଯେମିତି ଟକମକ ହେଇ ଫୁଟି ଉଠୁଥିଲା ।

 

ତତ୍‌କ୍ଷଣାତ୍‌ ତିନି ବନ୍ଧୁ ଯାକ ଆସି ରିକ୍‌ସା ପାଖଣେ ପହଞ୍ଚି ଗଲେ । କଳରଟାକୁ ଟେକିଦେଇ ବିଷ୍ଣୁ କହିଲା, ‘‘କ’ଣ ରୀନାଦେବୀ, ପିକ୍‌ଚରଟା କେମିତି ଲାଗିଲା ?’’ ତା’ ମୁହଁକୁ ତେରେଛି ଅନେଇ ନାଟକୀୟ ରୀତିରେ ମୁଣ୍ଡ ହଲାଉଥିଲା ସେ । ସେଇ ମୁହୂର୍ତ୍ତରେ ତା’ ଗାଲରେ ଥାପଡ଼ ଲଗେଇବାକୁ ତା’ର ଇଚ୍ଛା ହେଉଥିଲା । ତଥାପି ସୌଜନ୍ୟତା ରକ୍ଷା କରି ସେ କହିଲା, ‘‘ହଁ ଭଲ ଲାଗିଲା ।’’ ବିଷ୍ଣୁ ଏଥର ରମେଶକୁ କଣେଇ କଣେଇ ଚାହିଁ ମନ୍ତବ୍ୟ କଲା, ‘‘ହଁ ରମେଶବାବୁ ଯେତେବେଳେ ସାଙ୍ଗରେ ଥିଲେ, ପିକ୍‌ଚରଟା ଯେତେ ବାଜେ ହେଲେ ବି ନିଶ୍ଚୟ ଭଲ ଲାଗିଥିବ ।’’ ରମେଶ ଆଉ ସହି ପାରିଲାନି । ଝୁଙ୍କିପଡ଼ି ବିଷ୍ଣୁର କଲରଟାକ ଟାଣିଆଣି କହିଲା, ‘‘ବିଷ୍ଣୁବାବୁ, ଆପଣ ଆମକୁ କଣ ବୋଲି ଭାବିଛନ୍ତି ? କାହିଁକି ଆମ ଉପରେ ଆପଣଙ୍କର ଏତେ ଅହନ୍ତା ? ଜାଣନ୍ତି, ଇଆର ପରିଣାମ ଆପଣଙ୍କ ବିରୁଦ୍ଧରେ ଯିବ ।’’ ତାପରେ ସେ ତାକୁ ପଛକୁ ପେଲିଦେଲା-। ଇଲେକ୍‌ଟ୍ରିକ୍‌ ଖୁଣ୍ଟଟାରେ ବାଡ଼େଇ ହେଇ ତା’ଶାର୍ଟରେ କଳଙ୍କି ଦାଗ ଲାଗିଗଲା । ବିଷ୍ଣୁ ପରେ ମୁହୂର୍ତ୍ତରେ ରମେଶକୁ ରିକ୍‌ସା ଉପରୁ ଟାଣି ଆଣିବାକୁ ଯାଉଥିଲା । ଅନନ୍ତ ଓ ବିନୋଦ ଦୁହେଁ ତାକୁ ସେଥିରୁ ନିବୃତ କଲେ । ସେବି କ’ଣ ଭାବି ତୁନି ରହିଲା । ଅନନ୍ତ କହିଲା, ‘‘ବୁଝିଲୁ ବିଷ୍ଣୁ, ତୋ’ଶାର୍ଟରେ କିନ୍ତୁ କଳଙ୍କି ଲାଗିଗଲା ।’’ ବିନୋଦ କହିଲା, ‘‘ପ୍ରତି ବର୍ଷ ରଙ୍ଗ ଦିଆ ଯାଉଥିଲେ ବି ଏ ପୁରୀ ଜଳବାୟୁ ଲୁହାଖୁଣ୍ଟି ଗୁଡ଼ାକରେ ଅଳ୍ପ ସମୟ ମଧ୍ୟରେ କଳଙ୍କି ଲଗାଇ ଦେଉଛି ।’’

 

ବିଷ୍ଣୁ ଏଇ କଥାକୁ କେନ୍ଦ୍ରକରି ରମେଶକୁ ବିଦ୍ରୂପ କରିବାକୁ ସୁଯୋଗ ପାଇଲା । ଆଖିକୁ ଲାଲ ଲାଲ କରି ସେ କହିଲା, ‘‘ଆରେ ଏ ପୁରୀ ଜଳବାୟୁ ଖୋଦ ମଣିଷ ଦେହରେ କଳଙ୍କି ଲଗାଇ ଦେଉଛି । ଏ ଲୁହାଖୁଣ୍ଟି ତ ଛାର ।’’ ରୀନା ଚିହିଁଙ୍କି ଉଠି କହିଲା, ‘‘ବୁଝିଲେ ବିଷ୍ଣୁବାବୁ, ଆପଣମାନେ ଯଦି କଳଙ୍କିତ ହେଇ ଥାଆନ୍ତି, ତେବେ ସେଇଟା ଆପଣମାନଙ୍କର ହିଁ ଦୋଷ । ପୁରୀ ଜଳବାୟୁକୁ ଅଯଥା କାହିଁକି ଦୋଷୀ କରୁଛନ୍ତି ?’’ ତା’ ମୁହଁକୁ ବଲବଲ କରି ଚାହିଁ ବିଷ୍ଣୁ ମନ୍ତବ୍ୟ କାଟିଲା, ‘‘ହଁ ରୀନାଦେବୀ, ଆପଣ ଖୋଦ୍‌ ପୁରୀଲୋକ ନା । ପୁରୀ ଜଳବାୟୁକୁ ନିନ୍ଦାକଲେ ଆପଣଙ୍କୁ ନିଶ୍ଚୟ ବାଧିବ । ହେଲେ ରମେଶ ବାବୁଙ୍କ ପରି ଗ୍ରାମବାସୀଙ୍କ ସେକଥା କାହିଁକି ବାଧିବ-?’’ ରୀନା ଆଉ ସହି ପାରିଲାନି । କ୍ରୋଧ ଜର୍ଜରିତ କଣ୍ଠରେ ସେ କହିଲା, ‘‘ଇଡ଼ିୟଟ୍‌, ମନେ ରଖନ୍ତୁ; ଆପଣ ଏମିତି ଚିରଦିନ ଈର୍ଷାଗ୍ନିରେ ହିଁ ଜଳି ପୋଡ଼ି ମରିବେ ।’’ ତାପରେ ସେ ରିକ୍‌ସା ଚଳେଇବାକୁ ନିର୍ଦ୍ଦେଶ ଦେଲା । ପର ମୁହୂର୍ତ୍ତରେ ପିଚୁ ରାସ୍ତାଟା ଉପରେ ରିକ୍‌ସାଟା ଆଗକୁ ଗଡ଼ି ଚାଲିଲା ।

 

ରୀନାକୁ ହୀରାମହଲରେ ଛାଡ଼ିଦେଇ ରମେଶ ଚାଲିଲା ତା’ ବସାକୁ । ବିଷ୍ଣୁର ମନ୍ତବ୍ୟ ତା’ କାନରେ ଢାଇ ଢାଇ ହେଇ ବାଡ଼େଇ ହେଇ ଯାଉଥିଲା । ‘‘ପୁରୀ ଜଳବାୟୁ ଖୋଦ୍‌ ମଣିଷ ଦେହରେ ବି କଳଙ୍କି ଲଗାଇ ଦେଉଛି ।’’ ରୀନା କହୁଥିଲା, ‘‘ଆପଣମାନେ ଯଦି କଳଙ୍କିତ ହେଇଥାନ୍ତି, ତେବେ ସେଇଟା ଆପଣମାନଙ୍କର ହିଁ ଦୋଷ ।’’ ସେ ଭାବୁଥିଲା, ବିଷ୍ଣୁ ଠିକ୍‌ କହିଛି–ସେ କଳଙ୍କିତ । ରୀନା ବି ଠିକ୍‌ କହିଛି–ସେ ନିଜେ ନିଜେ କଳଙ୍କିତ ହୋଇଛି ।

 

ପରେ ପରେ ଦୃଷ୍ଟି ପଡ଼ିଲା ତା’ର ଟେବୁଲ ଉପରେ ଦେଖା ଯାଇଥିବା ଏକ ଚିଠି ଉପରେ । ସକାଳ ଡାକରେ ଆସିଥିଲା । ରତି ଲେଖିଛି, ‘‘ରମୁଭାଇ, ମନଦେଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେବ । ପରୀକ୍ଷାସାରି ଗାଁକୁ ଆସିବ । ଗାଁ ତମ ପାଇଁ ଅପେକ୍ଷା କରିଛି । ‘ଗାଁ’ ଯାଗାରେ ସେ ‘ମୁଁ’ ବୋଲି ଲେଖିଥିଲା । ପରେ ତାକୁ କାଟି ଗାଁ’ କରି ଦେଇଛି । ସେ ଠିକ୍‌ ଲେଖିଛି । ସେ ତାକୁ ଅନେକ ଦିନରୁ ଅପେକ୍ଷା କରି ବସିଛି । ହେଲେ ପୂଜା ଛୁଟିଠାରୁ ଦୋଳ ପର୍ଯ୍ୟନ୍ତ କେତେ ଛୁଟି ତ ଗଲାଣି । ସେ କାହିଁକି ଏଠାରେ ଲାଖି ରହିଛି ? କିଏ ତାକୁ ଏଠାରେ ଅଟକାଇ ରଖିଛି ? ରତି ପାଇଁ କ’ଣ ତା’ର କିଛି କର୍ତ୍ତବ୍ୟ ନାହିଁ । ହୃଦୟ ଦେଇ ସେତାକୁ ଭଲ ପାଏ । ତା’ ଯିବା ବାଟକୁ ସେ ଚାତକ ପରି ଚାହିଁ ବସିଛି । ହେଲେ କି ପ୍ରତିଦାନ ସେ ତାକୁ ଦବାକୁ ଯାଉଛି ? ବିବେକ ତାକୁ ଯେମିତି ଚାବୁକ ପ୍ରହାର କରିବାକୁ ଲାଗିଲା । ଆଖିରୁ ଲୁହ ଗଡ଼ି ଚିଠିଟା ଭିଜି ଯିବାକୁ ବସିଲା । ଭାବିଲା ବିଷ୍ଣୁ ଆଜି ଠିକ୍‌ କହିଛି । ରୀନା ତା’ର କେହି ନୁହେଁ, ରତି ତା’ର ସବୁ କିଛି । ଦରକାର ହେଲେ ରୀନାକୁ ସେ ସଫା ସଫା ଏଇଆ ଶୁଣେଇ ଦେବ । ସେଇ ମୁହୂର୍ତ୍ତରେ ତା’ର ଗାଁକୁ ଯିବାକୁ ଇଚ୍ଛା ହେଉଥିଲା । କିନ୍ତୁ ପରୀକ୍ଷାଟା ମୁଣ୍ଡ ପୁଣେ । ଠିକ୍‌ ଅଛି । ଭାବିଲା ସେ ପରୀକ୍ଷା ଦେଇସାରି ଏକାତାନେ ଗାଁକୁ ଚାଲିଯିବ । ରତିକୁ ଗ୍ରହଣ କରିବା ପୂର୍ବରୁ ଆଉ ଏ ସହର ମାଡ଼ିବନି । ମନେ ମନେ ଠିକ୍‌ କରିନେଲା, ରୀନା ସହିତ ଆଜିଠାରୁ ତା’ର କୌଣସି ସମ୍ପର୍କ ନାହିଁ । ହୀରାମହଲକ ଆଜିଠାରୁ ତା’ର ଯିବା ବନ୍ଦ । ହୀରାମହଲ ସହ ଆଜିଠାରୁ ତା’ର ସମସ୍ତ ସମ୍ପର୍କ ଛିନ୍ନ ।

 

ଏଣେ ରୀନା ଆସି ଭାବୁଛି ବିଷ୍ଣୁକଥା । ତା’ ଉପରେ ସେ ନିଶ୍ଚୟ ପ୍ରତିଶୋଧ ନେବ । ରମେଶକୁ ସେ ମନେ ମନେ ପ୍ରଶଂସା କରିଛି । ବିଷ୍ଣୁକୁ ଆଜି ସେ ଠିକ୍‌ ଜବାବ ଦେଇଛନ୍ତି ।

 

ରତିର ବାହାଘର ଏହା ଭିତରେ ଠିକ୍‌ ହେଇ ସାରିଛି । ଏଇ ସାତଦିନ ତଳେ ଆସିଥିଲେ ଦାମ ଅବଧାନେ । ପାଞ୍ଜିଦେଖି ତିଥି ଠିକ୍‌ କରି ଦେଇ ଯାଇଛନ୍ତି । ଜାତକ ଠିକ୍‌ ଶୁଝିଛି, ରାଜ ଯୋଟକ ନ ହେଲେ ବି ନାଗନାଡ଼ି ନୁହେଁ । ଆସନ୍ତା ବୈଶାଖ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା ଦିନ ବାହାଘର ହବ । ରମେଶର ବିଛାରାଶି ଓ ରତି ମିନରାଶି ସେଇଦିନ ଏକ ହେଇଯିବେ । ଦୁଃଖିଆଙ୍କର କଶ୍ୟପ ଗୋତ୍ରରୁ ବାହାରି ରତି ସେଇଦିନ ନୀଳେଇଙ୍କ ନାଗେଇଣ ଗୋତ୍ରରେ ପ୍ରବେଶ କରିବ । ରମେଶ ଆଉ ରତିର ଦୁଇଟା ମନ ସେଦିନ ଗୋଟାଏ ହୋଇଯିବ । ଅଗ୍ନି, ଚନ୍ଦ୍ର, ବରୁଣଙ୍କୁ ସାକ୍ଷିରଖି ରମେଶ ସେଦିନ ଗ୍ରହଣ କରିବ ରତିକୁ । ହାରାମଣୀ, ଦୁଃଖିଆ ଓ ସୁନାମଣୀଙ୍କ ଉପସ୍ଥିତିରେ ତିଥି ଠିକ୍‌ ହୋଇଛି, ଖୁବ୍‌ ବେଶୀରେ ଆଉ ମାସେ ପ୍ରାୟ ରହିଲା । ଦୁଇଟାଯାକ ପରିବାର ଖୁବ୍‌ ଜୋରସୋରରେ ବାହାଘର ଯୋଗାଡ଼ରେ ଲାଗି ଯାଇଛନ୍ତି ।

 

ଦୁଃଖିଆ ସବୁଦିନ ପରି ଏବେ ବି ଉଦାସୀନ ରହିଛନ୍ତି । ରତିର ବାହାଘର ପ୍ରସଙ୍ଗରେ ବି ତାଙ୍କର କିଛି ପରିବର୍ତ୍ତନ ହେଇନାହିଁ । ନିତିଦିନ ପରି ଗତକାଲି ମଧ୍ୟ ସେ ହଳ ଯୋଚି ଯାଇଥିଲେ ଘ’ଖାଲି ଗହୀରକୁ । ଝାଇଁ ଖରାରେ ମୁଣ୍ଡ ଫାଟି ଯାଉଥିଲା । ମୁଣ୍ଡରେ ଠେକାବାନ୍ଧି, ଟାକେରା ଫୁଟେଇ ସେ ବଳଦ ଆଡ଼େଇ ଚାଲିଥିଲେ । ସେଦିନ ପରି କାଲି ବି ତାଙ୍କ ବିଲ ସେପଟେ ଭୂଇଁ ଚିରୁଥିଲେ ହରେକୃଷ୍ଣ । ଟାଇଁ ଟାଇଁଆ ଗାଧୁଆବେଳେ ସୁନାମଣୀ ଆଣିଥିଲେ ଭାତ । ପଛରେ ଆସି ପହଞ୍ଚିଲା ହରେକୃଷ୍ଣଙ୍କ ବଡ଼ ଝିଅ ସୁବାସୀ । ଶାଶୁଘରୁ ବାପଘରକୁ ସେ ଯେତିକି ଦିନ ଆସେ, ବାପାଙ୍କର ଯଥୋଚିତ ସେବା କରିବାରେ ହେଳା କରେ ନାହିଁ । ହରେକୃଷ୍ଣ ଓ ଦୁଃଖିଆ ଭାତ ଖାଇସାରି ଗୋରୁ ମୋହିଁଥିଲେ । ଭୋଜନ ପରେ ସୁବାସୀ ଓ ସୁନାମଣୀ କଂସା ବାସନ ଧରି ବାହୁଡ଼ି ଯାଇଥିଲେ ନିଜ ନିଜର ଘରକୁ । ହରେକୃଷ୍ଣ ଠେକା ମୁଣ୍ଡତଳେ ରଖି ଗଡ଼ି ପଡ଼ିଥିଲେ ଚତରା ବରଗଛ ମୂଳେ । ତାଙ୍କ କଡ଼ରେ ପଡ଼ିଗଲେ ଦୁଃଖିଆ । ମୁଣ୍ଡ ଉପରେ ସୂର୍ଯ୍ୟଦେବତା ଗହଳ ପତ୍ର ଫାଙ୍କରେ ତପ୍ତ କିରଣକୁ ତାଙ୍କ ଛାତି ଉପରେ ପକାଉଥିଲେ । ହରେକୃଷ୍ଣ ତାଙ୍କ ମୁହଁ ଆଡ଼କୁ କଡ଼ ଲେଉଟାଇଲେ । ଦୁଃଖିଆଙ୍କ ମୁଣ୍ଡ ଭିତରେ ଯେମିତି ଗୋଟାଏ ଲହରି ଖେଳିଗଲା, ମୁଣ୍ଡଟା ତାଙ୍କର ଝାଇଁ ଝାଇଁ ହୋଇଗଲା । ମସ୍ତିସ୍କରେ ପରସ୍ତ ପରସ୍ତ ହେଇ ରଖା ଯାଇଥିବା ସ୍ତର ଗୁଡ଼ାକ ଯେମିତି ଓଳଟି ପଡ଼ିଲା । ସେ ଗୋଟାଏ ଆଶ୍ୱସ୍ତି ଅନୁଭବ କରିବାକୁ ଲାଗିଲେ । ହରେକୃଷ୍ଣ ଭାବିଲେ ପ୍ରଚଣ୍ଡ ଗ୍ରୀଷ୍ମରେ ତାଙ୍କ ମୁଣ୍ଡ ହୁଏତ ଝାଇଁ ଝାଇଁ ହେଇ ଯାଉଛି । ପାଣି ପିଆଇବା ଉଦ୍ଦେଶ୍ୟରେ ସେ ଲୋଟାଟା ବଢ଼େଇ ଦେଇ କିହଲେ ‘‘ନିଅ ସମୁଦି, କିଛି ପାଣି ପିଇଦିଅ ।’’

 

‘‘ସମୁଦି’’–ଏଇ ଡାକରେ ଦୁଃଖିଆ ଚମକି ପଡ଼ିଲେ । ପରମୁହୂର୍ତ୍ତରେ ତାଙ୍କ ମସ୍ତିସ୍କର ସ୍ନାୟୁ ଗୁଡ଼ାକ ଯେମିତି ଖୋଲି ଖୋଲି ଗଲା । ମୁଣ୍ଡଟା ତାଙ୍କୁ ବଡ଼ ହାଲୁକା ବୋଧ ହେଲା, ତାଙ୍କ ପାଟିରୁ ବି ଅହେତୁକ ଭାବରେ ବାହାରି ଗଲା ‘‘ସମୁଦି’’ । ତାପରେ ସେ ହରେକୃଷ୍ଣଙ୍କୁ କୁଣ୍ଢାଇ ପକାଇଲେ । ମୋତେ କ୍ଷମାକର ସମୁଦି, ମୁଁ ଆଜିଯାଏ ତୁମକୁ ଚିହ୍ନିପାରି ନଥିଲି । ତମେ ମୋ’ର ସେଦିନର ସେଇ ସମୁଦି ।’’ ହରେକୃଷ୍ଣକୁ କୁଣ୍ଢେଇ ଧରି କହି ଚାଲିଥିଲେ ଦୁଃଖିଆ । ହରେକୃଷ୍ଣ ଦେଖିଲେ ଦୁଃଖିଆ ତାଙ୍କୁ ଏତେ ଦିନକେ ଚିହ୍ନି ପାରିଛନ୍ତି । ତାଙ୍କ ହୃଦୟରେ ଯେମିତି ପଦ୍ମ ଫୁଟିଉଠୁଥିଲା । ଆନନ୍ଦ ମୁଖର ହେଇ ସେ ଦୁଃଖିଆକୁ ଆଉଥରେ ‘‘ସମୁଦି’’ ବୋଲି କହି ଆଲିଙ୍ଗନ କରିଥିଲେ ।

 

‘‘ମୁଁ ଆଜିଯାଏ ତମକୁ ଅପେକ୍ଷା କରିଛି ସମୁଦି । ଏବେ ବି ମୋ’ ଗଉକୁ ମୁଁ ବାହା ଦେଇ ନାହିଁ ।’’ ହରେକୃଷ୍ଣଙ୍କ କଥାରେ ଦୁଃଖିଆ ସ୍ୱର ମିଳେଇ କହିଲେ, ‘‘ଆଉ ଚିନ୍ତା ନାହିଁ ସମୁଦି । ଏଥର ଆମେ ପୁଣି ଦି’ ସମୁଦି ହେଇ ପାରିବା’’ ତାପରେ ହଳଯୋଚି ସେ ଘରକୁ ବାହୁଡ଼ିଲେ ।

 

X X X X

 

ଆଜିକୁ ଠିକ୍‌ ବାରବର୍ଷ ତଳର କଥା । ସେଦିନ ବି ଆଜି ପରି ଖୁବ୍‌ ଟାଇଁ ଟାଇଁଆ ଖରା ମାରୁଥିଲା । ଦୁଃଖିଆ ଆସି ଏଇଠି ହଳ କରୁଥାଆନ୍ତି । ପ୍ରକାଣ୍ଡ କାୟ ଗହୀର ଏଇ ଘି’ ଖାଲି । ଶହଶହ ଏକର ଜମି କାହିଁ କେତେ ଦୂରକୁ ଲମ୍ୱି ଯାଇଛି । ମଝିରେ ମଝିରେ ଗୋଟାଏ ଗୋଟାଏ ଚତରା ବରଗଛ, ଚାଷୀଭାଇ ହଳ କରି କରି ହାଲିଆ ହୋଇଗଲେ ଏଇ ଚତରା ବରଗଛ ମୂଳେ ବସି ଥକା ମେଣ୍ଟାଏ । ବଳଦମାନେ ଗଛ ଛାଇରେ ଠିଆ ହୋଇ ବିଶ୍ରାମ ନିଅନ୍ତି । ଘି’ ଖାଲି ଗହୀରକୁ ଲାଗି ମାଛୁଆ ଗହୀର । ତା’ ପଛକୁ ସୁନାଚାନ୍ଦି, ପାରାଢିପ, ଜାଆଁଳ ମୁହଁ, ଦଣ୍ଡିକିରା, ବେଲଗଛିଆ, ମାଳିଗୁଆଁ, ଷୋଳିମାଣ ଖୋରଡ଼ ପ୍ରଭୃତି ଗହୀର ଲାଗି ରହିଛି । ତୁଳସୀପୁର, ଠାକୁରପଦା, ନୂଆ ଗାଁ, ତମାଳ, କୁସୁପଦା, ନାଜିପୁର, ଗଡ଼ ପ୍ରସାଦ, ଶାସନ ଗାଁ, ଖଣିପଦା, ଭଇଞ୍ଚି ଗୋରଡ଼ି ପ୍ରଭୃତି ଆଖପାଖର ଅନେକ ଗାଁର ଲୋକମାନେ ଏଇ ଜମି ଉପରେ ନିର୍ଭର କରନ୍ତି । ମାଟି ନୁହେଁ ତ, ଏଇ ଗହୀର ଗୁଡ଼ାକ ସୁନାମୁଣ୍ଡା ପରି । ସେତେବେଳକୁ ଏ ଗହୀରକୁ କେନାଲ ଆସି ନଥାଏ । ତଥାପି ଉତ୍ପାଦନର ମାତ୍ରା କିଛି କମ ନଥିଲା ।

 

ସେଦିନ ସକାଳୁ ଆସି ଦୁଃଖିଆ ବିଲରେ ହଳ ପକେଇ ଥିଲେ । ଚାରି ଅଚା ବିଲ ଧରି ସାରିବା ପରେ ଦେହରୁ ଗମଗମ ଝାଳ ବୋହିବାକୁ ଲାଗିଲା । ସୂର୍ଯ୍ୟଦେବତାଙ୍କର କିରଣ କ୍ରମେ ଖରତର ହେବାକୁ ଲାଗିଲା, ତଥାପି ପାଞ୍ଚଣ ଉଠାଇ, ଟାକେରା ଫୁଟେଇ ସେ ବଳଦ ଅଡ଼େଇ ଚାଲିଲେ । ଚଷାପୁଅ ସେ, ପିଲାଟି ଦିନରୁ ଏଇ କାମରେ ସଦା ଅଭ୍ୟସ୍ତ । ଖରା ବରଷା, ଶୀତକାକରକୁ ତାଙ୍କର କେବେ ଖାତିରି ନାହିଁ । ରୁଧିରକୁ ଜଳ କରି ସେ ଏଇ ବିଲରେ ନିଗାଡ଼ି ଦିଅନ୍ତି, ଆଉ ତା’ ବଦଳରେ ପାଆନ୍ତି ସୁନାର ଫସଲ ।

 

ଗହୀରରେ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେ । ବଇଶାଖୀ ଝାଞ୍ଜିରେ ମୁଣ୍ଡ ଫାଟି ଯିବାକୁ ବସିଲା । ଏଥର ସେ ହଳ ଫିଟାଇ ଚତରା ବରଗଛ ମୂଳକୁ ଆସିଲେ । ପାଖ ବିଲରେ ହଳ କରୁଥିଲେ ଠାକୁର ପଦାର ହରେକୃଷ୍ଣ ପାଳ । ସେ ବି ହଳ ଫିଟେଇ ବରଗଛ ମୂଳକୁ ଆସିଲେ । ଦୁହେଁ ମୁଣ୍ଡରୁ ଠେକା ଉତ୍ତାରି ବିଞ୍ଚି ହେବାକୁ ଲାଗିଲେ । କ୍ରମେ ଝାଳ ମରି ଯିବାକୁ ବସିଲା ।

 

ଦୂରରେ ଡେଇଁ ଡେଇଁ ନୃତ୍ୟ କରି ଚାଲିଛି ମରୀଚିକାରେ ପ୍ରେତ । ସେଇ ମରୀଚିକା ଭିତରେ ଗଣ୍ଠିଳି ମୁଣ୍ଡରେ ଧରି ଆସୁଥିଲେ ଜଣେ ସ୍ତ୍ରୀ ଲୋକ । କ୍ରମେ ସେ ନିକଟତର ହେଲେ । ଚତରା ବରଗଛ ମୂଳେ ଗଣ୍ଠିଲି ଓହ୍ଲେଇ ଗୋରୁ ମୋହିଁ ବସିଲେ । ଦୁଃଖିଆ ସୁନାମଣୀଙ୍କୁ ଦେଖି ଚାଲିଲେ ତଳ ମୁଣ୍ଡ ଗାଡ଼ିଆ ଆଡ଼େ । ପରେ ପରେ ଆସି ପହଞ୍ଚିଲା ସୁବାସୀ–ହରେକୃଷ୍ଣଙ୍କ ବଡ଼ଝିଅ । ମୁଣ୍ଡରେ ଥିଲା ତା’ର ଭାତ, ତରକାରୀ । ଗଣ୍ଠିଲିକୁ ତଳେ ରଖି ସେ ବାପାଙ୍କୁ ଗାଧୋଇ ପଠାଇଲା । ଉଭୟେ ଗୋରୁ ମୋହିଁ ସାରିଲା ବେଳକୁ ଗାଧୋଇ ଆସି ପହଞ୍ଚିଲେ ଦୁଇ ଚାଷୀ । ଘାସ ଉପରେ ଚକା ପକାଇ ବସି ସେମାନେ ଭୋଜନ କରିବାକୁ ଲାଗିଲ । ହରେକୃଷ୍ଣଙ୍କର ପଖାଳ ଭାତ, ଶୁଖୁଆ ଭଜା ଓ ସାରୁ ତରକାରୀ; ଦୁଃଖିଆଙ୍କର ପଖାଳ ଭାତ ସାଙ୍ଗକୁ ଶଜନାଶାଗ ଭଜା ଓ ପାଣି କଖାରୁ ଆମ୍ୱିଳ । ମହା ତୃପ୍ତିରେ ଖାଇ ଚାଲିଲେ ଦୁହେଁ । ଓଳିକର ହାଡ଼ଭଙ୍ଗା ଖଟଣି ପରେ ତୃପ୍ତିକର ଭୋଜନ, ହରେକୃଷ୍ଣଙ୍କର ଶୁଖୁଆ ଭଜାରୁ କିଛି ଦୁଃଖିଆଙ୍କ ଥାଳିଆକୁ ଆସିଲା । ସେ ମଧ୍ୟ କିଛି ଶାଗଭଜା ହରେକୃଷ୍ଣଙ୍କ ଥାଳିଆରେ ରଖିଦେଲେ । ପରମ ତୃପ୍ତି, ପରମ ଆନନ୍ଦ । ରାଜା ମହାରାଜା ପଲାଉ କାନିକାରେବି ଏ ତୃପ୍ତି ପାଉ ନଥିବେ । ଶାହାଜାହାନ ସେଦିନ ତାଜମହଲ ନିର୍ମାଣ କରିସାରି ଏପରି ତୃପ୍ତି, ପାଇଥିବେ କି ନାହିଁ ସନ୍ଦେହ । ଖାଇସାରି ଦୁହେଁ ଏଥର ପାନ ଖାଇ ବସିଲେ । ସୁବାସୀ ଓ ସୁନାମଣୀ କଂସା ଗିନା ଧରି ବାହାରିଗଲେ ନିଜ ନିଜର ଘରକୁ ।

 

ପାନ ଖାଇସାରି ହରେକୃଷ୍ଣ ନିଜର ଲୋମଶ ଦେହଟାକୁ ଲମ୍ୱାଇ ଦେଲେ ଘାସ ଶେଯ ଉପରେ । ଠେକାଟା ତକିଆର କାମ କରୁଥିଲା । ପରେ ପରେ ତାଙ୍କ କଡ଼କୁ ଲାଗି ଚିତ ହୋଇ ଶୋଇ ପଡ଼ିଲେ ଦୁଃଖିଆ । ଉଭୟଙ୍କ ମଧ୍ୟରେ ଅନେକ କଥା ପଡ଼ିଲା । ଜମି ଜମା, ବାଗ ବଗାୟତ କଥା ପରେ ପଡ଼ିଲା ନିଜ ପରିବାର କଥା । ହରେକୃଷ୍ଣ କହିଲେ ସେ ମୃତଦାର । ଏଇ ସୁବାସୀ ତାଙ୍କର ବଡ଼ଝିଅ । ଘରେ ଆଉ ଗୋଟିଏ ଦଶବର୍ଷର ପୁଅ ମଦନ । ଡାକ ନାଁ ତା’ର ଗଉ । ସ୍ତ୍ରୀଙ୍କର ଅନେକ ଦିନ ପର୍ଯ୍ୟନ୍ତ ପୁତ୍ର ସନ୍ତାନ ହେଇ ନଥିଲା । ତେଣୁ ସେ ଅମରେଶ୍ୱରଙ୍କଠାରେ ସାତ ଶନିବାର ପାଦୁକ ସେବା କରିଥିଲେ । ତାଙ୍କରି ଦୟାରୁ ଜନ୍ମ ଲାଭ କଲା ଗଉ । ହେଲେ ଏକୋଇଶି ଦିନର ଶିଶୁକୁ ଛାଡ଼ି ସେ ଆଖି ବୁଜି ଦେଲା । ଆଜି ପର୍ଯ୍ୟନ୍ତ ସେ ତାକୁ ମା’ ପରି ପାଳି ଆସିଛନ୍ତି । ଏଇ ସୁବାସୀ ଶାଶୁଘର ଯିବା ପରେ ମା’ ଛେଉଣ୍ଡ ପିଲାଟାର ଆଉ କେହି ନାହିଁ । ସେ ତ ଅଣ୍ଡିରା ଚେରୁଆ ଜାତି । ପିଲାଟାର ଯତ୍ନ ନେଇ କ’ଣ ତାକୁ ମଣିଷ କରି ପାରିବେ ? କହୁ କହୁ ତାଙ୍କ ଆଖିରେ ଲୁହ ଜମି ଆସୁଥିଲା । କଣ୍ଠ ତାଙ୍କର ବେଦନାରେ ଜାକି ହୋଇ ଯାଉଥିଲା ।

 

ଦୁଃଖିଆ ବି ତାଙ୍କ ପରିବାର କଥା କହିଲେ । ତାଙ୍କର ବି ଅନେକ ଦିନଯାଏ ସନ୍ତାନ ସନ୍ତତି ହେଇ ନଥିଲେ । ସ୍ତ୍ରୀ ସୁନାମଣୀ ଅମରେଶ୍ୱରଙ୍କଠାରେ ଅଧିଆ ପଡ଼ିଲେ । ଫଳରେ ମହାଦେବଙ୍କ ଦୟାରୁ ସେ ଲାଭ କଲେ କନ୍ୟାଟିଏ । ଘରେ ତାଙ୍କର ସେ ନିଜେ, ତାଙ୍କ ସ୍ତ୍ରୀ ଓ ଛ’ ବର୍ଷର ଝିଅ ରତି ।

 

‘‘ତମେ ଆମର ସମୁଦି ହେଲ ତା ହେଲେ’’, ଗୋଟାଏ ଖୋଲା ହସ ହସି ହରେକୃଷ୍ଣ କହିଲେ । ‘‘ମୋ’ ପୁଅ ଯେମିତି ଅମରେଶ୍ୱରଙ୍କ ଦୟାରୁ, ତମ ଝିଅ ବି ସେମିତି ସେଇ ମହାଦେବଙ୍କ ଦୟାରୁ । ଦୁହେଁଯାକ ଅମରେଶ୍ୱରଙ୍କର ସନ୍ତାନ । ଦୁହିଁଙ୍କୁ ବାହାକରି ଆମେ ଦି’ ସମୁଦି ହେଲେ ସେଇ ଠାକୁର ଖୁସି ହେବେ ଏକା ।’’

 

‘‘ଧନ୍ୟ ସମୁଦି, ବଢ଼ିଆ କଥାଟେ କହିଲେ ଏକା । ଏତିକି କହି ଦୁଃଖିଆ ହରେକୃଷ୍ଣଙ୍କର ଆହୁରି ନିକଟକୁ ଘୁଞ୍ଚିଗଲେ । ପ୍ରଚଣ୍ଡ ସୂର୍ଯ୍ୟ କିରଣ ଦୁହିଁଙ୍କ ମୁହଁରେ ପଡ଼ୁଥିଲା । ପାଖରେ ଥୁଆ ହୋଇଥିଲା ଜଳପୂର୍ଣ୍ଣ ଲୋଟା । ଦୁଃଖିଆ ଲୋଟାଟାକୁ ହରେକୃଷ୍ଣଙ୍କ ହାତକୁ ଟେକି ଦେଉ ଦେଉ କହିଲେ, ‘‘ନିଅ ସମୁଦି, ଆଜିର ଏ ସମ୍ୱନ୍ଧ ପାଇଁ ସୁରୂଜ ଦେବତା ସାକ୍ଷୀ ରହିଲେ ।’’ ହରେକୃଷ୍ଣ ଲୋଟାଟାକୁ ତାଙ୍କ ହାତରୁ ଆଣି ପାଖରେ ରଖିଲେ ।

 

‘‘ବୁଝିଲ ସମୁଦି, ଆଜି ଶୁଭ ବେଳରେ ଆମର ରାତି ପାହିଥିଲା । ନୋହିଲେ କି ଆମର, ଏ ସମ୍ୱନ୍ଧ ଆଜି ସ୍ଥିର ହେଇଥାଆନ୍ତା ?’’

 

‘‘ତା ନୁହେଁ ଆଉ କ’ଣ ? ତାପରେ ଏ ମାଟିଟାର ବି ଗୋଟାଏ ଗୁଣ ଅଛି । ଘି’ ଖାଲି ପରା ୟା’ନାଁ । ନଙ୍ଗଳ ମୁନରେ ତା’ ଛାତିକି ତମେ ଯେତିକି ଚିରୁଥିବ, ସେ ତମକୁ ସେତିକି ଘିଅ ପରଶୁଥିବ ।’’

 

‘‘ହେଲେ ସମୁଦି, ଦିନକୁଦିନ ଫସଲ କିନ୍ତୁ କମି କମି ଯାଉଛି । ଆମ ବାପ ଅଜା କହୁଥିଲେ ପରା ଏଇ ଘି’ ଖାଲିକୁ ମାଣକ ଦଶ ଭରଣ ଫଳୁଥିଲା । ଏବେ ଦେଖୁନ, ତିନି ଭରଣ ଫଳିଲେ ଖୁବ୍‌ ହେଲାଣି ।’’

 

‘‘କେମିତି ନହବ କହୁନ । କାଳ ପରା ଅନିଆ ହେଲା । ଆଉ କ’ଣ ସତ ଅଛି ? ବଡ଼ ସାନ, ଦିଅଁ ଦେବତାକୁ ଲୋକେ ପରା ଅମାନ୍ୟ କଲେଣି ।’’ ଜମିରୁ ଯେ ଦିନକୁ ଦିନ ଉର୍ବରତା କମି ଯାଉଛି, ଏକଥା ସେ ବୁଝନ୍ତି ନାହିଁ । ଫସଲ କମ ଫଳିଲେ ଏ ଯୁଗର ଅନିଆ ଆଚାରକୁ ସେ ଦୋଷ ଦିଅନ୍ତି । ତାପରେ ସେମାନଙ୍କ ମଧ୍ୟରେ ଆହୁରି ଅନେକ କଥା ପଡ଼ିଲା । ସନ୍ଧ୍ୟା ପୂର୍ବରୁ ହଳ ଫିଟେଇ ନିଜ ନିଜର ଗାଁ ଆଡ଼େ ଆଗେଇଲେ ।

 

ସେଦିନ ଝାଡ଼ା ଝପଟ ସାରି ଦୁଃଖିଆ ଘରକୁ ଆସିଲେ । ଶଉପ ପକେଇ ପାନ ଖାଇବା ଉଦ୍ଦେଶ୍ୟରେ ଗୁଆକାତିରେ ଗୁଆ ଭାଙ୍ଗି ବସିଲେ । ରୁଖା ଉପରେ ଜଳୁଥିଲା ଦୀପ । ପାନ ନାଡ଼କୁ ପୋଲାଙ୍ଗ ତେଲରେ ବୁଡ଼ାଇ ଦୀପ ଶିଖାରେ ଦେଖାଉଥିଲେ । ତତଲା ପାନ ନାଡ଼ରୁ ବହି ଆସୁଥିବା ଥୋପା ଥୋପା ତେଲକୁ ଆଣି ଫାଟ ଗୋଡ଼ରେ ଲଗାଉ ଲଗାଉ ଡାକିଲେ ସୁନାମଣୀକୁ-। ଉଦ୍ଦେଶ୍ୟ ଥିଲା ଆଜିର ସତ୍ୟ ସମ୍ୱନ୍ଧ କଥା ସେ ତାଙ୍କୁ ଶୁଣାଇବେ । ସୁନାମଣୀ ଭାତ ଗାଳୁ ଗାଳୁ ଉତ୍ତର ଦେଉଥିଲେ, ‘‘ଭାତଟାକୁ ଗାଳି ଦେଇ ଯାଉଛି ।’’ ରତି ଆସି ଦେହରେ ଲଦି ହେଉଥିଲା । ‘‘ବାପା ମତେ ନାଉ କର’’ କହି ବେକକୁ ଧରି ଓହଳି ପଡ଼ୁଥିଲା । ଏଇ ସମୟରେ ବାହାରୁ ନୀଳେଇଙ୍କ ପାଟି ଶୁଭିଲା । ବାହାରେ ରହି ସେ ଦୁଃଖିଆଙ୍କୁ ଡାକୁଥିଲେ । ଦୂର କେଉଁ ଗାଁ’କୁ ନିଶାପ କରିବାକୁ ଯିବେ । ଅନ୍ଧାର ରାତି । ସାଙ୍ଗରେ ସେ ଦୁଃଖିଆକୁ ନେଇ ଯିବାକୁ ଚାହାନ୍ତି । ବାଧ୍ୟ ଅନୁଜ ପରି ସେ ହଠାତ୍‌ ପଦାକୁ ବାହାରିଗଲେ । ରାମ ଲକ୍ଷ୍ମଣ ପରି ଅଣଓସାରିଆ ରାସ୍ତା କଡ଼େ କଡ଼େ ସେମାନେ ଚାଲିଲେ ସରେଇ ଗାଁ ଆଡ଼େ ।

 

ସରେଇ ଗାଁରେ ଜମି ଜମା ନେଇ ଦୁଇଜଣ ଗ୍ରାମବାସୀଙ୍କ ମଧ୍ୟରେ କଳି । ଉଭୟେ ନୀଳେଇଙ୍କୁ ଭଦ୍ରଲୋକ ମାନିଛନ୍ତି । ନୀଳେଇ ସେଠାରେ ପହଞ୍ଚି ଆରମ୍ଭ କରିଛନ୍ତି ନିଶାପ । ଶାମ ତା’ର ଜମିକୁ ଲାଗି ଅବସ୍ଥିତ ରାମ ଜମିକୁ ଜବର ଦଖଲ କରିଛି । ସେଥିପାଇଁ ଦୁହିଁଙ୍କ ଭିତରେ ଲାଗିଛି କନ୍ଦଳ; ମାଡ଼ ମରାମରି ଓ ମୁଣ୍ଡ ଫଟାଫଟି । ନୀଳେଇ ଶାମର ଏତାଦୃଶ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ଓ ସାକ୍ଷୀ ଗୁହା ନେବାରେ ଅନେକ ରାତି ହୋଇ ଯାଇଥିବାରୁ ରାୟ ଦେବାପାଇଁ ଆସନ୍ତା କାଲିକୁ ଧାର୍ଯ୍ୟ କରିଛନ୍ତି । ତାଙ୍କପାଇଁ ଗାଁରେ ଖିଆପିଆର ବନ୍ଦୋବସ୍ତ ହୋଇଛି । ଶାମ ତା’ ବିରୁଦ୍ଧରେ ନିଷ୍ପତ୍ତି ଯିବ ବୋଲି ଅନୁମାନ କରି ନେଇଛି । ତା’ର ଚାରି ଏକର ଜମି ହୁଏତ ଚାଲିଯିବ । ଏକଥା ସେ କେମିତି ସହିବ ? ରକ୍ତ ତା’ର ଗରମ ହୋଇ ଯାଇଛି । ନ୍ୟାୟ ଅନ୍ୟାୟ ତାକୁ ସବୁ ସମାନ ଦେଖାଯାଇଛି । ଅନ୍ଧାରରେ ଏକ ଘଣ୍ଟା ବାଉଁଶ ଠେଙ୍ଗା ଧରି ସେ ନୀଳେଇଙ୍କ ମୁଣ୍ଡରେ ପିଟିଛି ଏକ ଶକ୍ତ ପାହାର । ହେଲେ ପାହାରଟା ନୀଳେଇଙ୍କ ମୁଣ୍ଡରେ ନବାଜି ବାଜିଛି ଦୁଃଖିଆଙ୍କ ମୁଣ୍ଡରେ । ରକ୍ତ ଧାର ଧାର ହୋଇ ଗଡ଼ି ଯାଇଛି । ପରେ ପରେ ଚିକିତ୍ସିତ ହେବାପାଇଁ ତାଙ୍କୁ ନିଆଯାଇଛି ଡାକ୍ତରଖାନା । ଅନେକ ପଇସା ଖର୍ଚ୍ଚ ପରେ ସେ ସୁସ୍ଥ ହୋଇ ଉଠିଛନ୍ତି । ହେଲେ ସେ ହଜେଇ ବସିଛନ୍ତି ତାଙ୍କର ପୂର୍ବ ସ୍ମୃତି । ଅନେକ ଚିକିତ୍ସା ପରେ ବି ତାହା ଆଉ ଫେରିନି-। ପଛ କଥା ତାଙ୍କର ଆଉ କିଛି ମନେ ନାହିଁ ।

 

X X X X

 

ଆଜି ସକାଳୁ ଉଠି ଦୁଃଖିଆ ପୁଣି ଚାଲି ଆସିଛନ୍ତି ଘି’ଖାଲି ଆଡ଼େ । ଗତକାଲି ଏହାକୁ ଚଷି ସାରିଥିଲେ ବି ସେ ଆଜି ଆସିଛନ୍ତି ପୁଣି ଏଇ ଜମିକୁ । ଜମି ହିଡ଼ ମୁଣ୍ଡାରେ ବସି ସେ ଭାବି ଚାଲିଛନ୍ତି ବାରବର୍ଷ ତଳର ସେଇ ଦିନର ଘଟଣାକୁ । ଆଜି ଆସିଲାବେଳେ ଦେଖା ହେଇଥିଲେ ହରେକୃଷ୍ଣ । କହିଲେ, ‘‘ଆଉ ସମୁଦି ଡେରି କାହିଁକି ? ଏଥର ବାହାଘର ଯୋଗାଡ଼ କରିବା ।’’ ଦୁଃଖିଆ ନୀରବ ରହିଥିଲେ । ହରେକୃଷ୍ଣ ଜାଣନ୍ତି ତାଙ୍କ ଝିଅ ସହ ରମେଶର ବାହାଘର ପାଇଁ ସବୁ କଥା ସ୍ଥିର ହୋଇଯାଇଛି । ତେଣୁ ସେ କହିଲେ, ‘‘ହଉ ସମୁଦି, ମୁଁ କିନ୍ତୁ ଅପେକ୍ଷା କରିବି, ତମ ଝିଅ ବାହା ସରିଲେ ମୁଁ ଯାଇଁ ଗଉକୁ ବାହା ଦେବି । ତା ହେଲେ ତମଆଡ଼ୁ ସତ୍ୟଭଙ୍ଗ ହେବ ସିନା, ମୋ’ଆଡ଼ୁ ନୁହେଁ ।’’ ଦୁଃଖିଆ ଏବେ ହଳ ଠିଆକରି ସେଇକଥା ଭାବି ଚାଲିଛନ୍ତି । କ’ଣ ସେ କରିବେ ? ସତ୍ୟରକ୍ଷା ନକଲେ ମହାପାତକରେ ଭାଗୀ ହେବାକୁ ପଡ଼ିବ । ହେଲେ ସତ୍ୟ ରକ୍ଷା କଲେ ?

 

ହରେକୃଷ୍ଣ ତାଙ୍କର ସମୁଦି । ହେଲେ ସେ ଯେ ରମେଶ ସହିତ ରତିର ବାହାଘର ସ୍ଥିର କରି ସାରିଛନ୍ତି । ଆଜି ସେ ବାହାଘର ଭାଙ୍ଗିଗଲେ ସୁନାମଣୀ ତାଙ୍କୁ କ୍ଷମା କରିବେ ତ ? ଅଲିଅଳ, ସ୍ନେହମୟୀ ରତି ତା’ର ଜୀବନ ରଖିବ ତ ? କ’ଣ ସେ କରିବେ ? ଭାବୁଭାବୁ ତାଙ୍କ ଆଖିକୁ ଲୁହ ଆସି ଯାଉଥିଲା । ଠେକା କାନିରେ ଲୁହ ପୋଛି ସେ ଚତରା ବରଗଛ ଆଡ଼େ ଦୃଷ୍ଟି ପକାଉଥିଲେ ।

 

ହଠାତ୍‌ ପଛପଟୁ ସେ କାହାର ସ୍ପର୍ଶ ଅନୁଭବ କଲେ । ପଛକୁ ଅନେଇ ଦେଖିଲେ ଠିଆ ହେଇଛନ୍ତି ସୁନାମଣୀ । ଦରଦଭରା କଣ୍ଠରେ ସୁନାମଣୀ କହିଲେ, ‘‘ଦେଖିଲ, କେତେବେଳ ହେଲାଣି । କାଲି ପରାଏ ଏ ବିଲ ଧରା ସରିଥିଲା । ଆଜି ଏଠିକୁ ଆସି ପୁଣି କ’ଣ କରୁଛ ? ମୋ’ କଥା ମାନି ଏବେ ଘରକୁ ଚାଲିଲ ।’’

 

ଦୁଃଖିଆ ଏଥର ହଳ ଲେଉଟେଇଲେ । ଘରେ ପହଞ୍ଚିଲା ପରେ ତେଲଘଡ଼ି ଆଣି ଥୋଇଲା ରତି । ପଳା ପଳା କରି ତେଲ ସେ ଦେହରେ ମାଖିଲେ । ତେଲ ମାଖି ସାରି ଚାଲିଲେ କୁସୁଦା ପୋଖରୀ ଆଡ଼େ । ଭାରାକ୍ରାନ୍ତ ମନରେ ଆଜି ଶ୍ରାବଣର ବତାଶ । ଭାବୁଛନ୍ତି ସେ ଏ ବାହାଘର କେମିତି ବନ୍ଦ କରିବେ ? ରତି କ’ଣ ରମେଶକୁ ଛାଡ଼ି ରହି ପାରିବ ? ନା....ତାଙ୍କୁ ଏ ବାହାଘର କରିବାକୁ ହିଁ ପଡ଼ିବ । ଯନ୍ତ୍ରଚାଳିତ ପରି ସେ ରତିକୁ ରମେଶ ସହିତ ବାହା କରି ଦେଇଯିବେ । ଅମରେଶ୍ୱରଙ୍କର ଯାହା ଇଚ୍ଛା ।

 

ସବୁ ସେ ଅମରେଶ୍ୱରଙ୍କ ଉପରେ ଛାଡ଼ି ଦେବେ । ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସେଇ ଠାକୁର ଏଥେରେ ଜଡ଼ିତ । ତାଙ୍କର ଯାହା ଇଚ୍ଛା ଥିବ ତାହାହିଁ ଫଳିବ । ମଣିଷ ତାଙ୍କ ଆଗରେ ନିମିତ୍ତ ମାତ୍ର । ତେଣୁ ବାହାରର ମାନ ରକ୍ଷାକରି ପ୍ରଭୁ ଅମରେଶ୍ୱରଙ୍କୁ ଡାକି ସେ ରତିକୁ ରମେଶ ସହିତ ବାହା କରିଦେବେ । ବିଚାରୀ ରତି ପିଲାଟା । ତାର ଦୋଷ କ’ଣ ? ଯହା ଦୋଷ ସବୁ ତାଙ୍କରି ପ୍ରଭୁ ଯାହା ଦଣ୍ଡ ଦେବେ ତାଙ୍କୁ ଦିଅନ୍ତୁ । ସେ ଏ ମହାପାତକରେ ସଂପୂର୍ଣ୍ଣ ଭାଗୀ । ସେ ଏକା ଏ ଦଣ୍ଡ ଭୋଗିବାକୁ ହକଦାର । ରମେଶ ଓ ରତି ସୁଖର ରହନ୍ତୁ । ‘‘ହେ ପ୍ରଭୁ ଅମରେଶ୍ୱର, ଏ କଠିନ ପରୀକ୍ଷାରୁ ମତେ ଉଦ୍ଧାର କର । ସବୁ ଆଜି ତମ ଉପରେ ଛାଡ଼ି ଦେଉଛି । ଯାହା ତମର ଇଚ୍ଛା ତମେ ଯାହା କରିବ ।’’ ଭାବିଲା ବେଳକୁ ଅମରେଶ୍ୱରଙ୍କ ଉଦ୍ଦେଶ୍ୟରେ ତାଙ୍କ ଯୋଡ଼ହସ୍ତ ଉପରକୁ ଉଠି ଯାଉଥିଲା ।

 

ଚିଠିଟା ପଢ଼ି ରମାକାନ୍ତ ରାଗରେ ଖୁନ୍‌ ହେଇଗଲା । ମୁଣ୍ଡକୁ ତା’ର ଯେମିତି ରକ୍ତ ଚଢ଼ିଗଲା । ରମେଶ ଯେ ଏତେବଡ଼ ସାଂଘାତିକ ବିଶ୍ୱାସଘାତକତା କରିପାରେ, ଏକଥା ସେ ଚିନ୍ତା ବି କରି ନଥିଲା । ଏଥିରେ ଅବିଶ୍ୱାସ କରିବାର କିଛିନାହିଁ । ଚିଠି ସାଥୀରେ ପ୍ରମାଣ ବି ରହିଛି–ଗୋଟାଏ ଫଟୋ । କେଉଁ ଏକ ଜଙ୍ଗଲିଆ ଜାଗାରେ ରମେଶ ରୀନାକୁ ଆଲିଙ୍ଗନ କରିଛି । ଇସ୍‌ କି ଅଭଦ୍ରତା ! ଫଟୋଟାକୁ ଆଉ ସେ ଅନାଇ ପାରିଲାନି । ଏଇ ମୁହୂର୍ତ୍ତରେ ଯାଇ ରମେଶକୁ ଟିକି ଟିକି କରିଦେବାକୁ ଇଚ୍ଛା ହେଉଥିଲା । ସେ ଭଲକରି ଜାଣେ ରତିର ରମେଶ ସହ ବାହାଘର ହେବ-। ରତି ତା’ର ବାଗ୍‌ଦତ୍ତା । ସରଳା ପଲ୍ଲୀବାଳାଟି କେଉଁଦିନୁ ତାକୁ ଅପେକ୍ଷା କରିଛି । କିନ୍ତୁ ରମେଶର ଏ କି ଧ୍ରୁଷ୍ଟତା ? ରାଗରେ ତା ନାକପୁଡ଼ା ଫୁଲି ଉଠୁଥିଲା । ଚିଠିଟାକୁ ସେ ଆଉ ଥରେ ପଢ଼ିବାକୁ ଲାଗିଲା ।

 

ରମାକାନ୍ତ ବାବୁ,

 

ପ୍ରଣାମ । ଅନେକ ଭାବିଚିନ୍ତି ଆପଣଙ୍କୁ ଏ ଚିଠିଟା ଲେଖିବାକୁ ବାଧ୍ୟହେଲି । ଆପଣ ବୁର୍ଲାରେ ଡାକ୍ତରି ପଢ଼ିବାରେ ବ୍ୟସ୍ତ ରହିଲେ । ହେଲେ ଏଣେ ଆପଣଙ୍କ ଘରେ ରାସଲୀଳା ଲାଗି ରହିଲା । ଏଇ କଥାର ସୂଚନା ସେଦିନ ମୁଁ ଆପଣଙ୍କୁ ଆପଣଙ୍କ ଜନ୍ମଦିନରେ ଦେଇଥିଲି; କିନ୍ତୁ ଆପଣ ମତେ ଭୁଲ ବୁଝିଲେ । ଏବେ କିନ୍ତୁ ରମେଶ ଆଉ ରୀନାର ମିଳାମିଶା ସହରରେ ଏକ ବିଷାକ୍ତ ବାୟୁମଣ୍ଡଳ ସୃଷ୍ଟି କରିଛି । ସାଙ୍ଗ ହେଇ ସିନେମା ଦେଖିବା, ଘଣ୍ଟା ଘଣ୍ଟା ଧରି କମନ୍‌ ରୁମ୍‌ରେ ପ୍ରେମାଳାପରେ ମାତି ରହିବା ବା ପିକ୍‌ନିକ୍‌ ପାଇଁ ବାହାରକୁ ବୁଲିଯିବା ତ ସେମାନଙ୍କର ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି । କ୍ଷମା କରିବେ ରମାକାନ୍ତବାବୁ, ଆପଣଙ୍କ ଶୁଭାକାଂକ୍ଷୀ ହିସାବରେ ଲେଖିବାକୁ ବାଧ୍ୟ ହେଉଛି–ଦୁହେଁ ସାଙ୍ଗ ହୋଇ ରାତ୍ରି ଯାପନ କରିବାର ପ୍ରମାଣ ମଧ୍ୟ ରହିଛି । ଏଇ ଫଟୋଗ୍ରାଫରୁ ଆପଣ ଅନେକ କିଛି ଅନୁମାନ କରି ପାରୁଥିବେ । ମତେ ଭୁଲ ବୁଝିବେନି । କେବଳ ଜଣେ ବନ୍ଧୁ ହିସାବରେ ଆପଣଙ୍କୁ ବଦନାମରୁ ରକ୍ଷା କରିବାକୁ ଇଚ୍ଛାକରି ଲେଡ଼ିଗୁଡ଼ କହୁଣିକୁ ବୋହିଯିବା ଆଗରୁ ଏସବୁ କଥା ଆପଣଙ୍କୁ ଜଣେଇବାକୁ ବାଧ୍ୟ ହେଲି ।

 

।। ଇତି ।।

ଆପଣଙ୍କର ଶୁଭାକାଂକ୍ଷୀ

ବିଷ୍ଣୁ

 

ଆଉ ସେ ପଢ଼ି ପାରିଲାନି । ପ୍ରକୃତରେ ସେଦିନ ସେ ବିଷ୍ଣୁକୁ ଭୁଲ ବୁଝିଥିଲା । ବେଳହୁଁ ରମେଶକୁ ସତର୍କ କରାଇ ଦେବାର ଥିଲା । ଘନିଷ୍ଠ ସାଙ୍ଗ ହିସାବରେ ରମେଶ ଯେ ଏତେଟା ସର୍ବନାଶ କରିବାକୁ ସାହସ କରିବ–ଏକଥା ଭାବିଲା ବେଳକୁ ତା’ ରକ୍ତ ଟକମକ ହେଉଥିଲା । କେତେଦୂର ସେ ତାକୁ ବିଶ୍ୱାସ କରି ନଥିଲା । ହେଲେ ଶେଷକୁ ସେ ତା’ ବିଶ୍ୱାସରେ ବିଷ ଦେଇ କେତେ ବଡ଼ ବିଶ୍ୱାସଘାତକତା ନକଲା ! ତାକୁ ଉପଯୁକ୍ତ ଶାସ୍ତି ଦେବାକୁ ପଡିବ । ରମାକାନ୍ତର ବାହାରଟା ଆଜିପର୍ଯ୍ୟନ୍ତ ସେ ଦେଖି ଆସିଥିଲା । ହେଲେ ସେ ତା’ ଭିତରଟା ଦେଖିନି । ଏଥର ସେ ତାକୁ ଦେଖାଇ ଦେବେ ରମାକାନ୍ତ କେଡ଼େ ଭୀଷଣ ହୋଇପାରେ । ବିଶ୍ୱାସଘାତକତାର ଶାସ୍ତି କେଡ଼େ ଭୟାବହ ହୋଇପାରେ । ଆଜି ତାକୁ ପୁରୀ ଯିବାକୁ ହିଁ ପଡ଼ିବ । ସାଙ୍ଗେ ସାଙ୍ଗେ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କଠାରୁ ଅନୁମତି ଆଣି ସେ ବସଷ୍ଟାଣ୍ଡକୁ ବାହାରିଲା ।

 

ସେଦିନର ସେ ଘଟଣା ପରେ ପାଞ୍ଚଦିନ ବିତିଗଲାଣି । ରମେଶ ତା’ର ଶପଥ ଅନୁଯାୟୀ ସେଇଦିନଠାରୁ ଆଉ ହୀରାମହଲକୁ ଆସିନାହିଁ । ରୀନାକୁ କିଛି ଭଲ ଲାଗୁନାହିଁ । ସବୁଦିନେ ସେ ରମେଶକୁ ଅପେକ୍ଷା କରୁଛି । ହେଲେ ତା’ର ଦେଖାନାହିଁ । ହୀରାଦେବୀ ଗାଁରୁ ଫେରି ନାହାନ୍ତି । ଫସଲ ଅମଳ କରି ଭାଗଚାଷୀମାନଙ୍କଠାରୁ ମପେଇ ଆଣିବାକୁ ଅନ୍ତତଃ ଏକ ସପ୍ତାହ ଦରକାର । ରୀନାକୁ ଏକୁଟିଆ କିଛି ଭଲ ଲାଗୁନାହିଁ । ସନ୍ଧ୍ୟାବେଳେ ଶୋଇ ଶୋଇ ରେଡ଼ିଓଟାକୁ ବଜାଇ ସେ ବୋର୍‌ ହେଉଛି । ଏଇ ସମୟରେ ସେ ରମେଶର ଉପସ୍ଥିତି ଖୁବ୍‌ କାମନା କରୁଛି । ତା’ ମୁଣ୍ଡକୁ ଗୋଟାଏ ଚିନ୍ତା ଢୁକିଲା । କଲମ ଆଣି ଖଣ୍ଡେ କାଗଜରେ ଲେଖିଲା ଗୋଟାଏ ଚିଠି । ତା ପରେ ସେ ଡାକିଲା ସତିଆକୁ । ଆଦେଶ ଦେଲା, ‘‘ଏ ଚିଠିଟାକୁ ନେଇ ଶୀଘ୍ର ରମେଶବାବୁଙ୍କୁ ଦେଇ ଆସିବୁ ।’’ ‘ଯାଉଛି ଦେଇ’ କହି ଝଟ କରି ବାହାରି ଗଲା ସତିଆ ।

 

ଚିଠିଟା ପଢ଼ି ରମେଶ ଆଶ୍ଚର୍ଯ୍ୟ ହେଲା । ରମାକାନ୍ତ ଆସି ତାକୁ ଡକେଇ ପଠେଇଛି । ରମାକାନ୍ତ ଆସିଛି ଜାଣି ସେ ଗୋଟାଏ ଆଶ୍ୱସ୍ତି ଅନୁଭବ କଲା । ଭାବିଲା, ଠିକ୍‌ ଅଛି ସବୁକଥା ସେ ତାକୁ ବୁଝାଇ କହିବ । ସେ ତାକୁ ଭୁଲ ନବୁଝୁ, ରୀନାକୁ ସେ ଏବେ ବି ଭଉଣୀ ପରି ଦେଖୁଛି । ତାପରେ ସେ ହୀରାମହଲ ଅଭିମୁଖେ ଚାଲିଲା । ଡ୍ରଇଙ୍ଗ୍‌ ରୁମରେ ବସି ରମାକାନ୍ତକୁ ଅପେକ୍ଷା କରିବାକୁ ଲାଗିଲା । ଘରଟା ବଡ଼ ଶୂନ୍‌ଶାନ୍‌ ଜଣା ଯାଉଥିଲା । ଏକୁଟିଆ ବସି ବସି ସେ ରଖା ଯାଇଥିବା ଫୁଲଦାନୀରୁ ଗୋଟାଏ ସଦ୍ୟ ଗୋଲାପ ଛିଣ୍ଡାଇ ଆଙ୍ଗୁଠି ଗୁଡ଼ାକରେ ବୁଲାଇବାକୁ ଲାଗିଲା । ରୀନା ଆସି ଦେଖିଲା, ରମେଶ ବାବୁ ନୀରବରେ ବସି ରହିଛନ୍ତି । ଜଣାଯାଉଛି ଯେମିତି ସେ କୌଣସି କାରଣରୁ ଖୁବ୍‌ ଦୁଃଖିତ । ପଛରୁ ସେ ଡାକିଲା, ‘‘ଆରେ ରମେଶବାବୁ, ଆପଣ ଏଠି ବସି ରହିଲେ ଯେ....ଆସନ୍ତୁ । ଉପରେ ପରା ଭାଇ ଆପଣଙ୍କୁ ଅପେକ୍ଷା କରିଛନ୍ତି ।’’ ରମେଶ ଏଥର ରୀନା ପଛେ ପଛେ ଚାଲିଲା ଉପର ମହଲା ଆଡ଼େ । ଘରଟା ବଡ଼ ଶୂନଶାନ୍‌ ଜଣା ପଡ଼ୁଛି । କିଛି ସେ ବୁଝିପାରୁ ନାହିଁ । ଷ୍ଟଡ଼ିରୁମ୍‌ ପାଖରେ ରୀନା ରମେଶ ହାତକୁ ଧରି ପକାଇଛି । ଗଦ୍‌ ଗଦ୍‌ କଣ୍ଠରେ ସେ କହି ଚାଲିଛି, ‘‘ମତେ କ୍ଷମା କରିବେ ରମେଶବାବୁ, ଆପଣଙ୍କର ଅନୁପସ୍ଥିତି ମୋ’ ପକ୍ଷରେ ଖୁବ୍‌ ଅସହ୍ୟ ହେଲା । ତେଣୁ ଆପଣଙ୍କୁ ଡକେଇ ଆଣିଲି ।’’ ରମେଶର ମୁହଁ ଶୁଷ୍କରୁ ଶୁଷ୍କତର ହେଉଥିଲା । ରୀନା କହି ଚାଲିଥିଲା, ‘‘ଦିଅନ୍ତୁ ନା, ମତେ ସେ ଗୋଲାପ ଫୁଲଟା ଦେବେନି ?’’ ରମେଶକୁ ମୁହଁ କଳା ପଡ଼ି ଆସୁଥିଲା । ରୀନାକୁ ପଦାଘାତ କରି ଗଡ଼େଇ ଦବାକୁ ତା’ର ଇଚ୍ଛା ହେଉଥିଲା ।

 

ରୀନା ଭାବୁଛି ବୋଧହୁଏ ରମେଶବାବୁ କୌଣସି ମାନସିକ ଦୁଶ୍ଚିନ୍ତାରେ ଖୁବ୍‌ ବିବ୍ରତ । ତାଙ୍କର ମାନସିକ ବେଦନା ଲାଘବ କରିବାକୁ ଯାଇ ସେ କହିଲା, ‘‘ପ୍ଳିଜ୍‌ ରମେଶବାବୁ, ସେ ଗୋଲାପ ଫୁଲଟା ଆପଣ ମୋ’ ପାଇଁ ଆଣିଛନ୍ତି ନିଶ୍ଚୟ । ଦିଅନ୍ତୁ ନା, ମୋ ଗଭାରେ ସେଇଟା ଖୋସି ଦେବେନି ?’’ ତାପରେ ତା’ ହାତକୁ ନେଇ ନିଜ ଗଭାରେ ଲଗେଇ ଦେଇଛି । ରମେଶ ଉଚ୍ଚସ୍ୱରରେ କହି ଉଠିଛି ‘ରୀନା’ । ରୀନା କିନ୍ତୁ ଭାବ ପ୍ରବଣ ହୋଇ ଉଠିଛି । ସେ କହି ଚାଲିଛି, ‘‘ମତେ ବିଶ୍ୱାସ କରନ୍ତୁ ରମେଶବାବୁ, ମୁଁ ଆପଣଙ୍କୁ ଭଲପାଏ । ଆପଣଙ୍କୁ ଛାଡ଼ି ମୁଁ କେବେ ବଞ୍ଚି ପାରିବନି । ଏତିକି କହି ସେ ରମେଶ ଛାତିରେ ଢଳି ପଡ଼ିଛି । ପର ମୁହୂର୍ତ୍ତରେ ତାକୁ ଜାବୁଡ଼ି ଧରିବାକୁ ହସ୍ତ ପ୍ରସାରଣ କରିଛି ।

 

ପଛରୁ ରମାକାନ୍ତ ଚିତ୍କାର କରି ଉଠିଛି–‘ରୀନା’ । ଉଭୟେ ଚକିତ ହେଇ ପଛକୁ ଅନେଇଛନ୍ତି । ଭୀଷ୍ମମୂର୍ତ୍ତି ଧରି ଠିଆ ହୋଇଛି ରମାକାନ୍ତ । ତାପରେ ସେ ରମେଶର ଶାର୍ଟକୁ ଧରି ଝିଙ୍କି ଆଣିଛି । ‘‘ତୁ ମୋ’ର ଘନିଷ୍ଠ ସାଙ୍ଗ ହିସାବରେ ରୀନା ତୋ’ର ସାନ ଭଉଣୀ ପରି । ଏକଥା ତତେ ମୁଁ ବାରମ୍ୱାର ସୂଚେଇ ଦେଇଛି । ହେଲେ ବିଶ୍ୱାସରେ ବିଷ ଦେବା ପାଇଁ ତୋ’ ବିବେକ ତୋତେ ଟିକିଏ ବି ଦଂଶନ କଲାନି ?’’ ରମେଶ କିଛି କହିବାକୁ ଯାଉଥିଲା । ହେଲେ ରମାକାନ୍ତ ଆଜି କିଛି ଶୁଣିବାକୁ ପ୍ରସ୍ତୁତ ନୁହେଁ । ଧକ୍‌କା ଦେଇ ସେ ତାକୁ ବହିଷ୍କାର କରି ଦେବାକୁ ଚାହେଁ । ତେଣୁ ସେ କହି ଉଠିଲା, ‘‘ଗେଟାଉଟ୍‌ ଇଉ ସ୍କାଉଣ୍ଡ୍ରେଲ୍‌, ନଚେତ୍‌ ତତେ ମୁଁ ଆଜି ଖୁନ୍‌ କରିଦେବି-।’’ ପରେ ପରେ ସେ ତାକୁ ଗୋଟାଏ ଶକ୍ତ ଧକ୍‌କା ଦେଲା । ରୀନା ରମାକାନ୍ତର ଗୋଡ଼କୁ ଧରି ‘‘ଭାଇ ଭାଇ’’ ବୋଲି ଚିତ୍କାର କରିବାକୁ ଲାଗିଲା । ରମେଶ ଏଥର ଚଞ୍ଚଳ ପଦରେ ଓହ୍ଲେଇଗଲା ତଳକୁ । ତା’ ଯୋତାର ଠକ୍‌ ଠକ୍‌ ଶବ୍ଦ ରୀନା କାନରେ ଶକ୍ତ ଆଘାତ ଲାଗିଲା ପରି ମନେ ହେଉଥିଲା । ଆଖିରୁ ତା’ର ବହି ଯାଉଥିଲା ଶ୍ରାବଣ ଧାରା । ତା’ର ଭାରାକ୍ରାନ୍ତ ଦେହଟାକୁ ସୋଫା ଉପରେ ଲମ୍ୱାର ଦେଇ କଇଁ କଇଁ ହେଇ ସେ କାନ୍ଦି ଉଠୁଥିଲା ।

 

ମଙ୍ଗୁଳି ମଉସାଙ୍କର କଥୋପକଥନ ଯଦି ଆସୁଥିଲା । ‘କୃଷିସଂସାର’ ଶେଷରେ ଘୋଷିତ ହେଲା–ଆକାଶ ବାଣୀ, କଟକ । ରାତି ଆଠଟା । ଆରମ୍ଭ କରୁଛୁ ‘‘ସଜଫୁଲ’’ । ଏଇ ମାସର ନୂଆଗୀତ । ପ୍ରେମିକ ଆଜି ଅପମାନିତ ହେଇ ଭଗ୍ନ ହୃଦୟରେ ଫେରି ଯାଇଛି ପ୍ରେମିକା ନିକଟରୁ । ପରିବାର ଓ ସମାଜ ଆଖିରେ ତାଙ୍କର ପ୍ରେମ ଚକ୍ଷୁଶୂଳ ହୋଇ ଉଠିଛି । ପ୍ରେମିକା କଇଁ କଇଁ ହୋଇ କାନ୍ଦି ଉଠିଛି । ଆଉ କ’ଣ ବା ସେ କରିପାରେ ? ଆଖିର ଲୁହ କେବଳ ତା’ର ସମ୍ୱଳ-। ଶୁଣନ୍ତୁ ଏଇ ରଚନାଟି । ଶିଳ୍ପୀ ଏଥର କରୁଣ ରାଗିଣି ଛୁଟେଇ ଗାଇ ଚାଲିଛନ୍ତି ।

 

ଚିତ୍ତ ମୋ’ର ଗଲା ହଜି

ଆଉ କି ପାଇବି ଖୋଜି

ମିଳିବ କି ନମିଳିବ ତିଳେ ମୁଁ

ନ ପାରେ ବୁଝି ।

ଚିତ୍ତ ମୋ’ର..........।

 

ରୀନା ଉଠି ରେଡ଼ିଓଟାକୁ ବନ୍ଦ କରିଦେଲା । ନିର୍ଜୀବ ରେଡ଼ିଓଟା । ସେ ବା କାହିଁକି ଦୁନିଆଁକୁ ସୁଖ ଦୁଃଖରେ ଭାଗୀ ହେବ ?

 

ରମେଶ ତା’ ବସାରେ ଯାଇ ଚିନ୍ତା କରିବାକୁ ଲାଗିଛି–ରମାକାନ୍ତ ଆଜି ଠିକ୍‌ କରିଛି । ହୁଏତ ଆହୁରି ଅନେକ ଆଗରୁ ତା’ର ଏଇଆ କରିବା ଉଚିତ ଥିଲା । ସେ ତା’ର ଘନିଷ୍ଠ ସାଙ୍ଗ । ଉଚ୍ଚ ଶିକ୍ଷିତ ସେମାନେ । ଶିକ୍ଷାର ପରିଣାମ କ’ଣ ଏଇ ଚରିତ୍ରର ବଦଗତି ? କଲେଜରେ ପଢ଼ି ସେ ଏଇଆ ଶିଖିଲା । ରତି ଜାଣିଲେ କ’ଣ ଭାବିବ । ସରଳା ବାଳିକାଟାର ଶ୍ୱାସରୁଦ୍ଧ ହେଇ ଯିବନି ତ-? ନା, ତା’ର ଆଉ ଏ ପରୀକ୍ଷାରେ ଦରକାର ନାହିଁ । ଯେଉଁ କଲେଜ ପାଠ ତାକୁ ଏଇଆ ଶିଖାଇଲା । ସେ କଲେଜରେ ପଢ଼ି କି ଲାଭ ? ସେ ପରୀକ୍ଷା ଦେଇ କି ଫାଇଦା ? ଠିକ୍‌ କଲା ଆଉ ଏ ପରୀକ୍ଷା ଦବ ନାହିଁ । ଘରୁ ଆଜି ଚିଠି ଆସିଥିଲା–ରତି ସାଥୀରେ ତା’ ବାହାଘର ଠିକ୍‌ ହେଇଯାଇଛି । ଆସନ୍ତା ଅକ୍ଷୟ ତୃତୀୟା ଦିନ ବାହାଘର । ପରୀକ୍ଷା ସରିଲେ ସେ ଯେମିତି ସାଙ୍ଗେ ସାଙ୍ଗେ ଗାଁକୁ ଯାଏ । ନା, ତା’ର ଆଉ ଏ ପରୀକ୍ଷାରେ ପ୍ରୟୋଜନ ନାହିଁ । ଏଥର ସେ ଜିନିଷପତ୍ର ବନ୍ଧାବନ୍ଧି କରିବାକୁ ଲାଗିଲା । ଆସନ୍ତା କାଲି ସକାଳେ ସେ କାକଟପୁର ବସ୍‌ ଧରିବ ।

 

ପରଦିନ ସକାଳେ ସେ ବସ୍‌ଷ୍ଟାଣ୍ଡକୁ ଚାଲିଲା । ଯାଉ ଯାଉ ବାଟରେ ଦେଖିଲା, ରାସ୍ତା ମଝିରେ ଗୋଟାଏ ବସ୍‌ ଠିଆ ହୋଇଛି ଓ ତା’ ନିକଟରେ ଖୁବ୍‌ ଜନଗହଳି ହୋଇଛି । ଭିଡ଼ ଠେଲି ସେ ଭିତରକୁ ଆସିଲା । ଭିତରେ ଯାହା ଦେଖିଲା, ସେଥିରେ ତାର କଲିଜା ଥରି ଉଠିଲା । ପ୍ରିୟସାଥୀ ରମାକାନ୍ତ ସାଇକଲରେ ଯାଉ ଯାଉ ବସ୍‌ ସହିତ ଧକ୍‌କା ଲାଗିଛି । ସର୍ବାଙ୍ଗ ତା’ର ରକ୍ତାକ୍ତ । ସଙ୍ଗେ ସଙ୍ଗେ ସେ ତାକୁ ଡାକ୍ତରଖାନା ଟେକି ନେଇଛି । ଡାକ୍ତରବାବୁଙ୍କୁ ଡାକି ତୁରନ୍ତ ଚିକିତ୍ସାର ବନ୍ଦୋବସ୍ତ କରିଛି ।

 

ରମାକାନ୍ତ ମୁଣ୍ଡରେ ମସ୍ତବଡ଼ ଆଘାତ ଲାଗିଥିଲା । ତେଣୁ ଆବଶ୍ୟକ ପରିମାଣ ରକ୍ତ ଦିଆଯାଇଛି ଓ ପରେ ପରେ ଅପରେଶନ୍‌ର ଦରକାର ପଡ଼ିଛି । ଅପରେଶନ୍‌ ଥିଏଟର ଦରଜାରେ ଗୋଟାଏ ବଲ୍‌ବ ଜଳି ଉଠିଛି । ରମେଶ ବ୍ୟତିବ୍ୟସ୍ତ ହୋଇ ବାହାରେ ପଦଚାଳନା କରୁଛି । ଅନେକ ସମୟ ପରେ ବାହାରି ଆସିଛନ୍ତି ଡାକ୍ତର ବାବୁ । ରମେଶ ଉତ୍ସୁକ କଣ୍ଠରେ ତାଙ୍କୁ ପଚାରି ବସିଛି ରମାକାନ୍ତର ହାଲ । ଉତ୍ତର ବଦଳରେ ସେ ତାଙ୍କ ମୁହଁରେ ଦେଖିଛି ମସ୍ତବଡ଼ ପ୍ରଶ୍ନବାଚୀ । ଡାକ୍ତରବାବୁ ଗମ୍ଭୀର ହେଇ ଉଚ୍ଚାରଣ କରିଛନ୍ତି, ‘‘ଇଉ ଆର୍‌. ମୋଷ୍ଟ ଅନଲକୀ, ଇଅଙ୍ଗମ୍ୟାନ୍‌ । ଆଇ ଆମ୍‌ ସରି ରମେଶ ବାବୁ, ଆଇ ଆମ୍‌ ଭେରି ସରି ।’’ ପରଦା ଠେଲି ରମେଶ ଭିତରକୁ ପଶିଛି । ନର୍ସମାନେ କଳା ପରଦାଟାଏ ରମାକାନ୍ତ ଶରୀରରେ ଢାଙ୍କି ଦେଉଛନ୍ତି । ସେ ଆଉ ଦେଖି ପାରିଲାନି । ଶିଶୁଟି ପରି ଭୋ’ ଭୋ’ ହୋଇ ରମାକାନ୍ତର ଶବ ଉପରେ କାନ୍ଦି ଉଠିଲା ।

 

X X X X

 

ହୀରାଦେବୀଙ୍କ ସମସ୍ତ ମାନସିକ, ପୂଜା ଅର୍ଚ୍ଚନା ବେକାର ହେଇଛି । ରମାକାନ୍ତକୁ ବାଇଶି ବର୍ଷରେ ଘାଟି ଥିଲା । ଜ୍ୟୋତିଷ ଗଣନା ଠିକ୍‌ ଫଳିଛି । ଏବେ ତାଙ୍କର ରକ୍ତଚାପ ଆହୁରି ବଢ଼ି ଯାଇଛି । ସେ ଶଯ୍ୟାଶାୟୀ । ବେଳେ ବେଳେ ସଜ୍ଞା ହରାଉଛନ୍ତି । କଣ୍ଠ ତାଙ୍କର ଜାକି ହେଇ ଆସୁଛି । ରୀନା ମୁଣ୍ଡ ପାଖରେ ବସି ତାଙ୍କ କପାଳକୁ ଆଉଁସିବାରେ ଲାଗିଛି । ରମେଶ ଗୋଡ଼ ପାଖରେ ବସି ଆଉଁସି ଦେଉଛି ତାଙ୍କ ପାଦକୁ । ବେଳେ ବେଳେ ସେ କରୁଣ ଦୃଷ୍ଟିରେ ରମେଶ ଆଡ଼କୁ ଅନାଉଛନ୍ତି । ରମୁ ଆଉ ରମେଶକୁ ସେ ସବୁବେଳେ ଦି’ ଭାଇ ପରି ଦେଖି ଆସିଥିଲେ । ରୀନା ଓ ରମେଶର ଭବିଷ୍ୟତ ନେଇ କେତେ କଥା କଳ୍ପନା କରିଥିଲେ । ସେଇଥିପାଇଁ ସେ ଦୁହିଙ୍କୁ ସ୍ୱାଧୀନ ଭାବରେ ମିଶିବାକୁ ସୁଯୋଗ, ସ୍ୱାଧୀନତା ଦେଇଥିଲେ । ହେଲେ ଠିକ୍‌ ଶେଷ ବେଳକୁ ତାଙ୍କ ରମୁ ଚାଲିଗଲା ।

 

ହୀରାଦେବୀ ରମେଶକୁ ପାଖକୁ ଡାକିଲେ । ଜଣାପଡ଼ୁଥିଲା ଯେମିତି ତାକୁ କିଛି କହିବେ । ତା’ ହାତକୁ ଧରି କହିଲେ, ‘‘ମୋ’ର ଗୋଟାଏ କଥା କହିବାକୁ ବାକି ଅଛି ବାପା ।’’ ତାପରେ ହାତଟାକୁ ଆଣି ତା’ ହାତରେ ମିଶାଇ ଦେଲେ । ‘‘ଏ ସର୍ବହରା ଝିଅଟାକୁ ତମକୁ ଟେକିଦେଲି ବାପା, ତା’ର ବା ଏ ଜଗତରେ ଆଉ କିଏ ଅଛି ? ତା’ର ଯେମିତି କେଉଁଥିରେ ଅସୁବିଧା ନହୁଏ ।’’ ବାଶ୍‌, ସେତିକିରେ ଦୀପ ଲିଭିଗଲା । ଶଯ୍ୟାର ଗୋଟାଏ କଡ଼କୁ ସେ ଢଳି ପଡ଼ିଲେ । ରୀନା ମା’ଙ୍କ ଛାତି ଉପରେ ଭୋ’ ଭୋ’ କରି କାନ୍ଦି ଉଠିଲା । ରମେଶ ଭକୁଆଙ୍କ ପରି ଶୂନ୍ୟକୁ ଅନେଇଁ ରହିଥିଲା ।

 

X X X X

 

ଟ୍ୟାକ୍‌ସିଟାଏ ଚାଲିଥିଲା ନୂଆଗାଁ ଆଡ଼େ । ଜଗନ୍ନାଥ ସଡ଼କଟା ଏବେ ପକ୍‌କା ହେଇ ଗଲାଣି । ମସୃଣ ରାସ୍ତା ଉପରେ ସାଇଁ ସାଇଁ ଗଡ଼ି ଚାଲିଛି ଟ୍ୟାକ୍‌ସିଟା, ଭିତରେ ରମେଶ ଦାଢ଼ରେ ବସିଛି । ରୀନା କାନ୍ଦି କାନ୍ଦି ତା’ ଆଖି ଫୁଲିଯାଇଛି, ଉଭୟେ ସାମନା କାଚ ଦେଇ ଦୂରକୁ ଚାହିଁ ରହିଛନ୍ତି । କିଛି ସମୟ ପରେ ଆସିଲା ତୁଳସୀପୁର ଛକ, ତାପରେ ପଡ଼ିଲା ବାଲିଆପଟା ଗୋହିରୀ, ସେଇବାଟ ଦେଇ ଟାକ୍‌ସିଟା ନୂଆଗାଁକୁ ଗଡ଼ିଲା । ଗାଁ ଭିତରେ କିଛି ବାଟ ଆଗେଇ ଯାଇ ଟ୍ୟାକ୍‌ସିଟା ବ୍ରେକ୍‌ କସିଲା ନୀଳେଇ ପଧାନଙ୍କ ଦାଣ୍ଡ ଦୁଆରେ । ଟାକ୍‌ସିଟାଏ ଦେଖି ଅନେକ ପିଲା ଗଦା ହେଇ ପଡ଼ିଲେ । ରମେଶକୁ ସବୁ ଅନ୍ଧାର ଦେଖା ଯାଉଥିଲା, ସେଇ ଅନ୍ଧାର ଭିତରେ ସେ ଯେମିତି ଦେଖି ପାରୁଥିଲା–ରତି ଆସି ତା’ ପାଖରେ ପ୍ରଶ୍ନିଳ ମୁଖରେ ଠିଆ ହୋଇ ରହିଛି । ଅଜାଣତରେ ତା’ ପାଟିରୁ ବାହାରି ପଡ଼ିଲା, ‘‘ତୁ ଦିନେ ତୋ’ ପେଇଁ ଗୋଟେ ନୂଆବୋଉ ଆଣି ଦେବାକୁ କହୁଥିଲୁ ନା ରତି ?’’ ସେତିକିରେ ରତି ଯେମିତି କଇଁ କଇଁ ହୋଇ ଉଠିଲା । ବହି ଆସୁଥିବା ଲୁହ ଧାରକୁ ଅଂଚଳରେ ପୋଛି ଦେଇ ସେ ଯେମିତି ଅନ୍ତର୍ଦ୍ଧାନ ହେଇ ଯାଇଥିଲା ।

 

ଦୁଃଖିଆ ଚାଲିଥିଲେ ଠାକୁରପଦା ଆଡ଼େ । ମନରେ ତାଙ୍କର କେତେ ଭାବନା ଲହରି ଖେଳୁଛି । ଭାବୁଛନ୍ତି ପ୍ରଭୁ ଅମରେଶ୍ୱରଙ୍କ କଥା । ଭାବିଲା ବେଳେ ଠାକୁରଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ତାଙ୍କର ନଇଁ ଯାଉଛି । ସେ ଯାଇ ପହଞ୍ଚିଲେ ହରେକୃଷ୍ଣଙ୍କ ଘରେ । ସବୁକଥା ଶୁଣି ହରେକୃଷ୍ଣ କହିଲେ, ‘‘ମୋ’ର କ’ଣ ଏଥେରେ ଅମତ ଅଛି ସମୁଦି, ତମଆଡ଼ୁ ସିନା ବିଳମ୍ୱ ହେଉଥିଲା । ଏବେ ଆଉ ଡେରି କାହିଁକି ? ସେଇ ଅକ୍ଷୟ ତୃତୀୟା ତିଥିରେ ବାହାଘର ବଢ଼େଇ ଦବା ।’’ ସମ୍ମତି ନେଇ ଫେରି ଆସିଛନ୍ତି ଦୁଃଖିଆ । ଦୁଇ ପରିବାର ବାହାଘର ପାଇଁ ଖୁବ୍‌ ଜୋର ସୋରରେ ଲାଗି ପଡ଼ିଛନ୍ତି-

 

X X X X

 

ବେଦୀ ଉପରେ ବସିଛି ଗୌରମୋହନ, ବାମ ପାଖରେ ବସିଛି ରତି । ଦାମ ପୁରୋହିତେ ମନ୍ତ୍ରପାଠ କରି ଚାଲିଛନ୍ତି । ମନ୍ତ୍ରପାଠ କରି ସେ ଗୌରମୋହନ ହାତକୁ ଢାଳ ଉପରେ ରଖିଲେ, ରତି ହାତକୁ ତା’ ହାତ ଉପରେ ରଖି ଫୁଲମାଳ ଗୁଡ଼ାଇଲେ । ଏଥର ସେ ବୋଲି ଚାଲିଲେ, ‘‘ଯଥା ରାବଣସ୍ୟ ମନ୍ଦୋଦରୀ, ଯଥା ଧୃତରାଷ୍ଟ୍ରସ୍ୟ ଗାନ୍ଧାରୀ, ଯଥା ନଳସ୍ୟ ଦମୟନ୍ତୀ, ତଥା ମଦନସ୍ୟ ରତି । ହାତଗଣ୍ଠି ପଡ଼ିଲା, ସ୍ତ୍ରୀ ଲୋକମାନେ ହୁଳହୁଳି ପକାଇଲେ । ଗୌରମୋହନ କାନରେ ଶୁଣାଯାଉଥିଲା ସେଦିନ କ୍ଳାସରେ ରତି କହିଥିବା କେଇପଦ କଥା, ‘‘ମତେ ଭଲ ରାନ୍ଧିଆସେ, ମୁଁ ଥରେ ରାନ୍ଧିଦେବି, ଆପଣ ଖାଇବେ ସାର୍‌ ?’’ ସେ ହସ ଚାପି ଭାବୁଥିଲା, ‘‘ଥରେ କାହିଁକି, ଏଥର ତୋ’ ହାତରନ୍ଧା ସବୁବେଳେ ଖାଇବାକୁ ମିଳିବ ଯେ ।’’

 

ଦାଣ୍ଡରେ ଯାଉଥିଲା ଜେମିବୁଢ଼ୀ । ପାଟିକରି କରି ଚାଲିଛି ସେ, ‘‘ମଲା ମୋ’ର, ତମେ ସବୁ କ’ଣ ଭାବିଥେଲ ଇୟା ଆଉ ହେଇ ନଥାନ୍ତା । ମୁଁ ପରା ବେଳହୁଁ ଜାଣିଥେଲି, ଦିନେ ନା ଦିନେ ଏଇୟା ଘଟିବ । ହଇଲୋ, ସୂରୁଜ ଦେବତା ସାକ୍ଷୀ ଥେଲେଟି ସତ ଫେରେ କେଉଁକାଳେ ଅସତ ହେଲାଣି?’’ ଦୁଃଖିଆଙ୍କ ଦାଣ୍ଡ ଦୁଆରେ ସବାରି ଉଠୁଥିଲା । ଶଂଖୁଆ ପୁଅ ଗାଲ ଫୁଲାଇ ଫୁଙ୍କୁଥିଲା ଶୁଭ ଶଙ୍ଖ । ପ୍ରାଚୀ ଆକାଶରେ ମସାଲ ପରି କୁଆଁ ତାରାଟା ଉଇଁ ଆସୁଥିଲା ।

Image